Unknown

 

 

 

 

 

 

 

 

 

 

ରାକ୍ଷୀ ବନ୍ଧନ

ରବୀନ୍ଦ୍ରନାଥ ପଟ୍ଟନାୟକ

 

 

 

 

 

 

 

ଉତ୍ସର୍ଗ

 

ଯେଉଁମାନଙ୍କୁ ଆଖିଆଗରେ ରଖି ଏହି ପାଣ୍ଡୁଲିପିଟି ଲେଖିବାର କଳ୍ପନା କରିଥିଲି ଶେଷରେ ପୂର୍ଣ୍ଣାଙ୍ଗ କଳେବରରେ ସେମାନଙ୍କ ହାତରେ ଅର୍ପଣ କଲି

 

ରବୀନ୍ଦ୍ର

Image

 

ପଦେ

 

କହନ୍ତି–ଖରାପ, ଯଦି କୌଣସି ଝିଅ ସହିତ ସମ୍ପର୍କ ରଖାଯାଏ, ସେ’ ଯେ ପ୍ରକାର ସମ୍ପର୍କ ହେଉ-। ସେଥିପାଇଁ କେହି ମୁଣ୍ଡ ଖେଳାଇବା ଉଚିତ୍‌ ମନେକରେନା । ସେ ସମ୍ପର୍କ ‘ରାକ୍ଷୀ’ ପରି ମହତ୍ତ୍ୱ ଏବଂ ଆଦର୍ଶ ପୁର୍ଣ୍ଣ ହେଲେ ମଧ୍ୟ ଅନେକଙ୍କ କୁ-ଚକ୍ଷୁରେ ତାହା ବାରିଯାଏନା । ସେହିପରି କେତେକ ତରୁଣ ତରୁଣୀଙ୍କ ପବିତ୍ର-ସମ୍ପର୍କର ଭିତ୍ତି ଉପରେ ଏଇ ଉପନ୍ୟାସଟି ରଚିତ ।

 

କୈଶୋରରେ ପରିଚୟ, ଯୌବନରେ ବିଚ୍ଛେଦ ଏବଂ ପ୍ରୌଢ଼ତ୍ୱରେ ପୁନର୍ମିଳନ ହିଁ ଏହାର କଥାବସ୍ତୁ ।

 

ଲେଖକ

Image

 

ଏକ

 

ମାଘ ସପ୍ତମୀ । ହିନ୍ଦୁମାନଙ୍କର ଏକ ପବିତ୍ର ଦିବସ । ହିନ୍ଦୁଧର୍ମର ପ୍ରାଚୀନ ଧର୍ମଶାସ୍ତ୍ର କହେ–ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ୱ ଭୟଙ୍କର କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଚନ୍ଦ୍ରଭାଗାରେ ସୂର୍ଯ୍ୟଙ୍କ ଉପାସନା କରିଥିଲେ । ଆଦିତ୍ୟଙ୍କ ସୁଦୟାରୁ ସେ ସମ୍ପୂର୍ଣ୍ଣଭାବରେ ରୋଗମୁକ୍ତ ହୋଇଥିଲେ । ସେହିଦିନରୁ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ଦିନ ଧର୍ମପ୍ରାଣ ତୀର୍ଥଯାତ୍ରୀମାନେ ଏକତ୍ରିତ ହୁଅନ୍ତି ବୁଡ଼ ପକାଇବା ଉଦ୍ଦେଶ୍ୟରେ ।

 

ଚନ୍ଦ୍ରଭାଗାର କୋଳାହଳ ମୁଖରିତ ପରିବେଶ ମଉଳି ଯିବାକୁ ବସିଲାଣି । ବୁଡ଼ ପ୍ରକାଇ ପ୍ରାତଃ ସୂର୍ଯ୍ୟ ଦର୍ଶନାଭିଳାଷୀ ଯାତ୍ରୀ ପ୍ରାୟ ପ୍ରତ୍ୟାବର୍ତ୍ତନ କଲେଣି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଫଳରେ ଯାତ୍ରୀମାନଙ୍କର ବିଶେଷ ଅସୁବିଧା ହୋଇନାହିଁ । କୁହୁଡ଼ିର ପରଦା ଘୋଡ଼ାଇ ହୋଇ ରହିଥିଲେ ମଧ୍ୟ କିଛି ସମୟ ପରେ ଯାତ୍ରୀମାନଙ୍କର ମନସ୍କାମ ପୂର୍ଣ୍ଣ ହୋଇଥିଲା । ସୂର୍ଯ୍ୟ ଦେବତାଙ୍କର ଦର୍ଶନ ସେମାନେ ପାଇଥିଲେ । ବର୍ଷରେ ଗୋଟିଏ ଦିନ ଚନ୍ଦ୍ରଭାଗା ଚାତକ ପରି ଚାହିଁ ରହିଥିଲା ଯେମିତି–କେତେବେଳେ ଆସିବ ସେହି ଦିନଟି ଯେଉଁଦିନ ଲକ୍ଷ ଲକ୍ଷ ଧର୍ମପ୍ରାଣ ତୀର୍ଥଯାତ୍ରୀଙ୍କୁ ନିଜ କୋଳରେ ଧାରଣ କରିବାର ସୌଭାଗ୍ୟ ଲାଭକରିବ ସେ ।

 

ଏହି ଦିନଟିରେ କିଏ କେତେ ନୂଆ ବନ୍ଧୁ ପାଏ, କେହି ହରାଏ ମଧ୍ୟ ।

 

ଅମୀୟ ବାବୁ ମଧ୍ୟ ପାଇଥିଲେ, ଚନ୍ଦ୍ରଭାଗାରେ ବୁଡ଼ ପକାଇବା ତାଙ୍କର ନିଷ୍ଫଳ ହୋଇନାହିଁ । ଅନ୍ୟମନସ୍କ ଭାବରେ ଚାଲିଆସୁଥିଲାବେଳେ ଏକ ଶିଶୁର ବିକଳ କ୍ରନ୍ଦନ ଅମୀୟବାବୁଙ୍କୁ ପଛକୁ ଫେରିବାକୁ ବାଧ୍ୟ କରିଥିଲା । ଏତେ ବଡ଼ କୋଳାହଳପୂର୍ଣ୍ଣ ବିଷାକ୍ତ ବାତାବରଣ ମଧ୍ୟରେ ସ୍ତ୍ରୀ ଜୟନ୍ତୀ ଦେବୀ ତାହା ଶୁଣିବାକୁ ସମର୍ଥ ହୋଇନଥିଲେ । ସ୍ୱାମୀଙ୍କର ପାଶ୍ଚାତ୍‌ଧାବନ କଲେ ସେ ।

 

ଦୁଇ ତିନି ବର୍ଷର ପୁଅ ଗୋଟିଏ ବିକଳ ଭାବରେ କ୍ରନ୍ଦନ କରିବାକୁ ଲାଗିଲା । ତା’ର କ୍ରନ୍ଦନ ସମଗ୍ର ବାତାବରଣକୁ ଦୁଃଖପୂର୍ଣ୍ଣ କରି ତୋଳୁଥିଲେ ମଧ୍ୟ ତାହା କାହାର ଦୃଷ୍ଟି ଆକର୍ଷଣ କରିପାରୁନଥିଲା । ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ । ପିଲାଟିର ଅଭିଯୋଗ ଶୁଣିବାକୁ ସେମାନଙ୍କ ପାଖରେ ସମୟ ନାହିଁ ? (ଧର୍ମ ପାଇଁ ଯେତେବେଳେ ଆସିଛନ୍ତି ଏ ବିପଦଗ୍ରସ୍ତ ପିଲାଟି ପାଇଁ କିଛି ସମୟ ନଷ୍ଟ କଲେ କାଳେ ପାପ ଲାଗିଯିବ ?)

 

ଅମୀୟ ବାବୁ ଆସି ପିଲାଟି ପାଖରେ ଠିଆ ହେଲେ । ମୁଣ୍ଡରେ ଅଡ଼ୁଆ କେଶ ଗୁଡ଼ିକୁ ସଜାଡ଼ି ଦେବା ପରେ ନିଜ ରୁମାଲରେ ତାର ଲୁହ ପୋଛି ଦେଇ ପଚାରିଲେ, “ତୋର ନାମ କଣରେ ବାବୁ”.

 

ପିଲାଟି ଅମୀୟ ବାବୁଙ୍କ ସାନ୍ତ୍ୱନାରେ କାନ୍ଦ କାନ୍ଦ କରିବା ପରିବର୍ତ୍ତେ ଜୋରରେ କାନ୍ଦି ଉଠିଲା । କାନ୍ଦୁଥିବା ଅବସ୍ଥାରେ ଅମୀୟ ବାବୁଙ୍କ ପ୍ରଶ୍ନର ଉତ୍ତରରେ କହିଲା; “ବାବୁ ।”

 

“କାହା ସାଙ୍ଗରେ ଆସିଥିଲୁ ତୁ ? ଏ ଗହଳି ଭିତରେ ଏକା ଏକା ବୁଲୁଛୁ ? ଅମୀୟ ବାବୁ ପଚାରିଲେ ।

 

ବାଳକଟି କାନ୍ଦି କାନ୍ଦି କହିଥିଲା–“ବାପା ବୋଉଙ୍କ ସାଙ୍ଗରେ ଆସିଥିଲି । ମତେ ଛାଡ଼ିଦେଇ ସେମାନେ କୁଆଡ଼େ ଚାଲିଗଲେ ।”

 

ଅମୀୟ ବାବୁ ପିଲାଟିକୁ ତାର ଅଭିଭାବକଙ୍କ ନିକଟରେ ପହଞ୍ଚାଇ ଦେବାକୁ ବ୍ୟର୍ଥ ଚେଷ୍ଟା କରିଥିଲେ । ମାତ୍ର ତାହା ତାଙ୍କର ଦୁର୍ଭାଗ୍ୟ କି ସୌଭାଗ୍ୟ କେଜାଣି–ବାଳକଟି ସେମାନଙ୍କର ଠିକଣା କହି ପାରିଲାନାହିଁ । ଏତେ କମ୍‌ ବୟସର ପିଲାଠାରୁ ମଧ୍ୟ ଏ ସବୁ ଆଶା କରିବା ବୋକାମୀ ଥିଲା । କାହାକୁ ଭିତ୍ତିକରି ତାକୁ ନେଇ ସେମାନଙ୍କ ନିକଟରେ ପହଞ୍ଚାଇ ହେବ-? ନିରୀହ ପିଲାଟି ପ୍ରତି ତାଙ୍କର ଅହେତୁକ ମମତା ଜାଗ୍ରତ ହୋଇପଡ଼ିଲା । କୋଳକୁ ଉଠାଇଆଣି ପଚାରିଲେ–“ବୋଉ ପାଖକୁ ଯିବୁ ?”

 

ମୁଣ୍ଡ ହଲାଇ ପିଲାଟି ଉତ୍ତର ଦେଲା–“ହଁ” ।

 

“ତାହାହେଲେ ଚାଲ ମୁଁ ତୋ ବୋଉ ପାଖରେ ତୋତେ ପହଞ୍ଚାଇ ଦେବି ।” ଅମୀୟ ବାବୁ ପିଲାଟିକୁ ତଳୁ ଉଠାଇ ଆଣି ସାନ୍ତ୍ୱନା ଦେଉଥିଲେ ।

 

ଠିକ୍‌ ତାଙ୍କର ପଛରେ ଜୟନ୍ତୀ ଦେବୀ । ଅମୀୟ ବାବୁ “ବାବୁଙ୍କୁ” ତାଙ୍କର କୋଳକୁ ବଢ଼ାଇ ଦେଲେ । କୁଣ୍ଠିତ ହୋଇ ପଚାରିଲେ ସେ “ଏ କିଏ ?”

 

ନିସଙ୍କୋଚରେ ଅମୀୟ ବାବୁ ଉତ୍ତର ଦେଲେ, “ତୁମର ପୁଅ ‘ଚନ୍ଦ୍ରଭାନୁ’ । ଏଠାରେ ତୁମର ମନସ୍କାମନା ପୂର୍ଣ୍ଣ ହୋଇଛି । ତୁମ ପାଇଁ କେହି ପିଲାଟିକୁ ଛାଡ଼ିଯାଉଛି । ବିନା ଦ୍ୱିଧାରେ ଏହାକୁ ନିଜ ପୁଅ ଭାବରେ ଗ୍ରହଣ କର । ଚନ୍ଦ୍ରଭାଗାରେ ଏ ଆମର ହୋଇଛି । ତେଣୁ ଏହାର ନାମ ଚନ୍ଦ୍ରଭାନୁ ରହୁ ।”

 

ଭିଡ଼ ଭିତରୁ ଅମୀୟ ବାବୁ ସ୍ତ୍ରୀଙ୍କୁ ନେଇଆସିଲା ବେଳେ କହିଲେ–“ଦୀର୍ଘ ପାଞ୍ଚବର୍ଷର ତପସ୍ୟା ତୁମର ସଫଳ ହୋଇଛି । ଭଗବାନ ତୁମର ପ୍ରାର୍ଥନା ଶୁଣିଛନ୍ତି । ଏହାକୁ ତୁମେ ନିଜର ସନ୍ତାନ ଭାବରେ ଗ୍ରହଣ କରିନିଅ । ସମାଜ ଏହାକୁ ସ୍ୱୀକାର କରୁ ବା ନକରୁ, ଏହା ଉପରେ ତୁମେ ମାତୃ ହୃଦୟର ଅସରନ୍ତି ପୀୟୁଷଧାରାକୁ ଅଜାଡ଼ି ଦିଅ, ମାଆର ଅମୂଲ୍ୟ ସ୍ନେହମମତାରେ ଏହାକୁ ବାନ୍ଧିରଖ, ଯେମିତି ତୁମକୁ ହିଁ ସେ ନିଜର ଜନ୍ମଦାତ୍ରୀ ବୋଲି ଗ୍ରହଣ କରିନେବ । କେଉଁ ଜନ୍ମର ଅଭିଶାପରୁ ମୁଁ ତ ଆଜିପର୍ଯ୍ୟନ୍ତ ତୁମକୁ ମାତୃତ୍ୱର ଗୌରବ ଟିକକ ଦେଇ ପାରିଲି ନାହିଁ । ଏହି ଅଜ୍ଞାନ ବାଳକଟି ତୁମକୁ ସେହି ସୌଭାଗ୍ୟ ପ୍ରଦାନ କରୁ ।”

 

ଅମୀୟ ବାବୁଙ୍କ ଚକ୍ଷୁରେ ଅଶ୍ରୁର ଲହରୀ । ଜୟନ୍ତୀଙ୍କୁ ଲୁଚାଇ ସେ ପୋଛି ପକାଇଲେ-। ସେତେବେଳକୁ ଜୟନ୍ତୀ ଦେବୀ ନିଷ୍ପାପ ଶିଶୁଟିର ପ୍ରଶାନ୍ତ ମୁଖମଣ୍ଡଳକୁ ଚାହିଁ ଚାହିଁ କେତେ ଆକାଶ କୁସୁମ ତୋଳୁଥିଲେ । କିଏ ଜାଣେ ତାଙ୍କର କାମନା ସଫଳ ହେବ କି ନାହିଁ-। ପିଲାଟି ସେତେବେଳକୁ ଜୟନ୍ତୀ ଦେବୀଙ୍କ ଦେହକୁ ଜାବୁଡ଼ି ଧରି ନିଶ୍ଚିନ୍ତରେ ଆଖି ବନ୍ଦ କରିଦେଲା-। ପୂର୍ବର କ୍ରନ୍ଦନର ଆଭାଷ ଆଉ ନ ଥିଲା ତା ପାଖରେ, ତା ପରିବର୍ତ୍ତେ ପରମ ଶାନ୍ତିର ଝଲକ ତା ମୁହଁରେ ଖେଳି ବୁଲୁଥିଲା ଯାହା ସାଧାରଣତଃ ଜନନୀର ସ୍ନେହାର୍ଦ୍ର ସ୍ପର୍ଶରେ ଦେଖାଦେଇଥାଏ ସନ୍ତାନ ନିକଟରେ ।

 

ଆଗକୁ ଗୋଡ଼ ବଢ଼ାଇଲେ ସେମାନେ । ଅମୀୟ ବାବୁ ପୁଣି କହିଲେ–“ଏହା ଭଗବାନଙ୍କର ଦାନ ଜୟା ! ଏହାକୁ ଅବହେଳା କଲେ ଭଗବାନଙ୍କର ନିର୍ଦ୍ଦେଶକୁ ଅବମାନନା କଲାପରି ହେବ । ତେଣୁ କୌଣସି ପରିସ୍ଥିତିରେ ଭାଙ୍ଗି ନପଡ଼ି ଝଡ଼ ଝଞ୍ଜା ମଧ୍ୟରୁ ଏହାକୁ ରକ୍ଷା କରିବାକୁ ପଡ଼ିବ । ଆମରି ରକ୍ତର ନହେଲେ କଣ ହେଲା–ମାଆର ସ୍ନେହ ନିକଟରେ ଏ ନିଶ୍ଚୟ ହାର ମାନିବ । ଭଗବାନ ଶ୍ରୀକୃଷ୍ଣ ତ ଦିନେ ପୁଣି ଯଶୋଦାଙ୍କ ସ୍ନେହରେ ବାନ୍ଧିହୋଇ ରହିଥିଲେ । ମୋର ବିଶ୍ୱାସ ନିଜ ପରିଚୟ ପାଇସାରିଲା ପରେ ମଧ୍ୟ ଏ ଆମକୁ ଆଡ଼େଇ ଦେବନି । ଏହାକୁ ମଣିଷ କରି ଠିଆ କରାଇ ପାରିଲେ ଆମ ଜୀବନ ନିଶ୍ଚିତ ଭାବରେ ସାର୍ଥକ ହେବ । ଜୀବନର ସୁଦୀର୍ଘ ପଙ୍କିଳ ପଥରେ ଅନେକ ଦୁର୍ନୀତି, ଅନେକ ଅନ୍ୟାୟ, ଅନେକ ଅପରାଧ କରିହୁଏ । ତାରି ମଧ୍ୟରେ ଯଦି ଗୋଟିଏ ଅନାଥ ବାଳକକୁ ସ୍ୱାବଲମ୍ୱୀ କରି ଦୁନିଆ ଦାଣ୍ଡରେ ଠିଆ କରାଇ ଦିଆଯାଏ ତେବେ କ୍ଷତି କଣ ? ହୁଏତ ଜୀବନର ଅନ୍ତିମ ମୁହୂର୍ତ୍ତକୁ ଅପେକ୍ଷା କରିଥିଲାବେଳେ ସାନ୍ତ୍ୱନା ମିଳିବ–ଜୀବନରେ ଅନେକ ପାପ ମଧ୍ୟରେ ଏମିତି ଗୋଟିଏ ପୁଣ୍ୟକାମ ହୋଇଛି ଯାହା ଗୋଟିଏ ଅନାଥକୁ ସତ୍‌ପଥରେ ଜୀବନ ଯାପନ କରିବାର ପାଥେୟ ଯୋଗାଉଛି ।”

 

ନୀରବରେ ଜୟନ୍ତୀ ଦେବୀ ଶୁଣି ଯାଉଥିଲେ ଅମୀୟ ବାବୁଙ୍କ କଥାକୁ । ବାଳକଟିକୁ ଛାତି ଉପରକୁ ଉଠାଇ ନେଇ ଅମୀୟ ବାବୁଙ୍କ ଅନୁଗମନ କରି ସେ ଜନଗହଳି ମଧ୍ୟରୁ ବାହାରି ଆସିଥିଲେ । ପଛରୁ ସ୍ପଷ୍ଟ ଯାନ୍ତ୍ରିକ ସ୍ୱର ଶୁଣା ଯାଉଥିଲା–

 

‘‘ରେ କହ୍ନେୟା....

 

କିସିକୋ କହେଗା ତୁ ମୈୟା’’

 

ଦୁଇ

 

ଚନ୍ଦ୍ରଭାନୁକୁ ପାଇ ସାରିବା ପରେ ଅମୀୟ ବାବୁ କିମ୍ୱା ଜୟନ୍ତୀ ଦେବୀଙ୍କର ଅଯଥା ବିଳମ୍ୱ କରିବାକୁ ଇଚ୍ଛା ହୋଇ ନଥିଲା । ପୂର୍ବରୁ ବାପା ବୋଉ ଆସିଥିବାରୁ ଏ ବର୍ଷ ସେମାନେ ଘରେ ରହିଥିଲେ, ତେଣୁ ସେମାନଙ୍କୁ ଚନ୍ଦ୍ରଭାନୁର ସମ୍ୱାଦ ଶୁଣାଇବା ପାଇଁ ବ୍ୟସ୍ତ ହୋଇ ଫେରିଲେ-

 

ଘରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ଚନ୍ଦ୍ରଭାନୁକୁ ଦେଖି ବୋଉ ପଚାରିଲା–“ଏ କିଏ ଅମୁ, ଚିହ୍ନି ହେଉନି ତ !”

 

ଅମୀୟ ବାବୁ ସମସ୍ତ କଥା ବର୍ଣ୍ଣନା କରିଗଲେ ବୋଉ ନିକଟରେ । ବୋଉ ଚନ୍ଦ୍ରଭାନୁର ଡଉଲ ଡାଉଲ ଚେହେରାକୁ ଦେଖିଦେଲା ପରେ ମୁହଁକୁ କେମିତି ଶୁଖାଇ ଦେଲେ ।

 

–“କଣ ବୋଉ ! ତୁ ଚନ୍ଦ୍ରଭାନୁକୁ ନାତି ଭାବରେ ଗ୍ରହଣ କରି ପାରିବୁନି ?” ବୋଉର ପରିବର୍ତ୍ତିତ ମୁଖମଣ୍ଡଳକୁ ଲକ୍ଷ୍ୟକରି ଅମୀୟ ବାବୁ ପଚାରିଲେ ।

 

ବୋଉ ଉତ୍ତର ଦେଲେ ଅମୀୟ ବାବୁଙ୍କୁ ଚାହିଁ, “ହଁ ଗ୍ରହଣ କରି ପାରିବିନି କାହିଁକି ? କେବଳ ତୋର ଭବିଷ୍ୟତ କଥା ଭାବୁଛି, କିଏ କହିବ–ତୋତେ ଦିନେ ଦୁଃଖ କରିବାକୁ ନ ପଡ଼ିବ ବୋଲି ।”

 

–“କାହିଁକି ବୋଉ ?” ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ ଅମୀୟ ବାବୁ ।

 

ବୋଉ ଅମୀୟ ବାବୁଙ୍କୁ ବୁଝାଇବାକୁ ଚେଷ୍ଟାକଲେ, “ଦେଖ ଅମୁ ! ବଡ଼ ହେଲା ପରେ ଦିନେ ନା ଦିନେ ସେ ତାର ପ୍ରକୃତ ପରିଚୟ ପାଇବ । ସେତେବେଳେ ସେ କଣ ତୁମର ସ୍ନେହ-ମମତାର ମୂଲ୍ୟ ବୁଝିବ ? କୋଇଲି ଛୁଆ କାଉ ବସାରେ ବଢ଼ିଲା ପରି ନିଜ ବାପା ମାଆଙ୍କ ପରିଚୟ ପାଇ ସାରିବା ପରେ ସେ ଚାଲିଯିବ ସେମାନଙ୍କ ପାଖକୁ । ସେତେବେଳେ ତୁମର ଆଦରର ଚନ୍ଦ୍ରଭାନୁ କଣ ଆଉ ଚନ୍ଦ୍ରଭାନୁ ହୋଇ ହୋଇ ରହିବ ? ସେତେବେଳେ ତା’ କଥାକୁ ମନରୁ ପୋଛି ଦେବା କଣ ତୁମ ପକ୍ଷରେ ସମ୍ଭବ ହେବ ?

 

ଅମୀୟ ବାବୁ ବୋଉ ପ୍ରଶ୍ନର ଉତ୍ତର ଦେଇ ନିଜର ମନୋଭାବ ପ୍ରକାଶ କରିବାକୁ ଚେଷ୍ଟାକଲେ, “ସେ କଥା ମୁଁ ଚିନ୍ତା କରିନି ବୋଉ । ଭଗବାନ ଆମକୁ ସନ୍ତାନଟିଏ ସିନା ଦେଲେନି, ଆଉ କୌଣସିରେ ତ କମ୍‌ କରି ନାହାନ୍ତି ? ତାକୁ ଗୋଟିଏ ମଣିଷ ପରି ମଣିଷ କରି ଦୁନିଆ ଦାଣ୍ଡକୁ ଛାଡ଼ିଦେଲେ ଆମର ଅମଙ୍ଗଳ ହେବନି କି ଆମର ଧନ ଶେଷ ହୋଇଯିବନି । ଭଗବାନ ଆମକୁ ଯଥେଷ୍ଟ ଦେଇଛନ୍ତି । ସେ ତାର ପ୍ରକୃତ ପରିଚୟ ପାଇ ସାରିବା ପରେ ଆମକୁ ତାର ବାପା-ମାଆ ଭାବରେ ଗ୍ରହଣ ନକରୁ, ଦୁଃଖନାହିଁ; ହେଲେ ମୋ ବିଶ୍ୱାସ ସେ ଏତେବଡ଼ କୃତଘ୍ନ ହୋଇ ପାରିବ ନାହିଁ । ଆମର ଅବଦାନ ତା ହୃଦୟରେ ଚିରଦିନ ପାଇଁ ଏକ ବିଶିଷ୍ଟ ସ୍ଥାନ ଅଧିକାର କରି ରହିବ । ସ୍ନେହର ବନ୍ଧନ ଲୁହାର ଶିକୁଳିଠାରୁ ଆହୁରି ଦୃଢ଼ । ତାକୁ ଛିଡ଼ାଇ ଦେଲାପରି ଶକ୍ତି ପଶୁମାନଙ୍କର ନାହିଁ, ଇଏ ତ ସହଜେ ମଣିଷ । ତଥାପି ନିଜର ପ୍ରକୃତ ପରିଚୟ ପାଇ ଏ ଫେରିଗଲେ ମଧ୍ୟ ମୁଁ ଦୁଃଖ କରିବି ନାହିଁ । ଅନେକ ଚେଷ୍ଟା କଲି ତା ବାପା-ମାଆଙ୍କ ନିକଟରେ ପହଞ୍ଚାଇ ଦେବାକୁ । ହେଲେ ହେଲା କେଉଁଠି ? ତେଣୁ ସାଙ୍ଗରେ ଆଣିବାକୁ ବାଧ୍ୟ ହେଲି ।”

 

ବୋଉ ସମ୍ମୁଖରେ ନିଜର ମନୋଭାବକୁ ଉନ୍ମୋଚିତ କରି ତାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ ଅମୀୟ ବାବୁ । ବୋଉ ମଧ୍ୟ ଆଉ କୌଣସି ପ୍ରକାର ଯୁକ୍ତି ତର୍କ କରିବା ଉଚିତ୍‌ ମନେ କଲେ ନାହିଁ । ନିଜ ଭାବ ପ୍ରବଣ ସନ୍ତାନ ଆଖିର ପ୍ରାନ୍ତରେ ସେ ଅଶ୍ରୁର ଝଲକ ଦେଖି ପାରି ଥିଲେ । ନିଜ ପାଇଁ ତାଙ୍କୁ ଦୁଃଖ ଦେବାକୁ ସେ ଉଚିତ୍‌ ମନେକଲେ ନାହିଁ । ତାଙ୍କର କଣ ଅଛି ? ବୟସ ଅନେକ ହେଲାଣି । ଆଜି ଅଛନ୍ତି କାଲିକି ନଥିବେ । ଏଇ ଯେଉଁ କେତୋଟି ଦିନ ବଞ୍ଚିବେ ସୁଖରେ ରହିବେ-। ପୁଅ-ବୋହୂଙ୍କର ଖୁସିରେ ସେ ମଧ୍ୟ ଖୁସି ହେବେ । ପୁଅର ସୁଖ ଦେଖିବା ପାଇଁ ତ ଆଜିଯାଏ ବଞ୍ଚିଆସିଲେ, ବର୍ତ୍ତମାନ ବା କାହିଁକି ତାର ମନରେ ଦୁଃଖ ଦେବେ ? ଅମୁ ଯେତେବେଳେ ତାକୁ ପୁଅ ଭାବରେ ଗ୍ରହଣ କରି ପାରୁଛି ସେ କଣ ତାକୁ ନାତି ଭାବରେ ଗ୍ରହଣ କରି ପାରିବେ ନାହିଁ ?

 

ଏପରି ଏକ ନିସ୍ତବ୍‌ଧ ମୁହୂର୍ତ୍ତର ବାତାବରଣକୁ ପୂର୍ବାବସ୍ଥାକୁ ଫେରାଇ ଆଣିଲେ ଅମୀୟ ବାବୁଙ୍କର ବାଲ୍ୟବନ୍ଧୁ ରବିବାବୁ ପହଞ୍ଚି ।

 

ରବିବାବୁ ପହଞ୍ଚିବା ସାଙ୍ଗେ ସାଙ୍ଗେ ଅମୀୟ ବାବୁଙ୍କର କୁଶଳତା ବିଷୟରେ ପ୍ରଶ୍ନକଲେ–“କିରେ ଅମୁ ଭଲରେ ଭଲରେ ଫେରିଲୁ ତ ? ମୁଁ ଯେ ଏଠାକୁ କେତେଥର ଆସି ଫେରି ଗଲିଣି ତାର ହିସାବ ନାହିଁ । ଦଶଟା ବେଳେ ଆସି ବସି ଗଲି । ଭାବିଲି କାଲି ଆସିବୁକି କଣ କିନ୍ତୁ ତୁମର ଘର ଆଡ଼କୁ ରିକ୍‌ସାଟା ଆସିବାର ଦେଖି ମୁଁ ଦଉଡି ଆସିଲି ! ଯାହା ହେଉ ଏଥର ମୋ ଆସିବାଟା ବେକାର ଯାଇନି ।”

 

ନିକଟସ୍ଥ ଚଉକିରେ ରବିବାବୁଙ୍କୁ ବସାଇବା ପରେ ଅମୀୟ ବାବୁ ବନ୍ଧୁର ପ୍ରଶ୍ନର ଉତ୍ତର ଦେଲେ–“ହଁ ଭଗବାନଙ୍କ ଆଶୀର୍ବାଦରୁ କୌଣସି ପ୍ରକାରେ କଟିଗଲା ଆମର ଯାତ୍ରାଟା । ତୁ ତ ଜାଣୁ ବହୁତ ଦିନରୁ ଆମେ ଗୋଟିଏ ସନ୍ତାନର ପ୍ରତୀକ୍ଷାରେ ଥିଲୁ । ଚନ୍ଦ୍ରଭାଗାରୁ ଆମକୁ ଗୋଟିଏ ପୁଅ ମିଳିଛି ।”

 

ଅମୀୟ ବାବୁଙ୍କ କଥାକୁ ରବିବାବୁ ବିଶ୍ୱାସ କରି ପାରୁ ନଥିଲେ–“କଣ ସେଇଠି ପଡ଼ିଥିଲା, ଗୋଟେଇ ଆଣିଲୁ ?” ଥଟ୍ଟା କଲା ପରି ସେ ପଚାରିଲେ ନିଜର ବନ୍ଧୁଙ୍କୁ ।

 

ଅମୀୟ ବାବୁ ସମସ୍ତ କଥା ବୁଝାଇ ଦେଲା ପରେ ରବିବାବୁ ଅଭିନନ୍ଦନ ଜଣାଇଲେ । “କିନ୍ତୁ ରବି ମୋର ଅନୁମାନ ଦରିଦ୍ରତା ବଶତଃ ଏହାର ବାପା ମାଆ ଏହାକୁ ଛାଡ଼ି ଯାଇଛନ୍ତି । ପିଲାଟିର ଅବସ୍ଥା ତଥା ପୋଷାକ ପତ୍ର ଦେଖିଲେ ଯେ–କେହି ଏ କଥା ଧାରଣା କରି ପାରିବ ।” ଅମୀୟ ବାବୁ କହିଲେ ।

 

ରବିବାବୁ ବାଧାଦେଲେ, “ନା ଅମୁ, ଏ ତୋର ଭୁଲ ଧାରଣା । ବାପା-ମାଆ ଯେତେ ଅସୁବିଧାରେ ପଡ଼ିଲେ ମଧ୍ୟ ନିଜ ସନ୍ତାନକୁ ଦୂରେଇ ଦେବାକୁ ଚାହାନ୍ତି ନାହିଁ । ହୁଏ ତ ଏହା ପଛରେ ଅନ୍ୟ କିଛି କାରଣ ଥାଇ ପାରେ ଦରିଦ୍ରତା ବ୍ୟତୀତ ।”

 

ଏ ପ୍ରସଙ୍ଗକୁ ଅଧିକ ଦୂର ଆଗେଇ ନେବାକୁ ଅମୀୟ ବାବୁ ଚାହୁଁ ନଥିଲେ–“ଛାଡ଼ ଭାଇ ଏ ସବୁ ବାଜେ କଥାର ଆଲୋଚନାରୁ କଣ ମିଳିବ ? ହଁ ତୋ ଖବର ସବୁ କହ, ତିନି ଚାରିଦିନ ହେବତ ସାଙ୍ଗରେ ସାକ୍ଷାତ ହୋଇ ପାରିନି ।”

 

“ହଁ ଅମୁ” ଦୀର୍ଘଶ୍ୱାସ ଛାଡ଼ି ରବିବାବୁ କହିବାକୁ ଲାଗିଲେ–“ତୋ ପରିବାରରେ ଜଣେ ନୂତନ ଆଗନ୍ତୁକ ଆସି ପହଞ୍ଚିଲା, ତୁ କେତେ ଖୁସି ହେଉଥିବୁ । ମାତ୍ର ଦୁଃଖର କଥା ତୁମ ସାଙ୍ଗରେ ଭାଗ ମିଶାଇଲା ପରି ସୌଭାଗ୍ୟ ମୋର ଆଉ ହେଉ ନାହିଁ ।”

 

“କାହିଁକି, କଣ ହେ ?” ଆଶ୍ଚର୍ଯ୍ୟ ହୋଇ ଅମୀୟ ବାବୁ ପ୍ରଶ୍ନକଲେ ।

 

ରବିବାବୁ କହିବାକୁ ଲାଗିଲେ–“ବ୍ୟାଙ୍କରେ ଯେଉଁ ଇଣ୍ଟରଭିଉଟା ଦେଇଥିଲି ସେଥିରେ ତ ପାଶ୍‌ କରି ଯାଇଥିଲି । ବର୍ତ୍ତମାନ ମୋର ପୋଷ୍ଟିଂ ଅର୍ଡର ମଧ୍ୟ ଆସି ଯାଇଛି । ଚାକିରି ହୋଇ ନଥିଲା, ଭଲ ଥିଲା । ମୁଁ ଖୁସିରେ ଥିଲି । ବର୍ତ୍ତମାନ ଚାକିରି ହୋଇଯାଉଛି , ସେଇଥିପାଇଁ କେବଳ ମୋର ଦୁଃଖ ।”

 

ଅମୀୟ ବାବୁ ବିରକ୍ତ ହେଲେ–“ଆରେ ବାବା, କାହିଁକିତ ଥରେ କହ ?”

 

ରବିବାବୁ ଖୁବ୍‌ ଦୁଃଖିତ ଥିଲେ । ଅମୀୟ ତା ପାଖରୁ କାରଣ ଜାଣିବା ପାଇଁ ଚାହୁଁଛି, ଜାଣିବା ପରେ ସେ ମଧ୍ୟ ଦୁଃଖ କରିବ, ନରକ ଦୁଃଖ । ତଥାପି ଏ କଥାକୁ ତ ତା ପାଖରେ ଲୁଚାଇ ରଖା ଯାଇ ନପାରେ । ରବିବାବୁ କହିଲେ–“ଅମୁ ! ମୋର ପୋଷ୍ଟିଂ ବମ୍ୱେରେ ହୋଇଯାଇଛି । ଏତେ ଦୂରରେ ରହିବି ତୁମ ସମସ୍ତଙ୍କୁ ଛାଡ଼ି, ସେଇଥିପାଇଁ ମୋତେ ବେଶୀ ଦୁଃଖ ଲାଗୁଛି । ପନ୍ଦର ଦିନ ଭିତରେ ଜଏନ୍‌ କରିବାର ଡେଟ୍‌ ଅଛି । ଭାବୁଛି ଯିବିନି, ପୁଣି ଭାବୁଛି ଦୁଇବର୍ଷ ବସିବା ପରେ ଏଡ଼େ ସୁନ୍ଦର ସୁଯୋଗଟାଏ ମିଳିଛି । ଏହାକୁ ଛାଡ଼ିଦେଲେ ପଛରେ ପୁଣି ପସ୍ତେଇବାକୁ ପଡ଼ିବ ।’

 

“ଆରେ ବୋକା ଏଥିରେ ଦୁଃଖ କରିବାର କଣ ଅଛି ?” ବୁଝାଇବାକୁ ଅମୀୟ ବାବୁ ଚେଷ୍ଟା କଲେ–“ବରଂ ଚାକିରି ମିଳିଛି ସେ ବଡ଼ କଥା । କେବେ ସିନା ବିଦେଶ ଗଲେ ଘରେ କାନ୍ଦ ବୋବାଳି ପଡ଼ୁଥିଲା, ଆଜି କଣ ଆଉ ସେ ସମୟ ଅଛି । ଆଜିର ବିଜ୍ଞାନ ସ୍ଥାନର ଦୂରତାକୁ କେତେ କମାଇ ଦେଲାଣି । ଦିନେ ଦୁଇ ଦିନରେ ବମ୍ୱେରୁ ଏଠାରେ ପହଞ୍ଚିବୁ । ତୋ ପରି ଅନେକ ଲୋକ ତ ପୁଣି ସେମାନଙ୍କ ଘରଠାରୁ ଦୂରରେ ରହୁଛନ୍ତି । ବମ୍ୱେ ପରି ବିଖ୍ୟାତ ନଗରୀରେ ରହିବୁ । ଏ ତ ତୋର ସୌଭାଗ୍ୟ । କାହିଁ କଟକ ନଗରୀ ଆଉ କାହିଁ ବମ୍ୱେ ନଗରୀ । ତୁ ଦୁଃଖ କରୁଛୁ କାହିଁକି ? ବରଂ ଆନନ୍ଦିତ ହେବା କଥା ।”

 

ଅମୀୟ ବାବୁ ରବିବାବୁଙ୍କୁ ବୁଝାଇବା ପାଇଁ ଅନେକ କହିଲେ । ରବିବାବୁଙ୍କର ମନ କିନ୍ତୁ ବୁଝୁ ନଥିଲା । ସେ ଅମୀୟ ବାବୁଙ୍କୁ କହିଲେ–“ଅମୁ ଏକଥା ସବୁ କହି ତୁ କେବଳ ମୋତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛୁ । ମୁଁ ଠିକ୍‌ ବୁଝି ପାରୁଛି, ଏ ତୋ ଅନ୍ତରର କଥା ନୁହେଁ । ତୁ ନିଜେ ପରା ମୋଠାରୁ ଦୂରରେ ରହି ପାରିବୁନି ବୋଲି ଗୋଟିଏ ମାସରେ ସମ୍ୱଲପୁରରୁ କଟକକୁ ଟ୍ରାନ୍‌ସଫର ହୋଇଆସିଲୁ । ଶ୍ୱଶୂର ଘରକୁ ଯାଇ ଦୁଇ-ଚାରି ଦିନ ରହି ପାରୁନା । ଦିନେ ପାଇଁ ହେଲେବି ମୁଁ ଯାଇ ତୋ ସାକ୍ଷାତ କରି ଆସେ । ପ୍ରତିଦିନ ଅତିକମ୍‌ରେ ଘଣ୍ଟାଏ ମୋ ସାଙ୍ଗରେ ନ ରହିଲେ ତୁ ପାଗଳ ହୋଇ ଯାଉ ।”

 

ଦୁହିଙ୍କ ଆଖିରେ ଅଶ୍ରୁ ଝଲକୁ ଥିଲା । ପ୍ରକୃତରେ ସେମାନେ କେହି କାହାରିଠାରୁ ଦୂରରେ, ରହିବାକୁ ଚାହୁଁ ନଥିଲେ । ଦୁହେଁ ଦୁହିଁଙ୍କ ଆଲିଙ୍ଗନ ମଧ୍ୟରେ ଆବଦ୍ଧ ରହି ପିଲାଙ୍କ ପରି କାନ୍ଦିବାକୁ ଲାଗିଥିଲେ । ବୋଉର କଥା ସେମାନଙ୍କୁ ପ୍ରକୃତିସ୍ଥ କରାଇଲା । ବୋଉ ଜାଣିଥିଲେ ଦୁଇବନ୍ଧୁ ସେତେବେଳେ କାହିଁକି ଦୁଃଖିତ ଥିଲେ । ରବି ପୂର୍ବଦିନ ନିଜର ପୋଷ୍ଟିଂ ବିଷୟରେ ମଧ୍ୟ କହିଥିଲା । ନ ଜାଣିଲା ପରି ସେ ଅନ୍ୟ ଆଡ଼କୁ ଚାଲିଗଲେ ।

 

କିଛି ସମୟ ପରେ ଜୟନ୍ତୀ ଦେବୀ ଜଳଖିଆ ନେଇ ପହଞ୍ଚିଲେ । ନିଜକୁ ଯଥା ସମ୍ଭବ ସଞ୍ଜତ କରି ଅମୀୟ ବାବୁ କହିଲେ–“ଏମିତି ଏମିତି ସୁଯୋଗ ପୁଣି ପାଇବୁନିରେ ରବି । ଆଜି-କାଲି ଚାକିରି ଗୋଟାଏ ମିଳିବା କେତେ କଷ୍ଟ ତା’ତ ତୁ ଜାଣୁଥିବୁ ବନ୍ଧୁତ୍ୱ ପାଇଁ ତୋର ଭବିଷ୍ୟତକୁ ନଷ୍ଟକରି ମୁଁ କୃତଘ୍ନ ହୋଇ ପାରିବିନି । ତୁ ଯଦି ମୋ ଖାତିରରେ ଏ ଚାକିରି ଛାଡ଼ିଦେଉ ତେବେ ମୋ ମନରେ ଖୁବ୍‌ ଆଘାତ ଲାଗିବ । ତୋର ଏପରି ପରିସ୍ଥିତି ପାଇଁ ମୁଁ ନିଜକୁ ଦାୟୀ କରିବି ।”

 

ଜୟନ୍ତୀ ଦେବୀ ସେତେବେଳ ପର୍ଯ୍ୟନ୍ତ ରବିବାବୁଙ୍କର ପୋଷ୍ଟିଂ ବିଷୟରେ ଶୁଣି ନଥିଲେ-। ଅମୀୟ ବାବୁଙ୍କର କଥା ଶୁଣି ସେ କ’ଣ କହିବାକୁ ଯାଉଥିଲେ । ମାତ୍ର ତା ପୂର୍ବରୁ ରବିବାବୁ କହିଲେ–“ଭାଉଜ ! ଏ ଦୁଷ୍ଟ ଦିଅରଟାକୁ–ଭୁଲିଯିବନି ଆଉ । ମୁଁ ତ କେତେ ଦୂରକୁ ଚାଲିଯାଉଛି । ଅମୁ ଏକଲା ରହିଲେ ମୋ କଥା ଅଧିକରୁ ଅଧିକ ଭାବିବ । ତେଣୁ ତୁମେ ତାକୁ ଏକାକୀ ରହିବାକୁ ଦେବନି । ମୁଁ ତ ସେଇଠି କେମିତି ରହିବି ଭାବୁଛି । ହଁ ଅମୁ ମୋତେ ମନେରଖୁ, ମନାନାହିଁ, କିନ୍ତୁ ମୋ ପାଇଁ କଷ୍ଟ ନପାଉ । ହେଉ ଭାଉଜ ପହର ଦିନ ଯାଉଛି । ପୁଣି କେବେ ଦେଖା ହେବକି ନାହିଁ ଜାଣେନା; କିଏ କହିବ–ଏ ସାକ୍ଷାତରେ ଆମର ଶେଷ ସାକ୍ଷାତ ମଧ୍ୟ ହୋଇପାରେ ।”

 

-“ଛି ! ରବି ଏମିତି କଥା କହନ୍ତି ?” ଜୟନ୍ତୀ ଦେବୀ କୁତ୍ରିମ କ୍ରୋଧ ପ୍ରକାଶ କଲେ । “ଏମିତି କେତେ ଦୂର ଯେ ଦୁଃଖ କରୁଛ ? ଚାହିଁଲେ ଦୁଇ ଦିନରେ ଆସିବ ଯିବ । ତୁମର ବି ତ ଏଠାରେ ସମସ୍ତେ ଅଛନ୍ତି । କଣ ସେଠାରେ ତୁମେ ସବୁଦିନ ପାଇଁ ରହିଯିବ କି ? ସେଠାରେ ତୁମପରି ଲୋକକୁ ଅଟକାଇ ରଖିବାକୁ କେହି ମାଇକିନିଆ ନଥିବେମ ! ନଈ ନିକଟରେ ନ ପହଞ୍ଚି ତୁମେ ଏତେ ବ୍ୟସ୍ତ ହୋଇ ପଡ଼ୁଛ କାହିଁକି ? ମୁଁ ମୋ ଦିଅରକୁ ଠିକ୍‌ ଜାଣେ । ତୁମେ କେବେ ତୁମର ହୀରୋ ସାଙ୍ଗ ପରି କୌଣସି ଝିଅକୁ ଉଡ଼ାଇ ନେଇ ବାପା-ମାଆଙ୍କ ମୁହଁରେ କାଳି ବୋଳିବ ନାହିଁ ।”

 

ଭାଉଜଙ୍କ କଥା ଶୁଣି ଏତେ ଦୁଃଖରେ ବି ରବି ହସି ପକାଇଲା । ତାରି ହସ ସଂକ୍ରମିତ ହୋଇଗଲା ଅମୀୟ ବାବୁଙ୍କ ମୁହଁକୁ । କୌଣସି କାର୍ଯ୍ୟରେ ଜୟନ୍ତୀ ଦେବୀ ଘର ଭିତରକୁ ଚାଲିଗଲେ । ସେମାନଙ୍କ ପରି ସେ ତ ଆଉ ବସି ରହି ପାରିବେ ନାହିଁ ।

 

ରବିବାବୁ କହିଲେ–“ତୋର ମନେ ପଡ଼ୁଛିନା ଅମୁ ! ଆମର ପଢ଼ୁଥିବା ସମୟର କଥା । ଆମ ଗ୍ରୁପର ଦଳେ ପିଲାଙ୍କ ମଧ୍ୟରେ କିପରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହୋଇ ଯାଇଥିଲା । ଆଜିକୁ କେତେଦିନ ହେଲାଣି ? ସାତ-ଆଠ ବର୍ଷ ହେଲାଣି ତଥାପି ମୋର ସ୍ପଷ୍ଟ ଭାବରେ ମନେ ଅଛି । ତୋର ଭଲ ଭାବରେ ମନେ ନଥିବ; ମୁ କହି ଦେଉଛି ।

 

ସେହିବର୍ଷ କ୍ଳାସରେ ଆମେ ଏକତ୍ରିତ ହୋଇଥିଲେ । ପରିଚୟ ସାମାନ୍ୟ ଥିଲା; ମାତ୍ର ଘନିଷ୍ଠତା ହେଲା ସେହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ପରେ ଯେଉଁଦିନ ସେମାନେ ପବିତ୍ର ରାକ୍ଷୀ ବାନ୍ଧି ଦେଇଥିଲେ ଆମରି ହାତରେ । ରାସ୍ତା ଧାରରେ ବଉଳ ଗଛତଳେ ଅନେକଙ୍କୁ ବାଦଦେଇ ଆମରି କେତେଜଣଙ୍କର ଆଳାପ-ଆଲୋଚନା ସମସ୍ତଙ୍କ ଚକ୍ଷୁରେ ସମାଲୋଚନାର ସାମଗ୍ରୀ ହୋଇ ପଡ଼ିଥିଲା । ତୋର ମନେ ଅଛି–ସେତେବେଳେ କେମିତି ସେଇ ନିକଟବର୍ତ୍ତୀ ଘରଗୁଡ଼ିକର ବନ୍ଦ ଝରକା ମଧ୍ୟ ଖୋଲି ଯାଉଥିଲା ସେହି ସମୟରେ । ପରାଦାର ଅନ୍ତରାଳରୁ ଯୋଡ଼ି ଯୋଡ଼ି ଚକ୍ଷୁ ଆଶାୟୀ ହୋଇ ଆମରି ଆଡ଼କୁ ଚାହିଁ ରହିଥାଏ । ସତେ ଯେମିତି ଆମେ ସବୁ କେଉଁ ଚିଡ଼ିଆଖାନାର ଜୀବ । ପ୍ରଥମ ଥର ପାଇଁ ଆମକୁ ଦେଖି, କୌତୂହଳ ଦମନ କରି ପାରୁ ନଥାନ୍ତି ସେମାନେ ଯେମିତି । କ୍ଲାସ ଆରମ୍ଭ ହେବାର ଠିକ୍‌ ପନ୍ଦର ମିନିଟ୍‌ ପୂର୍ବରୁ ଆମର ସାକ୍ଷାତ ନିଶ୍ଚିତ ଭାବରେ ହେଉଥିଲା ସେହି ବଉଳ ଗଛ ତଳେ ପୁଣି କ୍ଲାସ ଶେଷ ହେବା ପରେ ମଧ୍ୟ । ଆମମାନଙ୍କ ମଧ୍ୟରେ ଥିଲେ ତୁ-ମୁଁ, ରାଜେନ୍ଦ୍ର, ପ୍ରକାଶ, ମମତା, ଜାନକୀ, ସଂଘମିତ୍ରା ଓ ଜ୍ୟୋତିର୍ମୟୀ ।

 

ତା’ପରେ ଆମ ଗ୍ରୁପର ଏକତା ପାଇଁ ଆମର ସହପାଠୀମାନେ ଆମ ଉପରେ ତ ଜଳିବାକୁ ଲାଗିଥିଲେ । ଆମକୁ ଶିକ୍ଷା ଦେଉଥିବା ଶିକ୍ଷକମାନେ ମଧ୍ୟ ସେଥିରୁ ବାଦ ଗଲେନି । ସତରେ ଅମୁ ଯାହା ମୂଳଦୁଆ ନୀଚତା, ଚରିତ୍ରହୀନତା ଉପରେ ପ୍ରତିଷ୍ଠିତ ସେମାନେ ଶିକ୍ଷକ ହେଲାପରେ ବି କଣ ବା ଶିକ୍ଷାଦେଇ ପାରିବେ ? ଅବଶ୍ୟ ଆମେ ଶିକ୍ଷକମାନଙ୍କର ଚକ୍ଷୁଶୂଳ ହେବା ପଛରେ ଆମର ହିଂସୁକ ବନ୍ଧୁ କେତେଜଣଙ୍କର ହାତ ପରୋକ୍ଷ ଭାବରେ ଥିଲା । ସମସ୍ତ ସହାନୁଭୂତି ଏଇଥିପାଇଁ ଆମେ ସେମାନଙ୍କ ପାଖରୁ ହରାଇ ଥିଲେ ।

 

ପରେ ଯେତେବେଳେ ତୁ ଅନେକ ଲୋକଙ୍କ ପାଖରୁ ସନ୍ଦେହ ଦୃଷ୍ଟି ଦେଖି ସମସ୍ତଙ୍କୁ କହିଲୁ ତା ପରେ ସେମାନଙ୍କୁ ଜଳାଇବା ପାଇଁ ଆମର ଘନିଷ୍ଠତା ଆହୁରି ବଢ଼ାଇ ଦିଆଗଲା । ତାର କିଛିଦିନ ପରେ ସମାଜର ସଂକୀର୍ଣ୍ଣତା ଦେଖି ତୁ ଦୁଃଖିତ ହୋଇଥିଲୁ ।

 

ତୋର ଏଇ କଥା ଉପରେ ଜାନକୀ ଟିପ୍‌ପ୍‌ଣୀ ଦେଇଥିଲେ–“ଅମୁ ତୁମେ ବ୍ୟସ୍ତ କାହିଁକି ହେଉଛ, ଆମର ସମ୍ପର୍କ ଯେତେ ପବିତ୍ର ହେଲେବି ସମାଜ ଏହାକୁ ସନ୍ଦେହ କରିବ ନିସନ୍ଦେହରେ । ଯେଉଁଠି ସହୋଦର ଭାଇ-ଭଉଣୀଙ୍କ ସମ୍ପର୍କ ସଂଶୟ ପୂର୍ଣ୍ଣ ସେଇଠି ଆମେ ସମସ୍ତେ ବା କେଉଁଠି ତାର ବିଶ୍ୱାସଯୋଗ୍ୟ ହୋଇ ପାରିବା ? ତେବେ ଭାଇ ! ବର୍ତ୍ତମାନ କଥା ବାଦ୍‌ ଦିଅ ମାତ୍ର ଯେତେବେଳେ ଆମେ ସବୁ ବୁଢ଼ା-ବୁଢ଼ୀ ହେବା, ବାଳ ପାଚିଯିବ, ୱାକିଂଷ୍ଟିକ୍‌ ଧରି ତୁମେ ସବୁ ବୁଲିବ, ସେତେବେଳେ ଆମର ସମ୍ପର୍କ ପୁଣିଥରେ ବଢ଼ାଇ ଦେବ । ସେତେବେଳେ ସମାଜକୁ ଦେଖାଇ ଦେବା ଆମ ସମ୍ପର୍କ କେମିତି କଳୁଷିତବିହୀନ ଏବଂ ପବିତ୍ର । ସେତେବେଳେ ତୁମର କାହାରି ପୁଅ ସାଙ୍ଗରେ ଆମ ଭିତର କାହାରି ଝିଅକୁ ବିବାହ କରାଇ ଦେବା । ଦେଖିବା ତାହା ଆମର ସମ୍ପର୍କକୁ କେମିତି ଆହୁରି ଦୃଢ଼ କରାଇବ । ତା ପ୍ରସ୍ତାବରେ ତୁ ସମ୍ମତ ମଧ୍ୟ ହୋଇଥିଲୁ ।

 

ପ୍ରଥମରୁ ତ ପ୍ରକାଶ ଓ ମମତାର ସମ୍ପର୍କରେ ଆମେ ସନ୍ଦେହୀ ହୋଇ ପଡ଼ିଥିଲେ । ଆଉ ତାହା ଆମକୁ ସେମାନଙ୍କଠାରୁ ଦୂରେଇ ଦେଲା । ପୁଣି ପାଖାପାଖି ହୋଇ ପୂର୍ବ ସମ୍ପର୍କ ଫେରି ଆସିଲା ବେଳକୁ ମମତାର ବାପାଙ୍କର ଟ୍ରାନ୍‌ସଫର ହୋଇଯିବାରୁ ସେ ଚାଲିଗଲା । ପ୍ରକାଶ ସହିତ କୌଣସି ପ୍ରକାର ସନ୍ଧି ହୋଇ ପାରିଲା ନାହିଁ । ତା ପରେ ତ ସେ ଗୋଟିଏ ଝିଅ ସହିତ କଟକରୁ ଫେରାର ହୋଇଗଲା । ପରେ ତାହାକୁ ନିଜର ଅର୍ଦ୍ଧାଙ୍ଗିନୀ ଭାବରେ ଗ୍ରହଣ କରି ଫେରିଲେ ମଧ୍ୟ ଆମେ ଆମର ପୂର୍ବ ସମ୍ପର୍କ ଫେରାଇ ଆଣିବାକୁ ଚେଷ୍ଟା କରି ନଥିଲେ ।

 

ଜାନକୀର ତ ଅନେକ ପୂର୍ବରୁ ବିବାହ ହୋଇ ସାରିଥିଲା । କିଛି ଦିନ ତଳେ ତାଙ୍କ ଭାଇଙ୍କ ସାଙ୍ଗରେ ସାକ୍ଷାତ ହୋଇଥିଲା । ସେତେବେଳେ ତାର ଦୁଇଟି ପୁଅ ଜନ୍ମ ହୋଇ ସାରିଥିଲା-

 

ସଙ୍ଗମିତ୍ରା ଓ ଜ୍ୟୋତିର୍ମୟୀ କେତେ ଦୃଢ଼ ଭାବରେ କହୁଥିଲେ–“ଆମେ ବିବାହ କରିବୁନି-।” ସେ ସବୁ ଚପଳତା ଦିନେନା ଦିନେ ସମସ୍ତଙ୍କୁ ସଂସାରିକ ବନ୍ଧନର ଲୌହ ଶୃଙ୍ଖଳା ମଧ୍ୟରେ ଆବଦ୍ଧ ହୋଇଯିବାକୁ ପଡ଼ିବ । କେବଳ ପାର୍ଥକ୍ୟ ଏତିକି–କାହାର ଟିକିଏ ଶୀଘ୍ର ତ କାହାର ଟିକିଏ ବିଳମ୍ୱରେ । ଜାନକୀ ପରେ ପରେ ସଙ୍ଘମିତ୍ରା ଏବଂ ଶେଷରେ ଜ୍ୟୋତିର୍ମୟୀ ବିବାହ କରି ଚାଲିଗଲେ । କେତେ ପ୍ରତିଜ୍ଞା କରୁଥିଲେ ସେତେବେଳେ ସେମାନେ, କେତେ ପ୍ରତିଶ୍ରୁତି ଦେଉଥିଲେ । କହୁଥିଲେ–“ଭାଇ ! ତୁମେମାନେ ସିନା ଆମମାନଙ୍କୁ ଭୁଲିଯିବ ଭାଉଜମାନେ ଆସି ସାରିବା ପରେ । ହେଲେ ଆମେ ତୁମମାନଙ୍କୁ କେବେ ଭୁଲି ପାରିବୁ ନାହିଁ-।” ସେ ସମ୍ପର୍କ ଆଜି ଆମର କୁଆଡ଼େ ଗଲା, ସେମାନେ କୁଆଡ଼େ ଗଲେ ? କେହି ଆମର ଠିକଣା ପର୍ଯ୍ୟନ୍ତ ଜାଣି ନାହାନ୍ତି । ପୂର୍ବର କଥା ସବୁ ମନେ ପଡ଼ିଲେ କେତେ ଦୁଃଖ ଲାଗେ ।

 

ସଙ୍ଘମିତ୍ରାର ଚପଳତା ମନରୁ ଯିବାର ନୁହେଁ । ସେ ସମୟରେ ଦିନେ ସେ ପଚାରି ନଥିଲା–“ଭାଇ ! ତୁମେମାନେ ଆମକୁ ସବୁ ଲଭ୍‌ (Love) କରୁନ ? ତୁ ବିରକ୍ତ ହେବାରୁ ସେ ବୁଝାଇଲା–‘‘ଭାଇ ତୁମେ ଭାରି ଖରାପ, କାରଣ ଯିଏ ନିଜେ ଖରାପ ସେ ସମସ୍ତ କଥାକୁ ସେହି ଅର୍ଥରେ ହିଁ ଗ୍ରହଣ କରିଥାଏ । Love କୁ ତୁମେ ଖରାପ କାହିଁକି ଭାବୁଛ ଯେ ! ବାପା ପାଖକୁ ପୁଅ ଚିଠି ଲେଖିଲାବେଳେ ଲେଖେ–‘your loving son’, ବାପା ଝିଅକୁ ଲଭ କରେ, ପୁଅ ମାଆକୁ ଲଭ କରେ ଭାଇ ଭଉଣୀକୁ ମଧ୍ୟ ଲଭ କରେ, ତୁମେ ଆମମାନଙ୍କୁ ସ୍ନେହ କରନି ?”

 

ତାର କଥା ଶୁଣିବା ପରେ ତୁ ବୋକାଙ୍କ ପରି ଆଖି ମିଟ୍‌ମିଟ୍‌ କରି ତାକୁ ଚାହିଁ ରହିଲୁ । ମୁଁ କିନ୍ତୁ ଆଗରୁ ଜାଣିଥିଲି ତୋତେ ସେ ସେମିତି କିଛି ପ୍ରଶ୍ନ କରିବ । କିଛି ସମୟ ପୂର୍ବରୁ ମମତା ଓ ଜ୍ୟୋତିର୍ମୟୀଙ୍କ ସାଙ୍ଗରେ ସେ ଏହି ବିଷୟନେଇ ତର୍କ କରୁଥିବା ସମୟରେ ମୁଁ ଶୁଣିଥିଲି ।

 

ଜ୍ୟୋତିର୍ମୟୀ ବିଜ୍ଞାନ (Science) ପଢ଼ୁଥିବାବେଳେ ତୁମେ ତାକୁ କଳା (Arts) ବିଷୟରେ ଆଲୋଚନା କରୁଥିବାର ଦେଖି ଥଟ୍ଟା କରୁଥିଲା । ମାତ୍ର ଶେଷରେ ସେ କଠିନ ଅଧ୍ୟବସାୟ ଫଳରେ ସଫଳତାର ଚରମ ସୀମାରେ ପହଞ୍ଚି ଗଲା । କୃତିତ୍ୱର ସହିତ ଡାକ୍ତରୀ ପାସ କରି ସାଙ୍ଗେ ସାଙ୍ଗେ ନୃତ୍ୟକଳାରେ ମଧ୍ୟ ଅପୂର୍ବ ସାଫଲ୍ୟ ପାଇଲା । ସେତେବେଳର ତାର ଚପଳତାକୁ ଆଜି ବିଶ୍ୱାସ କରି ହୁଏନି । କିଏ କେଉଁଠି ବିବାହ କଲେ, ସ୍ୱାମୀଙ୍କ ସହିତ ବଗୁଲା ବଗୁଲୀ ପରି ଘୂରି ବୁଲିଲେ । କାହାରି ସାଙ୍ଗରେ କାହାର ସାକ୍ଷାତ ନାହିଁ । ସମ୍ପର୍କ ନାହିଁ ।

 

ପ୍ରଥମେ ଯେତେବେଳେ ଆମେ ପରିଚିତ ହୋଇଥିଲେ, କେତେ ଅସୁବିଧାରେ ପଡ଼ିଥିଲେ । ସେମାନେ ଅବିବାହିତ ଥିଲେ । ଭବିଷ୍ୟତ ପ୍ରତି ଦୃଷ୍ଟି ଦେଲାପରି ଦୂରଦୃଷ୍ଟି ହୋଇ ନଥିଲା ସେମାନଙ୍କର, ମନରେ ସାହସ ଥିଲା । ସମାଜର ନାଲିଚକ୍ଷୁ ସେତେବେଳେ ଆମମାନଙ୍କୁ ବାଧା ଦେଇ ପାରୁ ନଥିଲା । କିନ୍ତୁ ବର୍ତ୍ତମାନ ସେମାନେ ବିବାହିତ । ସେତେବେଳେ ଯଦି ଏତେ ଅଳ୍ପ ବୟସରେ ସମାଜ ଆମର ସମ୍ପର୍କକୁ ସ୍ୱାଗତ କରି ନଥିଲା, ବର୍ତ୍ତମାନ ବା ତାହା ସମ୍ଭବ ହେବ କେମିତି ? କେମିତି ଆମେ ମଧ୍ୟ ତାକୁ ଆଶା କରିବା ? ବିବାହ ପରେ ଝିଅ ଅନ୍ୟର, ବାପ ଘରୁ ସେ ଅଲଗା ହୋଇଯାଏ । ଶାଶୁ-ଶ୍ୱଶୂରଙ୍କର ସେ ହୁଏ ଅନୁଗତ୍ୟା, ସ୍ୱାମୀର ଆଜ୍ଞା କାରିଣୀ । ସାମାନ୍ୟ ଟିକିଏ ସ୍ନେହ ପାଇଁ କାହିଁକି ସେମାନଙ୍କର ସୁନାର ସଂସାରକୁ ଚୂନା କରିବାକୁ ଯିବା ?

 

ଅମୀୟ ବାବୁ ସେତେବେଳ ପର୍ଯ୍ୟନ୍ତ ଚୁପହୋଇ ବସି ରବିବାବୁଙ୍କର ସମସ୍ତ କଥା ଶୁଣି ଯାଉଥିଲେ । ପରେ କହିଲେ ରବି ! ସେ କଥା ଚିନ୍ତାକରି ଆଉ ଲାଭ କଣରେ ? ଏ ତ ସବୁ ହେବା କଥା । ଆମେ କଣ ଜାଣି ନଥିଲେ ସେତେବେଳେ ସେମାନେ ଆମକୁ ଭୁଲିଯିବେ । ସାଂସାରିକ ଜଞ୍ଜାଳ ଅତି କଠିନରେ ରବି । ତୁ ତ ବର୍ତ୍ତମାନ ଅବିବାହିତ, ସେ କଥା କଣ ବୁଝିବୁ ? ଏ ବନ୍ଧନ ମଧ୍ୟକୁ ଥରେ ଆସିଗଲେ ସବୁକିଛି ଭୁଲି ଯିବାକୁ ହୁଏ । ସେମାନଙ୍କୁ ଦୋଷ ଦେଇ ଲାଭ କଣ ?”

 

ରବିବାବୁ ପ୍ରତିବାଦ ଜଣାଇଲେ–“ନା ଅମୁ ! ତୁମେ ସମସ୍ତେ ଏ ସବୁକୁ ଭୁଲି ଯାଇ ପାର, ମାତ୍ର ମୁଁ ପାରିବିନି । ମୁଁ ତୁମ ଧର୍ମର ନୁହଁ । ତୁମମାନଙ୍କର ସ୍ନେହ ମୋତେ ଆଜି ରହିମ୍‌ ଖାନ୍‌ରୁ ରବି ଭାଇରେ ପହଞ୍ଚାଇ ଦେଇଛି । ଆଜି ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ପାଖରେ ସେହି ନାମରେ ପରିଚିତ । ମିଆଁ ପୁଅ ହେଲେ ମଧ୍ୟ ମୁଁ ତୁମର ରାକ୍ଷୀର ମହତ୍ତ୍ୱ ବୁଝେ । କେବଳ ତୁମର ସେହି ପର୍ବ ପାଇଁ ବୋଧହୁଏ କୌଣସି ଦିନ ମୋ ପକ୍ଷରେ ତୁମମାନକୁ ଭୁଲିଯିବା ସହଜ ହେବନାହିଁ-।”

 

ଅମୀୟ ବାବୁ ଜାଣିଲେ–ସେମାନେ ଦୁଇବନ୍ଧୁ ଏକାଠି ହୋଇଗଲେ–ରାତି ପାହିଯିବ, କଥା ସରିବ ନାହିଁ । ସେଇଥିପାଇଁ କହିଲେ–“ଦେ ରବି, ଏଇ ତକ ଖାଇଦେ, ସେତେବେଳୁ ତୁ କଥା କହିବାରେ ଲାଗିଛୁ, ପ୍ଳେଟର ଜିନିଷଗୁଡ଼ିକ ତୋତେ ଚାହିଁରହିଛନ୍ତି । ଚା’ଟାକୁ ଘୋଡ଼ାଇ ରଖିଲେ କଣ ସେତେବେଳୁ ସେ ତୋ ପାଇଁ ଥଣ୍ଡା ନ ହୋଇ ରହିଥିବ ।”

 

ତିନି

 

ଦୁଇବର୍ଷ କଟିଗଲାଣି ଏହା ଭିତରେ । ଚନ୍ଦ୍ରଭାନୁର ବୟସ ପ୍ରାୟ ଚାରିବର୍ଷ ହୋଇଗଲାଣି-। ଅମୀୟ ବାବୁ ଚିନ୍ତାକରି ଦେଖିଲେ ଏ ସମୟ ତା’ର ପଢ଼ିବା ପାଇଁ । ସେ ଦିଗରୁ ତାଙ୍କୁ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ । ଏକଥା ଚିନ୍ତା କରି ସାରିବା ପରେ ପରଦିନ ତାକୁ ନେଇ ସେ ନିକଟସ୍ଥ ପ୍ରାଇମେରୀ ସ୍କୁଲକୁ ବାହାରିଲେ ।

 

କେତେକ ନିକଟ ମତ ସମ୍ପର୍କୀୟମାନଙ୍କ ବିରୁଦ୍ଧରେ ଯେତେବେଳେ ଚନ୍ଦ୍ରଭାନୁକୁ ପୁଅ ଭାବରେ ନିଜ କୋଳ ଉପରକୁ ଉଠାଇ ଆଣିଛନ୍ତି ଯେକୌଣସି ପରିସ୍ଥିତିରେ ମଧ୍ୟ ସେ ନିଜର କର୍ତ୍ତବ୍ୟ କରିଯିବେ । କୌଣସି ପ୍ରତିବନ୍ଧକ ପାଇ ମଧ୍ୟ ସେ ଅଟକି ଯିବେନି । ଏମିତି ଚିନ୍ତିତ ଅବସ୍ଥାରେ ସେ ସ୍କୁଲର ଅଫିସରେ ପହଞ୍ଚିଗଲେ ।

 

ପ୍ରାଥମିକ ଆଳାପ ପରେ ପ୍ରଧାନ ଶିକ୍ଷକ ପଚାରିଲେ–“କ’ଣ ଏଇ ପିଲାର ଆଡ୍‌ମିଶନ୍‌ ପାଇଁ ଆସିଛନ୍ତି ?”

 

–“ହଁ ଆଜ୍ଞା” ଅମୀୟ ବାବୁ ଉତ୍ତର ଦେଲେ ।’’

 

କଥା ମଧ୍ୟରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁକୁ ପାଖକୁ ଡାକି କେତେକ ପ୍ରଶ୍ନ କରିଥିଲେ । ତାର ଉତ୍ତର ଶୁଣି ପ୍ରଧାନ ଶିକ୍ଷକ ଖୁସି ହୋଇଥିଲେ । ଚନ୍ଦ୍ରଭାନୁ କୌଣସି ପ୍ରକାର ଭୟ ବା ସଂକୋଚ ନ କରି ପ୍ରଧାନ ଶିକ୍ଷକଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲା । ପ୍ରଧାନ ଶିକ୍ଷକ ମନ୍ତବ୍ୟ ଦେଇଥିଲେ–“ଠିକ୍‌ ଭାବରେ ଏହାର ଦେଖାଶୁଣା କଲେ ଏ ଭଲ ପଢ଼ିବ ।”

 

ଅମୀୟ ବାବୁ ଉତ୍ତର ଦେଲେ, “ହଁ ଆଜ୍ଞା, ସେଇଥିପାଇଁ ତ ଆମେ ଏହାକୁ ଆପଣଙ୍କ ପାଖରେ ଛାଡ଼ିଦେଇ ଯାଉଛୁ । ଆପଣମାନେ ହେଉଛନ୍ତି ଏମାନଙ୍କର ଭାଗ୍ୟବିଧାତା । ଯେମିତି ଭାବରେ ଗଢ଼ିବେ, ଏମାନେ ସେଇ ଛାଞ୍ଚରେ ଗଢ଼ି ହୋଇଯିବେ । ଆପଣ ଏହା ପ୍ରତି ଟିକିଏ ଦୃଷ୍ଟି ରଖିଥିବେ, ଦୟାକରି ।”

 

“ଏଥିରେ ଦୟା କରିବାର କ’ଣ ଅଛି ଆଜ୍ଞା । ଏ ତ ଆମର କର୍ତ୍ତବ୍ୟ । ସେମାନଙ୍କୁ ଠିକ୍‌ ଭାବରେ ଗଢ଼ିପାରିବା ହିଁ ଆମର ଗୌରବ । ଆମେ ମଧ୍ୟ ସେଇଥିପାଇଁ ପିଲାମାନଙ୍କୁ ସବୁ ସମୟରେ ନଜରରେ ରଖିଥାଉ: । ମୁଁ ମଧ୍ୟ ଆପଣଙ୍କୁ ଏଇଥିପାଇଁ ପ୍ରତିଶ୍ରୁତି ଦେଇପାରେ । ହଁ ମୁଁ ଚନ୍ଦ୍ରଭାନୁର ଆଡ୍‌ମିଶନ କରାଇ ଦେଉଛି । ବର୍ତ୍ତମାନ କୁହନ୍ତୁ ତ ଏହାର ପୂରାନାମ କ’ଣ ?”

 

ହଠାତ୍‌ ଅମୀୟ ବାବୁ ସରଳ ମନନେଇ ହେଡ୍‌ ମାଷ୍ଟରଙ୍କର ପ୍ରଶ୍ନର ଉତ୍ତର ଦେଇ ପାରିଲେନି । ଶେଷରେ ଚନ୍ଦ୍ରଭାନୁ ବିଷୟରେ ସମସ୍ତ କଥା ହେଡ୍‌ମାଷ୍ଟରଙ୍କୁ କହି ପକାଇଲେ ।

 

ସମସ୍ତ କଥା ଶୁଣି ହେଡ୍‌ମାଷ୍ଟର ସହାନୁଭୂତି ଦେଖାଇଲେ । ସାନ୍ତ୍ୱନା ମଧ୍ୟ ଦେଲେ–“ଏଥିରେ ଦୁଃଖ କରିବାର କଣ ଅଛି । ଆପଣ ଯେତେବେଳେ ଏହାର ଅଭିଭାବକ ଆପଣଙ୍କ ନାମରେ ହିଁ ଏ ବାଳକ ପରିଚିତ ହେବା ଉଚିତ । ତା ପରେ ଆପଣ ଏକ ପରିଚୟହୀନ ଅବୋଧ ବାଳକ ପାଇଁ ଯେଉଁ ସବୁ ସଂକଳ୍ପ କରିଛନ୍ତି ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟିନଦେଇ, ବାସ୍ତବିକ ତାହା ଅତି ଗୌରବର କଥା । ଆପଣଙ୍କ ପରି ଯଦି ପ୍ରତ୍ୟେକ ବ୍ୟକ୍ତି ଏମିତି ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତି ତେବେ ଆମ ସମାଜ ଦିନକୁ ଦିନ ଏମିତି ବିକଳାଙ୍ଗ ହୋଇପଡ଼ୁଥାନ୍ତା । ଆପଣ ଯାହା କରିପାରିଛନ୍ତି ସମାଜରେ କେତେଜଣ ଏମିତି ମହାନ କାର୍ଯ୍ୟ କରିପାରୁଛନ୍ତି ? ବାସ୍ତବିକ୍‍ ଆପଣଙ୍କ ସଂକଳ୍ପ ଅଭିନନ୍ଦନୀୟ ।”

 

“ଚନ୍ଦ୍ରଭାନୁକୁ ଛାଡ଼ିଦେଇ ଆପଣ ବର୍ତ୍ତମାନ ଫେରିଯାଇ ପାରନ୍ତି । ମୁଁ ଏହାର ଆଡ୍‌ମିଶନ କରାଇ ନେଇଛି । ସ୍କୁଲ ତିନିଟାବେଳେ ଆମର ଛୁଟି ହେଉଛି । ଯଦି ଏ ଘରକୁ ଏକା ଯାଇନପାରିବ ତେବେ ସେତେବେଳେ ଆପଣ ଏହାକୁ ନେଇଯିବାର ବ୍ୟବସ୍ଥା କରିପାରନ୍ତି ।”

 

ହେଡ୍‌ମାଷ୍ଟରଙ୍କ କଥା ଶୁଣି ଅମୀୟ ବାବୁ ଅଫିସରୁ ବାହାରି ଆସିଲେ ।

 

ଘରେ ପହଞ୍ଚୁ ପହଞ୍ଚୁ ବୋଉ ଲଫାପା ଗୋଟିଏ ବଢ଼ାଇ ଦେଲେ ଅମୀୟ ବାବୁଙ୍କ ହାତକୁ-। “କା’ର ଚିଠି ଆସିଛି ଦେଖିଲୁ ଅମୁ, ପୁଅକୁ କଣ ସ୍କୁଲରେ ଛାଡ଼ି ଆସିଲୁ ?” ବୋଉ ପଚାରିଲା ।

 

‘ହଁ’ ଚିଠି ଖୋଲୁଥିବା ଅବସ୍ଥାରେ ଅନ୍ୟମନସ୍କ ଭାବେ ଅମୀୟ ବାବୁ ଉତ୍ତର ଦେଲେ ବୋଉକୁ । “ତିନିଟା ବେଳେ ସ୍କୁଲ ଛୁଟି ହେବ । ଶିବକୁ ପଠାଇ ଦେବୁ, ତାକୁ ନେଇ ଆସିବ ।”

 

“କିଏ ଚିଠି ଦେଇଛି କିରେ !” ଆଗ୍ରହରେ ବୋଉ ପଚାରିଲେ । ବନ୍ଧୁମାନଙ୍କଠାରୁ କୌଣସି ଚିଠି ପାଇଲେ ତାକୁ ଶୁଣିବାକୁ ସେ ବ୍ୟସ୍ତ ହୋଇପଡ଼ନ୍ତି । ଅମୀୟ ବାବୁ ଚିଠି ପଢ଼ିବାରେ ଲାଗିଥିଲେ । ନିଜ ପ୍ରଶ୍ନର ଉତ୍ତର ପାଇବାରେ ବିଳମ୍ୱ ହେବା ଦେଖି ବୋଉ ପୁଣି ପ୍ରଶ୍ନ କଲେ–“ରବି ଅନେକ ଦିନ ହେଲା ଗଲାଣି କଣ ଏ ଚିଠି ତା ପାଖରୁ ଆସିଛି କି ?”

 

‘ନାହିଁ ବୋଉ’ ଚିଠିର ଶେଷକୁ ଚାହିଁ ଅମୀୟ ବାବୁ କହିଲେ–‘ସଂଘମିତ୍ରା ଦେଇଛି ।’ ଦୀର୍ଘଶ୍ୱାସ ଗୋଟିଏ ଅତି ସନ୍ତର୍ପଣରେ ବାହାରିଗଲା ତାଙ୍କ ମୁହଁରୁ । ଆରାମଚେୟାରଟିକୁ ଟାଣିଆଣି ତା ଉପରେ ନିଜର କ୍ଳାନ୍ତ ଶରୀରଟିକୁ ଲୋଟାଇ ଦେଲେ ।

 

ଚିଠିଟିକୁ ହାତରେ ଧରି ଅମୀୟ ବାବୁ ଚିନ୍ତା କରିବାରେ ଲାଗିଥିଲେ । ଅତୀତର କେତୋଟି ଘଟଣା ତାଙ୍କ ମାନସ ପଟରେ ସଜୀବ ହେବାକୁ ଲାଗିଥିଲା । ଦିନଥିଲା ଏକାଠି ହୋଇ ସେମାନେ କେତେ ଆନନ୍ଦ କରୁଥିଲେ । ଏହି ସଂଘମିତ୍ରା କେତେବେଳେ ଅଭିମାନରେ ଫାଟିପଡ଼ି କାନ୍ଦି ପକାଉଥିଲା । ପୁଣି କେତେବେଳେ ହସିହସି ବେଦମ ହୋଇ ପଡ଼ୁଥିଲା । କେତେ ନିୟମ କରୁଥିଲା, କେତେ ପ୍ରତିଶ୍ରୁତି ଦେଉଥିଲା । “ଆମେ କେବେହେଲେ ପରସ୍ପରଠାରୁ ସମ୍ପର୍କ ତୁଟାଇ ଦେବୁନାହିଁ ଓ ଆମର ଏହି ସମ୍ପର୍କକୁ କେବେହେଲେ କଳୁଷିତ ହେବାକୁ ଦେବାନାହିଁ । ଯେଉଁମାନେ ଆଜି ଆମର ସମ୍ପର୍କକୁ ସନ୍ଦେହ କରୁଛନ୍ତି, ଦିନେ ସେହିମାନେ ନିଜର ଭୁଲ ବୁଝିପାରିବେ । ସେମାନଙ୍କ ନିକଟରେ ଆମର ସମ୍ପର୍କ ଆଦର୍ଶ ହୋଇ ରହିବ । ଯେଉଁ ମୁହଁରେ ଆମର ନିନ୍ଦା କରୁଛନ୍ତି ସେତେବେଳେ ସେହି ମୁହଁରେ ସେମାନେ ଆମର ପ୍ରଶଂସା କରିବାକୁ ବାଧ୍ୟ ହେବେ ।”

 

ତାର ସେ ପରିକଳ୍ପନା ଆଜି କୁଆଡ଼େ ଗଲା ? ପୁର୍ବରୁ ତାର କୌଣସି ଖବର ପର୍ଯ୍ୟନ୍ତ ସେମାନେ ପାଇ ନଥିଲେ ତାର ବିବାହ ପରଠାରୁ । ତାର ବିବାହର ତିନି ଚାରିବର୍ଷ ପରେ ଚିଠିଟିକୁ ପାଇଁ ଅମୀୟ ବାବୁ ବିଶ୍ୱାସ କରି ପାରୁ ନଥିଲେ । ଗୋଟିଏ ନିଶ୍ୱାସରେ ଚିଠିଟିକୁ ଶେଷ କରିଦେଲେ । ସେଥିରେ ଲେଖାଥିଲା–

 

ଆଦରର ଅମୁଭାଇ !

 

ଏତେଦିନ ହେଲା ତୁମ ପାଖକୁ କୌଣସି ଖବର ପଠାଇ ପାରିଲି ନାହିଁ , ତା ବୋଲି ମନରେ ଭାବି ନେବେନି, ମୁଁ ତୁମକୁ ଭୁଲି ଯାଇଛି । ମୋର ପ୍ରଣାମ ନେବ । ଏତେ ଦୂରରେ ରହିଲେ ମଧ୍ୟ ତୁମମାନଙ୍କ କଥା ମୋର ସବୁବେଳେ ମନେପଡ଼େ । ମୋର ମନେହୁଏ–ଯେମିତି ତୁମେ ସବୁ ମୋର ଖୁବ୍‌ ନିକଟରେ ରହିଛ । ତୁମେମାନେ ସବୁ ମୋତେ ଭୁଲି ଯିବଣି ନା ?

 

ପୂର୍ବର କଥା ସବୁ ମନେ ପଡ଼ିଲେ ଖୁବ୍‌ ଦୁଃଖ ଲାଗେ । କେତେ ଓଲଟ ପାଲଟ ହୋଇଗଲା ସତେ ! ଏମିତି ହେବ ବୋଲି କେହି କଳ୍ପନା ମଧ୍ୟ କରି ନଥିଲେ ସେତେବେଳେ ! ଅନେକ ସମୟରେ ମୁଁ ନିଜ କଥା ଭାବେ । ତୁମମାନଙ୍କ ପାଇଁ ମୁଁ କେତେ ନିଷ୍ଠୁର ହୋଇ ପାରିଲି । ଅନୁତାପରେ ମୋ ହୃଦୟ ଦଗ୍‌ଧୀଭୂତ ହୁଏ । ତୁମ ପାଖରେ ମୁହଁ ଦେଖାଇଲା ପରି ବର୍ତ୍ତମାନ ମୋର ଆଉ ସତ୍‌ସାହସ ନାହିଁ । ବହୁତ ଚିନ୍ତା କଲାପରେ ଚିଠିରେ କ୍ଷମା ମାଗିନେବାକୁ ସ୍ଥିର କଲି-। କଣ କ୍ଷମା କରିବନି ତୁମର ଆଦରର ଭଉଣୀଟିକୁ ? ଲେଖିବ । କ୍ଷମା ପାଇବାର ଯୋଗ୍ୟା ନହେଲେ ମଧ୍ୟ ମୁଁ ଜାଣେ ମୋ ଭାଇର ଉଦାର ହୃଦୟ ମୋର ଯେତେ ବଡ଼ ଭୁଲ୍‌କୁ ମଧ୍ୟ କ୍ଷମା ଦେଇପାରିବ । ସେହି ବିଶ୍ୱାସରେ ମୁଁ ତୁମ ପାଖକୁ ସମସ୍ତ କଥା ଲେଖିବାକୁ ଯାଉଛି । ମୋ ନିଜ କଥା ରଖିପାରିନଥିବାରୁ ମୁଁ ଦୁଃଖିତ ।

 

ତାଙ୍କୁ ତୁମମାନଙ୍କ କଥା କହିଥିଲି । ମୋର କୌଣସି କଥାରେ ସେ ପ୍ରତିବାଦ କଲେନି-। ତୁମକୁ ଦେଖିବାକୁ ମଧ୍ୟ ଇଚ୍ଛା କରିଛନ୍ତି । ଆସିବ ନିଶ୍ଚୟ, ତଳେ ଠିକଣା ଦେଲି-। ମଉସା-ମାଉସୀଙ୍କୁ ମୋର ପ୍ରଣାମ ଏବଂ ଟିକି, ନିନି ଆଦିଙ୍କୁ ମୋର ଶୁଭେଚ୍ଛା ଜଣାଇ ଦେବ-। ଚିଠି ପାଇବା ସାଙ୍ଗେ ସାଙ୍ଗେ ଉତ୍ତର ନିଶ୍ଚୟ ଦେବ । କାରଣ ତୁମେ ବର୍ତ୍ତମାନ କଟକରେ ଅଛ କି ନା ଜାଣେନା । ତେଣୁ ଏହାକୁ ତୁମେ ଯେ ପାଇପାରିବ ସେ ବିଷୟରେ ମୁଁ ସନ୍ଦେହରେ ପଡ଼ିଛି-। ବାପା-ମାଆ ବାଙ୍ଗଲାଦେଶ ଚାଲିଯିବା ପରଠାରୁ ମୁଁ ଆଉ କଟକ ଯାଇନି । ଆଉ ସବୁ ଖବର କଣ ଲେଖିବ । ରହିଲି ।

 

ଇତି ତୁମର

ଆଦରର

–ସଂଘମିତ୍ରା–

 

ସଂଘମିତ୍ରାର ଚିଠିଟିକୁ ଧରି ଅମୀୟବାବୁ ଅତୀତ ମଧ୍ୟରେ ନିଜକୁ ହଜାଇ ଦେଲେ । ସେ ସମୟର ଅନେକ ଘଟଣା ବୁଢ଼ୀଆଣୀ ଜାଲପରି ତାଙ୍କ ମନରେ ଅଡ଼ୁଆ ହୋଇଯାଉଥିଲା । ମନେ ମନେ ସେ ଭାବୁଥିଲେ–“ଜାନକୀ ପରି ସଙ୍ଘମିତ୍ରା ସାଂସାରିକ ଜଞ୍ଜାଳ ମଧ୍ୟରେ ଆବଦ୍ଧ ହୋଇଗଲା । ନିଜ କର୍ତ୍ତବ୍ୟର ଚାପରେ ହୁଏ ତ ସେମାନେ ଭୁଲି ଯାଇପାରିଲେ । ମାତ୍ର ଜ୍ୟୋତିର୍ମୟୀ ତ ଏଇ ସହରରେ ରହୁଛି । ସେ କଣ ଚାହିଁଲେ ଟିକିଏ ସାକ୍ଷାତ କରିପାରନ୍ତା ନାହିଁ । ଚିଠି ଖଣ୍ଡେ ଦେଇପାରନ୍ତା ନାହିଁ ? ସମସ୍ତେ ସ୍ୱାର୍ଥପର । କଣ ଦରକାର ତାର ? ଡାକ୍ତରୀର ଛାତ୍ରୀ ସେ ଗରିବ ଭାଇଟା ଘରେ ପାଦ ପକାଇଲେ ତାର ସମ୍ମାନରେ ଆଞ୍ଚ ଲାଗିବ ନାହିଁ ?”

 

ବୋଉ ପହଞ୍ଚି ଯାଇ ଅମୀୟ ବାବୁଙ୍କ ଚିନ୍ତାଧାରାରେ ବାଧା ପହଞ୍ଚାଇଲେ–“ସେତେବେଳୁ ତୁ ଚିଠିଟାକୁ ଧରି ବସିଛୁ । ଭାତ ଶୁଖି ଚାଉଳ ହୋଇଗଲାଣି । ତୋତେ ଚାହିଁ ଚାହିଁ ବୋଉଟା ଏତେବେଳ ଯାଏ ଖାଇନି । ତାକୁ ଆଉ କେତେବେଳ ଯାଏ ଉପାସରେ ରଖିବୁ ?”

 

“ଯା ବୋଉ ବଢ଼ା ବଢ଼ି କର, ମୁଁ ଯାଉଛି ।” ଅମୀୟ ବାବୁ ବୋଉକୁ କହି ସଙ୍ଘମିତ୍ରାର ଚିଠିର ଉତ୍ତର ଲେଖି ବସିଲେ । ଚିଠି ଲେଖୁ ଲେଖୁ ସେ ଭାବୁଥିଲେ–“ଜୟନ୍ତୀ ପରି ଜାନକୀ ଓ ସଙ୍ଘମିତ୍ରା ମଧ୍ୟ ସେମାନଙ୍କ ସ୍ୱାମୀଙ୍କୁ ଖାଇବାକୁ ନଦେଇ ଖାଉ ନଥିବେ ! ସେମାନଙ୍କର ଅଇଁଠା ବାସନରେ ବସି ଖାଇ ନିଜକୁ ସୌଭାଗ୍ୟବତୀ ମନେ କରୁଥିବେ । ଘର କାମରେ ଲାଗିଯାଇ ବାହାର ଦୁନିଆଠାରୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରି ରଖୁଥିବେ ।

 

ଚାରି

 

ସୌନ୍ଦର୍ଯ୍ୟମୟୀ ବମ୍ୱେ ନଗରୀ । ସନ୍ଧ୍ୟାର ଆଗମନ ଫଳରେ ତାର ସୌନ୍ଦର୍ଯ୍ୟ ଅନେକ ଗୁଣରେ ବଢ଼ିଯାଇଛି । ସନ୍ଧ୍ୟା ପରେ ଶୁଭ୍ର ଆଲୋକ ମାଳା ଦିବସର ଭ୍ରମ ଧାରଣା ଦେଉଥିଲା । ବିଶେଷ କରି ବମ୍ୱେ ନ୍ୟାସନାଲ ପାର୍କର ମର୍କରୀ ବତୀଗୁଡ଼ିକ ତାର ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇବାରେ ବ୍ୟସ୍ତ ହେଇପଡ଼ିଛନ୍ତି । ମୃଦୁ ଗୁଞ୍ଜନର ପାର୍କଟି ଜୀବନ୍ୟାସ ପାଇଲା ପରି ମନେ ହେଉଥିଲା । ବାଳକମାନଙ୍କର କ୍ରୀଡ଼ା, ପୌଢ଼ମାନଙ୍କର ହସ-କୌତୁକ ସାଙ୍ଗରେ କୁଞଲତାର ଆଢ଼ୁଆଳରେ ପ୍ରେମିକ ପ୍ରେମିକାଙ୍କର ପ୍ରେମ ନିବେଦନ ସମଗ୍ର ପାର୍କଟିକୁ ମୁଖରିତ କରି ପକାଉଥିଲା ।

 

ରୋମାନ୍‌ସ କରିବାର ବୟସ ନଥିଲା ରବିବାବୁଙ୍କର, କଟକରୁ ଆସି ବମ୍ୱେରେ ରହିବାର ତାଙ୍କର ପନ୍ଦର ବର୍ଷକୁ ଅଧିକ ହୋଇଗଲାଣି । ତାଙ୍କର ବୟସର ସୀମା ଚାଳିଶ ଅଙ୍କକୁ କେବେଠାରୁ ଅତିକ୍ରମ କରିଗଲାଣି । ଆଖି ବନ୍ଦ ହୋଇ ଯାଇଥିଲା ରବିବାବୁଙ୍କର । ପାର୍କର ସିମେଣ୍ଟ ବେଞ୍ଚରେ ସେ ଆଉଜି ବସିଥିଲେ । ପାର୍କର ଶେଷ ସୀମାର, ଅନ୍ୟାନ୍ୟ ଅଂଶ ଅପେକ୍ଷା କୋଳାହଳ ଢେର୍‌ କମ୍‌ । କେବଳ ରବିବାବୁଙ୍କୁ ନୁହେଁ ଅନୀତା ଦେବୀଙ୍କୁ ମଧ୍ୟ ଖୁବ୍‌ ଭଲ ଲାଗୁଥିଲା ଏହି ସ୍ଥାନଟି । ଯୌବନର ଶେଷ ପ୍ରାନ୍ତରେ ଠିଆ ହୋଇ ମଧ୍ୟ ଅନୀତା ଦେବୀ ଏହି ସ୍ଥାନରେ ପହଞ୍ଚି ପୁଲକିତ ହୋଇ ପଡ଼ନ୍ତି଼ । ଅତୀତର ସ୍ମୃତିରେ ଯେମିତି ସେ ନବଯୌବନ ଲାଭ କରନ୍ତି । ସେ ମଧ୍ୟ ରବି ବାବୁଙ୍କର ପିଠିକୁ ଆଉଜି ପଡ଼ି ପାର୍କର ସନ୍ଧ୍ୟାକାଳୀନ ଦୃଶ୍ୟକୁ ଉପଭୋଗ କରିବାକୁ ଲାଗିଲେ-

 

ଏମିତି ଏକ ଗ୍ରୀଷ୍ମକାଳୀନ ସନ୍ଧ୍ୟାରେ ଏହି ପାର୍କର ଏହି ସ୍ଥାନରେ ଅନୀତା ଦେବୀଙ୍କର ସାକ୍ଷାତ ହୋଇଥିଲା ରବିବାବୁଙ୍କ ସହିତ । କଟକରୁ ବମ୍ୱେ ଆସିବା ପରେ ରବିବାବୁ ଏକାନ୍ତ ଭାବରେ ନିଃସଙ୍ଗ ହୋଇପଡ଼ିଥିଲେ । ନିଜ ଫ୍ଳାଟ୍‌ର ନିର୍ଜନତାକୁ ଏଡ଼ାଇ ଦେବା ପାଇଁ ପ୍ରତିଦିନ ଅଫିସରୁ ଫେରି ଏହି ପାର୍କରେ ସେ କେତୋଟି ଘଣ୍ଟା କଟାଇ ଦେଉଥିଲେ ।

ପ୍ରତିଦିନ ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ବସି ଦେଖନ୍ତି ଗୋଟିଏ ସୁନ୍ଦର ଯୁବତୀ ସାଙ୍ଗରେ ଗୋଟିଏ ସୁନ୍ଦର ଗୁଲୁଗୁଲିଆ ତିନି-ଚାରି ବର୍ଷର ବାଳିକା ହାତରେ ଗୋଟିଏ ବଲ ଧରି ପହଞ୍ଚେ । ବାଳିକାଟି ଯୁବତୀ ସାଙ୍ଗରେ ଘଣ୍ଟାଏ ଅଧଘଣ୍ଟାଏ ଖେଳି ସାରିଲା ପରେ ବାଳିକାଟି କ୍ଳାନ୍ତହୋଇ ବେଞ୍ଚରେ ବସିଯାଇ କହେ–“ମମ୍ମି ଆଉ ଖେଳି ପାରିବିନି । ଥକି ଗଲିଣି ।” ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ସେଠାରେ ବସି ଯାଆନ୍ତି । ବାଳିକାଟି ଯେତିକି ସମୟ ମଧ୍ୟରେ ତାର କଥାକଥିତ ମମ୍ମିଙ୍କୁ ଅନେକ ଅବାନ୍ତର ପ୍ରଶ୍ନ ପଚାରିଥାଏ ନିଜର ବାଲ୍ୟ ଚପଳତାର ବଶବର୍ତ୍ତୀ ହୋଇ, ଯୁବତୀଟି ବିରକ୍ତ ନ ହୋଇ ତା ପ୍ରଶ୍ନର ଉତ୍ତର ଦେବାକୁ ଲାଗିଥାଏ । ସନ୍ଧ୍ୟା ହୁଏ, ସେମାନେ ଚାଲି ଯାଆନ୍ତି ।

ରବିବାବୁ ପାଖରେ ବସି ସମସ୍ତ କଥା ଦେଖନ୍ତି, ଶୁଣନ୍ତି । ସେଥିରୁ ସେ ଆନନ୍ଦ ମଧ୍ୟ ଅନୁଭବ କରନ୍ତି । ଏପରି ଘଟଣାର ପୁନରାବୃତ୍ତି ପ୍ରତିଦିନ ହୁଏ । ସେମାନଙ୍କୁ ରବିବାବୁ ଦେଖନ୍ତି । ରବିବାବୁଙ୍କୁ ସେମାନେ ମଧ୍ୟ ଦେଖନ୍ତି । କିନ୍ତୁ କୌଣସି ଦିନ ସେମାନଙ୍କ ମଧ୍ୟରେ ପରିଚୟ ବା କୌଣସି ପ୍ରକାର ଆଳାପ ହୋଇନଥିଲା ।

ପ୍ରତିଦିନ ସୁନ୍ଦର ଝିଅଟିକୁ ଦେଖିବା ପରେ ରବିବାବୁଙ୍କର କୌତୂହଳ ଝିଅଟି ପ୍ରତି ବଢ଼ିବାକୁ ଲାଗିଲା । ମନେ ମନେ ସେ ଭାବିଲେ କେଡ଼େ ସୁନ୍ଦର ହୋଇଛି ସତେ ! ଦିନେ ଖେଳୁଥିଲା ବେଳେ ରବିବାବୁ ଝିଅଟିକୁ ଡାକି ପଚାରିଲେ, “ତୁମର ନାମ କଣ ?”

 

ଝିଅଟି ଉତ୍ତର ଦେଲା, “ଦେବସ୍ମିତା ବେଗମ୍‌ ।”

 

ନାମଟି ଶୁଣି ରବିବାବୁ ଆଶ୍ଚର୍ଯ୍ୟ ହେଲେ । ଅପୂର୍ବନାମ, ହିନ୍ଦୁ ଓ ମୁସଲମାନ ନାମର ସମିଶ୍ରଣ । ରବିବାବୁ ପକେଟରୁ ମିକ୍‌ଶ୍ଚର ପକେଟ୍‌ ଗୋଟିଏ ବାହାର କରି ଝିଅଟି ହାତରେ ଧରାଇ ଦେଲେ । ଝିଅଟି ମିକ୍‌ଶ୍ଚର ପକେଟ୍‌ଟିକୁ ହାତରେ ଧରି ଯୁବତୀଙ୍କ ଆଡ଼କୁ ଚାହିଁଲା ଅନୁମତି ନେବାପାଇଁ–“ନେଇ ନେବି ମମ୍ମି ।”

 

ଯୁବତୀଟି ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କଲେ ।

 

ରବିବାବୁଙ୍କର ଅନେକ କିଛି ପଚାରିବାକୁ ଇଚ୍ଛା ଥିଲା ମାତ୍ର ପଚାରି ପାରୁନଥିଲେ । ପରସ୍ପର ଦୀର୍ଘ ସମୟ ଧରି ନୀରବ ରହିବା ପରେ ଯୁବତୀ ଜଣଙ୍କ ପ୍ରଶ୍ନ କଲେ–“ଆପଣଙ୍କୁ ପ୍ରତିଦିନ ପାର୍କରେ ଏକା ଦେଖେ । କ’ଣ ଆପଣଙ୍କ ସାଙ୍ଗରେ ପାର୍କକୁ ଆସିଲାପରି କେହି ନାହାନ୍ତି-?”

 

ଯୁବତୀଙ୍କର ପ୍ରଶ୍ନ ଶୁଣି ରବିବାବୁ ଦୀର୍ଘନିଶ୍ୱାସ ତ୍ୟାଗ କରି କହିଲେ–“ହଁ ଆପଣଙ୍କର ଅନୁମାନ ମିଥ୍ୟା ନୁହେଁ । ଏଇ ଅଳ୍ପ ଦିନ ହେଲା ମୁଁ ଓଡ଼ିଶାରୁ ଆସିଛି । ଏଇଠି ଗୋଟିଏ ବ୍ୟାଙ୍କରେ କାମ କରେ । କାହାରି ସହିତ ପରିଚୟ ହୋଇନି । ଯେତେବେଳେ ଏକା ଏକା ଆସି ବୁଲିଯାଏ । ଏକା ରହେ । ତେଣୁ ଏକା ବୁଲିବାକୁ ପଡ଼ୁଛି ।”

 

“ଆପଣ ଏକା, ମୁଁ ମଧ୍ୟ ଏକା । ଦିନର ପରିଶ୍ରମ ପରେ ଏଇ ଝିଅଟିକୁ ସାଙ୍ଗରେ ନେଇ କିଛି ସମୟ ଖୋଲା ପବନରେ ନିଜ ମନର କ୍ଳାନ୍ତିକୁ ଅବସାଦକୁ ମଧ୍ୟ ଖୋଲି କରି ଦିଏ । ଝିଅ ମୋର ନର୍ସରୀ ସ୍କୁଲରେ ରହେ । ଅଫିସରୁ ଫେରି ଏହା ସାଙ୍ଗରେ କିଛି ସମୟ କଟାଇ ଦିଏ । ହଁ ଆପଣ କେଉଁ ବ୍ୟାଙ୍କରେ ସର୍ଭିସ କରନ୍ତି ?”

 

ରବିବାବୁ ଉତ୍ତର ଦେଲେ “ଷ୍ଟେଟ୍‌ବ୍ୟାଙ୍କ” ।

 

“ଆରେ ମୁଁ ବି ତ ସେଠାରେ ସର୍ଭିସ କରେ । ଆପଣ କେଉଁ ବିଭାଗରେ ଅଛନ୍ତି ?”

 

ରବିବାବୁ ନିଜ ବିଷୟରେ କହିଗଲେ ଯୁବତୀଟିକୁ ।

 

ଯୁବତୀଟି ସମସ୍ତ କଥା ଶୁଣି ସାରିଲା ପରେ ନିଜର ପରିଚୟ ଦେଇଥିଲେ ।

 

ସେମାନଙ୍କ ମଧ୍ୟରେ ପରିଚୟର ସୂତ୍ରପାତ ଘଟିଥିଲା କୌଣସି ମାସର ଏକ ତାରିଖରେ-। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଗଲା ପରିଚୟ ପରେ । ଦୁଇଜଣ ଯୁବକ ଯୁବତୀ ପରସ୍ପରକୁ ବନ୍ଧୁଭାବରେ ଗ୍ରହଣ କରି ସାରିବା ପରେ ଜଣେ ଅନ୍ୟ ଜଣକ ପାଖରେ ନିଜର ଅତୀତକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିନଥିଲେ । ନିଜ ନିଜର ଅତୀତର ପୃଷ୍ଠାକୁ ଉନ୍ମୋଚନ କରି ପ୍ରତ୍ୟେକ ପ୍ରତ୍ୟେକଙ୍କର ଆହୁରି ନିକଟବର୍ତ୍ତୀ ହୋଇପଡ଼ିଲେ ।

 

ତାର କିଛି ଦିନ ପରେ ପାର୍କର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଦୁଇ ବନ୍ଧୁ-ବାନ୍ଧବୀ ବସିଥିଲେ । କେବଳ ପାର୍ଥକ୍ୟ ଏତିକି ଥିଲା–କିଛିଦିନ ପୂର୍ବରୁ ଦୁଇଜଣ ପାଖାପାଖି ଦୁଇଟି ବେଞ୍ଚରେ ବସୁଥିଲେ, ଯୁବତୀଟି ବାଳିକାଟି ସହିତ କିଛି ସମୟ ବଲ୍‌ ଖଳୁଥିଲା । ରବିବାବୁ ସେତେବେଳେ ସେ ଦୃଶ୍ୟକୁ ବସିବସି ଉପଭୋଗ କରୁଥିଲେ । ମାତ୍ର ଆଜି ଯୁବକ ଓ ଯୁବତୀ ଅର୍ଥାତ୍‌ ରବିବାବୁ ଓ ଅନୀତା ଦେବୀ ଗୋଟିଏ ବେଞ୍ଚରେ ବସି ଜଣେ ଅନ୍ୟ ଜଣଙ୍କର ସୁଖ-ଦୁଃଖରେ ଭାଗୀଦାର ହେବାକୁ ଚେଷ୍ଟା କରୁଛନ୍ତି ଏବଂ ଛୋଟ ଝିଅଟି ସେମାନଙ୍କ ପାଖରେ ଏକା ଏକା ବଲ ଖେଳିବାରେ ଲାଗିଛି ।

 

ଅନେକ ସମୟରୁ ସେମାନେ ସେହି ସ୍ଥାନରେ ବସିଲେଣି । ଏଣିକି ଅନୀତା ଦେବୀଙ୍କର ପ୍ରତ୍ୟାବର୍ତ୍ତନରେ ଯଥେଷ୍ଟ ବିଳମ୍ୱ ହୁଏ । ପୂର୍ବପରି ଝିଅକୁ ସାଙ୍ଗରେ ନେଇ ସନ୍ଧ୍ୟା ହେବା ପରେ ପରେ ଫେରିଯିବାକୁ ସେ ବ୍ୟସ୍ତ ହୋଇପଡ଼ନ୍ତି ନାହିଁ । ଅନୀତା ଦେବୀ ବସି ବସି ନିଜ କଥା କହି ଯାଉଥିଲେ । ତାକୁ ରବିବାବୁ ଏକାଗ୍ରତାର ସହିତ ଶୁଣିବାକୁ ଲାଗିଥିଲେ । ଅନୀତା ଦେବୀ କହୁଥିଲେ–

 

“ରବି ! ସେ ସବୁ ଚାରିବର୍ଷ ତଳର କଥା । ତୁମେ ତାକୁ ଶୁଣି ଦୁଃଖ ପାଇବ । ସେ ସବୁ ପୁରୁଣା କଥା ଶୁଣାଇ ତୁମକୁ ଦୁଃଖ ଦେବାକୁ ମୋର ଇଚ୍ଛା ନାହିଁ । ତଥାପି ତୁମ ବିଷୟରେ ଯେତେବେଳେ ମୁ ସମସ୍ତ କଥା ଜାଣି ସାରିଲିଣି ଯଦି ମୋ ବିଷୟରେ ତୁମକୁ କିଛି ନକହେ ଅନ୍ୟାୟ ତ ନିଶ୍ଚୟ ହେବ । ତୁମେ ମଧ୍ୟ ମୋ ପାଇଁ ମନରେ ଖରାପ ଧାରଣା ଆଣିବ । ତୁମ ମନରେ ଦୁଃଖ ନ ଦେବା ପାଇଁ ମୋ ବିଷୟରେ କିଛି ନକହିବାକୁ ଚାହୁଁଥିଲି ମାତ୍ର ତାକୁ ଶୁଣି ସାରିବା ପରେ ଯଦି ତୁମେ ଦୁଃଖ କରିବ, ତେବେ ସେଥିପାଇଁ କ୍ଷମା କରିବ ।”

 

ଅନୀତା ଦେବୀ କିଛି ସମୟ ପାଇଁ ଅଟକି ପୁଣି କହିବାକୁ ଲାଗିଲେ–“ମୁଁ ବାସ୍ତବରେ ବଡ଼ ହତଭାଗିନୀ ରବି ! ମୋ ଜୀବନରେ କେବେ ଶାନ୍ତି ପାଇନି । ଅବଶ୍ୟ ସାମୟିକ ଭାବରେ ଆନନ୍ଦ ପାଇଛି । ଖୁସିରେ ପାଗଳ ହୋଇଛି । କିନ୍ତୁ ମୋର ସେ ଆନନ୍ଦ ଓ ସେ ଖୁସି ଅଧିକ ସମୟ ରହିପାରିନି । ଏତେ ବଡ଼ ସଂସାରରେ ତୁମର କେତେ ଆପଣାର ଅଛନ୍ତି; ବନ୍ଧୁ, ପରିବାର; ମୋର କିନ୍ତୁ କେହି ନାହାନ୍ତି । ଦିନେ ସମସ୍ତେ ଥିଲେ, କିନ୍ତୁ ଆଜି କେହି ନାହାନ୍ତି । ଭାରତର ଭୂସ୍ୱର୍ଗ କାଶ୍ମୀର-। ସେହି କାଶ୍ମୀରରେ ହିଁ ମୁଁ ମାଆ କୋଳରୁ ମାଟି ସ୍ପର୍ଶ କଲି । ସେହିଠାରେ ମୋର କୈଶୋର ଅବସ୍ଥା କଟିଗଲା । ସେତିକି ଦିନ ପର୍ଯ୍ୟନ୍ତ ମୋର ଆନନ୍ଦରେ କଟିଗଲା । ଦୁଃଖ କଣ ଜାଣିବା ପାଇଁ ମୋର ବାପୁ, ମା କିମ୍ୱା ଭାଇ କେହି ମୋତେ ସୁଯୋଗ ଦେଇ ନଥିଲେ । ତା ପରଠାରୁ ହିଁ ମୋର ଦୁର୍ଭାଗ୍ୟର ଦିନ ଆରମ୍ଭ ହୋଇଗଲା । ହିନ୍ଦୁ ମୁସଲମାନ ଦଙ୍ଗାରେ ପିଶାଚମାନଙ୍କର ରକ୍ତତୃଷାକୁ ମେଣ୍ଟାଇବା ପାଇଁ ମୋର ମାଆ ଓ ଭାଇଙ୍କୁ ଜୀବନ ଦେବାକୁ ପଡ଼ିଲା-। ବାପା ମୋର ଫୌଜ ଅଫିସର । ହିନ୍ଦୁ ହେଲେ ମଧ୍ୟ ଅବସ୍ଥା ଚକ୍ରରେ ପଡ଼ି ଜଣେ ମୁସଲମାନ ଯୁବକକୁ ବିବାହ କରିବାକୁ ମୁଁ ବାଧ୍ୟ ହେଲି । ଅବଶ୍ୟ ସେଥିପାଇଁ ମୋର ଅବଶୋଷ ନଥିଲା-। ବାପାଙ୍କର ସେଇୟା ଇଚ୍ଛା ଥିଲା ଏବଂ ସେହି ମୁସଲମାନ ଯୁବକଙ୍କ ସାହାସ ହିଁ ଆମକୁ ନବଜୀବନ ପ୍ରଦାନ କରିଥିଲା-। ଯୁବକ ଫୌଜ କର୍ମଚାରୀଙ୍କ ସହିତ ଏଇ ବମ୍ୱେରେ ହିଁ ମୋର ବିବାହ ହୋଇଥିଲା । ସେଥିରେ ବାପୁଙ୍କର ଆସିଷ୍ଟାଣ୍ଟ, ମାଆ ଓ ଭାଇଙ୍କୁ ହରାଇବା ପରେ ବାପୁ କାଶ୍ମୀରର ସମସ୍ତ ସମ୍ପତ୍ତି ବିକ୍ରି କରି ବମ୍ୱେ ଚାଲି ଆସିଲେ । କିଛି ଦିନ ଘରସଂସାର ମଧ୍ୟରେ ଆବଦ୍ଧା ହୋଇ ମୁଁ ଶାନ୍ତିରେ କଟାଇଦେଲି-। ସେତିକି ଦିନକୁ ଆଙ୍ଗୁଳି ଟିପରେ ମଧ୍ୟ ଗଣି ହୋଇଯାଉଥିଲା-। ବର୍ବର ପାକିସ୍ଥାନୀଙ୍କର ମୁକାବିଲା କରିବାପାଇଁ ଦେଶରେ ସଂଗ୍ରାମର ଡାକରା ପଡ଼ିଲା । ସ୍ୱାମୀଙ୍କୁ ମୋର ହିନ୍ଦୁ ରମଣୀ ପରି ବୀର ବେଶରେ ସଜାଇ ଦେଇଥିଲି । କିଛିଦିନ ପୂର୍ବରୁ ଯେଉଁ ପାଷାଣ୍ଡଙ୍କର ରକ୍ତ ପିପାସା ମୋର ମାଆ ଓ ଭାଇଙ୍କର ରକ୍ତରେ ପୂରଣ ହୋଇ ପାରି ନଥିଲା ତାହା ମୋ ସ୍ୱାମୀ ଓ ବାପୁଙ୍କର ରକ୍ତ ପାଇ ସାରିବା ପରେ ସମାପ୍ତ ହୋଇଥିଲା । ଦେଶରେ ଆଉ ପୂର୍ବପରି ଉତ୍ତେଜନା ରହିଲା ନାହିଁ-। ଶାନ୍ତି ଚୁକ୍ତି ହୋଇସାରିଥିଲା । ଯୁଦ୍ଧ ଶେଷ ହୋଇଯାଇଥିଲା । ତା ସାଙ୍ଗରେ ଶେଷ ହୋଇଯାଇଥିଲା ମୋ ଜୀବନର ସମସ୍ତ କାମନା, ସମସ୍ତ ଅଭିଳାଷ । ଦେଶ ମଧ୍ୟରେ ଶାନ୍ତି, ଆନନ୍ଦ, ଖୁସି ଫେରି ଆସିଲା କିନ୍ତୁ ମୋ ଜୀବନରୁ ସେ ସବୁ ଚିରଦିନ ପାଇଁ ଅନ୍ତର୍ହିତ ହୋଇଗଲା-। ଜୀବନ ଉପରୁ ମୋର ସମସ୍ତ ଅନୁରାଗ ତୁଟି ଆସିଲା ବେଳେ ମୋ କୋଳରେ ଦେଖା ଦେଲା ଏକ ନିଷ୍ପାପ ଶିଶୁକନ୍ୟା, ମୋ ସ୍ୱାମୀଙ୍କର ସ୍ମାରକୀ, ଏଇ ଦେବସ୍ମିତା । କେବଳ ତାରି ପାଇଁ ମୁଁ ପୁଣିଥରେ ମୋ ଜୀବନର ଦୁଃଖ ସହିତ ସାଲିଶ୍‌ କରିନେଲି । ତା ପରଠାରୁ ଚାହିଁଲି ଦେବୀର ହସରେ ହସି, ତାର ଦୁଃଖରେ କାନ୍ଦି ଜୀବନର ଅବଶିଷ୍ଟ କେତୋଟି ଦିନ କଟାଇ ନେବି-।” ତାକୁ ତା ନିଜ ଗୋଡ଼ ଉପରେ ଠିଆ କରାଇ ଦେଇସାରିବା ପରେ ସମୟ ପାଇଲେ ପୁଣି ନିଜ କଥା ବିଚାର କରିବି । ସେ ତ କେଉଁ ସୁଦୂର ଭବିଷ୍ୟତ । ଦେବୀ ବର୍ତ୍ତମାନ ମୋଟେ ପାଞ୍ଚବର୍ଷର । ବାପୁ ଓ ସ୍ୱାମୀଙ୍କ ଶହିଦ୍‌ ହେବାପରେ ସରକାରଙ୍କଠାରୁ କିଛି ଆର୍ଥିକ ସମ୍ୱଳ ମଧ୍ୟ ମିଳିଥିଲା କିନ୍ତୁ ସେଥିରେ ଆମ ଦୁହିଁଙ୍କର ସୁଦୀର୍ଘ ଭବିଷ୍ୟତ କଟିନଥାନ୍ତା । ତେଣୁ ତିନିବର୍ଷ ପୂର୍ବରୁ ପ୍ରାଇଭେଟ ଭାବରେ ବି. ଏ. ପାଶ କରି ଚାକିରି ଅନୁସନ୍ଧାନରେ ଲାଗିଲି । ବାପୁ ଓ ସ୍ୱାମୀଙ୍କର ଶହୀଦ୍‌ ହେବା କାରଣରୁ ସୁବିଧାରେ ଚାକିରି ଖଣ୍ଡିଏ ମଧ୍ୟ ମିଳିଗଲା । ଆଉ ସେହିଦିନଠାରୁ ମୁଁ ଏ ଦେବୀ ପାଇଁ ଜୀଇଁ ରହିଛି-। ଦେବୀକୁ ସ୍ନେହ ଦେବାପାଇଁ ମୋ ବ୍ୟତୀତ ଆଉ କେହି ନାହାନ୍ତି । ତୁମେ ତାକୁ ଆଦର କଲ, ମୋତେ ଖୁବ୍‌ ଭଲ ଲାଗିଲା । ସେଥିପାଇଁ କେବଳ ବନ୍ଧୁ ଭାବରେ ଆଜି ମୁଁ ସମସ୍ତ କଥା ତୁମକୁ ଜଣାଇ ଦେଲି । ତୁମେ ହେଉଛ ପ୍ରଥମ ବ୍ୟକ୍ତି ଯାହା ସମ୍ମୁଖରେ ମୁଁ ଆଜି ପ୍ରଥମ କରି ନିଜ ବିଷୟରେ ସମସ୍ତ କଥା ପ୍ରକାଶ କରିଛି ।”

 

ଦେବସ୍ମିତା ଖେଳିବାରେ ଲାଗିଥିଲା । ନିଷ୍ପାପ ଶିଶୁ । ସେ ବା କଣ ଜାଣେ ତାର ମମ୍ମିର ଦୁଃଖ ବିଷୟରେ । ଅନୀତା ନିଜ କାହାଣୀ କହି ସାରିବା ପରେ ମୁହଁରେ ଲୁଗା ଘୋଡ଼ାଇନେଲେ । ରବିବାବୁଙ୍କ ଆଗରେ ସେ ନିଜ ଆଖିରୁ ଲୁହ ବୁହାଇବାକୁ ଇଚ୍ଛା କରୁନଥିଲେ । କିନ୍ତୁ ଅତୀତର ସମସ୍ତ ଘଟଣା ମନେ ପକାଇ ନିଜକୁ ସେ ସମ୍ୱରଣ କରିପାରୁନଥିଲେ । ରବିବାବୁଙ୍କୁ ଦୁଃଖ ନଦେବା ପାଇଁ ନିଜର ଅତୀତ ପ୍ରକାଶ ନ କରିବାକୁ ଚାହୁଁଥିଲେ । ଅଥଚ ବର୍ତ୍ତମାନ ସେ ରବିବାବୁଙ୍କ ପରିବର୍ତ୍ତେ ନିଜେ ନିଜ ଦୁଃଖରେ ଫୁଲି ଫୁଲି କାନ୍ଦିବାକୁ ଲାଗିଛନ୍ତି ।

 

ରବିବାବୁ ଅନୀତା ଦେବୀଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ । ଅନୀତା ଦେବୀଙ୍କ ହୃଦୟର ରୁଦ୍ଧ ବେଦନା ଆଖିରୁ ଲୁହ ଦେଇ ବାହାରିଯିବା ପରେ ସେ ପ୍ରକୃତିସ୍ଥ ହେଲେ । ରବିବାବୁ ଅନୀତା ଦେବୀଙ୍କ ପାଖକୁ ଲାଗିଆସି କହିଲେ, “ଛି ! ଅନୀତା ଏମିତି ପିଲାଙ୍କ ପରି କାନ୍ଦିଲେ ଚଳିବ ?” ଦେବୀ ପାଇଁ ତୁମକୁ ଆହୁରି ଦୃଢ଼ ହେବାକୁ ପଡ଼ିବ । ଏମିତି ଭାବରେ ଭାଙ୍ଗି ପଡ଼ିଲେ ଦେବୀ କେମିତି ତୁମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ? ବିଚାରୀ ! ତୁମକୁ କାନ୍ଦିବାର ଦେଖିଲେ ସେ କଣ କରିବ ?”

 

ରବିବାବୁଙ୍କୁ ଆଉ କିଛି କହିବାକୁ ପଡ଼ିନଥିଲା । ଦେବସ୍ମିତା ଖେଳୁ ଖେଳୁ ନିଜ ମମ୍ମିକୁ କାନ୍ଦୁଥିବାର ଦେଖି ଖେଳ ବନ୍ଦକରି ସେ ଆସି ତାଙ୍କ ନିକଟରେ ପହଞ୍ଚିଗଲା, “ମମ୍ମି ! ତୁମର କଣ ହେଲା ମମ୍ମି ? ଅଙ୍କଲ କଣ ତୁମକୁ ପିଟିଛନ୍ତି ?”

 

ଦେବୀର କଥା ଶୁଣି ଅନୀତା ଦେବୀ କାନ୍ଦୁ କାନ୍ଦୁ ହସିଉଠିଲେ । –“ନାରେ ଦେବୀ ଅଙ୍କଲ ନା । ଗୋଟିଏ ଗପ କହିଲେ । ରାଜା ଝିଅକୁ ଅସୁର ନେଇଗଲା । ତାର ବାପା-ମାଆ-ଭାଇ ସମସ୍ତଙ୍କୁ ମାରିଦେଲା । ସେ କଥା ଶୁଣି ମୋତେ ଖୁବ୍‌ ଦୁଃଖ ଲାଗିଲା ।”

 

“କାହିଁକି ମମ୍ମି ? ତୁମଠାରୁ ଗପ ଶୁଣି ମୁଁ ତ କେବେ କାନ୍ଦେନାହିଁ । ତୁମେ ଏତେ ବଡ଼ ପିଲା ହୋଇ ବି କାନ୍ଦୁଛ ?”

 

ଦେବସ୍ମିତାର କଥା ଶୁଣି ରବିବାବୁ ଓ ଅନୀତା ଦେବୀ ପୁଣିଥରେ ହସିଉଠିଲେ । ରବିବାବୁ ଦେବୀକୁ କହିଲେ, “ତୁମେ ଯାଅ ଖେଳିବ । ତୁମ ମମ୍ମି ଆଉ କାନ୍ଦିବେନି । ପୁଣି କାନ୍ଦିଲେ ତୁମକୁ ଡାକି ଦେବି ।”

 

ଦେବୀ ପୂର୍ବପରି ଖେଳିବାକୁ ଲାଗିଥିଲା । ଅନୀତା ଦେବୀ ଓ ରବିବାବୁ ନିଜ ବିଚାରରେ ନିମଗ୍ନ ଥିଲେ । କିଛି ସମୟ ପରେ ରବିବାବୁ କହିଲେ, “ଅନୀତା ! ତୁମ କଥା ଶୁଣିଲା ପରେ ତୁମ ଉପରେ ଦୟା ଲାଗୁଛି । ବାସ୍ତବିକ୍‌ ତୁମେ ନିଜ ଭିତରେ ଦୁଃଖର କେତେ ବଡ଼ ପାହାଡ଼କୁ ଚାପି ରଖିଛ । ଯଦି ତୁମେ ଅନୁମତି ଦେବ ତ ମୁଁ ତୁମ ଦୁଃଖରେ ଭାଗୀଦାର ହେବାପାଇଁ ଦେବୀକୁ ତା ଡାଡିର ସ୍ନେହ ଦେବା ପାଇଁ ଚେଷ୍ଟା କରିବି । ତୁମ ଦୁଇ ଜଣଙ୍କୁ ଖୁବ୍‌ ସ୍ନେହ କରିବି । ତୁମକୁ କୌଣସି ସମୟରେ ଅନୁଭବ ହେବାକୁ ଦେବିନି–ଏତେ ବଡ଼ ପୃଥିବୀରେ ତୁମେ ଏକା ରହିଛ । ତୁମର ପ୍ରେମ, ସ୍ୱପ୍ନ କାମନା ସବୁ ଅଧା ରହିଯାଇଛି । ତୁମ ଦେବୀର ଡାଡି ନାହାନ୍ତି, ମୁଁ ପ୍ରତିଶ୍ରୁତି ଦେଉଛି ତୁମର ସମସ୍ତ ଦୁଃଖକୁ ମୁଁ ଭୁଲାଇ ଦେବି । ତୁମ ଜୀବନର ପୂର୍ଣ୍ଣତାକୁ ମୁଁ ପୁଣିଥରେ ଫେରାଇ ଆଣିବି ।”

 

ଅନୀତା ଦେବୀଙ୍କର ଆଖି ପୁଣି ଥରେ ଓଦା ହୋଇଗଲା । ବୋଧହୁଏ ପ୍ରଥମଥର ପାଇଁ ରବିବାବୁଙ୍କଠାରୁ ସହାନୁଭୂତି ପାଇ । ସେ କହିଲେ–“ଦେଖ ରବି ! ତୁମେ ମୋର ବନ୍ଧୁ । ବନ୍ଧୁ ବନ୍ଧୁ ପ୍ରତି ସହାନୁଭୂତି ଦେଖାଇ ତା ପ୍ରତି ତ୍ୟାଗ ସ୍ୱୀକାର କରିବା କିଛି ବିଚିତ୍ର ନୁହେଁ । ତା ବୋଲି ମୁଁ ନିଜର ସ୍ୱାର୍ଥପାଇଁ ଜଣେ ବାନ୍ଧବୀ ହିସାବରେ ତୁମ ପରିବାରରେ ଅଶାନ୍ତିର ସୂତ୍ରପାତ କରିବାକୁ ଚାହେନି । ଯେତେବେଳେ ତୁମ ପରିବାରରେ ଜାଣିବେ ଜଣେ ବିଧବା ସ୍ତ୍ରୀକୁ ତୁମେ ବିବାହ କରିଛ, ଯାହାର ପାଞ୍ଚବର୍ଷର ଝିଅ ଗୋଟିଏ ତା ସାଙ୍ଗରେ ଅଛି, ସେତେବେଳେ ସେମାନେ ତୁମକୁ ନିର୍ବାଚନକୁ ସୁସ୍ଥ ମନରେ ସ୍ୱାଗତ କରିପାରିବେ ନାହିଁ । ସେଥିପାଇଁ ତୁମେ ନିଜର ଏ ପ୍ରକାର ସିଦ୍ଧାନ୍ତକୁ ପରିବର୍ତ୍ତନ କରିନିଅ । ତୁମର ଶୁଭେଚ୍ଛାକୁ ନେଇ ମୁଁ ଅବଶିଷ୍ଟ ସମୟକୁ ସୁନ୍ଦର ଭାବରେ କଟାଇ ଦେବି । ତୁମକୁ ପାଇଲେ ମୁଁ ନିଶ୍ଚିତ ଭାବରେ ଖୁସି ହୁଅନ୍ତି । କିନ୍ତୁ ନିଜର ସ୍ୱାର୍ଥ ପାଇଁ ମୁଁ ତୁମକୁ ତୁମର ସ୍ନେହପୂର୍ଣ୍ଣ ପରିବାରଠାରୁ ବିଚ୍ଛିନ୍ନ କରିପାରିବିନି । ଜୀବନ ଭାବପ୍ରବଣତା ଉପରେ ଆଧାରିତ ନୁହ । ତୁମେ ଧୀରସ୍ଥିର ଭାବରେ ସିଦ୍ଧାନ୍ତ କରିନିଅ । ତୁମ ଜୀବନର ସୁଦୀର୍ଘ ପଥ ଅବଶିଷ୍ଟ ରହିଛି ।”

 

ଅନୀତା ଦେବୀ ସେଦିନ ଉଠିଲେ–“ରବି ! ସମୟ ଢେର ହେଲାଣି । ସେ କଥା ଚିନ୍ତାକରି ମନ ଖରାପ କରିବନି । ଏଥର ଫେରିବା ଆସ ।”

 

ପନ୍ଦରଦିନ ପରେ ରବିବାବୁ ଅନୀତା ଦେବୀଙ୍କୁ ଜଣାଇଥିଲେ ତାଙ୍କ ସିଦ୍ଧାନ୍ତରେ ପରିବାରର କାହାରି ଆପତ୍ତି ନାହିଁ । ଫଳରେ ସେମାନଙ୍କର ବିବାହ କୋର୍ଟରେ ସମ୍ପୂର୍ଣ୍ଣ ହୋଇଗଲା-। ଅନୀତା ଦେବୀଙ୍କ ଭଙ୍ଗା ଜୀବନରେ ରବିବାବୁ ନିଜକୁ ସମ୍ପୂର୍ଣ୍ଣ ଭାବରେ ମିଶାଇ ଦେଇଥିଲେ । ସେ ଚେଷ୍ଟା କରୁଥିଲେ ଅନୀତା ଦେବୀ ଯେମିତି କେବେ ସ୍ମରଣ କରିପାରିବେନାହିଁ ଜୀବନ ପଥକୁ ଅତିକ୍ରମ କଲାବେଳେ ଦିନେ ସେ ଦୁଃଖର ପାହାଡ଼ ସାଙ୍ଗରେ ମୁହାଁମୁହିଁ ହୋଇଯାଇଥିଲେ ।

 

ଏ ସବୁ ଦୀର୍ଘ ପନ୍ଦର ବର୍ଷର ଅତୀତ । ସେଦିନର ପାଞ୍ଚବର୍ଷର ଦେବସ୍ମିତା ଆଜି କୋଡ଼ିଏ ବର୍ଷର ଯୁବତୀ । ବିଜନେସ୍‌ ମ୍ୟାନେଜମେଣ୍ଟର ଶେଷ ବର୍ଷର ଛାତ୍ରୀ । ରବିବାବୁ ନିଜର ପ୍ରତିଶ୍ରୁତିକୁ ଆଜିପର୍ଯ୍ୟନ୍ତ ରକ୍ଷା କରି ଆସିଛନ୍ତି । ଅନୀତା ଦେବୀ ନିଜର ଅତୀତକୁ ସ୍ମରଣ କରିବାର ସୁଯୋଗ ପାଇନାହାନ୍ତି କିମ୍ୱା ଦେବସ୍ମିତା ନିଜକୁ ପିତୃହୀନା ବୋଲି ମନେକରି ପାରିନି ।

 

ରବିବାବୁ ବସି ବସି ପୂର୍ବର ଘଟଣାବଳୀକୁ ମନେ ପକାଇ ଯେମିତି ନୂତନ ଚେତନା ଲାଭ କଲେ । ଏଇ ବର୍ଷ କେତୋଟି–କଟକରୁ ଆସିବା ପରଠାରୁ ସେ ସମସ୍ତ କିଛି ଭୁଲି ଯାଇଥିଲେ ନିଜ ପରିବାର ବିଷୟରେ । ପ୍ରୀୟବନ୍ଧୁ ଅମୀୟ ବିଷୟରେ ସେ ବିସ୍ମରଣ ହୋଇଯାଇଥିଲେ । ତାର କାରଣ ଅନୀତା ଦେବୀଙ୍କର ଅନାବିଳ ପ୍ରେମ କି ମହାନଗରୀର ମାୟା ତାହା ସେ ଠିକ୍‌ ଭାବରେ ବୁଝିପାରୁନଥିଲେ । କିନ୍ତୁ ଥରେ ସେ ସମସ୍ତ ମନେ ପଡ଼ିବା ପରେ ସେ ବିଚଳିତ ହୋଇପଡ଼ିଲେ । ନିଜକୁ ଦୋଷୀ ସାବ୍ୟସ୍ତ କଲେ । ପ୍ରକୃତରେ ସେ ନିଜର ପରିବାର ପ୍ରତି, ବନ୍ଧୁ ପ୍ରତି କେତେବଡ଼ ଅବିଚାର କରିନାହାନ୍ତି ସତେ !

 

ଚମକି ପଡ଼ି ସେ ସିଧା ହୋଇ ବସିଲେ । ଅନୀତା ଦେବୀ ରବିବାବୁଙ୍କର ପିଠିକୁ ଲାଗି ବସିଥିଲେ । ପଡ଼ୁ ପଡ଼ୁ ସେ ରହିଗଲେ । ଆଶ୍ଚର୍ଯ୍ୟ ହୋଇ ସେ ପ୍ରଶ୍ନକଲେ–“କଣ ହେଲା ତୁମର-।”

 

ଅନୀତା ଦେବୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା ନକରି ରବିବାବୁ ପଚାରିଲେ–ମୁଁ ଏଠାକୁ ଆସିବାର କେତେଦିନ ହେବଣି ଅନୀତା ?

 

–“ପନ୍ଦରବର୍ଷ ପାଖାପାଖି ହେବ ।” ହଠାତ୍‌ ଏମିତି ପ୍ରଶ୍ନ ଶୁଣି ଅନୀତା ଦେବୀ ଆଶ୍ଚର୍ଯ୍ୟ ହେଲେ ।

 

ନିଜ ଉପରେ ରବିବାବୁଙ୍କର ଘୃଣା ହେଉଥିଲା । ସେ କହିଲେ–“ଏତେ ଦିନ ହେଲା ମୁଁ ସମସ୍ତଙ୍କୁ ଭୁଲି ଯାଇଥିଲି । ଏତେଦିନପରେ କେମିତି ସେମାନଙ୍କର ପାଖରେ ଠିଆ ହେବି ? ଆଜି ପର୍ଯ୍ୟନ୍ତ ସେମାନଙ୍କର ଖବର ପର୍ଯ୍ୟନ୍ତ ରଖିନି । କେତେ ଆଶା, କେତେ କଳ୍ପନାକୁ ମନରେ ନେଇ ମୋତେ ସେମାନେ ମଣିଷ କରିଥିଲେ । ମୁଁ ପାଷାଣ୍ଡ ପ୍ରତିଦାନରେ ସେମାନଙ୍କୁ କଣ ଦେଲି ? ପାଗଳଙ୍କ ପରି ନିଜ ହାତରେ ସେ ମୁଣ୍ଡର ବାଳକୁ ଓଟାରିବାକୁ ଲାଗିଥିଲେ ।

 

ଅନୀତା ଦେବୀ ରବିବାବୁଙ୍କୁ ସେଥିରୁ କ୍ଷାନ୍ତ କରାଇଲେ । “ତୁମେ ଏମିତି ବ୍ୟସ୍ତ କାହିଁକି ହେଉଛ ? ଅବଶ୍ୟ ତୁମେ ସେମାନଙ୍କ ପ୍ରତି ଅବିଚାର କରିଛ । କିନ୍ତୁ ତାହା ତୁମର ଦୋଷ ନୁହେଁ, ଏଇ ମହାନଗରୀ ଏବଂ ତୁମ ବୟସର ଚାଞ୍ଚଲ୍ୟତା ଏହାର ପ୍ରଧାନ କାରଣ । ତୁମର ଓ ତୁମ ପରିବାର ମଧ୍ୟରେ ମୁଁ ନିଜ ମାଧ୍ୟମରେ ଯୋଗସୂତ୍ର ରକ୍ଷା କରିଛି । ତୁମେ ସେମାନଙ୍କୁ ଭୁଲି ଯାଇଛ ସେକଥା ସେମାନେ କେହି ଜାଣନ୍ତି ନାହିଁ । ତୁମର ବନ୍ଧୁ, ବାନ୍ଧବୀ ତଥା ପରିବାର ସମସ୍ତଙ୍କ ସାଙ୍ଗରେ ମୁଁ ତୁମର ଯୋଗସୂତ୍ର ରକ୍ଷା କରିଛି । ତୁମର ମାଆଙ୍କ ପାଇଁ ପ୍ରତି ମାସରେ ଶହେଟଙ୍କା କରି ପଠାଇ ଦେଉଛି । ଦୁଇବର୍ଷ ପୂର୍ବେ ତୁମ ବାପାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅନ୍ତିମସଂସ୍କାର ପାଇଁ ହଜାର ଟଙ୍କା ପଠାଇ ଦେଇଥିଲି । ତୁମ ବନ୍ଧୁଙ୍କ ମନରେ ତୁମ ପ୍ରତି ଥିବା ବନ୍ଧୁତା ପତ୍ର ମାଧ୍ୟମରେ ମୁଁ ଅକ୍ଷୂର୍ଣ୍ଣ ରଖିଛି । ଗତବର୍ଷ ତୁମ ରାଜା ଭାଇଙ୍କର ବିବାହ ହୋଇଗଲା । ତୁମେ ତ ସେ କଥାକୁ ଜାଣି ମଧ୍ୟ ଅଜଣା ହୋଇଗଲ । ଦୁଇ ହଜାର ଟଙ୍କା ମୁଁ ଘରକୁ ପଠାଇ ଦେଇଥିଲି ତୁମ ତରଫରୁ । ବାହାଘର ପରେ ଖୁବ୍‌ ମନ ଦୁଃଖରେ ଚିଠି ଦେଇଥିଲେ ସେ ଉତ୍ସବରେ ତୁମେ ଅନୁପସ୍ଥିତ ରହିବାରୁ-। ମୁଁ ସେମାନଙ୍କୁ ବୁଝାଇ ଦେଇଛି ।”

 

ରବିବାବୁଙ୍କର ଆଉ ଶୁଣିବାକୁ ଧୈର୍ଯ୍ୟ ନଥିଲା ଯେମିତି । ମୁଣ୍ଡକୁ ଚିପିଧରି ସେ କହିଲେ–“ଏତେ ବଡ଼ ବଡ଼ ଘଟଣାସବୁ ଘଟିଗଲା । ମୋର ଅବଚେତନା ମନରେ ତୁମେ ଟିକିଏ ଚେତାଇ ଦେଇ ପାରିଲ ନାହିଁ ? ବାପା ଆଲ୍ଲାଙ୍କର ପ୍ୟାର ହୋଇଗଲେ । ସେ ଦୁଃଖ ସମୟରେ ମୁଁ ଭାଇ-ଭାଉଜଙ୍କ ପାଖରେ ରହି ପାରିଲିନି, ମାଆକୁ ଟିକିଏ ସାନ୍ତ୍ୱନା ଦେଇ ପାରିଲି ନାହିଁ । ରାଜା ଭାଇ ବିବାହ କଲେ । ସେ ଖୁସିରେ ମଧ୍ୟ ମୁଁ ଟିକିଏ ଭାଗ ମିଶାଇ ପାରିଲି ନାହିଁ । ମୋ ପରି ହତଭାଗା ଆଉ କିଏ ଥିବ କହିଲ ? ଏଥର ମୋତେ ଆଉ ଏଇ ମାୟାନଗରୀ ତା ମାୟାରେ ବାନ୍ଧି ପାରିବନି । ମୁଁ ନିଶ୍ଚୟ ମୋ ଜନ୍ମସ୍ଥାନକୁ ଫେରିଯିବି ।”

 

ବସିଥିବା ସ୍ଥାନରୁ ଉଠି ରବିବାବୁ ଚାଲିବାକୁ ଲାଗିଲେ । ସେ ବାହାରକୁ ଯିବାକୁ ଚାହୁଁଥିଲେ । ଗୋଡ଼ ତାଙ୍କର ଠିକ୍‌ ସ୍ଥାନରେ ପଡ଼ୁ ନଥିଲା । ଅନୀତା ଦେବୀଙ୍କ ଉପରେ ନିଜ ଶରୀରର ଭାରକୁ ଲଦିଦେଇ ସେ ବାହାରକୁ ଟ୍ୟାକ୍‌ସି ପର୍ଯ୍ୟନ୍ତ ଆସି ପହଞ୍ଚିଲେ ।

 

ଡାଡିଙ୍କୁ ଏପରି ଅବସ୍ଥାରେ ଦେଖି ଦେବସ୍ମିତାର କିଛି ସମୟ ପୂର୍ବର ଆନନ୍ଦ ଉଲ୍ଲାସ କେଉଁ ଆଡ଼େ ଅନ୍ତର୍ହିତ ହୋଇଗଲା । ଷ୍ଟୋରିଓର ରେକର୍ଡ ପ୍ଲେୟାର ଉପରୁ ରେକର୍ଡଟି ବାହାର କରିନେଇ ସେ ଡାଡିଙ୍କୁ ସାହାଯ୍ୟ କରିବା ପାଇଁ ନିଜ ରୁମରୁ ବାହାରି ଆସିଲା । କିଛି ସମୟ ପୂର୍ବରୁ ସେ ଡାଡିଙ୍କୁ ମମ୍ମି ସାଙ୍ଗରେ ସୁସ୍ଥ ଶରୀରରେ ଯିବାର ଦେଖିଥିଲା । ବର୍ତ୍ତମାନ ଡାଡିଙ୍କର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଆପଣଙ୍କର କ’ଣ ହେଲା ଡାଡି ? ଡାକ୍ତରଙ୍କୁ ଫୋନ କରିବି-?”

 

“ନା ଡାକ୍ତରଙ୍କୁ ଡାକିବା ଦରକାର ନାହିଁ । ହଠାତ୍‌ ମୁଣ୍ଡଟାରେ କାହିଁକି ଦରଜ ଅନୁଭବ ହେଲା ।” ରବିବାବୁ ପ୍ରତିବାଦ ଜଣାଇଲେ ।

 

ଦେବସ୍ମିତା ତାଙ୍କର ପାଖରେ ମୁଣ୍ଡକୁ ସାଉଁଳେଇବାକୁ ଲାଗିଲା । ପ୍ରଳାପ କଲାପରି ରବିବାବୁ କହିବାକୁ ଲାଗିଲେ–“ତୁମେ କେଡ଼େ ସ୍ୱାର୍ଥପର ଅନୀତା ! ସମସ୍ତ କଥା ଜାଣି ମଧ୍ୟ ମୋତେ କିଛି ଜଣାଇଲ ନାହିଁ । କେଉଁ ଅପଦେବତାଙ୍କ ଅଭିଶାପରେ ମୁଁ ସମସ୍ତଙ୍କୁ ଭୁଲିଗଲି ! ତୁମେ ତ ମନେ ରଖିଥିଲ ? ଚାହିଁଥିଲେ ମୋତେ କଣ ପ୍ରକୃତିସ୍ଥ କରାଇ ଦେଇ ପାରି ନଥାନ୍ତ ? କାହିଁକି ମୋ ଉପରେ ଏତେବଡ଼ ପ୍ରତିଶୋଧ ନେଲ ? କ’ଣ ବା ଏମିତି ଦୋଷ କରିଥିଲି ତୁମର ? ମୋ ଅବସ୍ଥା ଦେଖି କଣ ତୁମର ପ୍ରାଣ କାନ୍ଦି ଉଠିଲା ନାହିଁ, ମୋର ଅତୀତ ପ୍ରତି ତୁମର ସହାନୁଭୂତି ଜନ୍ମିଲା ନାହିଁ ? ତୁମେ ପରା ନାରୀ, ସ୍ନେହ ଓ ପ୍ରେମର ଉତ୍ସ । ଏ କଣ ତାର ନମୁନା ? ଶେଷ ସମୟରେ ବାପାଙ୍କୁ ଦେଖି ପାରିଲି ନାହିଁ । ଆଦରର ଭାଇଙ୍କ ବିବାହରେ ଉପସ୍ଥିତ ରହିପାରିଲି ନାହିଁ, ପ୍ରୋସେସନ୍‌ ଆଗରେ ନାଚି ପାରିଲି ନାହିଁ । ଭାଇଙ୍କ ପାଖକୁ ଚିଠି ଲେଖିବା ତ ଦୂରର କଥା ଆଜି ପର୍ଯ୍ୟନ୍ତ ସେମାନେ ପଠାଇଥିବା ଚିଠିଖଣ୍ଡକୁ ପଢ଼ି ମଧ୍ୟ ପାରିଲି ନାହିଁ ? ଧିକ୍‌ ମୋର ଜୀବନକୁ, ଏଇ ଆଶା ରଖି କଣ ସେମାନେ ମୋତେ ସ୍ନେହ ଦେଇ ମଣିଷ କରି ଆସିଥିଲେ, ନିଜର ସୁଖ-ସୁବିଧା ପ୍ରତି ଦୃଷ୍ଟି ନଦେଇ । ପ୍ରତିଦାନରେ ମୁଁ ସେମାନଙ୍କୁ ଦେଲି କଣ ? ମୋ ପରି ଆଉ କେତେ ହତଭାଗା ଥିବେ ଏ ସଂସାରରେ ? କାହାକୁ ନେଇ ମୁଁ ଆଉ ଗର୍ବ କରିବି । କେଉଁ ମୁହଁ ନେଇ ପୁଣି ସେମାନଙ୍କ ଆଗରେ ଠିଆହେବି ? ଏତେ ବଡ଼ ବର୍ବର-ସଇତାନର ହୃଦୟ ନେଇ ସେମାନଙ୍କ ପାଖକୁ ଯିବାପାଇଁ ମଧ୍ୟ ମୋ ମନରେ ସାହାସ ନାହିଁ । ଦିଅ ଦୟାକରି ମୋ ଭାଇ-ଭାଉଜଙ୍କ ପାଖରୁ ଆସିଥିବା ଚିଠିଗୁଡ଼ିକ ଥରେ ଦିଅ । କେବଳ ମୁଁ ଟିକିଏ ସେ ଗୁଡ଼ିକୁ ଦେଖିଯାଏ । ସେତିକିରେ ବରଂ ମୋ ଆତ୍ମା ଶାନ୍ତି ପାଇବ,” କହୁଥିବା ଅବସ୍ଥାରେ ରବିବାବୁ ପିଲାଙ୍କ ପରି କାନ୍ଦି ପକାଇଲେ ।

 

ଦେବସ୍ମିତା ଆଶ୍ଚର୍ଯ୍ୟ ହୋଇ ଡାଡିଙ୍କ ମୁହଁକୁ ଚାହିଁ ରହିଗଲା । ତା ମନରେ ସନ୍ଦେହ ହେଉଥିଲା–ତାର ଡାଡି ବୋଧେ ନିଜ ବିଷୟରେ ପ୍ରଳାପ କରିବାକୁ ଲାଗିଛନ୍ତି !

 

“ତୁମ ମୁଣ୍ଡ ବିନ୍ଧୁଛି ଯେ ! ପରେ ଦେଖିଲେ ଚଳିବନି ?” ଅନୀତା ଦେବୀ ରବିବାବୁଙ୍କ ଗୋଡ଼ରେ ହାତମାରି ପ୍ରଶ୍ନକଲେ ।

 

“ନା ନା ମୋତେ ଶୀଘ୍ର ଦିଅ । ସେ ସବୁକୁ ଦେଖୁ ଦେଖୁ ମୋ ମୁଣ୍ଡ ଆପେ ଆପେ ଠିକ୍‌ ହୋଇଯିବ ।”

 

ଅଯଥା ଯୁକ୍ତି ନକରି ଅନୀତା ଦେବୀ ଡ୍ରେସିଂଟେବୁଲର ଶେଷଥାକରୁ ରୁମାଲରେ ଗୁଡ଼ାଯାଇଥିବା ଗୋଟିଏ ପୁଟୁଳା ବାହାର କରି ଆଣି ରବିବାବୁଙ୍କୁ ଧରାଇଦେଲେ । ରବିବାବୁ ଆଗ୍ରହର ସହିତ ଗୋଟିକ ପରେ ଗୋଟିଏ ଚିଠି ପଢ଼ିବାକୁ ଲାଗିଲେ । ରାଜାଭାଇ, ବଡଭାଇ, ୟୁସୁଫଭାଇ, ଅମୀୟ, ରାଜେନ୍ଦ୍ର ସବୁ କେତେ ଚିଠି ଦେଇଛନ୍ତି । ଅଥଚ ହତଭାଗା ସେ, କାହାରିକୁ ଗୋଟିଏ ହେଲେ ଚିଠି ଦେଇ ପାରି ନାହାନ୍ତି । କଣ ଭାବିଥିବେ ସେମାନେ ? ଗୋଟିଏ ଚିଠିରେ ପ୍ରେରକର ସ୍ଥାନ ଦେଖି ନିଜ ଆଖିକୁ ସେ ବିଶ୍ୱାସ କରି ପାରିଲେ ନାହିଁ । ‘ସଂଘମିତ୍ରା’, ସେ ମୋର ଠିକଣା ଜାଣିଲା କେମିତି ? ଚିଠିଟି ସେ ପଢ଼ିବାକୁ ଲାଗିଲେ ।

 

ରବିଭାଇ,

 

କେତେ ଦୂରରେ ଆମେସବୁ । ପ୍ରଥମେ ମୋ ଉପରେ ତୁମେ ସବୁ ରାଗି ଯାଇଥିଲ ନା-? କିନ୍ତୁ ବର୍ତ୍ତମାନ ତୁମ ଉପରେ ମୁଁ ଖୁବ୍‌ ରାଗିଛି । ତାଙ୍କୁ ମନାଇ ଦେଇଛି । ଅମୁଭାଇ ଓ ରାଜୁଭାଇଙ୍କ ସାଙ୍ଗରେ ତାଙ୍କୁ ପରିଚୟ କରାଇ ଦେଇଛି । ସେମାନେ ମଧ୍ୟ କେତେଥର ଆସି ଆମର ଗରିବ ଘରେ ପାଦ ପକାଇ ଗଲେଣି । ଏକା ତୁମେ ବାଦ ପଡ଼ିଗଲ । ସମସ୍ତଙ୍କୁ ଦେଖିଲି, କେବଳ ତୁମେ ରହିଗଲ । ସେଥିପାଇଁ ମନ ମୋର ଖୁବ୍‌ ଦୁଃଖ । ହଁ, ତୁମର କେତୋଟି... ? ଭାଉଜ ଭାରି ଭଲ ନା ? ଏବର୍ଷ ରାକ୍ଷୀରେ ମୁଁ ଅମୁଭାଇଙ୍କର ନିମନ୍ତ୍ରଣ ପାଇଛି । ମୋ ଉପରେ ତୁମେ ଖୁବ୍‌ ରାଗିଛ ନା ? କାରଣ ତୁମଠାରୁ ଯେଉଁ କେତୋଟି ଚିଠି ପାଇଛି କୌଣସିଥିରେ ତୁମର ହାତଲେଖା ନାହିଁ । ତୁମର ପି. ଏ. ବୋଧହୁଏ ଦେଉଛନ୍ତି । ଜାନକୀ ବା ଜ୍ୟୋତି କାହାରି ସାଙ୍ଗରେ ଦେଖା ହୋଇନି । ତୁମର ଚିଠିଗୁଡ଼ାକ ତ ଚାରି ପାଞ୍ଚ ଲାଇନ୍‌ରୁ ବେଶି ହେଉନି । ଖୁବ୍‌ ବ୍ୟସ୍ତ ରହୁଛ କାମରେ ନା ? ମୋ କଥା ଆଉ କ’ଣ ଲେଖିବି, ଆଗର ଚିଠିରେ ତ ସବୁ ଲେଖିଛି । ଭାଉଜଙ୍କ ସାଙ୍ଗରେ ତୁମେ ମୋର ପ୍ରଣାମ ନେବ । ଉତ୍ତର ଅପେକ୍ଷାରେ ରହିଲି । ଇତି । ତୁମର ଆଦରର

 

–ସଂଘମିତ୍ରା–

 

ଚିଠିଟି ପଢ଼ି ରବିବାବୁ କହିବାକୁ ଲାଗିଲେ, “ତୁମେ ଏତେ କପଟୀ ଅନୀତା ? କୌଣସି ଦିନ ତୁମେ ମୋତେ ଏ ବିଷୟରେ ଜଣାଇ ଦେଇନାହଁ । ମୋ ପ୍ରତି ସେମାନଙ୍କର ଧାରଣା କଣ ହୋଇଥିବ କହିଲ ?”

 

“ସେଥିରେ ମୋର ଦୋଷ କଣ ?” ଅନୀତା ଦେବୀ ପ୍ରତିବାଦ ଜଣାଇଲେ । “ପ୍ରତିଟି ଚିଠି ବିଷୟରେ ମୁଁ ତୁମକୁ କହିଛି । ତାକୁ ଶୁଣି ତୁମେ ନଶୁଣିଲା ପରି ରହୁଛ । ପଢ଼ିବାକୁ ଦେଲେ, ପରେ ପଢ଼ିବାକୁ କହୁଛ । ସେଥିପାଇଁ ବାଧ୍ୟ ହୋଇ ମୋତେ ତୁମର ସ୍ଥାନନେଇ ସେମାନଙ୍କ ଚିଠିର ଉତ୍ତର ଦେବାକୁ ହୋଇଛି । ତୁମର ପୂର୍ବ ସମ୍ପର୍କକୁ ଜୀବିତ କରି ରଖିବାକୁ ଚେଷ୍ଟା କରିଛି । ସେତେବେଳେ ତ ତୁମକୁ ଅଫିସ କାମ ପରେ ପାର୍ଟି, ପିକ୍‌ନିକ୍‌, କ୍ଳବ୍‌ ଓ ହୋଟେଲରୁ ଫୁରସତ୍‌ ମିଳୁନଥିଲା । ଆଉ ସବୁ କଥା ଶୁଣିବାକୁ ସମୟ କେଉଁଠି ଥିଲା ?”

 

ଆନନ୍ଦିତା ଶଯ୍ୟାରେ ରବିବାବୁ ଅନୀତା ଦେବୀକୁ ଆଲିଙ୍ଗନ ଫାଶରେ ଆବଦ୍ଧ କରି ପକାଇଲେ । ଆଖିରୁ ଆନନ୍ଦାଶ୍ରୁ ବହିଯାଉଥିଲା । ଅନୀତାକୁ ସେ ଯାହା ଭାବୁଥିଲେ ପ୍ରକୃତରେ ସେ ତାହା ନଥିଲେ । ତାହା ଅନୁଭବ କଲାପରେ ସେ ଦେବୀର ଉପସ୍ଥିତିକୁ ମଧ୍ୟ ଭୁଲିଗଲେ । ରବିବାବୁଙ୍କ ପାଖରୁ ନିଜକୁ ରକ୍ଷାକରିବା ପାଇଁ ପ୍ରତିବାଦ ଜଣାଇ କହିଲେ, “ଧେତ୍‌, ସ୍ମିତା ପରା ଅଛି-। ଏସବୁ ତୁମର କି ଢଙ୍ଗ ବାହାରୁଛି ?” ସ୍ମିତା କିନ୍ତୁ ସେତେବେଳକୁ ସେ ରୁମରୁ ବାହାରି ଯାଇଥିଲା-

 

“ଆଜି ମୁଁ ବହୁତ ଖୁସି ଅନୀତା । ସେ ଥାଉ କ୍ଷତି କଣ ? ତୁମେ ମୋତେ ବାଧା ଦିଅନି-।” ରବିବାବୁ ଯେମିତି ପାଗଳ ହୋଇଯାଇଥିଲେ । “ଜାଣିଛ ତୁମ ସ୍ମିତାର ବୟଫ୍ରେଣ୍ଡ କିଏ ? ସେ କଥା ଜାଣିଲେ ତ ତୁମେ ଖୁସିରେ ପାଗଳ ହୋଇଯିବ ।”

 

“କିଏ ସେ ?” ବ୍ୟଗ୍ରଭାବରେ ପ୍ରଶ୍ନକଲେ ରବିବାବୁ ।

 

“ସେ ତୁମର ବନ୍ଧୁଙ୍କର ପୁତ୍ର, ଅମୀୟ ବାବୁଙ୍କର ।”

 

“ସତେ ।” ଆନନ୍ଦରେ ଚିତ୍କାର କରି ଉଠିଲେ ରବିବାବୁ । ଅନୀତା ଦେବୀଙ୍କର ପୃଥୁଳ ଶରୀରକୁ ଉପରକୁ ଉଠାଇ ସେ ପିଲାଙ୍କ ପରି ଘର ସାରା ବୁଲିବାକୁ ଲାଗିଲେ, “ଏତେ ଦିନ ଧରି ମୋତେ ଏ କଥା ତୁମେ କେମିତି ଲୁଚାଇରଖି ପାରିଲ ଅନୀତା ? ମୋତେ ଆଭାଷ ପର୍ଯ୍ୟନ୍ତ ଦେଲନି ।”

 

“ମୋତେ ଛାଡ଼ ମ, ପଡ଼ିଯିବି ଯେ !” ଦୁଇ ହାତରେ ସେ ରବିବାବୁଙ୍କର ଗଳାକୁ ଛନ୍ଦି ଧରିଥିଲେ । ରବିବାବୁ ଅନୀତା ଦେବୀଙ୍କୁ ତଳକୁ ଓହ୍ଲାଇ ସ୍ମିତାକୁ ଡାକିବାକୁ ଲାଗିଲେ ।

 

ନିଜ ରୁମର ପଲଙ୍କ ଉପରେ ସ୍ମିତା ନିଜକୁ ଲୋଟାଇ ଦେଇ ଗଭୀର ଚିନ୍ତାରେ ଡୁବି ରହିଥିଲା । ତାର ପ୍ରିୟ ଚନ୍ଦ୍ରଭାନୁ ବିଷୟରେ । ଦୁଇବର୍ଷର କୋର୍ସ ଶେଷ କରି ସେ ଫେରିଯିବ କଟକକୁ ତାଙ୍କ ବାପା ମାଆଙ୍କ ପାଖକୁ । ତାଙ୍କଠାରୁ ଦୂରରେ ରହି ସେ କେମିତି ବଞ୍ଚିବ ? ଦୀର୍ଘ ଦୁଇ ବର୍ଷର ଘନିଷ୍ଠତା, ସ୍ନେହମମତା । ଏତେ ଦୂରରେ ସେମାନେ କେମିତି ରହିବେ ଜଣେ ଜଣକୁ ଛାଡ଼ି । କିଛି ସମୟ ପୁର୍ବରୁ ସେ ଚନ୍ଦ୍ରଭାନୁ ସାଙ୍ଗରେ ସେହି ବିଷୟରେ ଆଲୋଚନା କରୁଥିଲା । ଚନ୍ଦ୍ରଭାନୁ ତାକୁ ଆଶ୍ୱାସନା ଦେଇଥିଲା, ସେ କେବେ ତାଠାରୁ ଅଲଗା ହୋଇ ରହି ପାରିବନି । ବାପା ମାଆଙ୍କୁ ରାଜି କରାଇ ନିଜ ସାଙ୍ଗରେ ସେ ତାକୁ ସବୁଦିନ ପାଇଁ ରଖିନେବ । ଚନ୍ଦ୍ରଭାନୁର ପଥର ବସା ମୁଦିଟା ଉପରେ ଦୃଷ୍ଟିରଖି ସ୍ଥିର ହୋଇ ବସିଥିଲା ସ୍ମିତା, ଯେଉଁଥିରେ ଚନ୍ଦ୍ରଭାନୁର ନାମ ଖୋଦାଇ ହୋଇଥିଲା । ବାପାଙ୍କ ଡାକରେ ତାର ଚିନ୍ତାଧାରା ବିକ୍ଷିପ୍ତ ହୋଇପଡ଼ିଲା । ଡାଡି-ମମ୍ମିଙ୍କର ଏକ ଅସଂଯତ ମୂହୂର୍ତ୍ତରେ ଦେଖିନେବାପରେ ସ୍ମିତାର କାହିଁକି ଚନ୍ଦ୍ରଭାନୁକୁ ମନେ ପଡ଼ିବାକୁ ଲାଗିଲା । ସେ ଉତ୍ତର ଦେଲା–“ଯାଉଛି ଡାଡି ।”

 

“ମୋତେ କାହିଁକି ଡାକୁଥିଲେ ଡାଡି ।”

 

“ହଁ ଆଜି ଚନ୍ଦ୍ରଭାନୁ ଆସିଥିଲା ?”

 

“ହଁ, ଡାଡି, ଆସିଥିଲେ । ଆପଣଙ୍କୁ ଅପେକ୍ଷା କରି ଆପଣ ଆସିବାର ଟିକିଏ ସମୟ ପୂର୍ବରୁ ଫେରିଗଲେ । କାଲି ସେ ତାଙ୍କର ଘରକୁ ଫେରିଯିବେ । ପରୀକ୍ଷା ଶେଷ ହୋଇଗଲା । ଯିବା ପୂର୍ବରୁ ଆପଣଙ୍କ ସାଙ୍ଗରେ ସାକ୍ଷାତ କରିବେ ବୋଲି କହୁଥିଲେ । ସକାଳେ ଆସି ପାରନ୍ତି ।” ତଳକୁ ମୁହଁପୋତି ସ୍ମିତା ଉତ୍ତର ଦେଲା ।

 

“ଆଉ ଟିକିଏ ତାକୁ ଅଟକାଇ ପାରିଲୁନି ।” ବ୍ୟସ୍ତ ହୋଇ ରବିବାବୁ ପଚାରିଲେ ।

 

ସ୍ମିତା କିଛି ବୁଝିପାରୁନଥିଲା ଡାଡିଙ୍କ କଥାରୁ । “କାହିଁକି ଡାଡି କଣ ଦରକାର ଥିଲା, ମୁଁ ତ ଜାଣିନଥିଲି ।” ରହି ରହି ସ୍ମିତା କହିଲା ।

 

“ଠିକ୍‌ ଅଛି । ତୁ ପ୍ରସ୍ତୁତ ହୋଇଯା । ତା ସାଙ୍ଗରେ ଆମମାନଙ୍କୁ ମଧ୍ୟ ସେଠାକୁ ଯିବାକୁ ପଡ଼ିବ ।” ରବିବାବୁ ସ୍ମିତାକୁ କହିଲେ ।

 

ସ୍ମିତାର ମନ ଆନନ୍ଦରେ ଉତ୍‌ଫୁଲ ହୋଇ ଉଠିଲା । ତାର ପ୍ରାଣର ଚନ୍ଦ୍ରଭାନୁକୁ ପୁଣିଥରେ ସେ ପାଇବ । ସତ୍ୟସାଇଙ୍କ ଆଲୋକ ଚିତ୍ର ଆଡ଼କୁ ସେ ନିଷ୍ପଲକ ଭାବରେ ଚାହିଁ ରହିଥିଲା ।

 

ଅନୀତା ଦେବୀ ଝିଅର ମନକୁ ଠିକ୍‌ ଭାବରେ ବୁଝିପାରିଥିଲେ । ମନେ ହସିଲେ ସେ । ପଚାରିଲେ–“ତୁ ଖାଇ ସାରିଲୁଣି ନା ?”

 

“ହଁ.....ହଁ ମମ୍ମି ମୁଁ ଚନ୍ଦ୍ରଭାନୁଙ୍କ ସାଙ୍ଗରେ ଖାଇସାରିଛି ।” ମମ୍ମିଙ୍କ ମୁହରେ ସ୍ମିତହାସ୍ୟର ଝଲକ ଦେଖି ସେ ଅପ୍ରସ୍ତୁତ ହୋଇ ପଡ଼ିଲା ।

 

ରାତି ବହୁତ ହେଲାଣି । ଏଥର ଯା ଶୋଇଯିବୁ । ଅନୀତା ଦେବୀ ସ୍ମିତାକୁ ଚାଲିଯିବାକୁ ଅନୁମତି ଦେଲେ ।

 

ସ୍ମିତାର ଆଖିରେ ନିଦ ନଥିଲା । ଚନ୍ଦ୍ରଭାନୁକୁ ନେଇ ସେ ଅନେକ ସୁନେଲୀ କଳ୍ପନା କରିବାକୁ ଲାଗିଥିଲା । ରବିବାବୁ ମଧ୍ୟ ଶୋଇ ପାରୁ ନଥିଲେ । ଏତେବର୍ଷ ପରେ ଜନ୍ମସ୍ଥାନକୁ ପୁଣି ଫେରିଯିବେ । କେତେ ଆନନ୍ଦ । କେତେ ଖୁସି । ତାଙ୍କର ସେ ଖୁସି ସେ ଆନନ୍ଦ ତାକୁ ଶୋଇବାକୁ ଦେଉ ନଥିଲା । ପଲଙ୍କ ଉପରେ ପଡ଼ିରହି ସେ ଅନୀତା ଦେବୀଙ୍କୁ ଚାହିଁବାକୁ ଲାଗିଲେ ।

 

ପାଞ୍ଚ

 

ଜ୍ୟୋତିର୍ମୟୀର ଗୋଟିଏ ଚାକିରି ନିହାତି ଦରକାର । ନହେଲେ ସେ ପୁଣି ବଞ୍ଚିବ କେମିତି ? ସେ ସ୍ୱାମୀ ସୋହାଗିନୀ ହୋଇ ତାଙ୍କର ସୁଖ ଦୁଃଖକୁ ବାଣ୍ଟି ନେଇ ପାରିଲା ନାହିଁ ସେ ତାର ଦୁର୍ଭାଗ୍ୟ । କେତେ ହତଭାଗିନୀ ସେ, ଅନ୍ୟମାନଙ୍କ ତୁଳନାରେ ! କେଡ଼େ ଦୁଃଖୀ ସେ ! ବାପ-ମାଆଙ୍କ ଉପରେ ବୋଝ ହୋଇ ଆହୁରି କେତେଦିନ ପଡ଼ି ରହିବ ? କେତେ ଆଦର ଯତ୍ନରେ ତାର ବାପା-ମାଆ ତାକୁ ବଢ଼ାଇ ଆସିଥିଲେ । ବର୍ତ୍ତମାନ ତାର ଦୁଃଖ ଦେଖି କେମିତି ଭାବରେ ତାକୁ ବରଦାସ୍ତ କରି ପାରୁଥିବେ । ସେ ସବୁକୁ ନିଜ ଭାଗ୍ୟର ଦୋଷ ଭାବରେ ଗ୍ରହଣ କରି ନେଇଥିଲା ଜ୍ୟୋତିର୍ମୟୀ । ବାପା ମାଆଙ୍କର ଆଉ ବଡ଼ଗ୍ରହ ହୋଇ ନରହି ନିଜକଥା ନିଜେ ବୁଝିବା ପାଇଁ ଗୋଟିଏ ଚାକିରି ସନ୍ଧାନରେ ସେ ବ୍ୟସ୍ତ ରହିଲା ।

ଏଇ କେତେ ଦିନ ହେଲା ଗୋଟିଏ ଚାକିରି ପାଇଁ ସେ ଯେ କେତେ କଷ୍ଟ ସ୍ୱୀକାର କରିଛି ସେକଥା କେବଳ ସେ ଜାଣେ । ତାହାରି ମିନତି କେଉଁଠି ? ସରକାରୀ ଚାକିରି ପାଇବାର ବୟସ ତାଙ୍କ ଅତିକ୍ରମ କରି ଗଲାଣି ଅନେକ ଦିନରୁ । ହଠାତ୍‌ ଜାନକୀ ପାଖରୁ ଚିଠି ଖଣ୍ଡିଏ ପାଇ ମନ ତାର ଆନନ୍ଦିତ । ଜାନକୀଠାରୁ ଅନେକ ଦିନରୁ ସେ ଚିଠି ପାଇ ନଥିଲା । ମନରେ ତାର କେତେ ଆଶା, କେତେ ଭରସା ଆଣିଦେଲା ଚିଠି ଖଣ୍ଡିକ । ସେଥିରେ ଲେଖାଥିଲା–

ଆଦରର ଜ୍ୟୋତି;

ତୋ ଚିଠିଟି ପଢ଼ି ସବୁ ବିଷୟ ବୁଝିପାରିଲି । ମୋ ଅବସ୍ଥା ତ ତୋଠାରୁ ଆହୁରି ଖରାପଲୋ । ମୁଁ ତୋତେ କଣ ଉପଦେଶ ଦେବି, ସାହାଯ୍ୟ କରିବି ? ମୋ ଅବସ୍ଥା କଥା ଶୁଣାଇ ତୁମମାନଙ୍କୁ ଦୁଃଖ ଦେବାକୁ ମୁଁ ଚାହେଁନି । ଯଦି ଏ ଜୀବନରେ କେବେ ତୋ ସାଙ୍ଗରେ ସାକ୍ଷାତ କରିବାର ସୁଯୋଗ ମିଳେ ତେବେ ସେତେବେଳେ ଶୁଣାଇବି ମୋର ଦୁର୍ଭାଗ୍ୟର କଥା । ମୋର ଏତେ ଦୁଃଖ ମଧ୍ୟରେ ଯଦି ତୁମମାନଙ୍କର କିଛି କାମରେ ଆସେ ତେବେ ମୁଁ ନିଜକୁ ଧନ୍ୟ ମନେ କରିବି ।

 

ପରିସ୍ଥିତି ଚାପରେ ପଡ଼ି ମୁଁ ତୁମ ସମସ୍ତଙ୍କଠାରୁ ସମ୍ପର୍କ ତୁଟାଇ ଦେବାକୁ ବାଧ୍ୟ ହେଲି । ତୁ ତ ଜାଣିଥିବୁ–ଏ ମଫସଲ ଜାଗା । ଅଶିକ୍ଷିତ ମରହଟିଆ ଶାଶୁ-ଶ୍ୱଶୁର ଗୋଡ଼େ ଗୋଡ଼େ ଜଗି ରହିଛନ୍ତି । ସମସ୍ତେ ମୋତେ ଖରାପ ଭାବୁ ଥିବେ । ହଁ ଭାବନ୍ତୁ, ଭଗବାନ ସେମାନଙ୍କୁ ସୁଖରେ ରଖି ଥାଆନ୍ତୁ । ଏତେଗୁଡ଼ିଏ ଲେଖି ଗଲିଣି କିନ୍ତୁ ତୋ ପାଖକୁ ଚିଠି ଲେଖିବାର କାରଣ ଏତେବେଳ ପର୍ଯ୍ୟନ୍ତ ଜଣାଇ ପାରିଲି ନାହିଁ ।

 

ତୁ ଜାଣି ନଥିବୁ–ରାଜେନ୍ଦ୍ର ଭାଇ ଏଠାରେ ଗୋଟିଏ କ୍ଳିନିକ୍‌ ଖୋଲିଛନ୍ତି । ତାଙ୍କର ଦୟାରୁ ପୁଅର ସେଠାରେ ଗୋଟିଏ ଚାକିରି ପାଇଛି । ଏତେ ପାଖରେ ଅଛନ୍ତି । ହେଲେ ମୁଁ ହୀନ କପାଳୀ ତାଙ୍କର ସାକ୍ଷାତ କରି ପାରୁନି । ଖୁବ୍‌ ନାମ କମେଇଲେଣି । ଆଗରୁ ତ ତୁ ତାଙ୍କର ଗୁଣ ଜାଣିଥିବୁ । ମୁଁ ଆଉ କଣ କହିବି ? ଡାକ୍ତରଖାନାରେ ତାଙ୍କର ସବୁ ସମୟରେ ଭିଡ଼ ଲାଗି ରହୁଛି । ଏକଲା ଲୋକ । ସବୁକାମକୁ ଦେଖିବା ସମ୍ଭବପର ହେଉନାହିଁ । ତେଣୁ ନାରୀ ରୋଗୀଙ୍କର ସୁବିଧା ପାଇଁ ସେ ଗୋଟିଏ ଲେଡି ଡକ୍ଟର ରଖୁଛନ୍ତି । ସମାଜରେ ବିଜ୍ଞାପନ ବାହାରିଥିଲା, ତୁ ଦେଖିଥିବୁ ବୋଧହୁଏ । ଇଣ୍ଟରଭିଉ ଚାରି ତାରିଖରେ ହେବାର ଅଛି । ଚିଠି ପାଇବା ସଙ୍ଗେ ସଙ୍ଗେ ତୁ ଦରକାରୀ ଜିନିଷପତ୍ର ଧରି ଚାଲିଆସିବୁ । ମୋର ବିଶ୍ୱାସ ତୁ ଚାକିରି ନିଶ୍ଚୟ ପାଇଯିବୁ । ତୋପାଇଁ ମୁଁ ତାଙ୍କୁ ଅନୁରୋଧ କରିବି । ପିଲାଦିନର କଥାକୁ ସେ ଭୁଲି ପାରିନଥିବେ । ସାକ୍ଷାତରେ ଆଉ ସବୁ କଥା ହେବା । ଇତି ।

 

ତୋର ଆଦରର

ଜାନକୀ

 

ଜାନକୀର ଚିଠିଟିକୁ ସେ ମୁଣ୍ଡରେ ମାରିଲା । ଏହା ତା ପାଇଁ କେତେବଡ଼ ଗୋଟାଏ ଶୁଭ ଖବର । କାଲେଣ୍ଡରଟିକୁ ସେ ଓଲଟାଇ ପକାଇଲା । ଆଜି ଦୁଇ ତାରିଖ । ତାକୁ ତାହାହେଲେ କାଲି ହିଁ ବାହାରି ଯିବାକୁ ପଡ଼ିବ । ସେହି ଅନୁସାରେ ସେ ପ୍ରସ୍ତୁତ ହୋଇପଡ଼ିଲା ।

 

ଏହା ପୂର୍ବରୁ ଜୀବନରେ ତାକୁ କେତେ ପରୀକ୍ଷାରେ ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରାୟ ସମସ୍ତରେ ସେ ଆଜି ପର୍ଯ୍ୟନ୍ତ ଉର୍ତ୍ତୀର୍ଣ୍ଣ ହୋଇ ଆଗେଇ ଯାଇଛି । ଦେଖାଯାଉ ଏଥର ଭାଗ୍ୟ ତା ସାଙ୍ଗରେ ସହଯୋଗ କରୁଛି କି ନାହିଁ ।

 

ଜାନକୀ ତା ଚିଠିରେ ପଥ ନିର୍ଦ୍ଦେଶ କରିଥିଲା । କିପରି ଭାବରେ ସେ ସୁବିଧାରେ ସେଠାରେ ପହଞ୍ଚି ପାରିବ । ଜ୍ୟୋତିର୍ମୟୀ ଜାନକୀର ଚିଠିକୁ ଗାଇଡ ପରି ଅନୁସରଣ କରିଗଲା । ନୟାଗଡ଼ ଖୁବ୍‌ ନିକଟ ହୋଇଆସିଲାଣି ଜଣେ ସହଯାତ୍ରୀଙ୍କୁ ସେ ପଚାରି ବୁଝିଲା । ହଠାତ୍‍ ନିଜ ଶରୀରରେ ସେ ଏକ ଅବର୍ଣ୍ଣନୀୟ କମ୍ପନ ଅନୁଭବ କଲା । “ଆରେ ! ଏ କଣ ?” ସେ ଚମକି ପଡ଼ି କିଛି ଚିନ୍ତା କରିବା ପୂର୍ବରୁ ତାର ମୁଣ୍ଡ ସାମନା ସିଟ୍‌ରେ ପିଟି ହୋଇଯାଇଥିଲା । ମୁଣ୍ଡର ଆଘାତକୁ ସେ ଦୁଇ ହାତରେ ଚାପି ଧରିଲେ । କିନ୍ତୁ ସେତେବେଳକୁ ତାର ଦୁଇ ହାତର ଆଙ୍ଗୁଳି ମଧ୍ୟଦେଇ ରକ୍ତ ତଳକୁ ବହି ଆସିବାକୁ ଲାଗିଥିଲା । ତାର ବାମ ହାତରେ ମଧ୍ୟ ଆଘାତ ଲାଗିଛି । କେବଳ ସେ ଏକା ନୁହେଁ, ବସର ପ୍ରାୟ ସମସ୍ତ ଯାତ୍ରୀ ଊଣାଅଧିକେ ଆଘାତ ପାଇଛନ୍ତି ।

 

ହଠାତ୍‌ ରାସ୍ତା ଉପରକୁ ସାତ-ଆଠ ବର୍ଷର ବାଳକ ଗୋଟିଏ ମାଡ଼ି ଆସିଲା । ତାକୁ ରକ୍ଷା କରିବାକୁ ଯାଇ ଡ୍ରାଇଭର ଗାଡ଼ି ସାଇଡ୍‌ କଲାବେଳେ ତାହା ଆସି ରାସ୍ତାକଡ଼ର ଗଛ ଦେହରେ ଲାଗିବା ଫଳରେ ଏପରି ଅବସ୍ଥା ହୋଇଛି ।

 

ନିକଟସ୍ଥ ଡାକ୍ତରଖାନାରେ ବିଶ୍ରାମ କରିବାକୁ ପଡ଼ିଲା ଜ୍ୟୋତିକୁ । କେତେକଙ୍କୁ କିଛି ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିଥିଲା । ମାତ୍ର ଜ୍ୟୋତିର ଆଘାତ ସାଙ୍ଘାତିକ ନଥିଲା । ଅଳ୍ପ ସମୟ ପରେ ଯିବାକୁ ଅନୁମତି ପାଇଲା । ନିଜ ଆଘାତ ପ୍ରତି ଦୃଷ୍ଟି ନଦେଇ ଇଣ୍ଟରଭିଉ ସମୟ ପୂର୍ବରୁ ଜ୍ୟୋତି “ରାଜେନ୍ଦ୍ର ଡିସପେନ୍‌ସରୀ”ରେ ପହଞ୍ଚିଗଲା । ସେଠାରେ ପହଞ୍ଚି ଦେଖିଲା–ଗୋଟିଏ ପୋଷ୍ଟ ପାଇଁ ଚାଳିଶ ଜଣ ପ୍ରାର୍ଥୀ । ଜ୍ୟୋତିର ମୁଖମଣ୍ଡଳ ଜ୍ୟୋତିହୀନ ହୋଇପଡ଼ିଲା । ଏତେ ଜଣଙ୍କ ଭିତରୁ ରାଜୁଭାଇ ତାକୁ ଚିହ୍ନି ପାରିବ ତ ! ତାକୁ ଚାକିରି ମିଳିବ ତ ? ଏତେ ଦୂରକୁ ଏତେ କଷ୍ଟରେ ଆସିବା ତାର ବିଫଳ ହେବନି ତ ? କିଏ ଜାଣେ ଭଗବାନଙ୍କର ଦୟା ହେଉଛି କି ନାହିଁ । ମୁଣ୍ଡ ଓ ହାତର ଆଘାତ ପ୍ରତି ଦୃଷ୍ଟି ନଦେଇ ଇଣ୍ଟରଭିଉ ପାଇଁ ଆସିଥିବା ପ୍ରାର୍ଥୀଙ୍କ ମଧ୍ୟରେ ନିଜକୁ ମିଶାଇ ଦେଲା ।

 

ଜାନକୀ ଲେଖିଥିଲା ଡିସ୍‌ପେନ୍‌ସରୀ ନିକଟରେ ତାର ସାକ୍ଷାତ କରିବ । କାହିଁ, ସେ ତ ଅନେକ ବେଳୁ ଆସିଲାଣି, ଜାନକୀର ଏତେବେଳ ପର୍ଯ୍ୟନ୍ତ ଦେଖା ନାହିଁ । କଣ ସେ ଆସିବ ନା ନାହିଁ । “ମୋତେ ଅସୁବିଧାରେ ପକାଇବା ତାର ଆଉ ମତଲବ ନୁହେଁ ତ !” ଜ୍ୟୋତିର୍ମୟୀ ମନେ ମନେ ଚିନ୍ତା କରୁଥିଲା । “ମୋତେ ଅସୁବିଧାରେ ପକାଇ ତାର ବା ଲାଭ କଣ ?” ବାହାରେ ଠିଆ ହୋଇ ନିଜର ସମୟ ଆସିଲା ପର୍ଯ୍ୟନ୍ତ ସେ ଅପେକ୍ଷା କରିବାକୁ ଲାଗିଲା ।

 

କେତେକ କ୍ୟାଣ୍ଡିଡେଟ୍‌ଙ୍କ ପରେ ସେ ସୁଯୋଗ ପାଇଲା ଇଣ୍ଟରଭିଉ ଦେବାପାଇଁ । ଅଫିସ ଭିତରକୁ ପ୍ରବେଶ କରି ସେ ଆଶ୍ଚର୍ଯ୍ୟ ହୋଇପଡ଼ିଲା । ପ୍ରକାଶ ଓ ମମତାକୁ ଛାଡ଼ିଦେଇ ଅବଶିଷ୍ଟ ସେମାନେ ଛଅଜଣଙ୍କର ଗୋଟିଏ ବଡ଼ ସାଇଜର ଗ୍ରୁପ ଫଟୋ କାନ୍ଥ ଦେହରେ ଲାଗିଥିଲା ଏବଂ ସେଥିରୁ କେତୋଟି ରାକ୍ଷୀ ତଳକୁ ଝୁଲି ପଡିଥିଲା । ତାକୁ ଦେଖି ଜ୍ୟୋତିର୍ମୟୀର ଆଖିରେ ଲୁହ ପୂରିଉଠିଲା । ମନେ ମନେ ସେ ଭାବିବାକୁ ଲାଗିଲା–“ଆମେ କେତେ ପ୍ରତିଶ୍ରୁତି ଦେଇଥିଲୁ ଏ ରାକ୍ଷୀର ପବିତ୍ର ସମ୍ୱନ୍ଧକୁ ଭୁଲି ନଯିବାକୁ । ଅନ୍ୟମାନଙ୍କ ବିଷୟରେ ସେ ଜାଣେନା ମାତ୍ର ସେ ସମସ୍ତଙ୍କୁ ଏକ ପ୍ରକାର ଭୁଲି ଗଲାଣି । ଅତୀତର ସ୍ମୃତିକୁ ମନେ ରଖିବା ପାଇଁ ଯାହାକିଛି ଉପାଦାନ ଥିଲା ତା ପାଖରେ ସେ ସବୁକୁ କେବେଠାରୁ ହଜାଇ ଦେଲାଣି । ସେ ନାରୀ ହୋଇ ଯାହା ପାରିନି ରାଜୁଭାଇ ପୁରୁଷ ହୋଇ ତାହା ପାରିଛନ୍ତି । କହନ୍ତି ଝିଅମାନେ ସେମାନଙ୍କ ଜୀବନରେ ପ୍ରଥମ ଥର ପାଇଁ ଅନ୍ୟଠାରୁ ପାଇଥିବା ସ୍ନେହକୁ ସହଜରେ ଭୁଲିପାରନ୍ତି ନାହିଁ । ସେ ନିଜେ ତ ଖୁବ୍‌ ସହଜରେ ସେ ସବୁକୁ ଭୁଲି ଯାଇପାରିଲା । ପରିବର୍ତ୍ତନଶୀଳତାର ବୁଲ୍‌ଡୋଜର ତଳେ ଚାପିହୋଇ ସେମାନଙ୍କର ପ୍ରତିଶ୍ରୁତିର ସତ୍ତାର ଚିହ୍ନ ପର୍ଯ୍ୟନ୍ତ ନଥିଲା ସେତେବେଳକୁ ତା ପାଖରେ । ଅନ୍ୟମାନେ କେତେ ଆଦରରେ ସେ ସବୁ ସ୍ମୃତିକୁ ଧରିରଖିଛନ୍ତି । ଅନ୍ୟମନସ୍କ ଭାବେ ଫଟୋଟି ପ୍ରତି ଲକ୍ଷ୍ୟରଖି ଜ୍ୟୋତିର୍ମୟୀ ଚିନ୍ତାରେ ବୁଡ଼ି ରହିଥିଲା । ଆଖିରେ ତାର ଲୁହ ଥିଲା ।

 

ରାଜେନ୍ଦ୍ର ବାବୁ ମଧ୍ୟ ନିଜ ଚଷମାଟିକୁ ଟେବୁଲ ଉପରେ ରଖି ଧ୍ୟାନର ସହିତ ଜ୍ୟୋତିର୍ମୟୀକୁ ଚାହିଁ ରହିଲେ କିଛି ସମୟ ପାଇଁ । ବୋଧହୁଏ ସେ ମଧ୍ୟ ଅତୀତର ଘଟଣାବଳୀକୁ ସ୍ମରଣ କରିବାକୁ ଲାଗିଲେ । ସେ ପଚାରିଲେ–“ଏ ଫଟୋକୁ ଏତେ ଦେଖୁଛନ୍ତି ଯେ ! ଆପଣ ଚିହ୍ନିପାରିବେନି ଏମାନଙ୍କୁ । ଏମାନେ ସବୁ ମୋର ଭାଇ ଭଉଣୀ । ଦିନେ ସମସ୍ତେ କଟକରେ ରହୁଥିଲୁ । ସେତେବେଳେ ଏ ଫଟୋ ଖଣ୍ଡିକ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ଆପଣ ଜାଣନ୍ତିକି କାହାକୁ ?” ରାଜେନ୍ଦ୍ର ବାବୁ ଜ୍ୟୋତିର୍ମୟୀକୁ ପ୍ରଶ୍ନକଲେ ।

 

“ନା ସାର୍‌ ! ଏହାକୁ ଦେଖି ମୋର ନିଜର ଅତୀତର କେତୋଟି ଘଟଣା ମନେପଡ଼ିଗଲା-। ତେଣୁ ମୁଁ ଟିକିଏ ଅନ୍ୟମନସ୍କ ହୋଇପଡ଼ିଲି । କ୍ଷମା କରିବେ ।”

 

“ଆପଣଙ୍କ ମୁଣ୍ଡରେ ଓ ହାତରେ ଆଘାତ ଲାଗିଲା କେମିତି ?” ଡାକ୍ତର ରାଜେନ୍ଦ୍ର ଜ୍ୟୋତିର୍ମୟୀର ଆଘାତ ସ୍ଥାନରେ ଲାଗିଥିବା ବ୍ୟାଣ୍ଡେଜକୁ ଦେଖି ପଚାରିଲେ ।

 

“ରାସ୍ତାରେ ଆସିଲାବେଳେ ଗାଡ଼ି ଆକ୍‌ସିଡେଣ୍ଟ ହେଲା । ଏଇ ଇଣ୍ଟରଭିଉ ପାଇଁ ଆସୁଥିଲି ।” ଜ୍ୟୋତିର୍ମୟୀ ଉତ୍ତର ଦେଲା ।

 

ତାପରେ ଡାକ୍ତର ରାଜେନ୍ଦ୍ର ସାର୍ଟିଫିକେଟ୍‌ଗୁଡ଼ିକ ନେଇ ଯାଞ୍ଚ କରିନେଲେ । ସେ ସମୟରେ ଜ୍ୟୋତିର୍ମୟୀ ତାଙ୍କୁ ନିଷ୍ପଲକ ଦୃଷ୍ଟିରେ ଚାହିଁ ରହିଥିଲା । ଡାକ୍ତର ରାଜେନ୍ଦ୍ରଙ୍କର ଗମ୍ଭୀର ମୁଖମଣ୍ଡଳ ଲକ୍ଷ୍ୟ କରି ସାହସ ହେଲା ନାହିଁ କୌଣସି କଥା ପ୍ରକାଶ କରିବା ପାଇଁ । ଅଫିସ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସେ ଠିକ୍‌ କରିଥିଲା ତା ମନରେ ଥିବା ସମସ୍ତ କଥା ରାଜୁ ଭାଇଙ୍କ ଆଗରେ ପ୍ରକାଶ କରି ନିଜ ଭୁଲ ପାଇଁ କ୍ଷମା ମାଗିନେବ । କିନ୍ତୁ ଅଫିସ ମଧ୍ୟରେ ପ୍ରବେଶ କରି ତାର ଧାରଣା ହେଲା ତା ସମ୍ମୁଖରେ ବସିଥିବା ବ୍ୟକ୍ତି ତାର ଆଦରର ରାଜୁ ଭାଇ ନୁହଁନ୍ତି. ତାଙ୍କ ସ୍ଥାନରେ ଡାକ୍ତର ରାଜେନ୍ଦ୍ର । ହୃଦୟର ସମସ୍ତ ଆବେଗ ଯାହାକୁ ସେ ରାଜୁ ଭାଇଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ନିଶ୍ଚିତ କରିଥିଲା, ତାକୁ ସେମିତି ଭାବରେ ମନରେ ଧରି ରଖି ଅଫିସ ଭିତରୁ ବାହାରି ଆସିଲା ।

 

ଦୀର୍ଘ ସତର ବର୍ଷ ମଧ୍ୟରେ ରାଜେନ୍ଦ୍ର ଭାଇଙ୍କର ଯଥେଷ୍ଟ ପରିବର୍ତ୍ତନ ହୋଇଥିଲା । ପୂର୍ବରୁ ଜାନକୀ ତାଙ୍କ ବିଷୟରେ ଖବର ଦେଇ ନଥିଲେ ସେ ରାଜୁ ଭାଇଙ୍କୁ ଚିହ୍ନି ପାରି ନଥାନ୍ତା । ସେମିତି ତା ନିଜଠାରେ ବି ତ କିଛି ପରିବର୍ତ୍ତନ ଦେଖାଯାଉଥିବ । ମଥାରେ ତାର କେତୋଟି କେଶର ରୂପେଲି ରଙ୍ଗ ଧରିଲାଣି । ଚିନ୍ତାରେ ତାର ସ୍ୱାସ୍ଥ୍ୟ ମଧ୍ୟ ଭାଙ୍ଗି ପଡ଼ିଲାଣି । ଚାଳିଶ ବର୍ଷ ପାଖରେ ପହଞ୍ଚି ନଥିଲେ ମଧ୍ୟ ତାକୁ ଦେଖି ଯଥେଷ୍ଟ ବୟସ୍କ ପରି ଜଣା ପଡ଼ୁଥିଲା । ସେଥିରେ ରାଜୁ ଭାଇ ତାକୁ ଚିହ୍ନି ନପାରିବା ସ୍ୱଭାବିକ ।

 

ରାସ୍ତାରେ ଚାଲୁଥିବା ଅବସ୍ଥାରେ ସେ ମନେ ମନେ ଭାବୁଥିଲା–“ଚାକିରି ପାଇବାର ତ ଆଶା ନାହିଁ । ଯେମିତି ଭାବରେ ଆସିଥିଲି, ସେମିତି ଭାବରେ ଫେରିଯିବି । ଏତେ ଦୂରରୁ ଆସିଲି ଭଗବାନ ଟିକିଏ ଦୟା କଲେନି । ରାଜୁ ଭାଇଙ୍କୁ ମୁହଁ ଖୋଲି ପଦେ ସୁଧା କହିପାରିଲି ନାହିଁ । ଏମିତିରେ ବା ଚାକିରିର ଭରସା କଣ ଅଛି ?”

 

ଅନେକ ବିକ୍ଷିପ୍ତ ଚିନ୍ତାଧାରାରେ ନିଜ ମୁଣ୍ଡକୁ ଓଜନିଆ କରି ବ୍ୟର୍ଥ ମନୋରଥ ହୋଇ ଫେରିଯାଉଥିଲା ଜ୍ୟୋତିର୍ମୟୀ । ସେତିକିବେଳେ ସେ ଶୁଣିଲା ରାଜେନ୍ଦ୍ର ଡିସ୍‌ପେନ୍‌ସରୀ ନିକଟବର୍ତ୍ତୀ ଛାଇତଳୁ ତାକୁ କେହି ଡାକୁଥିଲା, “ଜ୍ୟୋତି...ଜ୍ୟୋତି...ଏ ଜ୍ୟୋତି ।”

 

କିଛି ସମୟ ପାଇଁ ଅଟକିଗଲା ସେ । “କିଏ ଏ ? ଚିହ୍ନିଲା ପରି ତ ମନେ ହେଉନି ।” ମନେ ମନେ ସେ ଭାବିଲା । ମଧ୍ୟବିତ୍ତ ପରିବାରର ବୋହୂ ପରି ଜଣା ପଡ଼ିଲେ ମଧ୍ୟ ସେ ଖୁବ୍‌ ଜୀର୍ଣ୍ଣଶୀର୍ଣ୍ଣ, ଯେମିତି ଅନେକ ଦିନରୁ ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି । ଟେରିକଟ୍‌ର ଶାଢ଼ି ଖଣ୍ଡିକ ଦେହରେ ଗଣିହୋଇ ଯାଉଥିବା ହାଡ଼ କେତୋଟିକୁ ଲୁଚାଇ ରଖିଛି କେବଳ । ସେ ଭାବିଲା ଅନ୍ୟ କାହାକୁ ଡାକୁଛି ବୋଧହୁଏ ଏ ସ୍ତ୍ରୀ ଲୋକଟି । ପୁଣି ଆଗେଇ ଯିବାକୁ ଲାଗିଲା ଜ୍ୟୋତିର୍ମୟୀ ନିଜ ପଥରେ ।

 

“ଜ୍ୟୋତି...ଜ୍ୟୋତି” ଏଥର ସ୍ତ୍ରୀ ଲୋକଟି ଡାକିବା ସଙ୍ଗେ ସଙ୍ଗେ ତାର ପଛରେ ଆସିବାକୁ ଲାଗିଲା । ଜ୍ୟୋତି ଆଉ ଆଗେଇ ନ ପାରି ପଛକୁ ଫେରି ଆସିଲା ସ୍ତ୍ରୀ ଲୋକଟିର ପାଖକୁ । କିଛି ସମୟ ତାକୁ ନିରୀକ୍ଷଣ କରି ଜ୍ୟୋତି ପଚାରିଲା, “କ’ଣ ଭଉଣୀ, ମୋତେ ଡାକିଲ କି-? ତୁମକୁ ତ କେଉଁଠି ଦେଖିଲା ପରି ମନେ ହେଉନି । କ’ଣ ମୋଠାରେ କିଛି କାମ ଅଛି ତୁମର ? ମୋର ନାମ ମଧ୍ୟ ତୁମେ କେମିତି ଜାଣିଲ ?”

 

ଜ୍ୟୋତିର୍ମୟୀର ପ୍ରଶ୍ନ ପରେ ମଧ୍ୟ ସ୍ତ୍ରୀ ଲୋକଟି ନୀରବରେ ଠିଆ ହୋଇରହିଲେ । କଣ୍ଠରୋଧ ହୋଇଯାଇଥିଲା ତାଙ୍କର । ଆଖିରୁ ଲୁହ ବାହାରିବାକୁ ଲାଗିଥିଲା । ଜ୍ୟୋତିର୍ମୟୀ ତାହା ଲକ୍ଷ୍ୟ କରି ବିଚଳିତ ହୋଇ ପଡ଼ିଲା, “ଆରେ ଆଶ୍ଚର୍ଯ୍ୟ କଥା ତ ! ତୁମେ କାନ୍ଦିବାକୁ ବି ଲାଗିଲଣି-?” ହାତ ଓ ମୁହଁରେ ଆଘାତ । ଇଣ୍ଟରଭିଉରେ ଚାକିରିର ଆଶାନାହିଁ । କଟକ ଫେରିବା ପୂର୍ବରୁ ତାକୁ ପୁଣି ଜାନକୀର ଠିକଣାରେ ଯାଇ ସାକ୍ଷାତ କରିବାକୁ ପଡ଼ିବ । ସେଥିରେ...ଏ ଭଦ୍ରମହିଳାଙ୍କର ହରକତ । ଜ୍ୟୋତିର୍ମୟୀ ବରକ୍ତ ହୋଇ ପଡ଼ିଲେ ।

 

“ତୁ ଚିହ୍ନିପାରୁନୁ ଜ୍ୟୋତି ? ହଁ କାହିଁକି ଚିହ୍ନିବୁ । କେଉଁଦିନ ସିନା ତୋର ଆଦରର ବାନ୍ଧବୀ ଥିଲି । ଆଜି ତ ମୁଁ ଗରିବ, ହେଉ ଭଗବାନ କରନ୍ତୁ ତୁ ଭଲରେ ଥା । ମୋତେ ତୁ ନ ଚିହ୍ନ, ଦୁଃଖ ନାହିଁ । ହେଲେ କହ ତ ଇଣ୍ଟରଭିଉରେ ତୋର କଣ ହେଲା ? ରାଜୁଭାଇ ତୋତେ ଚିହ୍ନି ପାରିଲେ ତ ?”

 

ଜ୍ୟୋତିର୍ମୟୀ ନିଜକୁ ଆୟତ୍ତରେ ରଖି ପାରିଲା ନାହିଁ । ରାସ୍ତାଉପରେ ପିଲାଙ୍କ ପରି ଜାନକୀକୁ କୁଣ୍ଢାଇ ପକାଇ କହିଲା, “ତୁ ଜାନକୀ ଏଡ଼େ କପଟୀ । ତୋତେ ନ ଦେଖି ମୁଁ କେମିତି ପାଗଳୀ ପରି ହେଉଛି ସେ କଥା ତୁ କେମିତି ବୁଝିବୁ ? ତୁ ବିବାହ କରି ଆସିବା ପରଠାରୁ ଆମର ସାକ୍ଷାତ ହୋଇନି । ତୁ ମୋତେ ଚିହ୍ନିପାରିଲୁ । ଅଥଚ ମୁଁ ଚିହ୍ନିପାରିଲି ନାହିଁ । ତୋ ଅବସ୍ଥା ଏମିତି କ’ଣ ହୋଇଛି ଜାନକୀ ? ତୁ ତ ମୋର ବାଲ୍ୟ ବାନ୍ଧବୀ ଥିଲୁ, ମୁଁ ତୋତେ ଚିହ୍ନିପାରିଲି ନାହିଁ । ସେତେବେଳେ ରାଜୁ ଭାଇଙ୍କୁ ବା ଚିହ୍ନିପାରି ଥାଆନ୍ତି କେମିତି ? ତାଙ୍କ ସାଙ୍ଗରେ ତ ସାକ୍ଷାତ ହୋଇଥିଲା ବହୁତ ପଛରେ । ସେ ମୋତେ ଚିହ୍ନିଲେ କି ନାହିଁ, ତାହା ତ କହିପାରିବି ନାହିଁ । କେତେ ଚେଷ୍ଟା କରି ମଧ୍ୟ ମୁଁ ତାଙ୍କୁ କିଛି କହି ପାରିଲି ନାହିଁ । ମୋର ଚାକିରି ଆଉ ଦରକାର ନାହିଁ ଜାନକୀ-! ତୋତେ ଏତେ ଦିନ ପରେ ଦେଖିଲି ସେ ବହୁତ । ମୋର ତ ମନେ ହେଉଥିଲା ଏ ଜୀବନରେ ଆଉ କାହାରି ସହିତ ସକ୍ଷାତ ହୋଇପାରିବ ନାହିଁ ।

 

ଜାନକୀକୁ କୁଣ୍ଢାଇ ଧରି ଜ୍ୟୋତି କାନ୍ଦିବାକୁ ଲାଗିଥିଲା । ରାସ୍ତାର ଲୋକେ ଦେଖନ୍ତୁ କ୍ଷତି କଣ ? ସେମାନେ ଅନୁଭବ କରନ୍ତୁ ଜଣେ ଦୀର୍ଘ ସତର ବର୍ଷ ପରେ ତାର ପ୍ରିୟ ବାନ୍ଧବୀକୁ ପାଇ କେତେ ଖୁସି । ଜାନକୀ ଜ୍ୟୋତିକୁ ନିଜ ଦେହରୁ ଅଲଗା କରି କହିଲା–“ଏ ରାସ୍ତାଟାରେ ଆଉ କେତେବେଳ ପର୍ଯ୍ୟନ୍ତ ଠିଆ ହେବା ଜ୍ୟୋତି ଏ ଖରାଟାରେ । ଚାଲ ଘରକୁ ଚାଲ । ତୋ ଗରିବ ସାଙ୍ଗଘରେ ଟିକିଏ ପାଦ ପକାଇ ଯିବୁ ।”

 

ଛଅ

 

ଜ୍ୟୋତିକୁ ନିତ୍ୟକର୍ମ ବଢ଼ାଇବାକୁ ନିର୍ଦ୍ଦେଶ ଦେଇ ଜାନକୀ ଶୀଘ୍ର ଶୀଘ୍ର ନିଜ କାମ ଶେଷ କରିନେଲା । କିଛି ସମୟ ପରେ ଦୁଇ ବାନ୍ଧବୀ ବସି ପରସ୍ପରର ଦୁଃଖ ସୁଖର ଭାଗ ବଣ୍ଟରା କରି ବସିଲେ । ଜାନକୀ କହିଲା–“ତୋ କଥା ପରେ ଶୁଣିବି ଜ୍ୟୋତି । ପ୍ରଥମେ ତୁ କହ ତ ! ଇଣ୍ଟରଭିଉରେ କଣ କଲୁ ? ତୋ ଦେହରେ ଏ ଆଘାତ କେମିତି ପାଇଲୁ ।”

 

ଜ୍ୟୋତି ଆକ୍‌ସିଡେଣ୍ଟ କଥା କହି ସାରିବା ପରେ ଆରମ୍ଭ କଲା “ଇଣ୍ଟରଭଉ କଥା କାହିଁକି ପଚାରୁଛୁ ଜାନକୀ । ନ ପଚାରିଲେ ହିଁ ଭଲ ।”

 

“କାହିଁକି, ରାଜୁ ଭାଇ କଣ ତୋତେ ଚିହ୍ନି ପାରିଲେ ନାହିଁ ? କଣ ସବୁ ସେ ପଚାରିଲେ-?” ଆଶ୍ଚର୍ଯ୍ୟ ହୋଇ ଜାନକୀ ପ୍ରଶ୍ନ କଲା ।

 

ଜ୍ୟୋତିର୍ମୟୀ ଉତ୍ତର ଦେବାକୁ ଲାଗିଲା–“ବୁଝିଲୁ ଜାନକୀ, ଅତୀତରେ ଯାହାଙ୍କ ସାଙ୍ଗରେ ଆମର ସମ୍ପର୍କ ସ୍ଥାପିତ ହୋଇଥିଲା ସେଥିରେ ସେ ଥିଲେ ରାଜୁ ଭାଇ, ଯିଏ ନିଜର ଭଉଣୀ ସୁଖ ପାଇଁ ହସି ହସି ବିପଦ ମୁହଁକୁ ଡେଇଁ ପଡ଼ୁଥିଲେ, ପାଠ ପଢ଼ୁଥିଲେ । ସବୁ ସମୟରେ ମୁହଁରେ ହସର ପାଖୁଡ଼ା ଖେଳିକରି ରହୁଥିଲା । ତାଙ୍କୁ ଦେଖିଲେ ମନ ଘୂରି ଯାଉଥିଲା । ମାତ୍ର ଏ ହେଉଛନ୍ତି ଡାକ୍ତର ରାଜେନ୍ଦ୍ର । ତୁ କହ ତ ରାଜୁ ଭାଇ ଓ ଡାକ୍ତର ରାଜେନ୍ଦ୍ରଙ୍କ ଭିତରେ କ’ଣ ପାର୍ଥକ୍ୟ ନାହିଁ ? ସେଥିରେ ସେ ମୋତେ ଚିହ୍ନି ପାରିଥାଆନ୍ତେ କେମିତି ?

 

“କିଛି ପଚାରିଲେ ?”

 

“ହଁ ପଚାରିଲେ ତ ଅନେକ କିଛି । ଯଥା–ତୁମର ମୁଣ୍ଡ ଫାଟିଲା କେମିତି ? ହଁ ଜାନକୀ-। ମୋତେ ଆଶ୍ଚର୍ଯ୍ୟ ଲାଗିଲା, ଆମମାନଙ୍କର ଗୋଟିଏ ବିରାଟ ଗ୍ରୁପ ଫଟୋ ଟଙ୍ଗା ହୋଇଥିଲା ତାଙ୍କ ଅଫିସ ରୁମ୍‌ରେ । ଆଉ କେତୋଟି ରାକ୍ଷୀ ଝୁଲି ପଡ଼ିଥିଲା ତାରି ଉପରୁ । କିଛି ସମୟ ପାଇଁ ମୁଁ ତାକୁ ଚାହିଁ ରହିଗଲି ଅନ୍ୟମନସ୍କ ଭାବରେ । ଆଉ ତାକୁ ଦେଖି ସେ ତାର କାରଣ ପଚାରିଲେ-। ମୁଁ ସେଇଥିପାଇଁ ଭାବୁଛି ଆମର ନିର୍ଜୀବ ଫଟୋଟାକୁ ସେ ଏତେ ଆଦର କରୁଛନ୍ତି ଅଥଚ ସଶରୀରରେ ମୁଁ ପହଞ୍ଚି ଯିବାପରେ ମଧ୍ୟ ମୋତେ ଚିହ୍ନି ପାରିଲେ ନାହିଁ ? ଏଇ ତ ଦୁନିଆ ! ମଣିଷ ଚିହ୍ନି...ଚିହ୍ନି ପାରେନା । ଜାଣି...ଜାଣି ପାରେନା । ଛାଡ଼ ସେ କଥା । ଭୁଲି ଯିବା ତ ଈଶ୍ୱରଙ୍କ ଆଶୀର୍ବାଦ । ମନୁଷ୍ୟ ପକ୍ଷରେ ମଧ୍ୟ ତାହା ମଙ୍ଗଳ । ଭାବିଥିଲି ଉପରେ ପଡ଼ି ପରିଚୟ ଦେବି-। କିନ୍ତୁ ତାଙ୍କର ଗମ୍ଭୀର ମୁହଁକୁ ଦେଖି ମୋର ସାହସ କୁଳେଇଲା ନାହିଁ ।”

 

“ନା ତ, ରାଜୁ ଭାଇ ଖୁବ୍‌ ମେଳାପି ଲୋକ । ସେଇଥିପାଇଁ ଏଠାର ସମସ୍ତ ଲୋକ ତାଙ୍କର ପ୍ରଶଂସା କରନ୍ତି । ଦେଖୁନୁ–ଏ ଫଟୋ ଦେଖ । କେତେ ସୁନ୍ଦର ଭାବେ ହସୁଛନ୍ତି ।” କାନ୍ଥରେ ଟଙ୍ଗା ଯାଇଥିବା ଗୋଟିଏ ଫଟୋ ପ୍ରତି ଜାନକୀ ନିର୍ଦ୍ଦେଶ କଲା । “ଏମିତି ଗୋଟାଏ ମିଠାହସ ସବୁବେଳେ ତାଙ୍କ ମୁହଁରେ ଲାଗି ରହିଥିବ ।”

 

ଜ୍ୟୋତିର୍ମୟୀ ତାଙ୍କୁ ଭଲ ଭାବରେ ଚିହ୍ନି ପାରିଲା । ଅନେକ ଦିନର ରବିଭାଇ, ଅମୁଭାଇ ଓ ରାଜୁ ଭାଇଙ୍କର ଏକ ମିଳିତ ଫଟୋଗ୍ରାଫ । ତାକୁ ମଧ୍ୟ ସେଥିରୁ ଗୋଟାଏ କପି ମିଳିଥିଲା; କେଉଁ ଦିନରୁ ସେ ତାକୁ ହଜାଇ ସାରିଲାଣି ।

 

“ମୋ ମନ କହୁଛି ଜ୍ୟୋତି ! ତୁ ନିଶ୍ଚୟ ଚାକିରି ପାଇଯିବୁ । ଦୁନିଆରେ ସମସ୍ତେ ପରିବର୍ତ୍ତନ ହୋଇପାରନ୍ତି । ହେଲେ ଆମର ରାଜୁ ଭାଇ ପରିବର୍ତ୍ତନ ହୋଇପାରିବେ ନାହିଁ । ସେ ମଙ୍ଗଳମୟ ! ଆମର କଲ୍ୟାଣ ପାଇଁ ସେ ସବୁକିଛି କରି ପାରିବେ । ସେ ନିଶ୍ଚୟ ତୋତେ ଚିହ୍ନି ପାରିଛନ୍ତି କିନ୍ତୁ ତୋତେ ଜାଣିବାର ସୁଯୋଗ ଦେଇନାହାନ୍ତି । ତୁ ଜାଣି ନଥିବୁ–ତାଙ୍କରି ଦୟାରୁ ହିଁ ମୋ ମାନୁକୁ ଚାକିରି ମିଳିଛି । ନହେଲେ ଏତେବେଳକୁ ଆମର ଅବସ୍ଥା କଣ ଯେ ହୁଅନ୍ତା ! ସେ ଭାରି ହୃଦୟବାନ ଲୋକ । ତୁ ଏତେ ଶୀଘ୍ର ତାଙ୍କ ଉପରୁ ଆସ୍ଥା ତୁଟାଇ ଦେ ନା !”

 

“ଥାଉଲୋ ଜାନକୀ । ସେ ଚାକିରି-ବାକିରି କଥା ଆଉ ଉଠାନା । ତୋତେ ଦେଖିଲି ଭଲ ହେଲା, ନହେଲେ ସାଙ୍ଗେ ସାଙ୍ଗେ କଟକ ଫେରିଯାଇଥାନ୍ତି । କାଲିକି ତ ଯିବି, ତା ପୂର୍ବରୁ ତୋ କଥା ସବୁ କହ, ମୁଁ ଟିକିଏ ଶୁଣେ । ମୋ ବିଷୟରେ ତ ତୁ ସବୁ ଜାଣିଥିବୁ । ଥରେ ଚିଠିରେ ସବୁ କଥା ଲେଖିଥିଲି । କେତେ କହିଲା ପରେ ବି ତୁ ତୋ ନିଜ ବିଷୟରେ ଲେଖୁନା । ଖାଲି ଲେଖୁ ସାକ୍ଷାତରେ କହିବୁ । ବର୍ତ୍ତମାନ ତ ସାକ୍ଷାତ ମଧ୍ୟ ହୋଇଗଲା ।”

 

Unknown

“ହଉଲୋ ଜ୍ୟୋତି, ମୁଁ ଯେତେବେଳେ ପ୍ରତିଶ୍ରୁତି ଦେଇ ସାରିଛି ଏବଂ ତୁ ଆଗ୍ରହୀ ହୋଇଛୁ ତେବେ ଶୁଣୁ କିନ୍ତୁ ମୋ ନିଜ ଦୁଃଖପାଇଁ ତୋତେ କନ୍ଦାଇବାକୁ ମୋର ଇଚ୍ଛା ନାହିଁ । ଭଗବାନ ତ ମୋତେ କନ୍ଦାଇଛନ୍ତି । ମୁଁ ବା ଅନ୍ୟକୁ କନ୍ଦାଇବି କାହିଁକି ? ଏ କଣ ଟିକିଏ ହୋଇଛି କିଲୋ ? କହିଲେ ତ କେତେ ସମୟ ଲାଗିଯିବ । ଗୋଟିଏ ଗ୍ରନ୍ଥ ପରା । ଉଠ୍‌ ଖାଇସାର । ପରେ ଶୁଣିବୁ, ଏ ହତଭାଗିନୀ ଜାନକୀ କାତେ ନିରିମାଖୀ , କେଡ଼େ ଅଭାଗିନୀ । ସୁନାର ସଂସାର ମୋର ଚୂନା ହୋଇଯାଇଛି । ମୋର ଅତୀତ-ବର୍ତ୍ତମାନ କେବଳ ଦୁଃଖ-ଶୋକର ଅଶ୍ରୁରେ ଲିଖିତ । ତାକୁ ଶୁଣି ତୁ ଧୈର୍ଯ୍ୟ ଧରି ରହିପାରିବୁ ତ ?”

 

ସାତ

 

ଠନ୍‌.....ଠନ୍‌.....ଠନ୍‌......ଠନ୍‌ ।

କଚେରୀ ଘଣ୍ଟାରେ ଚାରିଟା ବାଜିଲା । ସକାଳ ଚାରି । ନୁତନ ଦିବସର ଆରମ୍ଭ । ତାକୁ ସ୍ୱାଗତ କରିବାପାଇଁ ସମସ୍ତେ ଯେମିତି ବ୍ୟସ୍ତ ହୋଇପଡ଼ିଲେ । ନିକଟସ୍ଥ ଫାର୍ମରୁ ବିଦେଶୀ କୁକୁଡ଼ା କେତୋଟି ବିକଟ ଭାବରେ ଚିତ୍କାର କରିବାକୁ ଲାଗିଲେ, “ରଖ ହେ ଚକ୍‌କ ।” ମସ୍‌ଜିଦ୍‌ରୁ ଶୁଣାଗଲା ମୌଲବି ମିଆଁଙ୍କର ଜଳଦ୍‌ଗମ୍ଭୀର ସ୍ୱର, “ଆଲ୍ଲା ହୋ ଆକବର ।”

ଗୀର୍ଜାର ଘଣ୍ଟା ଟଂ ଟଂ ହେବା ସାଙ୍ଗେ ସାଙ୍ଗେ ଦୂରର ମନ୍ଦିରରୁ ଶଙ୍ଗଧ୍ୱନୀ ମଧ୍ୟ ଶୁଣାଗଲା । ରାତ୍ରୀର ଅନ୍ଧକାର ପରେ ପୃଥିବୀ ଯେମିତି ସଜୀବ ହୋଇପଡ଼ିଲା ।

ଏ ତ ନିତିଦିନିଆ ଘଟଣା । ସଂଘମିତ୍ରା ପାଇଁ ମଧ୍ୟ ଏହା ନୂଆ ନୁହେଁ । ପ୍ରତିଦିନ ସେ ଏପରି ଶୁଣିବାରେ ଅଭ୍ୟସ୍ତ । ଏଗୁଡ଼ିକ ତା’ଉପରେ କୌଣସି ପ୍ରଭାବ ପକାଏ ନାହିଁ ବରଂ ନ ଶୁଣିଲେ ଗୋଟିଏ ବ୍ୟତିକ୍ରମ ହେଲାପରି ତାର ମନେହୋଇଥାଆନ୍ତା । କାଉ କାଆ କରିବା ପରେ ପରେ ଶଯ୍ୟାତ୍ୟାଗ କରି ସେ ନିତିଦିନିଆ ଘରକାମରେ ଲାଗିଯାଏ, ଠିକ୍‌ ଗୋଟିଏ ଲୋଟଣୀ ପରି-। ଘର-ବାହାର ଝାଡ଼ିବା, ଗୋରୁ-ଗାଈଙ୍କର ସେବା ତାପରେ ପୁଅ-ଝିଅଙ୍କର ଯତ୍ନ ପୁଣି ରହିଛି-। ଅବଶ୍ୟ ଚାକର ଅଛନ୍ତି, ସବୁ କାମରେ ତ ଆଉ ସେମାନଙ୍କ ଉପରେ ନିର୍ଭର କରି ହେବନି-। ଘରର ସମସ୍ତ କାମ ପ୍ରାୟ ସେ ନିଜେ କରନ୍ତି । ନିଜର କାମ ନିଜ ଦ୍ୱାରା ଯେତେ ସୁନ୍ଦର ଭାବରେ ହୋଇପାରିବ ଅନ୍ୟଦ୍ୱାରା ହୁଏତ ସେତେ ସୁନ୍ଦର ହୋଇନପାରେ । ଗାଈଙ୍କ ଯତ୍ନନେବା ତ ତାର ପିଲାଦିନର ଅଭ୍ୟାସ । ବାହାରେ ଲୋକେ ତା ବିଷୟରେ ଆଲୋଚନା କରନ୍ତି, “ଏଇଥିପାଇଁ ତ ତାଙ୍କର ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ ବଢ଼ିବାକୁ ଲାଗିଛି ।” ନ ହୁଅନ୍ତା କେମିତି ! ବଡ଼ ଘରର ଝିଅ ସେ । ବଡ଼ ଘରର ବୋହୂ । ଯେମିତି ପରିବେଶରେ ପିଲାଦିନରୁ ବଢ଼ି ଆସିଥିଲେ ସେମିତି ପରିବେଶରେ ବିବାହ ପରେ ମଧ୍ୟ ଅଛନ୍ତି । ଭୁଲ ବାହାରିବ କୁଆଡ଼ୁ ? ସେ ଯେ ପରିବେଶ ସାଙ୍ଗରେ ନିଜକୁ ଠିକ୍‌ ଭାବରେ ମିଳାଇ ନେଇଛନ୍ତି ।

ଭଦ୍ରଘରର ଝିଅ ସେ । ସେଥିରେ ପୁଣି ଉଚ୍ଚ ଶିକ୍ଷିତା । କୌଣସିଥିରେ ତ ଖୁଣି ଦେବାକୁ ନାହିଁ । ଏମିତିରେ ସେ ଯଦି ଆଦର ନପାଇବେ ତ ପୁଣି ପାଇବ କିଏ ? ଘରେ କାମ କରିବାକୁ ସେ ଏକା । ଝିଅମାନେ ଖୁବ୍‌ ଛୋଟ । କାମ କରିବାକୁ ଅନୁପଯୁକ୍ତା । ଶାଶୁବୁଢ଼ୀକୁ ଯଦି ଏଇ ବୟସରେ କାମ କରାଏ ତେବେ ଲୋକ କଣ କହିବେ । ତେଣୁ ସମସ୍ତ କାମକୁ ସେ ନିଜ ଉପରକୁ ଉଠାଇ ନେଇଛି । ଘରର ପାଳିତ ପଶୁ-ପକ୍ଷୀଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ନିଜର ସ୍ନେହରେ ବାନ୍ଧି ରଖିବାକୁ ଚାହିଁଛି । ଆଶା ମଧ୍ୟ ତାର ସଫଳ ହୋଇଛି । ଘରର ଲକ୍ଷ୍ମୀ ସେ । ସମସ୍ତ କାର୍ଯ୍ୟରେ ନିଶ୍ଚିତ ଭାବରେ ତାର ହାତର ସ୍ପର୍ଶ ରହିଥିବ । ସକାଳଠାରୁ ରାତି ବାରଟା ପର୍ଯ୍ୟନ୍ତ ତାର କାମ ଶେଷ ହୁଏନା । ଏ ସବୁ ପଡ଼ୋଶୀମାନେ ଦେଖନ୍ତି । ତେଣୁ ଶତ୍ରୁ ହେଲେ ମଧ୍ୟ ତାର ଗୁଣ ପାଇଁ ପ୍ରଶଂସା କରିବାକୁ ବାଧ୍ୟ ହୁଅନ୍ତି ।

 

ଏତେ ଦିନ ହେଲା ବସି ବସି ତାକୁ ଆଉ ଭଲ ଲାଗୁନି । କଣ କରିବ ? ଏ ଅବସ୍ଥାରେ ଶାଶୁ ତ ତାର ତାଦ୍ୱାରା କୌଣସି କାମ କରାଇ ଦେବେନି । ଲୁଚାଇ କରି କରିଦେଲେ ସେ ଜାଣିବା ପରେ ପୁଣି ଗାଳି । କିଛି ଦିନ ହେଲା ସେ ପୁଣି ଗୋଟିଏ ଟିକି ମୁନାର ମାଆ ହେବାର ସୌଭାଗ୍ୟ ଲାଭ କରିଛି । ଏହାକୁ ମିଶାଇ ହେଲେ ପାଞ୍ଚ । ତିନି ପୁଅ ଦୁଇ ଝିଅ । ଭାଗ୍ୟବତୀ ସେ । ଅଭାବ ଅସୁବିଧା କଣ, ଆଜି ପର୍ଯ୍ୟନ୍ତ ଜାଣିପାରିନି ସେ ।

 

ଢେଙ୍କାନାଳ ନିକଟସ୍ଥ ଏକ ପଲ୍ଲୀଗ୍ରାମରେ ସଂସାରିକ ବନ୍ଧନରେ ବାନ୍ଧିହୋଇ ପଡ଼ିରହିବାକୁ ବାପା-ମାଆଙ୍କ ନିର୍ଦ୍ଦେଶରେ ସଙ୍ଘମିତ୍ରା ପରି ସଉକିନିଆ ଝିଅ ଆସି ପହଞ୍ଚିଲା । ଯାହାକୁ ରାଜକୁମାରୀ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ ଏବଂ ଦିନେ ଯେ କଳା ପଡ଼ିଯିବ ବୋଲି ରୋଷେଇ ଘରେ ପଶୁନଥିଲା, ସଯତ୍ନ ବର୍ଦ୍ଧିତ ନଖରେ ଦାଗ ଲାଗିଯିବ ବୋଲି ପରିବା ମଧ୍ୟ କାଟୁ ନଥିଲା, ତାଠାରେ ଏତେ ବଡ଼ ପରିବର୍ତ୍ତନ ଦେଖି ବାସ୍ତବିକ ବଡ଼ ଆଶ୍ଚର୍ଯ୍ୟ ଲାଗେ । ପୂର୍ବରୁ ତାକୁ ଦେଖିଥିବା ବ୍ୟକ୍ତି ବର୍ତ୍ତମାନ ଦେଖି ହଠାତ୍‌ ତାକୁ ବିଶ୍ୱାସ କରିପାରିବ ନାହିଁ । ଖୁବ୍‌ ଶୀଘ୍ର ସେ ନିଜକୁ ଏପରି ପାଣିକାଦୁଅ ଶାରୀରିକ ପରିଶ୍ରମର ଏକ ସୁସ୍ଥ ପରିବେଶ ମଧ୍ୟରେ ମିଶାଇ ନେଲା । ଅଳ୍ପଦିନରେ ସମଗ୍ର ଗାଁର ଚେହେରାକୁ ସେ ବଦଳାଇ ଦେଲା । ତାର ଚେଷ୍ଟାରେ ନାରୀ ଶିକ୍ଷାପାଇଁ ଗୋଟିଏ ସ୍କୁଲ, ସେମାନଙ୍କ ପାଇଁ ଗୋଟିଏ ଲାଇବ୍ରେରୀ, ନୂଆ ନୂଆ କଥା ଜାଣିବାପାଇଁ ଉତ୍ତମ ବ୍ୟବସ୍ଥା ନିଜ ତରଫରୁ କରାଇ ନେଇଛି । ଗାଁର ପରିଷ୍କାର ପରିଚ୍ଛନ୍ନ ପାଇଁ ତାର ସୁନଜର ରହିଛି । ଅଭାବ ଅସୁବିଧା ସମୟରେ ସାହାଯ୍ୟ ଏବଂ ଅସୁସ୍ଥ ସମୟରେ ତା ହାତରେ ହେମିଓପାଥିକ୍‌ ଔଷଧ ତାକୁ ଗ୍ରାମରେ ଆହୁରି ଲୋକପ୍ରିୟ କରାଇଦେଇଛି । ଅନେକ ସମୟରେ ସଙ୍ଘମିତ୍ରା ଭାବେ, “ଲୋକମାନଙ୍କୁ ଆଦର କଲେ, ସହାନୁଭୂତି ଦେଖାଇଲେ ସେମାନେ କେତେ ନିଜର ହୋଇପଡ଼ନ୍ତି ।” ଏଇମାନଙ୍କ ମଧ୍ୟରେ ସଂଙ୍ଘମିତ୍ରା ନିଜକୁ ଭୁଲିଯାଏ । ବର୍ତ୍ତମାନ ସେଗୁଡ଼ିକୁ ପରିଚାଳନା କରିବାପାଇଁ ପରିଚାଳିକାମାନଙ୍କୁ ଉପଯୁକ୍ତ କରାଇ ସାରିଲାଣି । ତାର କାମ ମଧ୍ୟ ଟିକିଏ କମିଗଲାଣି । ବର୍ତ୍ତମାନ ଗାଁରେ କେବଳ ତାରି କଥା ।

 

ଧୋବା-ଧୋବଣୀ ସେଦିନ ତୁଠରେ ତର୍କ କରୁଥିଲେ, “ଆରେ ଜାଣିଲଣି ନା, ବାବୁଙ୍କର ପୁଅଟିଏ ହୋଇଛି ।”

 

“ହଁ ତୋ ଆଗରୁ ମୁଁ ଜାଣିଯାଇଛି । ହେଲେ ତୋର ଗୋଟିଏ ଶାଢ଼ି ପକ୍‌କା ହୋଇଗଲା ଜାଣିଥା ।”

 

“କାହିଁକି ମ ! ମୁଁ କ’ଣ ଏକାକୀ ? ତୁମକୁ ତ ହେଲେ ଖଣ୍ଡେ ଧୋତି ମିଳୁଛି ।”

 

“ଆରେ ! ଖାଲି କ’ଣ ଆମେ ? ଏମିତି କେତେକଙ୍କୁ ମିଳିବ । ଖାଲି ଏ ଲୁଗାକୁ କ’ଣ ପଚାରୁଛୁ ? ଦେଖିବୁ, ଏ ଗାଁରେ ଦୁଇଦିନ ପର୍ଯ୍ୟନ୍ତ କା’ଘରେ ଚୁଲି ଜଳିବନି ।”

 

“ସତରେ କେଡ଼େ ସୁନ୍ଦର ଆମର ଏ ବାବୁ-ବାବୁଆଣୀ ।”

 

“ଭଗବାନ କରନ୍ତୁ–ଆମକୁ ବଞ୍ଚାଇ ରଖିବାକୁ ସବୁଦିନ ସେମାନେ ଏମିତି ସୁନ୍ଦର ହୋଇ ରହିଥାଆନ୍ତୁ ।”

 

“ସଙ୍ଘମିତ୍ରା ଏଥର ବିରକ୍ତ ହୋଇ ପଡ଼ିଲା ସ୍ୱାମୀଙ୍କୁ ପାଖରେ ଦେଖି–“କାହିଁକି ମ ତୁମେ ଏମିତି ଏନ୍ତୁଡ଼ି ଶାଳଟାରେ ପଶିରହିଛ ? ଲୋକେ ଦେଖି କଣ ଭାବୁଥିବେ ? ଯାଅ ବାହାର ଏଠାରୁ-।”

 

“ସତରେ ମିତ୍ରା ! ତୁମକୁ ଛାଡ଼ିଯିବାକୁ ମୋଟେ ଇଚ୍ଛା ହେଉନି । ତୁମେ ପରା ମୋର । ତୁମକୁ ଛାଡ଼ି କୁଆଡ଼େ ଯିବି ?” ଗଣେଶବାବୁ ସଙ୍ଘମିତ୍ରାକୁ ଚିଡ଼େଇବା ପାଇଁ କହିଲେ ।

 

“କ’ଣ, ପୁଣି ଫାଜିଲାମି ବାହାରିଲାଣି ନା ? ଭଲରେ ଭଲରେ ଯିବ ନା ନାହିଁ କହିଲ ? ବୋଉ ପରା ସେ ଘରେ ଅଛନ୍ତି, ମୋ ମହତ କାହିଁକି ସାରୁଛ ଯେ ! ଏଇ ସମୟରେ କେହି ଆସି ପହଞ୍ଚିଗଲେ ତା ଆଗରେ ମୁଁ ଆଉ ମୁହଁ ଦେଖାଇ ପାରିବିନା ? ଥଟ୍ଟାରେ ମୋତେ ଅଧାମରା କରି ପକାଇବେ । କ’ଣ ଏଇ କେତେଟା ଦିନ ମୋତେ ଛାଡ଼ି ରହିପାରୁନା ?”

 

“ତୁମେ ଯାହା କୁହ ମିତ୍ରା, ଏଇ କେତେ ଦିନ ହେଲା ତୁମେ ଯାହା ଦେଖାଯାଉଛନା, ତୁମକୁ ଛାଡ଼ି ଯିବାକୁ ଜମାରୁ ଇଚ୍ଛା ହେଉନି ।” ହସି ହସି ଗଣେଶବାବୁ ମିତ୍ରା ଆଡ଼କୁ ଲାଗି ଆସିଲେ !

 

“ଆରେ ! ଛୁଇଁବ ଯେ ! ସଙ୍ଘମିତ୍ରା ବ୍ୟସ୍ତ ହୋଇପଡ଼ିଲା । “ଦିନକୁ ଦିନ ତୁମର ଏଡ଼େ ବେହିଆମୀ କାହିଁକି ବାହାରୁଛି କୁହ ତ ? ପାଞ୍ଚଟା ପିଲାର ବାପା ହେଲାପରେ ମଧ୍ୟ ତୁମର ଫାଜିଲାମୀ ଗଲାନି !”

 

“କେମିତି ଯିବ କହିଲ ? ତୁମେ କଣ ପାଞ୍ଚଟା ପିଲାର ମାଆ ହେଲାପରି ଦେଖାଯାଉଛ କି ? ଚାଲ ତ ପଚାରିବା ତୁମକୁ ଦେଖି କିଏ ଏକଥା କହିପାରିବ ?”

 

“ତୁମକୁ ବାବା ହାତ ଯୋଡ଼ୁଛି । ଏଥର ଯାହାହେଉ ଏଠାରୁ , ମୋତେ ଆଉ ଅପଦସ୍ତ କରାଅ ନାହିଁ । କିଏ ଆମକୁ ଏଠାରେ ଏମିତି ଅବସ୍ଥାରେ ଦେଖିଲେ କଣ ଭାବିବେ ଯେ ?” ଗଣେଶବାବୁ ସେତେବେଳକୁ ସଙ୍ଘମିତ୍ରାକୁ ନଛୁଇଁଲେ ମଧ୍ୟ ତା ପାଖରେ ଲାଗି ବସିଥିଲେ ।

 

“କିଏ କ’ଣ ଭାବିବାକୁ ଯିବ କାହିଁକି ? ସେମାନେ କଣ ଜାଣି ନାହାନ୍ତି–ତୁମେ ମୋର ସ୍ତ୍ରୀ-। ତା ପରେ ବି କ’ଣ ସେମାନଙ୍କର କିଛି କହିବାକୁ ଆଉ ଶକ୍ତି ଥିବ ?”

 

“ମୁଁ ଆଉ ତୁମ ସାଙ୍ଗରେ ପାରିବିନି । ତୁମ ମନରେ ଯାହା ଆସୁଛି କର ।” କିଛି ସମୟ ସଙ୍ଘମିତ୍ରା ଗମ୍ଭୀର ହୋଇ ବସି ରହିଲା ପରେ ତାକୁ ସୁଯୋଗ ମିଳିଗଲା ସ୍ୱାମୀଙ୍କୁ ପାଖରୁ ତଡ଼ିବା ପାଇଁ । ସେ କହିଲେ–“ଦେଖ, ଶୁଣିଲଣି ! ଡାକବାଲା ବୋଧହୁଏ ଆସିଲାଣି । ବାହାରେ ସାଇକେଲ ବେଲ୍‌ ଶୁଣାଯାଉଛି । ଚିଠି ଅଛି ବୋଧହୁଏ । ଯାଆ ତ ଟିକିଏ ଦେଖି ଆସିବ ।”

 

ହସି ହସି ବାହାରିଗଲେ ଗଣେଶବାବୁ–“ରୀତିମତ ଅସହଯୋଗ ଆରମ୍ଭ କରି ଦେଲଣି ମୋ ସାଙ୍ଗେ ନା ! ହେଉ ! ଛତ୍ରେ ଛତ୍ରେ ତୁମରି ରାଜତ୍ୱ ଯେତେବେଳେ ।” ସଙ୍ଘମିତ୍ରା ଶାନ୍ତିରେ ନିଶ୍ୱାସ ନେଲା ।

 

କିଛି ସମୟ ପରେ ହାତରେ ଖଣ୍ଡିଏ ଚିଠି ଧରି ଗଣେଶବାବୁ ପୁଣି ସେଠାରେ ପହଞ୍ଚିଗଲେ । ପାଖରେ ଦେଖି ସଙ୍ଘମିତ୍ରା ପୁଣି ବିରକ୍ତ ହେଲା “ତୁମକୁ ଦେଖା ଯାଉଛି ନା ନାହିଁ ? ଛୁଇଁବ ଯେ ! ତୁମକୁ ଆଉ ପାରିହେବନି ।”

 

“ତୁମର ଚିଠିଟା ରଖ । ତାପରେ ମୁଁ ବାହାରି ଯାଉଛି । ଦିନସାରା ଆଉ ତୁମକୁ କଷ୍ଟଦେବାକୁ ଆସିବିନାହିଁ । ତୁମେ ଯେତେବେଳେ ଚାହୁନ ମୁଁ ମଧ୍ୟ ଆସିବି କାହିଁକି ?”

 

ସଙ୍ଘମିତ୍ରା ଆଉ କିଛି ନକହି ଧିର ଭାବରେ ହସିଲା–“କେଉଠୁଁ ଆସିଛି କିଏ ପଠାଇଛି ଟିକିଏ କୁହ ।” ଠିକଣା ଦେଖି ଗଣେଶବାବୁ କହିଲେ–ଆସିଛି, କଟକରୁ ତୁମ ଅମୁଭାଇଙ୍କ ପାଖରୁ ।

 

“ଟିକିଏ ଚିଠିଟା ବାହାର କରି ପଢ଼ି ଦିଅ ମ ! ୟାକୁ ତ ଧରି ବସିଛି, ତାକୁ ପଢ଼ିବି କେମିତି-?” ଗେଲେଇ ହୋଇ ମିତ୍ରା କହିଲା ।

 

“କଣ ବର୍ତ୍ତମାନ କିଏ ଦେଖିଲେ ଆଉ ଖରାପ ଭାବିବନି । ତୁମର ମହତ ସରିଯିବନି-?” ଗଣେଶବାବୁ ଥଟ୍ଟାକଲେ ।

 

“ମୋ ସୁନାଟା ପରା । ଟିକିଏ ଶୀଘ୍ର ଶୀଘ୍ର ପଢ଼ିଦେଇ ଚାଲିଯାଅ । କିଏ ଆଉ ଦେଖିବ ଯେ !” ସଙ୍ଘମିତ୍ରା ଖୁସାମତ କରିବାକୁ ଆରମ୍ଭ କଲା ।

 

ଗଣେଶବାବୁ ହସିଲେ–“ଏସବୁ ତୁମର ପ୍ରାଇଭେଟ ମାମଲା ନୁହେଁ ତ ? ତୁମର ଅସୁବିଧା ହୋଇପାରେ ।”

 

ହଁ, ମୋ ପ୍ରାଇଭେଟ କଥା ତ ତୁମେ କିଛି ଜାଣନା ? ଭାଇଙ୍କ ଚିଠି ତୁମେ କେବେ ପଢ଼ିନ ? ସେ ଫାଜିଲାମି ପରେ କରିବ, ଶୀଘ୍ର ପଢ଼ ।” ଗଣେଶବାବୁ ଆଉ କିଛି ନକହି ଖାମ୍‌ ଭିତରୁ ଚିଠିଟି ବାହାର କଲେ ।

 

ସ୍ନେହର ସଙ୍ଘମିତ୍ରା,

 

ଗଣେଶବାବୁଙ୍କ ସଙ୍ଗରେ ମୋର ଶୁଭେଚ୍ଛା ନେବୁ ଓ ପିଲାଙ୍କୁ ମୋର ଆଶୀର୍ବାଦ ଦେବୁ-। ମାଉସୀଙ୍କୁ ମଧ୍ୟ ମୋର ପ୍ରଣାମ । ଅନେକ ଦିନରୁ ତୋଠାରୁ ଚିଠି ପାଇନି । କ’ଣ ଖୁବ୍‌ ଜଞ୍ଜାଳିଆ ହୋଇଗଲୁଣି ଯେ ଏହା ଭିତରେ ? ଗଣେଶବାବୁ ତୋ ଅସୁବିଧା କଥା ଲେଖିଥିଲେ-। ମୋତେ ଆଉ ଗୋଟିଏ କାହାର ମାମୁ ହେବାର ସୌଭାଗ୍ୟ କେବେ ଦେଉଛୁ ?

 

ମିତ୍ରା ହସିଲା–“ହୋଇ ତ ଗଲାଣି, ଭାଇ ଯାହା ଜାଣିବାକୁ ଚାହିଁଛନ୍ତି, ତୁମେହେଲେ କେମିତି ଲୋକ ଯେ ! ଏତେ ଦିନ ହେଲାଣି । ତୁମେ ଟିକିଏ ଖବର ମଧ୍ୟ ଦେଇ ପାରିଲ ନାହିଁ । ଆଜି ତାଙ୍କ ପାଖକୁ ଚିଠି ଲେଖିବ । ହଁ ତାପରେ ଆଉ କଣ ଲେଖିଛନ୍ତି ପଢ଼ ।” ଗଣେଶବାବୁ ତା’ପରେ ପଢ଼ିଲେ–

 

ତୁ ରାକ୍ଷୀ ପୂର୍ଣ୍ଣିମାରେ ଆସିବାକୁ ଲେଖିଥିଲୁ । ଏହା ଭିତରେ ତ ଆଉ ଚିଠି ଦେଲୁନାହିଁ-। ତୋ ବିଷୟରେ ଜାଣିବା ପାଇଁ ମୁଁ ବ୍ୟସ୍ତହୋଇ ପଡ଼ିଛି । ପିଲାମାନେ ସମସ୍ତେ ଭଲ ତ ? କେବେ ତୁମେ ସେଠାରୁ ବାହାରୁଛ ଲେଖିବୁ । ଆସିଲା ବେଳେ ଗଣେଶବାବୁଙ୍କୁ ସାଙ୍ଗରେ ନେଇ ଆସିବୁ । ନହେଲେ କିଛି ଜମିବନି । ହେଉ ରହିଲି, ତୋ ଅପେକ୍ଷାରେ । ଇତି ।

 

ତୋର

–ଅମୁଭାଇ–

 

ଶୁଣିଲଣି ତ ! ଏଥର ଆଉ ତୁମକୁ ଛାଡ଼ି ଦେବିନି । ଆମ ସାଙ୍ଗରେ ଏଥର ତମକୁ ଯେମିତିହେଲେ ଯିବାକୁ ପଡ଼ିବ । ସେ ଦିନରୁ କହୁଛି ଖଣ୍ଡିଏ ଚିଠି ପଠାଇଦିଅ । ହେଲେ ତୁମେ କ’ଣ ଶୁଣିଲ ? କେହି ତ ତୁମର ଭାଇ ନାହାନ୍ତି କି ଭଉଣୀ ନାହାନ୍ତି । କେମିତି ଜାଣିବ ଉଭୟଙ୍କର ପ୍ରତି ସେମାନଙ୍କଠାରେ କେତେ ସ୍ନେହ ଥାଏ । ରକ୍ତର ସମ୍ପର୍କ ନଥିଲେ ବି ଭାଇ ତ ! ମୋ ନିଜ ଭାଇ ନହେଉ ସେ ତୁମର କେତେ ସମ୍ମାନ କରୁଛନ୍ତି ଅଥଚ ତମେ ଚିଠି ଖଣ୍ଡେ ଦେଇ ପାରିନି । କଣ ତୁମକୁ ସେ ପ୍ରତିଦାନରେ କିଛି ମାଗୁଛନ୍ତି ଯେ ଡରି ଯାଉଛ । କେବଳ ଆମର ଭଲମନ୍ଦ ଖବର ଟିକିଏ ଜାଣିବା ପାଇଁ ବ୍ୟସ୍ତହୋଇ ପଡ଼ୁଛନ୍ତି । ତାଙ୍କର ବି ତ ଆଉ କେହି ନାହିଁ ।

 

“ହଉ ବାବା ! ମୋର ଭୁଲ ହେଲା । କାଲି ତାଙ୍କ ପାଖକୁ ଟେଲିଗ୍ରାମ କରି ଦେଉଛି । କଣ ଏଥର ଖୁସି ନା ? କୁହ ତ, କଣ ଲେଖିବି ?”

 

କ’ଣ ଆଉ ଲେଖିବ ? କୁନି ପୁଅ ବିଷୟରେ ଲେଖିବ । ତାପରେ ଆମର ଯିବାକଥା । ରାକ୍ଷୀରେ ଆମେ ନିଶ୍ଚୟ ଯାଉଛୁ ବୋଲି ଲେଖିବ ।”

 

ମୋର ପରା ଟୁର ରହିଛି ।

 

ରଖ ତୁମର ସେ ଟୁର୍‌, ସବୁବେଳେ ଅଫିସ-ଅଫିସ । ଟୁର୍‌-ଟୁର୍‌ କହି ତୁମେ ଦିନେ ପାଗଳ ହୋଇଯିବ । ସେ ସବୁ ମୁଁ ଶୁଣିବିନି । କଟକରୁ ଫେରିଲା ପରେ ତୁମେ ଯେଉଁଆଡ଼େ ଇଚ୍ଛା ଯିବ । ଏହା ଭିତରେ ତାକୁ କ୍ୟାନସଲ କରାଇନିଅ । ତାପରେ ତୁମର ବଡ଼ ଛୁଟିଥିବ ।”

 

“ଭଉଣୀ-ଭଉଣୀ ବୋଲି ସେ ପାଗଳ ହୋଇଯାଉଛନ୍ତି ପରା । ଆମେ ସବୁ ସେଠାକୁ ଗଲେ ବୁଝିବେ । ଆମର ଏ ବାଟାଲିଅନ ଫୋର୍ସର ଚେଁ-ଚାଁ ରେ ସବୁ ଠିକ୍‌ ହୋଇଯିବ ଯେ ! ଦୁଇ-ତିନି କିଲୋର ମିଲ୍‌ ଯେତେବେଳେ ଦିନରେ ଦୁଇଥର କରି ପଡ଼ିଯିବ ସେତେବେଳେ କହିବେ–ଶୀଘ୍ର କେମିତି ଯାଆନ୍ତୁ ଏମାନେ । ଦିବାଲା ହୋଇଯିବେ ବୁଝିଲ । ମାମୁଁ ଭଣଜା ପାଇଁ ଯିବେ ଅମୁଲସ୍ପ୍ରେ ଆଣିବାକୁ । ଲାଇନ ଲଗାଇବେ ଦୋକାନ ଆଗରେ । ବଡ଼ ଭଣଜାର ଖଟ-ଶେଯ ନହେଲେ ନିଦ ହେବନି । ଛୋଟ ଭାଣିଜି ପିଠିରେ ନଚଢ଼ିଲେ ଘରୁ ବାହାରିବେ ନାହିଁ । ଦେଖିବ–ଯଦି ସେ ନାକରେ ପାଣି ନପିଇବେ ତ ମୋତେ ପୁଣି କହିବ ।”

 

“ଥାଉ ତୁମର ସେ ବାହାଦୁରି କଥା । ଏକା ବାଟଲିଅନ୍‌ ଫୋର୍ସକୁ ପୋଷିଛ ? ହାଡ଼ି-ମେହନ୍ତରଙ୍କ ପାଇଁ ତାଙ୍କ ଘରେ ମିଲ୍‌ ପଡ଼ୁଛି, ବୁଝିଲ ? ଭଉଣୀ-ଭଣଜା-ଭାଣିଜିଙ୍କୁ ସେ ତାଙ୍କର ବାହାର କରି ଦେବେନି । ଥରେ ଚାଲ ଦେଖିଆସିବ । ନଗଲେ କେମିତି ବୁଝିବ ସେ କେମିତି ଧରଣର ଲୋକ । ତୁମ ପରି ତ ଆଉ ନୁହଁନ୍ତି । ଯେତେବେଳେ ହେଲେ ମୋର ଭାଇ ! କଣ ବୋଲି ତୁମେ ତାକୁ ପାଇଲ କି ? ଥରେ ଅତିଥି ହୋଇ ତାଙ୍କ ଘରେ, ସହଜରେ ଭୁଲିପାରିବନି ।” ଗର୍ବର ସହିତ ସଙ୍ଘମିତ୍ରା କହିଯାଉଥିଲା ।

 

“ଆରେ ବାବୁ ଆଗେ ତ ପହଞ୍ଚ ସେଠାରେ । ତାପରେ ତମ ଭାଇଙ୍କୁ ଦେଖିବାନି ।” କହି କହି ଗଣେଶବାବୁ ସେଠାରୁ ବାହାରି ଗଲେ ।

 

ଆଠ

 

ମର୍ଣ୍ଣିଂ ଡାଡି......

 

ଅମୀୟ ବାବୁ ଆଖି ଉପରର ମୋଟା ଲେନ୍‌ସର ଚଷମାକୁ ଠିକ୍‌ କରିନେଇ ବାହାରକୁ ଚାହିଁଲେ । ଖୁବ୍‌ ସକାଳୁ ଉଠି ନିତ୍ୟକର୍ମ ଶେଷକରି ସମ୍ୱାଦପତ୍ର ମଧ୍ୟରେ କିଛି ସମୟ ବୁଡ଼ି ରହିବା ଅମୀୟ ବାବୁଙ୍କର ଅତି ପୁରୁଣା ଅଭ୍ୟାସ । ଖବର କାଗଜ ପଢ଼ିବାରେ ସେ ବ୍ୟସ୍ତ ଥିଲେ । ଘର ଆଗରେ ତାଙ୍କର ଗୋଟିଏ ଟ୍ୟାକ୍‌ସି ଅଟକିବା କଥା ମଧ୍ୟ ସେ ଜାଣିପାରିଲେ ନାହିଁ । ହଠାତ୍‌ ନିକଟରେ ପରିଚିତ ଶଦ୍ଦ ଶୁଣି ସେ ଚାହିଁଲେ । ତାପରେ ଖବର କାଗଜଟିକୁ ଟେବୁଲ ଉପରକୁ ଫୋପାଡ଼ି ଦେଇ, ଠିଆ ହୋଇ ପଡ଼ିଲେ, “ଆରେ ଭାନୁ ! ତୁ କେତେବେଳୁ ? ତୋର ଆସିବାକୁ ଡେରି ହେବ ବୋଲି ତ ଲେଖିଥିଲୁ ।

 

“ହଁ ଡାଡି, ସେମିତି ସେତେବେଳେ ପୋଗ୍ରାମ ଥିଲା । କେତେଜଣ ସାଙ୍ଗ କାଶ୍ମୀର ଯିବାର ପୋଗ୍ରାମ କରିଥିଲୁ । ସେଇଆଡ଼େ ଯିବାର ହେଲାନି । ତେଣୁ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ପହଞ୍ଚିଗଲି ।” ଚନ୍ଦ୍ରଭାନୁ ଅମୀୟ ବାବୁଙ୍କର ପାଦ ଛୁଇଁଲା ପରେ କହିଲା ।

 

“ଆରେ; ଜୟା ଦେଖିଲଣି, କିଏ ଆସିଛି ।” ଅମୀୟ ବାବୁ ଡାକିବା ପୂର୍ବରୁ ଜୟନ୍ତୀ ଦେବୀ ଆସି ପହଞ୍ଚି ଯାଇଥିଲେ ଚନ୍ଦ୍ରଭାନୁର କଥା ଶୁଣି । ପ୍ରଣାମ କରିବାପାଇଁ ନଇଁ ପଡ଼ୁଥିଲା ବେଳେ ଜୟନ୍ତୀ ଦେବୀ ଚନ୍ଦ୍ରଭାନୁକୁ ଅଟକାଇ କୋଳେଇ ନେଲେ । ଦୀର୍ଘ ବର୍ଷେ ହେଲା କେତେ ଦୂରରେ ଯାଇ ଭାନୁ ରହିଥିଲା । ତାଙ୍କ ଆଦରର ପୁଅ । ଆଦରରେ ସେ ଭାନୁର ମୁଣ୍ଡରେ ହାତ ବୁଲାଉଥିଲେ । “ରାସ୍ତାରେ କିଛି ଅସୁବିଧା ହେଲାନାହିଁ ତ ? ଚାଲ ହାତମୁହଁ ଧୋଇବୁ, ମୁଁ ଜଳଖିଆ କରୁଛି ।”

 

ଜୟନ୍ତୀ ଦେବୀଙ୍କ ପଛରେ ସେ ଘର ଭିତରକୁ ଯାଇ ଫେରି ଆସିଲା, “ମୁଁ ଭୁଲି ଯାଇଥିଲି ଡାଡି । ଆପଣ ରହିମ୍‌ ଖାନ୍‌କୁ ଜାଣନ୍ତି ନା ? ବମ୍ୱେରେ ଷ୍ଟେଟ୍‌ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର । ସେ କହୁଥିଲେ ଆପଣ କୁଆଡ଼େ ତାଙ୍କର ବନ୍ଧୁ । ସେ ଆପଣଙ୍କ ପାଖକୁ ଗୋଟିଏ ଚିଠି ଦେଇଛନ୍ତି ।” ଚିଠିଟି ଡାଡିଙ୍କ ହାତକୁ ବଢ଼ାଇ ଦେଇ ଚନ୍ଦ୍ରଭାନୁ ଘର ମଧ୍ୟକୁ ପ୍ରବେଶ କଲା । ଅମୀୟ ବାବୁ ପଢ଼ିବାକୁ ଲାଗିଲେ ।

 

ଆଦରର ଅମୁ !

 

କ୍ଷମା କରିବୁ, ମହାନଗରୀର ମାୟାରେ ତୁମକୁ ଭୁଲିଯାଇ ଯେଉଁ ପାପ ମୁଁ କରିଥିଲି, ତାହାରି ପାଇଁ ତୁମମାନଙ୍କଠାରୁ ଏତେଦିନ ଧରି ବିଚ୍ଛିନ୍ନ ହୋଇ ରହିଲି । ଆଜି ମୋର ନିଦ୍ରା କଟିଯାଇଛି । ଚନ୍ଦ୍ରଭାନୁକୁ ମଧ୍ୟ ଅନୀତା ଅନୁଗ୍ରହରୁ ଚିହ୍ନି ପାରିଲି । ଆଜି ତା ସାଙ୍ଗରେ ସମସ୍ତେ ଚାଲିଯାଇ ଥାଆନ୍ତୁ । ମାତ୍ର ମୋର କେତୋଟି କାମ ବାକି ରହିଯାଇଛି । ତେଣୁ ଆମେ ସମସ୍ତେ ଛଅ ତାରିଖ ଦିନ କଟକରେ ପହଞ୍ଚୁଛୁ । ସାକ୍ଷାତରେ ଆଉ ସବୁ । ଇତି ।

 

ତୋର

ବଂଧୁ

 

“ଯାହାହେଉ ଏ ବର୍ଷର ରାକ୍ଷୀ ଖୁବ୍‌ ଜମକରେ କଟିବ ।” ଚିଠିଟି ପଢ଼ି ସାରିବା ପରେ ମନେ ମନେ ଭାବିଲେ ଅମୀୟ ବାବୁ ।

ଜୟନ୍ତୀ ଦେବୀ ଶିବକୁ ଡାକିଲେ, “ଆରେ ଶିବ ! ତୋର ସାନବାବୁ ଆସିଲେଣି । ଦେଖିବୁ ଆସ ।”

ଘରର ଚାକର ହେଲେ ମଧ୍ୟ ଶିବ ଚନ୍ଦ୍ରଭାନୁର ଯେତେ ଯତ୍ନ ନିଏ ଅନ୍ୟ କେହି ନେଇ ପାରନ୍ତି ନାହିଁ । ପିଲାଟି ଦିନରୁ ଚନ୍ଦ୍ରଭାନୁ ତାହାରି ନିକଟରେ ବଢ଼ିଆସିଛି । ବାପା-ମାଆଙ୍କୁ ଛାଡ଼ିଦେଇ ସେ ରହିଯାଇପାରେ ମାତ୍ର ଶିବକୁ ଛାଡ଼ି ସେ ରହିପାରୁନଥିଲା । ଅଦ୍ଭୁତ ମମତା ସେମାନଙ୍କ ମଧ୍ୟରେ । ଘରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ଚନ୍ଦ୍ରଭାନୁ ଯେମିତି ଶିବ ବିଷୟରେ ପ୍ରଶ୍ନ କରିଥିଲା, ସାନ ବାବୁଙ୍କର ଆସିବା ଖବର ଶୁଣୁ ଶୁଣୁ ସମସ୍ତ କାମକୁ ପଛରେ ପକାଇ ତାଙ୍କୁ ଦେଖିବାକୁ ସେ ଦଉଡ଼ି ଆସିଲା–“ତୁମେ କେତେବେଳୁ ଆସିଲଣି ସାନ ବାବୁ ! କଣ ଦାନ୍ତ ଘଷିଲଣି ନା ? ହଉ ଆସ ମୁଁ ପାଣି ଦେଉଛି ଦାନ୍ତ ଘଷି ପକାଇବ । ଖାଇ ତ ନଥିବ । ତୁମେ ଦାନ୍ତ ଘଷିଲା ବେଳକୁ ମୁଁ ଜଳଖିଆ ଠିକ୍‌ କରି ସାରିଥିବି । ଆସ ବାବୁ ।” ଚନ୍ଦ୍ରଭାନୁର ସ୍ନେହ-ମମତାକୁ ସହଜରେ ଏଡ଼ାଇ ଦେଇ ହୁଏନା । ବାଧ୍ୟ ଶିଶୁଟି ପରି ଚନ୍ଦ୍ରଭାନୁ ଶିବର ଅନୁସରଣ କରିବାକୁ ଲାଗିଲା । ସେମାନଙ୍କୁ ସେହି ଅବସ୍ଥାରେ ଦେଖି ଜୟନ୍ତୀଦେବୀଙ୍କର ମନେ ପଡ଼ୁଥିଲା କେତେ ବର୍ଷ ତଳର କଥା ।

ଚନ୍ଦ୍ରଭାନୁ ତାଙ୍କ ଘରକୁ ଆସିବାର ଦୁଇ-ତିନି ବର୍ଷପରେ ହଠାତ୍‌ ଦିନେ ଶିବ ଆସି ଜୁଟିଥିଲା ତାଙ୍କର ପରିବାରରେ । ପାଗଳଙ୍କ ପରି ରୁକ୍ଷ ଚେହେରା ନେଇ ଯେଉଁଦିନ ସେ ତାଙ୍କର ଦ୍ୱାରସ୍ଥ ହୋଇଥିଲା ଅମୀୟବାବୁ ତାଙ୍କୁ ପଚାରିଥିଲେ,“ତୋର କଣ ଦରକାର ?”

 

ଭାବଶୂନ୍ୟ ଭାବରେ ସେ ସେଦିନ ଉତ୍ତର ଦେଇଥିଲେ “ଭାତ,” ପାଖରେ ସେ ନିଜେ ଠିଆ ହୋଇଥିଲେ । ଅମୀୟ ବାବୁ ପାଖରେ ଠିଆହୋଇ ଶିବ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କଲେ । ଜୟନ୍ତୀ ଦେବୀ ତାକୁ ଖାଇବାକୁ ଦେଇଥିଲେ । ସେ ଖାଇ ସାରିବା ପରେ ଅମୀୟ ବାବୁ ପଚାରିଥିଲେ–“ତୋର ନାମ କ’ଣ ?”

 

“ଶି...ଶି...ଶି” ପଦକୁ ସେ ସମ୍ପୂର୍ଣ୍ଣ କରି ପାରୁ ନଥିଲେ ଯେମିତି । –“କଣ ଶିବ ?” ଅମୀୟ ବାବୁ ସନ୍ଦେହରେ ପଚାରିଲେ ।” ମୁଣ୍ଡ ହଲାଇ ପାଗଳଟି ସ୍ୱୀକାର କଲା–ତାର ନାମ ଶିବ ।

 

ଅମୀୟ ବାବୁ କହିଲେ–“ତୁ ସୁସ୍ଥ ସବଳ ଅଛୁ । ଦେହରେ ତୋର ବଳ ଅଛି । ନିଜେ ଖଟି ନଖାଇ, ମାଗିଖାଇଲେ ତୋତେ ସବୁଦିନ କିଏ ଖାଇବାକୁ ଦେବ ? କାମ କରୁନୁ ?”

 

ବୋକାଙ୍କ ପରି କିଛି ସମୟ ଚାହିଁ ରହିଲା ସେ ଅମୀୟ ବାବୁଙ୍କ ମୁହଁକୁ । ତାପରେ ରହିରହି କହିଲା, “କାମ ମିଳୁନି । କିଏ ଦେଉନାହାଁନ୍ତି ।”

 

ଅମୀୟ ବାବୁ ପଚାରିଲା, “ମୁଁ କାମଦେଲେ, ଆମ ଘରେ ରହି କାମ କରିବୁ ?”

 

ପ୍ରଥମେ କ’ଣ ଭାବି ମନା କରୁଥିଲା ତାପରେ କିଛି ସମୟ ଚିନ୍ତାକରି ପୁଣି ରହିଯିବାକୁ ଓ କାମ କରିବାକୁ ନିଜର ସମ୍ମତି ପ୍ରକାଶ କଲା । ସେହିଦିନଠାରୁ ତାଙ୍କରି ଘରେ ରହିଆସିଛି ।

 

କିଛିଦିନ ପର୍ଯ୍ୟନ୍ତ ତାର ଚାଳିଚଳନ-ବ୍ୟବହାରରେ ସମାନ୍ୟ ପାଗଳାମିର ଆଭାଷ ମିଳିଥିଲା । ମାତ୍ର ପରେ ସବୁ ଠିକ୍‌ ହୋଇ ଯାଇଥିଲା । ଆସିଲାବେଳେ ଘର କାମ ପ୍ରାୟ ଜାଣିନଥିଲା । ଧୀରେ ଧୀରେ ସମସ୍ତ କଥା ଶିଖିଗଲା । ଟଙ୍କା ଦେଲେ ଗ୍ରହଣ କରୁ ନଥିଲା । କେବଳ ତାକୁ ଗଣ୍ଡେ ଖାଇବା ପାଇଁ ଖଣ୍ଡେ ପିନ୍ଧିବା ପାଇଁ ଦରକାର ବୋଲି ପ୍ରକାଶ କରୁଥିଲା । ଜୋରକରି କେବେ ଟଙ୍କାଦେଲେ ନିଜପାଇଁ ଖର୍ଚ୍ଚ କରେନାହିଁ ବରଂ ଚନ୍ଦ୍ରଭାନୁକୁ ଦେଇଦିଏ । ତା ପାଇଁ ବିଭିନ୍ନ ଜିନିଷ ଆଣିଦିଏ । ଚନ୍ଦ୍ରଭାନୁର ଶୈଶବଟି ସୁନ୍ଦର ଭାବରେ କଟିଗଲା ଏଇ ଶିବ ପାଖରେ । ସେ ଘଟଣା ଅନେକ ଦିନର ତଥାପି ଆଜି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଥିବା ସ୍ନେହପୂର୍ଣ୍ଣ ସମ୍ପର୍କ ଠିକ୍‌ ପୂର୍ବପରି ରହିଛି ।

 

ନଅ

 

ଡାକ୍ତର ରାଜେନ୍ଦ୍ର ବ୍ୟସ୍ତ ହୋଇ ପଡ଼ିଲେ–“କି ଅସମ୍ଭବ ଲୋକ ଏ ! ଡାକ୍ତର ଅଥଚ ସମୟ ଜ୍ଞାନ ଜାଣେନା । କି ଡାକ୍ତର ଏ ? ଏମିତି ନିତିହୀନ ଡାକ୍ତର ପାଇଁ କେତେ ଯେ ରୋଗୀ ଅପମୃତ୍ୟୁକୁ ବରଣ କରି ନେଉଥିବେ ? ସାତଟା ବେଳକୁ ଆପଏଣ୍ଟମେଣ୍ଟ ଥିଲା । ବର୍ତ୍ତମାନ ସାଢ଼େଆଠେଟା ବାଜିଲାଣି, ତଥାପି ତାଙ୍କର ଦେଖାନାହିଁ ।”

 

ଅମୀୟ ବାବୁଙ୍କଠାରୁ ଚିଠିଟି ପାଇ ସାରିବା ପରେ ଜ୍ୟୋତିର୍ମୟୀ ଜାଣିବାକୁ କିଛି ବାକି ନଥିଲା ଡାକ୍ତର ରାଜେନ୍ଦ୍ରଙ୍କ ପକ୍ଷରେ । କୌଣସି ଗୋଟିଏ ସମାଧାନ ନକରିବା ପର୍ଯ୍ୟନ୍ତ ଘରକୁ ନଫେରିବାକୁ ସିଦ୍ଧାନ୍ତ କରି ସେ ନୟାଗଡ଼ ଛାଡ଼ିଥିଲେ । ତା ପୂର୍ବରୁ ତାଙ୍କର ଫର୍ମାସିଷ୍ଟ ମନମୋହନକୁ ତାର ମାଆ ଏବଂ ଜ୍ୟୋତି ମାଉସୀକୁ ନେଇ କଟକରେ ଅମୀୟ ବାବୁଙ୍କ ଠିକଣାରେ ତାଙ୍କର ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଠିକ୍‌ ରାକ୍ଷୀପୂର୍ଣ୍ଣିମା ଦିନ ।

 

ଡାକ୍ତର ରାଜେନ୍ଦ୍ରକୁ ଆଉ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ନାହିଁ, ଡାକ୍ତରବାବୁ ପହଞ୍ଚିଗଲେ । ଡାକ୍ତର ଅତୁଲ କୁମାର ଦତ୍ତ ବଲାଙ୍ଗୀର ହସ୍‍ପିଟାଲର ହାଉସ ସର୍ଜନ । ତାଙ୍କୁ ଦେଖୁ ଦେଖୁ ଡାକ୍ତର ରାଜେନ୍ଦ୍ର ଆରମ୍ଭ କଲେ–“ମୋର ଯେତେଦୂର ବିଶ୍ୱାସ ଆପଣ ଡାକ୍ତର ଅତୁଲ ଦତ୍ତ, ମୁଁ ଡାକ୍ତର ରାଜେନ୍ଦ୍ର । ରାଜେନ୍ଦ୍ର ପଟ୍ଟନାୟକ । ଆପଣଙ୍କ ସାଙ୍ଗରେ ଆଜି ସକାଳ ସାତଟାରେ ମୋରି ଏନଗେଜମେଣ୍ଟ ଥିଲା । ଗତ ବୁଧବାର ଦିନ ଏହି ବିଷୟ ନେଇ ମୁଁ ଆପଣଙ୍କ ପାଖକୁ ଟେଲିଗ୍ରାମ କରିଥିଲି, ବୋଧହୁଏ ପାଇଥିବେ ।” କହିସାରି ଡାକ୍ତର ରାଜେନ୍ଦ୍ର ଚାହିଁ ରହିଲେ ଡାକ୍ତର ଅତୁଲଙ୍କୁ ଗମ୍ଭୀର ଭାବରେ ।

 

“ଆପଣ ଠିକ୍‌ ଅନୁମାନ କରିଛନ୍ତି । ମୁଁ ହେଉଛି ଡାକ୍ତର ଅତୁଲ କୁମାର ଦତ୍ତ, ଠିକ୍‌ ସେହି ବ୍ୟକ୍ତି ଯାହାକୁ ଆପଣ ଚାହୁଁଛନ୍ତି । ଆପଣଙ୍କର ଟେଲିଗ୍ରାମ ମଧ୍ୟ ପାଇଥିଲି ।”

 

ଡା. ରାଜେନ୍ଦ୍ରଙ୍କର ବ୍ୟାୟାମପୁଷ୍ଟ ସୁଦୀର୍ଘ ଶରୀର ଉପରେ ଗାମ୍ଭୀର୍ଯ୍ୟର ଛାପ ତାଙ୍କୁ ଆହୁରି ଭୟଙ୍କର କରି ପକାଉଥିଲା । ତାକୁ ଦେଖି ଡାକ୍ତର ଦତ୍ତଙ୍କ ପରି ବ୍ୟକ୍ତିଙ୍କର କଠୋର ହୃଦୟ ଭୟଭୀତ ହୋଇ ପଡ଼ିଥିଲା । ସେ ଭାବୁଥିଲେ–“କିଏ ଏ ଚିହ୍ନା ଭଦ୍ରବ୍ୟକ୍ତି ? କାହିଁକି କେଉଁ କାମରେ ତାଙ୍କ ପାଖକୁ ଆସିଛନ୍ତି ? ତାଙ୍କର ଉଦ୍ଦେଶ୍ୟ ବା କଣ ?

 

“ଭିତରକୁ ଚାଲନ୍ତୁ । ଗୋଟିଏ ଜରୁରୀ କାମରେ ମୁଁ ସୂଦୂର ନୟାଗଡ଼ରୁ ଦଉଡ଼ି ଆସିଛି । ଆପଣଙ୍କ ସ୍ମରଣ ପାଇ କହିଦେଉଛି–ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟରେ ମୁଁ ଅକୃତକାର୍ଯ୍ୟ ହୋଇନି-। ଯିବା ପୂର୍ବରୁ ମୁଁ ଏହାର କିଛି ଗୋଟାଏ ସମାଧାନ କରିଯିବି । ଚାଲନ୍ତୁ ଭିତରକୁ । ସବୁ ବିଷୟ ବସ୍ତୁ ବାହାରେ ଆଲୋଚନା କଲାପରି ନୁହେଁ ।” କହିବା ସାଙ୍ଗେ ସାଙ୍ଗେ ଡାକ୍ତର ରାଜେନ୍ଦ୍ର ନିଜେ ଭିତରକୁ ପ୍ରବେଶ କଲେ । ଡାକ୍ତର ଅତୁଲ ତାଙ୍କୁ ଅନୁସରଣ କରିବାକୁ ବାଧ୍ୟହେଲେ । ତଥାପି ମନେ ମନେ ସେ ବିରକ୍ତ ହୋଇ ପଡ଼ିଲେ–“ଅସମ୍ଭବ ଧୂର୍ତ୍ତ ଲୋକଟା । ତାଙ୍କର ଘରେ ପଶି ତାଙ୍କୁ ଧମକ !”

 

ଡାକ୍ତର ରାଜେନ୍ଦ୍ର ପୁଣି ଆରମ୍ଭ କଲେ–“ଦେଖନ୍ତୁ ମହାଶୟ, ମୁଁ ମଧ୍ୟ ଜଣେ ଡାକ୍ତର । ବ୍ୟର୍ଥରେ ସମୟ ନଷ୍ଟକରିବା ମୋର ନୀତିବିରୁଦ୍ଧ । ଡ୍ରଇଁ ରୁମରେ ସେମାନେ ପହଞ୍ଚି ସାରିଥିଲେ । ନିଜେ ଗୋଟିଏ ସୋଫାରେ ବସି ସାରିବା ପରେ ଡାକ୍ତର ରାଜେନ୍ଦ୍ର ଡାକ୍ତର ଅତୁଲଙ୍କୁ ନିର୍ଦ୍ଦେଶ ଦେଲେ–ବସନ୍ତୁ ।”

 

ଡାକ୍ତର ଅତୁଲ ଡାକ୍ତର ରାଜେନ୍ଦ୍ର ନାମକ ଅନୁପ୍ରବେଶକାରୀଙ୍କ ଅଦ୍ଭୁତ ସାହାସରେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଥିଲେ । ତାଙ୍କର ବ୍ୟକ୍ତିତ୍ୱ ସାମନାରେ ସେ ମଳିନ ପଡ଼ିଯାଇଥିଲେ । ତଥାପି ଡାକ୍ତର ରାଜେନ୍ଦ୍ରଙ୍କ ନିର୍ଦ୍ଦେଶରେ ତାଙ୍କ ସାମନାରେ ଅନ୍ୟ ଗୋଟିଏ ସୋଫା ଉପରେ ବସି କିଛି ସମୟପରେ ସାହାସ ସଂଗ୍ରହ କରି ପଚାରିଲେ–“କୋଲଡ୍‌ ନା ହଟ୍‌ କ’ଣ ଚଳିବ ?”

 

“ଧନ୍ୟବାଦ୍‌ । କିଛି ଦରକାର ନାହିଁ । ବିଷୟ ବସ୍ତୁ ଉପରକୁ ଆସନ୍ତୁ ।” ବିରକ୍ତ ହୋଇ ଡାକ୍ତର ରାଜେନ୍ଦ୍ର କହିଲେ ।

 

“ତା ହେଲେ ଆପଣଙ୍କର କଣ ଦରକାର ଥିଲା ମୋ ନିକଟରେ ?” ଡ. ଅତୁଲ ପ୍ରଶ୍ନ କଲେ ।

 

ବିନା ଭୂମିକାରେ ଡା. ରାଜେନ୍ଦ୍ର କହିଲେ, “ଜ୍ୟୋତିର୍ମୟୀ ମୋର ଭଉଣୀ । ବଡ଼ ଦୁଃଖର କଥା ଏତେ ଦିନ ହେଲା ମୁଁ ଏସବୁ ବିଷୟରେ କିଛି ଜାଣିପାରିନଥିଲି । ଯେତେବେଳେ ଆପଣଙ୍କର କୀର୍ତ୍ତିକଳାପ କଥା ଶୁଣିଲି, ଆପଣଙ୍କ ସାଙ୍ଗରେ ସାକ୍ଷାତ ନକରି ରହିପାରିଲି ନାହିଁ ।

 

ମୁହଁ ତଳକୁ ପୋତିଦେଇ ଡା. ଅତୁଲ, କହିଲେ “ଅତୀତର ବିଷାକ୍ତ ପରିସ୍ଥିତି ପାଇଁ ମୁଁ ଆଜି ଅନୁତପ୍ତ । ଜ୍ୟୋତିର୍ମୟୀକୁ ମୁଁ ହୃଦୟର ସହିତ ଚାହୁଁଛି । ମୋର ଭୁଲ୍‌ ମୁଁ ବୁଝିପାରିଛି । ଅନେକ ସମୟରେ ତା ପାଖକୁ କ୍ଷମା ମାଗିନେବାକୁ ସ୍ଥିର କରୁଛି । ମାତ୍ର ମୋର ଲଜ୍ଜା ମୋତେ ଖାଇଛି । ତାକୁ ମୁଁ ବର୍ତ୍ତମାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।”

 

“ହଁ ସେ ଆସିଲା ପରେ ବିଲାତି ମଦ ସାଙ୍ଗକୁ ସୁନ୍ଦରୀ ଯୁବତୀ ନର୍ସମାନଙ୍କର ମାଂସ ଖୁବ ମଜାଦାର ହେବ, ନ ?” ଡା. ରାଜେନ୍ଦ୍ର ବ୍ୟଙ୍ଗ କଲେ ।

 

“ଡା. ରାଜେନ୍ଦ୍ର ଏତେବେଳ ପର୍ଯ୍ୟନ୍ତ ଆପଣ ମୋତେ କ୍ଷମା କରିପାରିନାହାନ୍ତି । ସେଦିନର ଅତୁଲ ଏବଂ ଆାଜିର ଅତୁଲ ମଧ୍ୟରେ ଆକାଶ ପାତାଳର ପ୍ରଭେଦ । ଆପଣ ମଧ୍ୟ ଏହା ଭିତରେ ମୋ ବିଷୟରେ କିଛି ଖବର ରଖିନାହାଁନ୍ତି ।” ଅନୁତାପରେ ଡା. ଅତୁଲଙ୍କର କଣ୍ଠରୋଧ ହୋଇଗଲା, “ମୁଁ ଆପଣଙ୍କୁ ସମସ୍ତ କଥା ଖୋଲି କହୁଛି । ନହେଲେ ଆପଣ ବୁଝିବେ କେମିତି ?” ତା ପରେ ସେ ପ୍ରକାଶ କଲେ ଡା. ରାଜେନ୍ଦ୍ରଙ୍କ ନିକଟରେ ବିଗତ କିଛିଦିନର ରୋମାଞ୍ଚକର ଘଟଣା ଯେଉଁଥିରେ ତାଙ୍କ ପରି ଏକ ମଦ୍ୟପ ଓ ନାରୀ ମାଂସଲୋଭୀ କାମୁକର ପରିବର୍ତ୍ତନ ଘଟିଥିଲା ।

 

ଷ୍ଟାଫନର୍ସ କାଦମ୍ୱରୀ ସହିତ ମୋର ଘନିଷ୍ଠତା ଥିଲା ଅନେକ ଦିନର । ସେ ସମ୍ପର୍କକୁ କେବଳ ଯୌନ ସମ୍ପର୍କ କୁହାଯାଇପାରେ ! ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ତାର ସାନ୍ନିଧ୍ୟ ପାଇବା ପରଠାରୁହିଁ ମୁଁ ମାତାଲ ହେବାକୁ ଆରମ୍ଭ କଲି । ବିବାହର କିଛି ବର୍ଷ ପରେ ଜ୍ୟୋତିଙ୍କଠାରୁ ସମସ୍ତ ଆକର୍ଷଣ ଦୂରହୋଇ ଆସି ଏକତ୍ରିତ ହେଲା ଏଇ କାଦମ୍ୱରୀଠାରେ । ପାଞ୍ଚ ଛଅ ବର୍ଷ ମଧ୍ୟରେ ସେ ଆଜି ଲକ୍ଷେ ଟଙ୍କାର ମାଲିକ । ଦିନଟି ମୋର ଠିକ୍‌ ଭାବରେ ମନେ ପଡ଼ୁନି-। ମୋର ଅବସ୍ଥା ଏବଂ କାଦମ୍ୱିନୀ ସହିତ ମୋର ସମ୍ପର୍କକୁ ଦେଖି ବହୁତ ଦିନରୁ ଜ୍ୟୋତି କଟକ ଚାଲିଯାଇଥିଲେ । କାଦମ୍ୱରୀ ପ୍ରାୟ ମୋର ବଙ୍ଗଳାକୁ ଆସେ । ପାଖରେ କାଦମ୍ୱରୀକୁ ପାଇ ଖୁବ୍‌ ପିଇଦେଇଥିଲି ସେଦିନ । ରାତି ଅଧରେ ଉଠି ଦେଖିଲି, “ଯେଉଁ ବିଛଣାରେ କାଦମ୍ୱରୀ ମୋ ସହିତ ସମ୍ପୂର୍ଣ୍ଣ ରାତିଟି କଟାଇ ଥାଆନ୍ତା ତାହା ଖାଲିପଡ଼ିଛି । ଭାବିଲି ସେ ବାଥ୍‌ରୁମକୁ ଯାଇଥିବ-। କିଛି ସମୟ ଅପେକ୍ଷା କଲାପରେ ମୁଁ ବୁଝିପାରିଲି ମୋ ଧାରଣା ଭୁଲ । ଆଇରନ୍‌ ଚେଷ୍ଟ ଖୋଲା ପଡ଼ିଥିଲା । ଚେଷ୍ଟ୍‍ ବିଲକୁଲ ଖାଲି । ସେଥିରେ ଜ୍ୟୋତିଙ୍କର କୋଡ଼ିଏ ଭରି ସୁନା ଗହଣା ପରେ ପଚାଶ ହଜାର ଟଙ୍କାର କ୍ୟାସ୍‌ ଥିଲା ।

 

ନିଜ ସମ୍ମାନକୁ ବଞ୍ଚାଇବାକୁ ଯାଇ ପୋଲିସ୍‌ରେ ରିପୋର୍ଟ ସୁଧା ଦେଇ ପାରିଲି ନାହିଁ । ଜାଣି ଜାଣି ଏପରି ପରିସ୍ଥିତିକୁ ଆହ୍ୱାନ କଲି ପ୍ରେମମୟୀ ଜ୍ୟୋତିକୁ ଗୋଡ଼ରେ ଆଡ଼େଇ । ଯେଉଁ ବିଷକନ୍ୟାକୁ ଆଲିଙ୍ଗନ କରି ଆନନ୍ଦ ସାଗରରେ ଡୁବୁକି ଲଗାଉଥିଲି ତାହାରି ବିଷର ପ୍ରଭାବରେ ଜଳିବାକୁ ଲାଗିଲି । ତାର ଜ୍ୱଳାକୁ ଆଜି ମୁଁ ଠିକ୍‌ ଭାବରେ ଅନୁଭବ କରିପାରୁଛି । ଦୁଃଖ ନାହିଁ । ସେତିକିରେ ମୋ ପ୍ରାୟଶ୍ଚିତ ହୋଇଯାଇଛି । ଏତେ ଦିନର ସଞ୍ଚିତ ଅର୍ଥ ମୋର ଚାଲିଯାଇଛି କିନ୍ତୁ ପ୍ରତିବଦଳରେ ମୁଁ ସଂଶୋଧିତ ହୋଇଛି । ବର୍ତ୍ତମାନ ମୁଁ କେବଳ ବିଲାତି ମଦ ନୁହଁ ସୁନ୍ଦରୀ ଯୁବତୀ ନର୍ସ, ଯେଉଁମାନଙ୍କ ପାଇଁ ଦିନେ ମୋଠାରେ ଚରମ ହୀନତା ଦେଖାଯାଇଥିଲା । ସେମାନଙ୍କ ମ୍ୟାଗ୍ନେଟିକ୍‌ ଫୋର୍ସଠାରୁ ମଧ୍ୟ ଦୂରରେ ରହିଛି । ଅନୁତାପରେ ମୁଁ ଯେତିକି ଜଳୁଛି ଜ୍ୟୋତି ମୋର ସେତିକି ମନେପଡ଼ୁଛି । ତାଙ୍କ ସାଙ୍ଗରେ ତୁଳନା କରି ମୋର ହୃଦବୋଧ ହୋଇଛି–ପତ୍ନୀ-ପତ୍ନୀ, ବେଶ୍ୟା-ବେଶ୍ୟା । ପ୍ରଚୁର ଅର୍ଥ ପାଇ ବେଶ୍ୟା, ପତ୍ନୀର ଯେତେ ଅଭିନୟ କରିବାକୁ ଚେଷ୍ଟା କଲେ ମଧ୍ୟ ପତ୍ନୀ ହୋଇପାରେନା । ଏ ସମସ୍ତ କଥା ଶୁଣିବା ପରେ ଆପଣ ମୋ ପ୍ରତି ହୀନ ମନୋଭାବ ଦେଖାଇପାରନ୍ତି । ତଥାପି ଆପଣ ଯେତେବେଳେ ଜ୍ୟୋତିଙ୍କର ଭାଇ ଶୁଣିଯାଆନ୍ତୁ ମୋର ଅତୀତର କୀର୍ତ୍ତିକଳାପ ଯାହା ଆପଣ ପୂର୍ବରୁ ଜାଣିନଥିବେ ଏବଂ ତା ସହିତ ବର୍ତ୍ତମାନର ଅନୁତାପ, ଅର୍ନ୍ତଜ୍ୱାଳା ।” କହିସାରି ଡା. ଅତୁଲ ଦୋଷୀ ପରି ମୁଣ୍ଡ ତଳକୁ କରି ବସି ରହିଲେ । ଡା. ରାଜେନ୍ଦ୍ରଙ୍କୁ ସିଧା ଭାବରେ ଚାହିଁବାପାଇଁ ତାଙ୍କଠାରେ ସତ୍‌ସାହସ ନଥିଲା ।

 

ଡା. ରାଜେନ୍ଦ୍ର ପଚାରିଲେ, “ଆପଣ ତାହାହେଲେ ଜ୍ୟୋତିର୍ମୟୀକୁ ପୁନର୍ବାର ଗ୍ରହଣ କରିବାକୁ ପ୍ରସ୍ତୁତ ?”

 

“ହଁ”, ସେମିତି ମୁହଁ ପୋତି ଉତ୍ତର ଦେଲେ ଡା. ଅତୁଲ ।

 

“ଆଜି ହେଲା ପାଞ୍ଚ ତାରିଖ । ସାତ ତାରିଖ ଦିନ ଆମକୁ କଟକରେ ପହଞ୍ଚିବାକୁ ହେବ-। ଭଗବାନଙ୍କ ସାଙ୍ଗରେ ତୁମକୁ ମଧ୍ୟ ଧନ୍ୟବାଦ । ସେ ତୁମକୁ ସତ୍‌ବୁଦ୍ଧି ଦେଲେ । ଏତେ ସହଜରେ ଆପଣ ଏ କଥା ସ୍ୱୀକାର କରିଗଲେ । ନହେଲେ ମୋତେ ପୁଣି ଅନ୍ୟ ବ୍ୟବସ୍ଥା କରିବାକୁ ପଡ଼ିଥାଆନ୍ତା । ଯାହା ହେଉ ମାମଲାଟି ଏତେ ସୁନ୍ଦର ଭାବରେ ସମାଧାନ ହେଇଗଲା, ଯାହା ମୋର କଳ୍ପନାର ବାହାରେ ଥିଲା ।” କହି କହି ଡା. ରାଜେନ୍ଦ୍ର ଠିଆହୋଇ ପଡ଼ିଲେ, ପୁଣି କହିଲେ, “ଉଉଣୀ ଘରେ ଦୀର୍ଘ ଦୁଇ ଦିନ କଟାଇବାକୁ ମୋର ସତ୍‌ଇଚ୍ଛା ନାହିଁ ତାର ଅନୁପସ୍ଥିତିରେ-। ପୁଣି ଆପଣଙ୍କ ପରି ପାଷାଣ୍ଡ ସାଙ୍ଗରେ । ତେଣୁ ଦୁଃଖ କରିବେନି । ସାତ ତାରିଖ ଦିନ ଆସି ସାଙ୍ଗରେ କଟକ ନେଇଯିବି । ଆଗରୁ ଯାଇ ପହଞ୍ଚି କୌଣସି ଲାଭ ନାହିଁ । ଜ୍ୟୋତି ଏଠାରେ ଥିବା ଅବସ୍ଥାରେ ହୁଏତ କେବେ ଆସି ପୁଣି ଅତିଥି ହୋଇପାରେ ।”

 

ଦଶ

 

ଆଜି ଛଅ ତାରିଖ । ରବିବାର (ରହିମ୍‌ଖାନ୍‌) ସପରିବାରେ ଦୀର୍ଘ ପନ୍ଦର ବର୍ଷ ପରେ ଜନ୍ମସ୍ଥାନକୁ ଫେରିଆସିବେ । ତାଙ୍କର ସ୍ୱାଗତ କରିବା ପାଇଁ ଷ୍ଟେସନରେ ପ୍ରତୀକ୍ଷା କରିଛନ୍ତି ତାଙ୍କର ଭାଇ-ଭାଉଜ, ଅମୀୟ ବାବୁ, ଜୟନ୍ତୀ ଦେବୀ ଓ ଚନ୍ଦ୍ରଭାନୁ । ମନରେ ସେମାନଙ୍କର କେତେ ଆନନ୍ଦ, କେତେ କଳ୍ପନା । ଦୀର୍ଘ ଦିନର ବିଚ୍ଛେଦ ପରେ ସେମାନେ ପୁଣି ଏକତ୍ରିତ ହେବାକୁ ଯାଉଛନ୍ତି । ସେମାନେ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି ଅନେକ ସମୟରୁ ପ୍ରତୀକ୍ଷା କରି ରହିବା ଫଳରେ-। ସେଦିନ ଟ୍ରେନ୍‌ ଘଣ୍ଟାଏ ଲେଟ୍‌ ଥିଲା । ଆହୁରି ଅଧଘଣ୍ଟାଏ ପରେ ଗାଡ଼ି ଆସିବ-

 

ଭାଇ-ଭାଉଜ ବ୍ୟସ୍ତ । ଏତେଦିନ ପରେ ଭାଇ ତାଙ୍କର ଫେରିବା ଆଲ୍ଲା ମେହେରବାନି କରନ୍ତୁ । ଭାଇ ତାଙ୍କର ମଙ୍ଗଳରେ ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିଯାଉ । ମିଆଁ ସାହେବ ବୁକ୍‌ଷ୍ଟଲରେ ବ୍ୟସ୍ତ ହୋଇ ଗୋଟିଏ ଉର୍ଦ୍ଦୁ ପତ୍ରିକା ଓଲଟାଇବାକୁ ଲାଗିଥିଲେ । ଟିକିଏ ଦୂରରେ ତାଙ୍କର ବିବି ସାହେବା ଠିଆହୋଇ ରହିଗଲେ । ବୁର୍ଖା ନଥିଲା ତାଙ୍କ ଶରୀରରେ । ବାପାଙ୍କ ମୃତ୍ୟୁପରେ ସେମାନେ ସେମାନଙ୍କର ସାମାଜିକ କଟକଣାକୁ ଟିକିଏ କୋହଳ କରିପକାଇଛନ୍ତି ।

 

ଦୀର୍ଘ ସମୟ ପ୍ରତୀକ୍ଷା କରି ରହିବାର ଯନ୍ତ୍ରଣା କେବଳ ଅନୁଭବ ଅନୁଭବୀ କରିପାରେ-। ଅମୀୟ ବାବୁ ବାରମ୍ୱାର ଚଷମାଟିକୁ ବାହାର କରି ରୁମାଲରେ ପୋଛିବାକୁ ଲାଗିଥିଲେ ଏବଂ ରବି ବିଷୟରେ ଚିନ୍ତା କରିବାକୁ ଲାଗିଥିଲେ । ପିଲାଟି ଦିନରୁ ସେ ଦୁବଲା-ପତଲା, ବର୍ତ୍ତମାନ ସେମିତି ପୂର୍ବପରି ଅଛି କି ବଦଳିଲାଣି କେଜାଣି । ଦେଖା ଯାଉ ସେମାନେ ତାଙ୍କୁ ଚିହ୍ନିପାରୁଛନ୍ତି କି ନାହିଁ । ଏତେଦିନର ତଫାତ୍‌ । ବାଳ ପାଚିଯିବଣି । ସେ ମଧ୍ୟ ତାଙ୍କ ପରି ମୋଟା ଲେନ୍‌ସର ଚଷମା ବ୍ୟବହାର କରୁଥିବେ । ପ୍ରଥମେ ସେ ପହଞ୍ଚୁ ତା’ପରେ ଦେଖାଯିବ ।

 

ଚନ୍ଦ୍ରଭାନୁର ଅବସ୍ଥା ସମସ୍ତଙ୍କଠାରୁ ବଳି ପଡ଼ିଥିଲା । ମନ ତାର ଅସ୍ଥିର । ତାର ପ୍ରିୟା ସ୍ମିତା ଆସିବ । ତାର ମନେ ହେଉଥିଲା ଯେମିତି ଅନେକ ଦିନରୁ ସେ ତାଠାରୁ ବିଚ୍ଛେଦ ହୋଇଯାଇଛି । ଆସିଲାବେଳେ ସ୍ମିତା ତାକୁ କହିଥିଲା–“ତୁମକୁ ଛାଡ଼ି ମୁଁ ଏଠାରେ କେମିତି ରହି ପାରିବି ଚନ୍ଦ୍ର । ତୁମ ସାଙ୍ଗରେ ମୋ ମନଟା ଚାଲିଯିବ । ପକ୍ଷହୀନା ପକ୍ଷିଣୀ ପରି ପଡ଼ି ରହିବି ମୁଁ ଏଠାରେ । ମୋତେ ଭୁଲି ଯିବନି ତ ତୁମେ ସେଠାରେ ବାପା-ବୋଉଙ୍କୁ ପାଖରେ ପାଇ ।” ଚନ୍ଦ୍ରଭାନୁ ମନେ ମନେ ଭାବୁଥିଲା–“ସତରେ କଣ ସ୍ମିତା ଆଉ ତାକୁ ମନେ ରଖିଥିବ ?” ଘନ ଘନ ସେ ନିଜର ହାତ ଘଡ଼ିକୁ ଦେଖିବାକୁ ଲାଗିଥିଲା । ସମୟ ଯେମିତି କଟୁ ନଥିଲା । ଘଣ୍ଟାର କଣ୍ଟାଗୁଡ଼ିକ ତାକୁ ସ୍ଥିର ହୋଇ ଗୋଟିଏ ନିର୍ଦ୍ଦିଷ୍ଟ ଅଙ୍କରେ ରହିଗଲା ପରି ତାର ମନେ ହେଉଥିଲା । କିଛି ସମୟପରେ ଫାଷ୍ଟ ବେଲ ହେଲା । ଚନ୍ଦ୍ରଭାନୁ ମନରେ ଟିକିଏ ଶାନ୍ତି ଆସିଲା–ସ୍ମିତାର ପ୍ରୀୟ “କାଡ୍‌ବରିଜ-ଚକୋଲେଟ” ଟିକୁ ସେ ଯତ୍ନରେ ପକେଟରେ ରଖିନେଲା । ସ୍ମିତାର ପ୍ରୀୟ ବସ୍ତୁକୁ ଉପହାର ଦେବ କଟକରେ ପ୍ରଥମ ସାକ୍ଷାତରେ । କେମିତି ଭାବରେ ତାର ସ୍ୱାଗତ ଜଣାଇବ ତାହା ଚିନ୍ତା କରୁଥିଲା ।

 

ସେକେଣ୍ଡ ବେଲ ମଧ୍ୟ ହୋଇଗଲା । ସମସ୍ତେ ନିଜ ନିଜର ଜିନିଷପତ୍ରକୁ ଠିକ୍‌ କରି ଗାଡ଼ି ପ୍ଳାଟଫର୍ମରେ ନପହଞ୍ଚିବା ପୂର୍ବରୁ ସେଥିରେ ଉଠିଯିବାକୁ ପ୍ରସ୍ତୁତ ହୋଇ ପଡ଼ିଲେ । କାହାର କେତେ ବଡ଼ ମଜୁରୀ କାମ ରହିଛି କେ ଜାଣେ ? କୁଲିମାନେ ଗଡ଼ିଲେ ମାଲ ବୋଝେଇ କରିବାପାଇଁ, ଟିକେଟ୍‌ କଲେକ୍‍ଟରମାନେ ଗେଟ୍‌ ପାଖରେ ଟିକେଟ୍‌ ଚେକ୍‌ କରିବାପାଇଁ ପ୍ରସ୍ତୁତ ହୋଇ ରହିଲେଣି । ଚନ୍ଦ୍ରଭାନୁ ମଧ୍ୟ ପ୍ରସ୍ତୁତ ହୋଇ ପଡ଼ିଲା ସ୍ମିତାକୁ ଅଭିନନ୍ଦନ ଜଣାଇବା ପାଇଁ ।

 

ଥାର୍ଡ ବଲ ମଧ୍ୟ ହୋଇଗଲା । ଗାଡ଼ି ଆସି ପ୍ଳାଟଫର୍ମ ପାଖାପାଖି ହୋଇଗଲା । ଅମୀୟ ବାବୁଙ୍କ ପାଖକୁ ଆସି ସେ କହିଲା–ଡାଡି ଆପଣ ନିଜେ ଚିହ୍ନନ୍ତୁ ମୁଁ ଆଗରେ ରହିଛି ।

 

ବିରାଟକାୟ ଲୌହଦାନବ ଅନେକ ଯାତ୍ରୀଙ୍କୁ ତାର ହୃଦୟରେ ଧାରଣକରି ବିକଟ ଚିତ୍କାରକରି ପ୍ଳାଟଫର୍ମ ମଧ୍ୟରେ ପ୍ରବେଶକଲା । ଲୋକମାନଙ୍କର ଆରୋହଣ ଓ ଅବତରଣ ଜନିତ କୋଳାହଳରେ ସମଗ୍ର ପ୍ଳାଟଫର୍ମଟି ମୁଖରିତ ହୋଇପଡ଼ିଲା । ଚନ୍ଦ୍ରଭାନୁ କମ୍ପାର୍ଟମେଣ୍ଟର ଦ୍ୱାରଗୁଡ଼ିକୁ ଲକ୍ଷ୍ୟ କରିବାକୁ ଲାଗିଲା । ପ୍ରଥମେ ସେ ଦ୍ୱାର ନିକଟରେ ଦେବସ୍ମିତାକୁ ଦେଖିଲା । ଧୀରେ ଧୀରେ ସ୍ମିତା ଦୁଇ ହାତରେ ଦୁଇଟି ଆଟାଚି ଧରି ତଳକୁ ଓହ୍ଲାଇ ଆସିଲା । ଚନ୍ଦ୍ରଭାନୁକୁ କୌଣସି ସ୍ଥାନରେ ନଦେଖି ସେ ବ୍ୟସ୍ତହୋଇ ପଡ଼ିଥିଲା । ଚନ୍ଦ୍ରଭାନୁ ମଜା ଦେଖିବା ପାଇଁ ଜନଗହଳି ମଧ୍ୟରେ ନିଜକୁ ଲୁଚାଇ ଦେବାକୁ ଚେଷ୍ଟା କରୁଥିଲା । କିଛି ସମୟପରେ ସ୍ମିତା ଚନ୍ଦ୍ରଭାନୁକୁ ଦେଖି ତା ପାଖକୁ ଦଉଡ଼ି ଆସିଥିଲା । ଆଟାଚି ଦୁଇଟିକୁ ତଳେ ପକାଇଦେଇ ଚନ୍ଦ୍ରଭାନୁ ଦେହରେ ନିଜକୁ ଜଡ଼ାଇନେଲା । -“ତୁମେ ଏଡ଼େ ଦୃଷ୍ଟ ଚନ୍ଦ୍ର ! ସେତେବେଳୁ ତୁମକୁ ନପାଇ ମୋ ମନରେ କେତେ ଦୁଃଖ ଅଥଚ ତୁମେ ମଜ୍ଜା ଦେଖିବା ପାଇଁ ଏଇଠି ଚୁପହୋଇ ଠିଆହୋଇଛ ।”

 

ଚନ୍ଦ୍ରଭାନୁ ଓ ଦେବସ୍ମିତାଙ୍କ ଶରୀର ମଧ୍ୟରେ କୌଣସି ଅନ୍ତର ନଥିଲା ସ୍ମିତା ଯେମିତି ଚନ୍ଦ୍ରଭାନୁ ସଙ୍ଗରେ ମିଶିବାକୁ ଚାହୁଁଥିଲା । ଚନ୍ଦ୍ରଭାନୁ କିନ୍ତୁ ଅପ୍ରସ୍ତୁତ ହୋଇପଡ଼ୁଥିଲା । ସ୍ମିତାର ଆଲିଙ୍ଗନ ଫାଶରୁ ନିଜକୁ ମୁକ୍ତ କରିବାକୁ ସେ ଚାହୁଁଥିଲା । ପାଖରେ ବାପା-ମାଆ । ପାଖାପାଖି କେତେ ଯୋଡ଼ା ଆଖି ବିସ୍ଫାରିତ ହୋଇ ସେମାନଙ୍କୁ ଚାହିଁ ରହିଥିଲା । ଯେମିତି ସେମାନେ କେତେବଡ଼ ପାପ କରି ପକାଇଛନ୍ତି । ଏଇଟା ତ ଆଉ ବମ୍ୱେ ନଗରୀ ନୁହେଁ, ପ୍ରାୟ ସମସ୍ତଙ୍କ ଆଖି ସେମାନଙ୍କ ଉପରେ ଲାଖି ରହିଥିଲା ! ଆମ ସମାଜ ତାକୁ ଖୁବ୍‌ ଅଳ୍ପ ବୟସରେ ଅମୀୟ ବାବୁ, ରବିବାବୁ, ଓ ରାଜେନ୍ଦ୍ର ବାବୁଙ୍କ ସାଙ୍ଗରେ ଜାନକୀ, ଜ୍ୟୋତିର୍ମୟୀ ଓ ସଙ୍ଘମିତ୍ରାକୁ ମିଳିତ ହେବାକୁ ଦେଇନଥିଲା । ବର୍ତ୍ତମାନ ବୁଢ଼ା-ବୁଢ଼ୀ ହେବାପରେ ମଧ୍ୟ ସେମାନେ କୌଣସି ସମ୍ପର୍କ ରକ୍ଷାକରିପାରୁ ନଥିଲେ । ଆଉ ଏମାନେ ତ ଯୁବକ-ଯୁବତୀ ! ସ୍ମିତାର କାହାପ୍ରତି ଭ୍ରୂକ୍ଷେପ ନଥିଲା । ଏତେଦିନ ପରେ ସେ ତାର ପ୍ରିୟ ଚନ୍ଦ୍ରଭାନୁକୁ ପାଇଛି । ସେ ତାଠାରୁ ଆଉ କେବେ ଦୂରେଇ ଯିବନି । ଯେ’ ଯାହା କହୁ । ସେ କୌଣସି କଥାପ୍ରତି କର୍ଣ୍ଣପାତ କରିବାକୁ ଚାହୁଁ ନଥିଲା ।

 

“ସ୍ମିତା ! ତୁମର ମମ୍ମି-ଡାଡି କେଉଁଠି ? ସେମାନେ ଆମକୁ ଖୋଜୁଥିବେ ଯେ !” ଚନ୍ଦ୍ରଭାନୁର କଥାରେ ସ୍ମିତା ପ୍ରକୃତିସ୍ଥ ହେଲା ।

 

ଆସ ! ଚନ୍ଦ୍ରଭାନୁର ହାତଧରି ବାଟ କଢ଼ାଇ ନେଲା ସେ । ଗୋଟିଏ ଆଟାଚିକୁ ତଳୁ ଉଠାଇ ନେଲା ପରେ, ଅନ୍ୟଗୋଟିଏ ଆଟାଚିକୁ ଧରି ଚନ୍ଦ୍ରଭାନୁ ସ୍ମିତାର ଅନୁସରଣ କରିବାକୁ ଲାଗିଲା । ଚନ୍ଦ୍ରଭାନୁକୁ ପାଇ ସେ ଖୁବ୍‌ ଆନନ୍ଦିତ ହେଲା ଯେମିତି ପୃଥିବୀର ସମସ୍ତ ଖୁସି ସେ ପାଇଯାଇଛି ।

 

ରବିବାବୁ ଅନୀତା ଦେବୀଙ୍କୁ ସାଙ୍ଗରେ ଧରି କୁଲି ପଛରେ ତଳକୁ ଓହ୍ଲାଇ ଆସିଲେ । ସ୍ମିତା ଓ ଚନ୍ଦ୍ରଭାନୁଙ୍କ ସାଙ୍ଗରେ ସେ ଗୋଟିଏ ଦିଗକୁ ଯିବାକୁ ଲାଗିଲେ । ଯେଉଁ ସ୍ଥାନରେ ଅମୀୟ ବାବୁ ଓ ରବିବାବୁଙ୍କର ଭାଇ ବ୍ୟସ୍ତହୋଇ ତାଙ୍କୁ ଖୋଜି ବୁଲୁଥିଲେ ।”

 

ଚନ୍ଦ୍ରଭାନୁକୁ ସାଙ୍ଗରେ ଦେଖି ରବିବାବୁଙ୍କୁ ଚିହ୍ନିବାରେ ସେମାନଙ୍କର କାହାର ଅସୁବିଧା ହୋଇନଥିଲା । ଅମୀୟ ବାବୁ ସିଧା ସିଧା ଚାଲିଆସିଲେ ରହିମ୍‌ବାବୁଙ୍କ ପାଖକୁ । ଅନେକ ସମୟଟି ଲକ୍ଷ୍ୟ କରି ସାରିବା ପରେ ସେ ତାଙ୍କୁ ଚିହ୍ନି ପାରିନଥିଲେ । ନଚିହ୍ନିଲା ପରି ଯଥେଷ୍ଟ ପରିବର୍ତ୍ତନ ହୋଇଥିଲା ତାଙ୍କଠାରେ ।

 

“ଆରେ ରବି ତୁ ଏତେଦିନ ରହିଗଲୁ ସେଠାରେ ।” ପରସ୍ପରକୁ ଆଲିଙ୍ଗନ କରି ନିଶ୍ଚଳ ଭାବରେ ଠିଆହୋଇ ରହିଥିଲେ । ଆନନ୍ଦରେ ଦୁହିଁଙ୍କ ଆଖିରୁ ଲୁହ ବାହାରିବାକୁ ଲାଗିଥିଲା । ପାଟିରୁ କାହାର କଥା ବାହାରୁ ନଥିଲା । ନିରବରେ ସେମାନେ ପରସ୍ପରର ମନକୁ ବୁଝିବାକୁ ଚେଷ୍ଟା କରୁଥିଲେ । ଅନ୍ୟମାନେ କେବଳ ନିରବ ଦର୍ଶକ ଭାବରେ ଦେଖିଯାଉଥିଲେ ସେହି ଦୃଶ୍ୟକୁ । ସ୍ମିତା ସେ ଦୁହିଁଙ୍କୁ ନିର୍ଦ୍ଦେଶକରି ଦେଖାଇ ଦେଲା ଚନ୍ଦ୍ରଭାନୁକୁ । ଚନ୍ଦ୍ରଭାନୁ ଉତ୍ତର ଦେଲା–“ସେ ହେଉଛନ୍ତି ମୋ ଡାଡି ତୁମ ଡାଡିଙ୍କର ବାଲ୍ୟବନ୍ଧୁ ।”

 

ସ୍ମିତା ମଧ୍ୟ ଖୁସିହେଲା ! ଚନ୍ଦ୍ରଭାନୁର ହାତକୁ ଜୋରରେ ଚାପିଧରି କହିଲା–“ଆମର ବନ୍ଧୁତ୍ୱ ମଧ୍ୟ ଏପରି ରହୁ ।” ଚନ୍ଦ୍ରଭାନୁ ସ୍ମିତାର କଥା–ମୁହଁରେ ଜବରଦସ୍ତ ହସର ପାଖୁଡ଼ା ଖେଳେଇ କହିଲା–“ଏ କେମିତି ସମ୍ଭବ ଡିୟର ! ଯେଉଁ ସମାଜର ଲୋକେ କେତେକ ଯୁବକର ଘନିଷ୍ଠତାକୁ ସ୍ୱାଗତ କରି ପାରନ୍ତି ନାହିଁ, ଆମର ସମ୍ପର୍କକୁ କେମିତି ଅଭିନନ୍ଦନ ଜଣାଇବେ । ତୁମେ ଜାଣି ନଥିବ ଯେତେବେଳେ ତୁମ ଡାଡି କଟକରେ ଥିଲେ ବାପାଙ୍କର ଆଉ ଜଣେ ବନ୍ଧୁ ମଧ୍ୟ ସେମାନଙ୍କ ସାଙ୍ଗରେ ଥିଲେ । ଲୋକମାନଙ୍କ ପାଖରେ ସେମାନେ ତ୍ରିମୂର୍ତ୍ତି ନାମରେ ପରିଚିତ । ଅନେକ ସମୟରେ ସେମାନଙ୍କୁ ଏକତ୍ର ଦେଖି ବ୍ୟଙ୍ଗରେ ଅନ୍ୟମାନେ ତାଙ୍କର ସେହିପରି ନାମକରଣ କରିଥିଲେ । ଏ ତ ଆଉ ତୁମର ବମ୍ୱେନଗରୀ ନୁହେଁ ।”

 

ପରିଚୟର ପ୍ରଥମ ପର୍ବରେ ହିଁ ସମସ୍ତଙ୍କର ପରିଚୟ ଘଟିଥିଲା । ତା’ପରେ ଚାରୋଟି ରିକ୍‌ସା ଚାଲିଥିଲା ସେମାନଙ୍କୁ ତାର ପୃଷ୍ଠରେ ବହନକରି । ଚନ୍ଦ୍ରଭାନୁ କହିଲା, “ତୁମକୁ ଏଠାରେ ଭଲ ଲାଗିବନି ସ୍ମିତା । ବମ୍ୱେ ପରି ଏଠାରେ ତୁମେ କିଛି ପାଇପାରିବ ନାହିଁ । ମେରିନ୍‌ଡ୍ରାଇଭ୍‌ ନାହିଁ କିମ୍ୱା ସେଠିକାର ପରି ପାର୍କ ନାହିଁ । ଅବଶ୍ୟ ବର୍ତ୍ତମାନ ଗୋପବନ୍ଧୁ ପାର୍କର ସଂସ୍କାର ହୋଇଗଲାଣି-। ହୁଏତ ତୁମର ପସନ୍ଦ ନ ହୋଇପାରେ ।”

 

“ସେ ସବୁ ତୁମର ଭୁଲ ଧାରଣା ଚନ୍ଦ୍ର ! ତୁମେ ତ ଚାଲି ଆସିଲ ଜାଣିବ କଣ ? ତୁମେ ଆସିବା ପରେ ମୋତେ ସେ ସବୁ ବିଷପରି ଲାଗିଥିଲା, ମୁ ଆଉ ଘରୁ ବାହାରି ନଥିଲି । ବର୍ତ୍ତମାନ ତୁମେ ମୋ ପାଖରେ ଅଛ । ମୋତେ ସବୁ ଭଲ ଲାଗିବ ।” ରିକ୍‌ସାରେ ଚନ୍ଦ୍ରଭାନୁକୁ ଲାଗିକରି ସ୍ମିତା ବସିଥିଲା । ତା ମନରେ ଆଜି ଅପୂର୍ବ ଶିହରଣ ଯେମିତି ସେଥିରେ ପର ଲାଗିଛି ।

 

ଘରେ ପହଞ୍ଚୁ ପହଞ୍ଚୁ ଚନ୍ଦ୍ରଭାନୁ ସ୍ମିତାକୁ ଶିବ ସହିତ ପରିଚୟ କରିଦେବାକୁ ବାହାରିଲା । ଚାକର ହେଲେ ବି ମଣିଷ ତ । ବିଚରା ଶିବ ସକାଳୁ ଠାକୁର ଘରୁ ବାହାରି ଆସିବାବେଳେ ଛୋଟ ନୌକାଠାରେ ତାର ମୁଣ୍ଡଟା ପିଟି ହୋଇଯାଇଛି । ଡାକ୍ତରଖାନାରୁ ଫେରି ତା’ ନିଜ ରୁମରେ ବିଶ୍ରାମ ନେଇଛି । ବିଚାରା ଖୁବ୍‌ ଆଘାତ ପାଇଛି ।

 

ଚନ୍ଦ୍ରଭାନୁ ସ୍ମିତାକୁ ଶିବ ସାଙ୍ଗରେ ପରିଚୟ କରାଇ ଦେବାପରେ ସେ ଖୁସି ହୋଇପଡ଼ିଛି, ଯେମିତି ତାର କିଛି ହୋଇନି । ଘରେ ଏତେ ଅତିଥି, ସେ ସେମାନଙ୍କର ପରିଚର୍ଯ୍ୟା ପାଇଁ ପ୍ରସ୍ତୁତ କରିବାକୁ ଉଠିଗଲା । ମୁଣ୍ଡରେ ଆଘାତ ପାଇବା ପରଠାରୁ ସେ ଯେମିତି ନୂତନ ଜୀବନ ଲାଭ କଲା । ସେ ତାର ଲୋପ ହୋଇଥିବା ସ୍ମୃତିଶକ୍ତିକୁ ଫେରିପାଇଲା । ଘର କଥା, ପରିବାର କଥା ତାର ସମସ୍ତ ମନେ ପଡ଼ିବାକୁ ଲାଗିଲା । ମୁଣ୍ଡର ଆଘାତ ଠିକ୍‌ ହେଲାପରେ ସେ ଘରକୁ ଯାଇ ବୁଲିଆସିବାକୁ ଠିକ୍‌ କରିନେଲା କିନ୍ତୁ ଚନ୍ଦ୍ରକୁ, ତାର ଆଦରର ଚନ୍ଦ୍ରଭାନୁକୁ ଛାଡ଼ିଯିବାକୁ ତାର ଇଚ୍ଛା ହେଉନଥିଲା । ଭଗବାନଙ୍କର ତ ଦୟା ହେଲାନାହିଁ । ଗୋଟିଏ ପୁଅକୁ ତାଙ୍କଠାରୁ ଦୂରେଇ ଦେଲେ । ହେଲେ ଅନ୍ୟ ପୁଅଟି ଠିକ୍‌ ଏମିତି ହୋଇଥିବ ।

 

“ଶିବ ! ତୁମର ମୁଣ୍ଡରେ ଆଘାତ ଲାଗିଛି । ତୁମେ କାମ କରିବାକୁ ଯାଅନାହିଁ । ଡାକ୍ତର ପରା ତୁମକୁ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।” ସ୍ମିତା ମଧ୍ୟ ଚନ୍ଦ୍ରଭାନୁର କଥାକୁ ସମର୍ଥନ କଲା-। ସେମାନେ ଧରାଧରି ହୋଇ ଶିବକୁ ପୁଣି ଶୁଆଇ ପକାଇଲେ ତା ବିଛାଣାରେ । ଚନ୍ଦ୍ରଭାନୁ କହିଲା, “ଦେଖ ଶିବ ତୁମେ ଯଦି ଏ ଖଟ ଉପରୁ ତଳକୁ ଓହ୍ଲାଇବ ତେବେ ତୁମ ସାଙ୍ଗରେ କଟି ହୋଇଯିବି ।” “ହେଲା ବାବୁ ଏଥର ଆଉ ତଳକୁ ଓହ୍ଲାଇବି ନାହିଁ ।” ଶିବ ଅବାଧ୍ୟ ହେଲାନାହିଁ ।

 

ରବିବାବୁ ଓ ଅମୀୟ ବାବୁଙ୍କ ମଧ୍ୟରେ ଆଲୋଚନା ଚାଲିଛି ଏଇ ପନ୍ଦର ବର୍ଷ ମଧ୍ୟରେ ଘଟିଯାଇଥିବା ବିଷୟ ବସ୍ତୁକୁ ନେଇ । ରାଜାଭାଇଙ୍କ ସାଙ୍ଗରେ ତାଙ୍କର ବିବି ଏବଂ ଅନୀତା ଦେବୀ ତାର ଶ୍ରୋତା ଥିଲେ । ଆଜି ଛଅ ତାରଖ । ସଙ୍ଘମିତ୍ରା-ଗଣେଶବାବୁଙ୍କ ସାଙ୍ଗରେ ତାଙ୍କର ସନ୍ତାନ-ସନ୍ତତିଙ୍କୁ ନେଇ କାଲି ପହଞ୍ଚିବେ । ରାଜେନ୍ଦ୍ର ମଧ୍ୟ ଆସିବେ । ଖୁବ୍‌ ମଜ୍ଜା ହେବ । ଆଜି ତ ଏତିକିରେ ତାଙ୍କ ଘର ଉଠୁଛି ପଡ଼ୁଛି । କାଲି ଆହୁରି ଆସିବେ । ସେତେବେଳେ କେତେ ଆନନ୍ଦ ନହେବ ! ସ୍ମିତା ଓ ଚନ୍ଦ୍ରଭାନୁ ଏପରି କୋଳାହଳଠାରୁ ଦୂରେଇ ବାଲ୍‌କୋନୀ ଉପରେ ବସି ଭବିଷ୍ୟତର ସୁନେଲୀ କଳ୍ପନାରେ ନିଜକୁ ହଜାଇ ଦେଇଥିଲେ ।

 

ଏଗାର

 

ଆଜି ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କର ପବିତ୍ର ଦିବସ । ସ୍ନେହର ବନ୍ଧନକୁ ଆଜି ଭଉଣୀ ବାନ୍ଧିଦେବ ଭାଇ ହାତରେ । ସ୍ନେହର ଡୋରିରେ ସେମାନେ ବାନ୍ଧି ହୋଇଯିବେ ଜୀବନ ଥିଲା ପର୍ଯ୍ୟନ୍ତ । ସମୟ ବିତିଯିବ ମାତ୍ର ସମସ୍ତ ଘଟଣାବଳୀ ସେମାନଙ୍କ ପାଇଁ ସ୍ମରଣୀୟ ହୋଇରହିଯିବ ।

 

ଗତକାଲି ସଙ୍ଘମିତ୍ରାର ପରିବାର ଆସିବାର ଥିଲା । କ’ଣ ଅସୁବିଧା ହେଲା ? ସେମାନେ ଆସିଲେ ନାହିଁ କାହିଁକି ? ଅମୀୟ ବାବୁ ଚିନ୍ତିତ ହୋଇପଡ଼ିଲେ । ତାଙ୍କର ଦୃଢ଼ ବିଶ୍ୱାସ ଥିଲା ସେମାନେ ନିଶ୍ଚୟ ଆସିବେ । ସଙ୍ଘମିତ୍ରା ନଆସିଲେ ସେ ରାକ୍ଷୀ ପିନ୍ଧିବେ କହାଠାରୁ । ଏଇ କେତେବର୍ଷ ହେଲା ଏକମାତ୍ର ସଙ୍ଘମିତ୍ରା ହିଁ ତାଙ୍କୁ ରାକ୍ଷୀ ପିନ୍ଧାଇ ଦିଏ । ତେଣୁ ଅମୀୟ ବାବୁ ସମସ୍ତ ସରଞ୍ଜାମର ବ୍ୟବସ୍ଥା କରିସାରିଥିଲେ । ବୋଉ ମଧ୍ୟ ବେଳେବେଳେ ଆସି ସେମାନଙ୍କ ପାଖରୁ ବୁଲିଯାଉଛି । ବୋଉ ରହିମକୁ ପଚାରିଲା, “ଆଚ୍ଛା ପୁଅ ରବି ତୁମର କଣ ଏ ସବୁ କଥା ମନେ ପଡ଼େନି ? ଦେଖ ତ ! ଅମୁ ଆଜି ସକାଳୁ କେମିତି ହେଉଛି ? ପ୍ରତିବର୍ଷ ଏଇ ଦିନରେ ସେ ପାଗଳ ପରି ହୋଇଯାଏ ।”

 

ଦୀର୍ଘଶ୍ୱାସ ପକାଇ ରବିବାବୁ କହିଲେ, “କଣ କରିବା ମାଉସୀ ଏତେ ଦୂରରେ ରହିଲେ-। ମନେ ପକାଇ କଣ ଆସିହେଉଛି । ମନକଷ୍ଟ ହେବା ହିଁ ସାରହେଉଛି ।”

 

କର୍ତ୍ତବ୍ୟର ଚାପରେ ମାଉସୀ ପୁଣି ଭିତରକୁ ଚାଲିଗଲେ । ରବିବାବୁ ଆରମ୍ଭ କଲେ, “ତୁ ପ୍ରକୃତରେ ମହାନ୍‌ ଅମୁ ! ଅତୀତକୁ ଆମର ତୁ କେବଳ ଜୀବନ୍ତ କରି ରଖିଛୁ । ମୁଁ ହତଭାଗା ସେ ସବୁକୁ ଭୁଲିଯାଇ ଆଜିପର୍ଯ୍ୟନ୍ତ ପଡ଼ିରହିଲି । ଆମେ ସମସ୍ତେ ତୋର ମନରେ ଥିଲୁ । ମୁଁ କିନ୍ତୁ ସମସ୍ତଙ୍କୁ ମୋ ମନରୁ ବାହାର କରି ଦେଇଥିଲି । ମୋର କେତେ ବଡ଼ ଗୋଟାଏ ପରିବର୍ତ୍ତନ ହୋଇଗଲା ସତେ !”

 

“ରବି ! ଏ ଦୁନିଆ ତ ପରିବର୍ତ୍ତନଶୀଳତାର ଗୋଟିଏ ଆଧାର । ସମସ୍ତେ ପରିବର୍ତ୍ତିତ ହୁଅନ୍ତି, ଶୀଘ୍ର ହେଉ ବା ବିଳମ୍ୱରେ । ସେଥିରେ ଦୁଃଖ କରିବାର କଣ ଅଛି ?” ଅମୀୟ ବାବୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ ।

 

“ହଁ” ଏକ ଦୀର୍ଘନିଶ୍ୱାସ ନିର୍ଗତ ହେଲା ରବିବାବୁଙ୍କର ମୁହଁରୁ । “ଆମେ ଯୁବକ ଥିଲେ, ସମସ୍ତ କଥା ମନେ ରଖିଥିଲେ । ଏଣିକି ବୁଢ଼ା ହେଲେ, ଭୁଲି ମଧ୍ୟ ଗଲେ । ଏଣିକି ଆମ ପିଲାମାନେ ସବୁ ସବୁ ମନେ ରଖିବେ । ତାଙ୍କ ନିକଟରେ ଏସବୁ ସ୍ମରଣୀୟ ହୋଇରହିବ ।”

 

“ତୁ ତ ଆଜିକାଲି ଦାର୍ଶନିକ ହୋଇ ଗଲୁଣିରେ ରବି । ଚିନ୍ତା କରିବାକୁ ଆହୁରି ବୟସ ପଡ଼ିରହିଛି । ବିଶେଷ କରି ଆଜି ପରି ଦିନରେ ସେ ସବୁ କଥା ତୋ ମନକୁ ନ ଆଣିବା ଉଚିତ୍‌ । ଆଜି ଦିନଟିକୁ ଉପଭୋଗ କଲାପରି କର । ମୁଁ ମଧ୍ୟ ସଙ୍ଘମିତ୍ରାଠାରୁ ଅନେକ ଦିନ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ପାରିନଥିଲି । ପରେ ସେ ଥରେ ତା ସ୍ୱାମୀଙ୍କୁ ନେଇ ଆସିଥିଲା । ତାପରଠାରୁ ମୁଁ ରାକ୍ଷୀ ପାଇବାକୁ ଲାଗିଛି ।”

 

ହସିଲେ ରବିବାବୁ, “ତୁ ଏକା ଭାଗ୍ୟବାନରେ ଅମୁ । ଚାଳିଶ ବର୍ଷ ହେବ । ଏ ବୟସରେ କେବଳ ମୁଁ ଚିନ୍ତା କରିଯାଉଛି । ସେଥିରେ ମୁଁ ଆନନ୍ଦ ପାଉଛି ।”

 

ଠିକ୍‌ ସେତିକିବେଳେ ବାହାରେ କାହାର ଶବ୍ଦ ଶୁଣାଗଲା, “ଅମୀୟ ବାବୁ ଘରେ ଅଛନ୍ତି କି ?” ଶଦ୍ଦ ଶୁଣି ଅମୀୟ ବାବୁଙ୍କ ନିର୍ଦ୍ଦେଶରେ ରବିବାବୁ ଉଠିଗଲେ ବାହାରକୁ । ଆଗନ୍ତୁକଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ–ଏ କଣ ! ସେ କାହାକୁ ଦେଖୁଛନ୍ତି ? ଏ ଯେ ଚନ୍ଦ୍ରଭାନୁଙ୍କର ଏକ ପ୍ରତିବିମ୍ୱ । ନିଜକୁ ପ୍ରକୃତିସ୍ଥ କରି ସେ ଉତ୍ତର ଦେଲେ, “ହଁ ଅମୀୟ ବାବୁ ଅଛନ୍ତି ଭିତରକୁ ଆସ ।”

 

ରିକ୍‌ସାରେ ବସିଥିବା ସ୍ତ୍ରୀ ଦୁଇଜଣକୁ ଓହ୍ଲାଇ ଆସିବାକୁ ନିର୍ଦ୍ଦେଶ ଦେଲେ ଯୁବକ ଜଣକ-। ରବିବାବୁ ସେମାନଙ୍କୁ ଦେଖିଲେ । ତାଙ୍କର ମନେ ହେଲା ସେମାନେ ଯେମିତି ତାଙ୍କର ପରିଚିତା ମାତ୍ର କେବେ, କେଉଁଠି ସେମାନଙ୍କ ସହିତ ସାକ୍ଷାତ ହୋଇଥିଲା ତାହା ତାଙ୍କର ମନେପଡ଼ୁନଥିଲା । ଅଭଦ୍ରଙ୍କ ପରି ଠିଆହୋଇ ଅଧିକ ସମୟ ସେମାନଙ୍କୁ ସେ ଦେଖିପାରିଲେ ନାହିଁ । ଭିତରକୁ ଚାଲି ଆସିଲେ । ଯୁବକଟି ମଧ୍ୟ ଏପରି ଆଚରଣରେ ବିରକ୍ତ ହୋଇ ପଡ଼ିଥିଲା ।

 

ଅମୀୟ ବାବୁଙ୍କୁ ଜ୍ୟୋତିର୍ମୟୀ କିମ୍ୱା ଜାନକୀ କେହି ଚିହ୍ନି ପାରିଲେ ନାହିଁ, କେବଳ ଅନୁମାନ କଲେ ଯାହା । ପୂର୍ବର ଚେହେରା ତାଙ୍କର ନଥିଲା । ସଂସାରର ଝଡ଼ ଝଞ୍ଜା ମଧ୍ୟରେ ସେ ଭାଙ୍ଗି ପଡ଼ିଥିଲେ । ଅମୀୟ ବାବୁ ମଧ୍ୟ ଜାନକୀକୁ ଚିହ୍ନିପାରି ନଥିଲେ । କାରଣ ହଠାତ୍‌ ସେମାନଙ୍କର ଆସିବାର କୌଣସି କାରଣ ମଧ୍ୟ ନଥିଲା । କିନ୍ତୁ ଜ୍ୟୋତିର୍ମୟକୁ ଚିହ୍ନିପାରି ପଚାରିଲେ, “ତୋର ଅବସ୍ଥା ଏ କ’ଣ ହୋଇଛି ଜ୍ୟୋତି ?”

 

ଏକ ସାଙ୍ଗରେ ଜ୍ୟୋତିର୍ମୟୀ ଓ ଜାନକୀ ଅମୀୟ ବାବୁଙ୍କ ପାଦଧରି ଲୁହ ଗଡ଼ାଇବାକୁ ଲାଗିଥିଲେ । ନିକଟରେ ଠିଆ ହୋଇ ରବିବାବୁ ଏ ମିଳନ ଦୃଶ୍ୟ ଦେଖୁଥିଲେ । କିଛି ସମୟ ପରେ ସେ କହିଲେ, “କଣ ଜ୍ୟୋତି ! ଅମୁକୁ ଚିହ୍ନିପାରିଲ ଆଉ ଏ ପଠାଣଟା ପ୍ରତି ତୁମର ଘୃଣା ହେଲା ନା ?”

 

ଏଥର ପଛକୁ ବୁଲି ରହିମବାବୁଙ୍କୁ ପ୍ରଣାମ କଲେ । ଏହିମାନେ ହେଉଛନ୍ତି ସେହିମାନେ ଯେଉଁମାନଙ୍କ ପାଖରେ ସେ ରବିଭାଇ ଭାବରେ ପରିଚିତ ହୋଇପଡ଼ିଥିଲେ । ରହିମ୍‌ଖାନ୍‌ରୁ ରବିଭାଇ । କିଛି ସମୟ ପୂର୍ବରୁ ତାଙ୍କର ଫ୍ରେଞ୍ଚକଟ୍‌ ଦାଢ଼ି ମଧ୍ୟରେ ହସ ହସ ମୁହଁଟିକୁ ଦେଖି ଯେ କେହି ଖୁସି ହେଉଥିଲା ମାତ୍ର ସେତେବେଳେ ତାଙ୍କୁ ଦେଖି କାନ୍ଦିବାକୁ ଇଚ୍ଛା ହେଉଥିଲା । ଜ୍ୟୋତିର୍ମୟୀ ଜାନକୀଙ୍କ ପରି ସେ ମଧ୍ୟ କାନ୍ଦିବାକୁ ଲାଗିଲେ ।

 

ପରିବେଶ ଖୁବ୍‌ ଦୁଃଖପୂର୍ଣ୍ଣ ହୋଇ ଯାଉଥିଲା । ମନମୋହନର ଆଖିକୁ ମଧ୍ୟ ଲୁହ ସକ୍ରାମିତ ହୋଇଯାଇଥିଲା । ନୀରବ ଭାବରେ ଠିଆହୋଇ ସେ ଲୁହ ଗଡ଼ାଉଥିଲା ଯେମିତି ସେ ତାଙ୍କୁ ସମବେଦନା ଜଣାଉଥିଲା । ଅମୀୟ ବାବୁ ଏତେବେଳକେ କହିଲେ ଅଭିମାନରେ–“କଣ ! ଏତେ ଦିନରେ ତୁମର ମନେପଡ଼ିଲା ? ଆସିଲ ଦେଖିବାକୁ ତୁମର ଅମୁଭାଇ ବଞ୍ଚିଛି କି ନାହିଁ ?

 

“ସେ କଥା କୁହନା ଅମୁଭାଇ ! ତୁମମାନଙ୍କୁ ବାଧ୍ୟହୋଇ ଭୁଲିଯାଇ ସେଠାରେ ମୁଁ କେମିତି ଭାବରେ ସମୟ କଟାଉଛି ସେକଥା ତୁମେ କେମିତି ବୁଝିବ ? ଆମେ ଦୁଇଟା ବଡ଼ ହତଭାଗିନୀ ଭାଇ ! କେବଳ ତୁମକୁ କାହିଁକି, ଆମ ଜୀବନରେ ଆମେ ଅନେକଙ୍କୁ ହରାଇଛୁ । “ଜାନକୀ ଉତ୍ତର ଦେଲା ।

 

“ଛାଡ଼ ସେସବୁ ବାଜେ କଥାକୁ । ଆଜି ପରି ଦିନକୁ ଏମିତି ନିରସ କରିବା ଭୁଲ ନୁହେଁ । ହଁ ଏ ବାବୁ କିଏ ଚିହ୍ନିପାରିଲି ନାହିଁ ତ !” ସେତେବେଳ ପର୍ଯ୍ୟନ୍ତ ଅମୀୟ ବାବୁ ମନମୋହନକୁ ଭଲ ଭାବରେ ଲକ୍ଷ୍ୟ କରି ପାରି ନଥିଲେ । ହଠାତ୍‌ ତାଙ୍କୁ ଦେଖିବା ପରେ ମନ ତାଙ୍କର ଅଜଣା ଆଶଙ୍କାରେ ଥରି ଉଠିଲା । “ସେ ପରା ମୋର ପୁଅ ମନମୋହନ” ଜାନକୀ ଚିହ୍ନାଇ ଦେଲା ।

 

ଅମୀୟ ବାବୁ ନିଜର ମନଭାବକୁ ଗୋପନ ରଖି କହିଲେ–“ହଁ, ଅନେକ ଦିନରୁ ତୁମର ଖବର ପାଇ ନଥିଲି । କ’ଣ ସମସ୍ତେ ଭଲରେ ଅଛ ନା ?”

 

ଜାନକୀ ଆରମ୍ଭ କଲା, “କଣ କହିବୁ ଭାଇ ! ଆମେ ଦୁଇଟିଯାକ ହତଭାଗିନୀ । କାହାଣୀ ଆମର ଅଶ୍ରୁରେ ଲେଖାହୋଇଛି । ସେ ସବୁ ଶୁଣି ତୁମର ଲାଭ ତ ହେବନି କେବଳ ଯାହା ଦୁଃଖ କରିବ । କାନ୍ଦିବ ।”

 

“ଏତେବଡ଼ କଥା ତୁ କହିପାରୁଛୁ ଜାନକୀ ? ତୁମେ କଣ ଜାଣିବ ଭାଇର ମନ ! ତୁମର ଟିକିଏ ଖବର ପାଇବା ପାଇଁ ମୋର ମନ କେତେ ବ୍ୟାକୁଳ ହୁଏ । ମୋର ଦୁଃଖ ହୁଏ ଜାନକୀ ଆଜି ପର୍ଯ୍ୟନ୍ତ ତୁମେ କେହି ମୋତେ ବୁଝିପାରିଲ ନାହିଁ । ବୁଝିବାକୁ ଚେଷ୍ଟା ମଧ୍ୟ କଲନାହିଁ ।”

 

“ଠିକ୍‌ ସେଇୟା ନୁହେଁ ଭାଇ” ଜାନକୀ ପ୍ରତିବାଦ ଜଣାଇଲା । “ଆମେ ତୁମକୁ ଠିକ୍‌ ବୁଝିଛୁ । ମାତ୍ର ତୁମେ ଆମର ଏତେବଡ଼ ବିପଦ କଥା ଶୁଣି ସ୍ଥିରହୋଇ ରହିପାରିବ କି ? ସେଇଥିପାଇଁ ଜଣାଇବାକୁ ଇଚ୍ଛା ହୁଏନା । ଆମେ ତ ଏତିକି ଦିନରେ ଆମର ହୃଦୟକୁ ପଥର କରିନେଲୁଣି । ତୁମର ସରଳ ମନରେ ଖାଲିଟାରେ ବୋଝ ଲଦିବାକୁ ଯିବୁ କାହିଁକି ?

 

“ନା ରେ ପାଗଳୀ ! ଜଣଙ୍କର ଦୁଃଖକୁ ଅନ୍ୟମାନେ ବାଣ୍ଟିନେଲେ ତାର ଭୀଷଣତା କମିଯାଏ । ତା ବ୍ୟତୀତ ତୋର ଭଲମନ୍ଦ ଖବର ଆମକୁ ନ ଶୁଣାଇ ତୁ ଶୁଣାଇବୁ କାହାକୁ ? ହଁ, ଯଦି ତୁ ଆମକୁ ସେଥିପାଇଁ ଅଯୋଗ୍ୟ ମନେ କରିଥାଉ ତେବେ ଅଲଗା କଥା । କଣ କହୁଛ ଭଣଜା ବାବୁ ! ତୁମେ ବି ତ କିଛି କୁହ ।” ମନମୋହନଙ୍କୁ ଚାହିଁ ଅମୀୟ ବାବୁ ପ୍ରଶ୍ନକଲେ ବିଷୟ ବସ୍ତୁର ଗମ୍ଭୀରତାକୁ ଏଡ଼ାଇ ଦେବାପାଇଁ ।

 

ମନମୋହନ ଉତ୍ତର ଦେଲା–“ମୁଁ କଣ କରିବି ମଉସା ! ନୟାଗଡ଼ରେ ଡାକ୍ତର ରାଜେନ୍ଦ୍ରଙ୍କ ପାଖରେ ମୁଁ କାମ କରୁଛି । ତିନିଦିନ ପୂର୍ବରୁ ମୋତେ ଆପଣଙ୍କ ଠିକଣାରେ ବୋଉ ଓ ଜ୍ୟୋତି ମାଉସୀଙ୍କ ସହିତ ତାଙ୍କର ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜ୍ୟୋତି ମାଉସୀ ମଧ୍ୟ ଇଣ୍ଟରଭିଉ ଦେବାକୁ ଯାଇଥିଲେ ସେଠାକୁ । ତାର ଘଟଣାକୁ ବିସ୍ତାରିତ ଭାବରେ ବର୍ଣ୍ଣନା କଲା ନିଜେ ଜ୍ୟୋତିର୍ମୟୀ ।

 

“ହେଲେ ଦେଖ ଭାଇ ! ରାଜୁଭାଇ କେଡ଼େ କପଟୀ । ମୋତେ ଚିହ୍ନି ସାରିବା ପରେ ମଧ୍ୟ କିଛି ପରିଚୟ ଦେଲେନି । ସେ ସେତେବେଳେ ଏମିତି ଭାବରେ ଗମ୍ଭୀର ହୋଇ ରହିଥିଲେ, ମୋ ପାଟିରୁ କଥା ପର୍ଯ୍ୟନ୍ତ ବାହାରିଲା ନାହିଁ । ଜାନକୀ ତ ଏତେଦିନ ସେଠାରେ ତାଙ୍କ ପାଖରେ ରହି ମଧ୍ୟ ସାକ୍ଷାତ କରି ପାରିନି ।”

 

“ତୁମେ କେହି ରାଜୁର ମାୟାରେ ପଶି ପାରିବନିରେ । ମୁଁ ତ ତାକୁ ଠିକ୍‌ ଜାଣିଛି । ହଁ ଜ୍ୟୋତି ଯେତେବେଳେ ତୁ ଆରମ୍ଭ କଲୁଣି , ତୋ କଥା ଶୁଣିବା ।”

 

“କେଉଁ ଅଭିଶାପ ନେଇ ଆସିଥିଲି, ଜୀବନ ମୋର ହା-ହୁତାଶରେ କଟିଗଲା । ବାପା-ମାଆଙ୍କର ବହୁତ ଘଣ୍ଟାଚକଟା ଓ ବଛାବଛି ପରେ ଭଲଘର ଭଲବର ବୋଲି ଜଣେ ଉଚ୍ଚଶିକ୍ଷିତ ପଦବୀ ଡାକ୍ତରଙ୍କ ସହିତ ମୋର ବିବାହ ହୋଇଗଲା । ସେମାନେ ତାକୁ ମହାକାଳ ଫଳ ବୋଲି ସହଜରେ ଚିହ୍ନି ପାରି ନଥିଲେ । ବାପା-ମାଆଙ୍କର ସାମାନ୍ୟ ଭୁଲପାଇଁ ସେଠାରେ ମୋର ପ୍ରାୟଶ୍ଚିତ ଆରମ୍ଭ ହୋଇଗଲା । ସ୍ୱାମୀ ମୋର ଥିଲେ ଏକାଧାରାରେ ମଦ୍ୟପ ଓ ବେଶ୍ୟାସକ୍ତ । ମଦ୍ୟପାନ ପରେ ତାଙ୍କର ସମସ୍ତ ଜୁଲମକୁ ମୋତେ ସହି ନେବାକୁ ପଡ଼େ । ଏତେ ଅପମାନ, ଲାଞ୍ଛନା ଓ ଅତ୍ୟାଚାରକୁ ନିର୍ଜୀବ ହେଲେ ମଧ୍ୟ ସହିପାରି ନଥାନ୍ତା, ଯାହା ମୁଁ ସହିଛି । ଦିନେ ଦିନେ ଆତ୍ମହତ୍ୟା କରିବାକୁ ବାହାରେ । ପୁଣି ମନକୁ ବୁଝାଏ–ଆତ୍ମହତ୍ୟା ମହାପାପ, ମୁକ୍ତି ମିଳିବନି ସେଥିରେ ।

 

ମଦ ନପିଇବାକୁ ଅନୁରୋଧ କରେ ଅନେକ ସମୟରେ । ଫଳ ତ କିଛି ହୁଏନି, ବରଂ ମୋତେ ମାଡ଼ଖାଇ ଶୋଇବା ଘରକୁ ଫେରି ଆସିବାକୁ ପଡ଼େ । ବେଳେବେଳେ ତାଙ୍କଠାରୁ ମାଡ଼ଖାଇ ଦୁଇ ଚାରିଘଣ୍ଟା ପର୍ଯ୍ୟନ୍ତ ପଡ଼ିରହେ । ତାଙ୍କର ମୋ ପ୍ରତି ଚିନ୍ତା ନଥାଏ । ବଞ୍ଚିଛିକି ମରିଛି ତାହା ଦେଖିବାକୁ ସେ ଉଚିତ୍‌ ମନେ କରନ୍ତି ନାହିଁ । ଘରଟିର ଚାକର ପାଇଁ ସେଠାରେ ମୁଁ ସେତିକିଦିନ ବଞ୍ଚିକରି ରହିଥିଲି ।

 

ଗୋଟିଏ ରାକ୍ଷାସୀ ନର୍ସର ଦୃଷ୍ଟିରେ ପଡ଼ିଛନ୍ତି ସେ । ସହଜରେ ତାଙ୍କୁ ଛାଡ଼ି ଦେବାକୁ ସେ ପ୍ରସ୍ତୁତ ନୁହେଁ । ତା ପାଇଁ ମୋତେ ଅନ୍ୟମାନଙ୍କ ନିକଟରେ ଅପମାନିତ କରିବା ପାଇଁ କୁଣ୍ଠିତ ମଧ୍ୟ ହୁଅନ୍ତି ନାହିଁ । ମୋର ଗହଣା ସବୁକୁ ସେ ଭେଟିପାଏ । ରାତି ରାତି ଧରି ଅନିଦ୍ରା ହୋଇ ମୁଁ ତାଙ୍କୁ ଅପେକ୍ଷାକରି ରହେ କିନ୍ତୁ ସେ ଆରାମରେ ହୋଟଲରେ ରାତି କଟାଇ ଦିଅନ୍ତି ତାକୁ ସାଙ୍ଗରେ ନେଇ, ଏପରିକି ଶେଷରେ ମୋ ସମ୍ମୁଖରେ ନିର୍ଲଜ ପ୍ରେମ ନିବେଦନ କରିବାକୁ ଆରମ୍ଭ କରିଦେଲେ । ତାକୁ ମୁଁ ଆଉ ବରଦାସ୍ତ କରି ନପାରି କେବଳ ଜୀବନଟିକୁ ଧରି ଫେରି ଆସିଲି ଘରକୁ ଟିକିଏ ଶାନ୍ତିରେ ମରିବା ପାଇଁ । ଆସିଲା ବେଳକୁ ଖୁବ୍‌ ଖୁସି ଥିଲେ ସେମାନେ । ମୁଁ ଆସିବାର ଅନେକ ଦିନ ହେଲାଣି । ସେମାନଙ୍କର ଖବର ଆଉ ମଧ୍ୟ ରଖିନି । ହୁଏତ ସେ ତାକୁ ଏହା ଭିତରେ ବିବାହ କରି ସାରିବେଣି ।”

 

କହିସାରି ତଳକୁ ମୁହଁ କଲା ଜ୍ୟୋତି । ତାକୁ ସାନ୍ତ୍ୱନା ଦେବାକୁ ଅମୀୟ ବାବୁ କହିଲେ–“ତୁ ଭାଙ୍ଗି ପଡ଼ନା ଜ୍ୟୋତି ! କେତେବଡ଼ ନାସ୍ତିକଙ୍କର ପରିବର୍ତ୍ତନ ହୋଇଛି । ଏ ତ ସାମାନ୍ୟ । ତୋ ଖବର ମଧ୍ୟ ମୁଁ ଆଗରୁ ସଂଗ୍ରହ କରି ନେଇଛି ଏବଂ ଏ ବିଷୟରେ ରାଜେନ୍ଦ୍ରକୁ ଜଣାଇ ଦେଇଛି । ତୁମେ କେହି ତାକୁ ଚିହ୍ନିନ । ମୁଁ ଠିକ୍‌ ଜାଣେ । ସେ ନିଶ୍ଚୟ ଏହାର କିଛି ଗୋଟାଏ ବ୍ୟବସ୍ଥା କରିଥିବ । ହୁଏତ ଆଜି ପହଞ୍ଚି କୌଣସି ଖବର ଦେବ ।”

 

ମୁଁ ବଡ଼ ପାପୀ ଅମୁଭାଇ ! ରାଜୁଭାଇ ଏତେ ମହତ୍‌ ଅଥଚ ମୁଁ ରାକ୍ଷସୀ ତାଙ୍କୁ ଭୁଲ ବୁଝି ତାଙ୍କୁ କେତେ ଗାଳି ଦେଇଛି, କେତେ ନିନ୍ଦା କରିଛି । ମୋ ଭୁଲ ପାଇଁ ଭଗବାନ ମୋତେ କ୍ଷମା କରନ୍ତୁ । ମୁଁ ପିଶାଚୀ ତାଙ୍କୁ କଣ ନ କହିଛି !” କହୁ କହୁ କାନ୍ଦି ପକାଇଲା ଜ୍ୟୋତି ।

 

“ଏ ଅନୁତାପ କରିବାର ସମୟ ନୁହେଁ ଜ୍ୟୋତି । ଦୁଃଖ କରି ମଧ୍ୟ ଲାଭ ନାହିଁ । ତୁମେ ସବୁ ଏପରି ଏକ ଶୁଭ ମୁହୂର୍ତ୍ତରେ ନିଜ ନିଜର ସୌଭାଗ୍ୟକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇ ରହ-।” ଜ୍ୟୋତିର ପଣତରେ ହିଁ ସେ ତାର ଲୁହକୁ ପୋଛିଦେଲେ । ରବିବାବୁ ଏବଂ ମନମୋହନ ମଧ୍ୟ ବସି ଆଖିରୁ ଲୁହ ବୁହାଉଥିଲେ । ଯାଉ ମନରୁ ସମସ୍ତ ଗ୍ଲାନି ଦୂର ହୋଇଯାଉ ।

 

“ଏଥର ତୋ କଥା ଆରମ୍ଭ କର ଜାନକୀ ।” ଅମୀୟ ବାବୁ ଅନୁରୋଧ କଲେ ।

 

“ଜ୍ୟୋତିଠାରୁ ମୋ ଇତିହାସ ଆହୁରି କରୁଣ, ଦୁଃଖପୂର୍ଣ୍ଣ । ତଥାପି ତୁମ କଥାକୁ ଭାଙ୍ଗି ଦେଉନି । ଆଗ୍ରହ ଯେତେବେଳେ ହେଉଛି ଶୁଣ–

 

“ପନ୍ଦର ବର୍ଷରୁ ଅଧିକ ହେବା ଭାଗ୍ୟରେ ବିପର୍ଯ୍ୟୟ ଆମକୁ ଟାଣିନେଲା ନର୍କ ପର୍ଯ୍ୟନ୍ତ-। ଜୀବନକୁ ଜାଣିଶୁଣି ନଷ୍ଟ କରିଦେବାକୁ ନିଜେ ନିଜେ ଆମେ ବାହାରି ପଡ଼ିଲୁ । ସେତେବେଳକୁ ମୋର ଦୁଇଟି ପୁଅ । ସ୍ୱାମୀଙ୍କର ସ୍ୱଳ୍ପ ଉପାର୍ଜନରେ ଖୁବ୍‌ ଖୁସିରେ ଚଳିଯାଉଥିଲୁ । ଭାଗ୍ୟର ବିଡ଼ମ୍ୱନା । ଗାଁର ଅନେକ ଲୋକ ବାହାରିଲେ ତୀର୍ଥ କରିବାପାଇଁ । ମୁଁ ରାକ୍ଷସୀ ନିଜର ସର୍ବନାଶ କରିବାକୁ ତାଙ୍କ ପାଖରେ ଅନୁରୋଧ କଲି, “ସମସ୍ତେ ଯାଉଛନ୍ତି ଚନ୍ଦ୍ରଭାଗାରେ ବୁଡ଼ ପକାଇବାପାଇଁ-। ଆମେ ଟିକିଏ ଯାଆନ୍ତେ କି !” ମୋର ଅନୁରୋଧ ଏଡ଼ାଇ ଦେଲେନି ସେ । କେତେବେଳେ ବି ସେ ମୋର ମନକୁ ଭାଙ୍ଗି ଦିଅନ୍ତି ନାହିଁ । ଗାଁର ଲୋକମାନଙ୍କ ସାଙ୍ଗରେ ପୁଅ ଦୁହିଁଙ୍କୁ ଧରି ଆମେ ବାହାରି ପଡ଼ିଲୁ । ମନମୋହନ ଓ ତାର ଜାଆଁଳା ଭାଇ ।

 

ଧର୍ମ ପାଇବାକୁ–ପାପ ଧୋଇବାକୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଲୁ । ପାଣିରୁ ଉଠି ଦେଖିଲୁ ବଡ଼ ପୁଅ ମୋର ନାହିଁ । ଗହଳି ମଧ୍ୟରେ ସେ ଅଲଗା ହୋଇଯାଇଛି କେଉଁଠି, ଦୁଃଖରେ ମୋର ହୃଦୟ ଫାଟିଗଲା । ଅନେକ ଖୋଜାଖୋଜି କଲୁ କିନ୍ତୁ ପାଇଲୁ ନାହିଁ । ସୌଭାଗ୍ୟ ଫେରିପାଇବାକୁ କେତେ ଆଶା ନେଇଯାଇଥିଲୁ କିନ୍ତୁ ଫେରିଲୁ ଦୁର୍ଭାଗ୍ୟକୁ ସାଙ୍ଗରେ ନେଇ । ତା ସାଙ୍ଗରେ ଥିଲା ହତାଶା ଓ ବିଫଳତାର ଦୀର୍ଘ ଶ୍ୱାସ । ଭାଗ୍ୟ ଆମର ଫୁଟି ଯାଇଥିଲା । ତୀର୍ଥ କରାଯାଏ ସୌଭାଗ୍ୟକୁ ହାତରେ ପାଇବାପାଇଁ ମାତ୍ର ମୋପାଇଁ ଘଟିଲା ତାର ଠିକ୍‌ ଓଲଟା । ସୁନାର ସଂସାର ମୋର ଛାରଖାର ହୋଇଗଲା । ମୁଁ ହତଭାଗିନୀ ହେଲେ ତୀର୍ଥ କରିବାକୁ ଜିଦ୍‌ ଧରିନଥାନ୍ତି, ଏମିତି ଗୋଟିଏ ଦୁର୍ଘଟଣା ଘଟିନଥାନ୍ତା । ବିପର୍ଯ୍ୟାସ୍ତି ହୋଇ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଲା ଆମର ସୁଖ ସମ୍ପଦ । ଭାଗ୍ୟ ଆମର ପୋଡ଼ିଗଲା । ବୋଧହୁଏ ସେଥିରେ ସେଇୟା ଲେଖାଥିଲା ।

 

ଘରକୁ ଫେରିବା ପରେ ସେ ଖୁବ୍‌ ମାନସିକ ଦୁଶ୍ଚିନ୍ତାରେ ରହିବାକୁ ଲାଗିଲେ । ତାପରେ ଦେଖାଗଲା ତାଙ୍କର ମସ୍ତିଷ୍କବିକୃତି ଧୀରେ ଧୀରେ ବଢ଼ିବାକୁ ଲାଗିଛି । ପୁଅପାଇଁ ସେ ପାଗଳ ହୋଇଗଲେ ସମ୍ପୂର୍ଣ୍ଣ ଭାବରେ । ତାଙ୍କୁ ଚାକିରିରୁ ବାହାର କରିଦିଆଗଲା । ବିକୃତ-ମସ୍ତିଷ୍କ-ବ୍ୟକ୍ତି ଜଣେ କାହାର କେଉଁ କାମରେ ଆସିବ ଯେ କିଏ ରଖିଥାଆନ୍ତା ? ମୁଁ ଖୁବ୍‌ ଚେଷ୍ଟା କରିଥିଲି ମାତ୍ର ସେ ସମସ୍ତ ନିଷ୍ଫଳ ହୋଇଥିଲା । ଦିନେ ସେ ଆମ ଦୁହିଁଙ୍କୁ ଅନାଥ କରି ଘର ଛାଡ଼ିଲେ । କୁଆଡ଼େ ଯେ ଗଲେ ଆମେ ତାର ପତା, ପାଇଲୁ ନାହିଁ । ପାଞ୍ଚ ବର୍ଷର ଟିକି ପୁଅଟିକୁ ଧରି ମୁଁ କେତେ କଷ୍ଟ ପାଇଥିବି ତୁମେ ଅନୁମାନ କରିପାରୁଥିବ । ମରଣ ସଙ୍ଗରେ ଲଢ଼େଇ କରି ମନୁକୁ ସଂସାରରେ ଜଣେ କରି ଠିଆ କରିବାର ସଂକଳ୍ପ ନେଇ ମୁଁ ଅଣ୍ଟା ଭିଡ଼ିଲି । ଗାଁଲୋକଙ୍କର ସହାନୁଭୂତି-ଦୟାରେ ଆଜି ସେ ମଣିଷ ହୋଇଛି । ରାଜୁଭାଇଙ୍କ ପାଖରେ ଚାକିରି ଖଣ୍ଡେ ମଧ୍ୟ ପାଇଛି । ବର୍ତ୍ତମାନ ତାଙ୍କର ଅନୁଗ୍ରହରୁ ଆମର ଆଉ କୌଣସି ଅସୁବିଧା ହେଉନାହିଁ ।

 

ମୋ ମନରେ କିନ୍ତୁ ଗୋଟିଏ ଅବଶୋଷ ରହିଗଲା । ସ୍ୱାମୀ ମୋର କେଉଁଠି କିପରି ଅଛନ୍ତି ? ବାବୁ ମୋର ଅନାଥ । ସେବା କିପରି ଥିବ ? ପ୍ରାଣ ମୋର କାନ୍ଦିଉଠୁଛୁ । ଭବିଷ୍ୟତରେ ଦିନେ ସେମାନଙ୍କୁ ଫେରିପାଇବି ବୋଲି ଆଶା ରଖି ଆଜି ପର୍ଯ୍ୟନ୍ତ ବଞ୍ଚିଆସିଲି । ତାଙ୍କ ବିଷୟରେ ଆଜି ପର୍ଯ୍ୟନ୍ତ କିଛି ଜାଣିପାରିଲି ନାହିଁ । ଦିନେ ସେମାନଙ୍କୁ ସୁଖରେ ରଖିବା ପାଇଁ ମୋ ଜୀବନକୁ ବାଜି ଲଗାଇ ଦେଇଥିଲି । ଅଥଚ ଶେଷ ସମୟରେ ସେମାନଙ୍କୁ ମୁଁ ଦେଖି ପାରିବିନାହିଁ କିମ୍ୱା ସେମାନଙ୍କର ସେବା କରି ପାରିବି ନାହିଁ । କେତେ ହତଭାଗିନୀ ମୁଁ ଭାଇ !

 

ରବିବାବୁ, ଅନୀତା ଦେବୀ, ବୋଉ ଓ ଜୟନ୍ତୀ ଦେବୀ ସମସ୍ତ କଥା ଶୁଣୁଥିଲେ । ଶିବବାବୁ ମଧ୍ୟ ଏ ସମସ୍ତ କଥା ଅନ୍ତରାଳରେ ରହି ଶୁଣିବାକୁ ଚେଷ୍ଟା କରୁଥିଲେ ନିଜ ଶଯ୍ୟା ଉପରେ ପଡ଼ି ରହି । ଠିକ୍‌ ସେତିକିବେଳେ ସ୍ମିତାକୁ ସାଙ୍ଗରେ ନେଇ ଚନ୍ଦ୍ରଭାନୁ ଆସି ସେଠାରେ ପହଞ୍ଚିଲା । ସମସ୍ତଙ୍କ ଆଖିରେ ସେତେବେଳକୁ ଲୁହ ଥିଲା । ସେମାନେ ତାକୁ ସମବେଦନା ଜଣାଉଥିଲେ ।

 

“ତୁମେ ମୋ ଦୁଃଖଶୁଣି କାନ୍ଦି ପକାଇଲଣି ଭାଇ ! କିନ୍ତୁ ମୋ ଆଖିରେ ଆଉ ଟୋପା ହେଲେ ଲୁହ ନାହିଁ ।”

 

କାନ୍ଦି କାନ୍ଦି ଅମୀୟ ବାବୁ କହିଲେ–“ତୋର ପୁଅ ଅନାଥ ହୋଇ ଯାଇନିଲୋ ପାଗଳୀ-। ଭଗବାନ ତାକୁ ଠିକ୍‌ ସ୍ଥାନରେ ପହଞ୍ଚାଇ ଦେଇଛନ୍ତି ।”

 

ହଠାତ୍‌ ଚନ୍ଦ୍ରଭାନୁ ଉପରେ ଜାନକୀର ଦୃଷ୍ଟି ପଡ଼ିଲା । କିଛି ସମୟ ଏକାଗ୍ରତାର ସହିତ ସେ ତାକୁ ଦେଖିବା ପରେ ସେ ଉଠିଗଲା ତା ପାଖକୁ । “ଏ ମୋ ପୁଅ ବାବୁ, ଅମୁଭାଇ ! ତା ଡାହାଣ ଗୋଡ଼ରେ ଛଅଟି ଆଙ୍ଗୁଳି ଥିଲା ।” ଜାନକୀ ଚନ୍ଦ୍ରଭାନୁର ଗୋଡ଼କୁ ଧରି ବସିଗଲା–“ହଁ, ଏହାର ଗୋଡ଼ରେ ତ ଛଅଟା ଆଙ୍ଗୁଳି ନାହିଁ ।”

 

ଚନ୍ଦ୍ରଭାନୁ କିଛି ବୁଝିପାରୁ ନଥିଲା । ସେ ଚାହିଁଥିଲା ଜାନକୀକୁ । ମନମୋହନର ମନ ଖୁସିରେ ନାଚିଉଠୁଥିଲା । ଏତେ ଦିନରେ ତାର ହଜି ଯାଇଥିବା ଭାଇ ମିଳିଛି । ଜ୍ୟୋତିର୍ମୟୀ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲା । ଅନୀତା ଦେବୀଙ୍କୁ ଏ ସବୁ ଚଳଚ୍ଚିତ୍ରର ଏକ ଦୃଶ୍ୟପରି ମନେ ହେଉଥିଲା । ସ୍ମିତା ସେମିତି ଭାବରେ ବୋକାଙ୍କ ପରି ଠିଆ ହୋଇଥିଲା ଚନ୍ଦ୍ରଭାନୁର ପାଖକୁ ଲାଗିକରି ।

ଅମୀୟ ବାବୁ କହିଲେ, “ହଁ ଲୋ ଜାନକୀ, ଏହି ତୋର, ସେଇପୁଅ ବାବୁ, ଯାହାକୁ ଦିନେ ତୁ ଚନ୍ଦ୍ରଭାଗାରେ ହରାଇ ଦେଇଥିଲୁ । ତାର ଗୋଡ଼ରେ ମଧ୍ୟ ଛଅଟି ଆଙ୍ଗୁଳି ଥିଲା । ଖରାପ ଦେଖା ଯାଉଥିବାରୁ ମୁଁ ତାକୁ ଅପରେସନ୍‍ କରାଇଦେଇଛି । ଭଗବାନ ବଡ଼ଲୋକ । ତୋ ପୁଅ ଏକାକୀ କାନ୍ଦୁଥିବା ବେଳେ ମୁଁ ଯାଇ ପହଞ୍ଚିଥିଲି ତା ପାଖରେ । ତୁ ତ ଜାଣୁ ମୁଁ ନିଃସନ୍ତାନ ଥିଲି ସେତେବେଳେ । ତାକୁ ପୁଅକରି ତୋଳିନେଲି ।”

ଅନେକ ଚେଷ୍ଟା କରିଥିଲି ତୁମର ସନ୍ଧାନ ନେବାକୁ, ପାଇନଥିଲି । ସେ ଦିନରୁ ଚନ୍ଦ୍ରଭାନୁ ମୋର ପୁଅ ହୋଇ ରହିଛି । ମୁଁ ତାକୁ ତୋଠାରୁ ଛଡ଼ାଇ ନେବିନିଲୋ ! ହାତୀ ଯେଉଁଠି ଥିଲେ ବି ରାଜାଙ୍କର । ଭାନୁ ଯେଉଁଠି ଥିଲେ ବି ତୋର । ସେ ତୋର ପୁଅ ଥିଲା । ତୋର ହୋଇ ରହିବ । ତୋର ଇଚ୍ଛା ହେଲେ ସାଙ୍ଗରେ ନେଇଯିବୁ ।”

ଅବିଶ୍ୱାସରେ ଚାହିଁରହିଲା ଚନ୍ଦ୍ରଭାନୁ ତା ଡାଡିଙ୍କୁ–ହଁ ରେ ପାଗଳା ଏଇ ହତଭାଗୀ, ତୋର ମାଆ । ଆଜି ପର୍ଯ୍ୟନ୍ତ କେବଳ ମୁଁ ତୋତେ ପାଳି ଆସିଥିଲି । ଭଗବାନଙ୍କୁ ଧନ୍ୟବାଦ ଦେ ସେ ତୋତେ ତୋର ମାମୁଁ ପାଖରେ ପହଞ୍ଚାଇ ଦେଇଥିଲେ । ମୁଁ ତୋର ମାମୁଁ । ରବି ମଧ୍ୟ ତୋର ଆଉ ଗୋଟିଏ ମାମୁଁ । ଯା ତୋ ମାଆକୁ ପ୍ରଣାମ କର । ତା ସାଙ୍ଗରେ ଯିବାପାଇଁ ମଧ୍ୟ ପ୍ରସ୍ତୁତ ହୋଇପଡ଼ ।

ଏତେଦିନ ପରେ ମାଆ-ପୁଅଙ୍କର ମିଳନ । ଚାରି-ପାଞ୍ଚ ବର୍ଷର ଛୋଟ ପିଲାଟି ପରି ଚନ୍ଦ୍ରଭାନୁକୁ କୋଳ ଉପରକୁ ଉଠାଇନେଇ ଚୁମ୍ୱନଦେବାକୁ ଲାଗିଥିଲା ଜାନକୀ । ମନମୋହନ ମଧ୍ୟ ଉଠିଗଲା ତା ପାଖକୁ । ତାର ହଜି ଯାଇଥିବା ଭାଇ ବଞ୍ଚିଛି, ଯାହାର ଆଶା ସେମାନେ ଛାଡ଼ି ଦେଇଥିଲେ । ଏ କଣ କମ୍‌ ଆନନ୍ଦର କଥା । ତାକୁ ପୁଣି ସେମାନେ ହାତରେ ପାଇଛନ୍ତି ।

ଜାନକୀ ଠିଆହୋଇପଡ଼ି ଚନ୍ଦ୍ରଭାନୁକୁ ଅଲଗା କରିନେଲା ନିଜ କୋଳ ଉପରୁ । ଜୟନ୍ତୀଦେବୀଙ୍କ ପାଖକୁ ଆସି କହିଲା–“ଭାଉଜ ! ମୁଁ ତାର ଜନ୍ମଦାତ୍ରୀ ହେଲେ ମଧ୍ୟ ମା ନୁହେଁ । ତୁମେ ତାକୁ ସ୍ନେହ ଦେଇଛ । ପାଳି-ପୋଷି ମଣିଷ କରି ଠିଆ କରାଇଛ । ତାର ମାଆ-ବୋପା ହେବାର ଗୌରବ ତୁମର ଓ ଅମୁଭାଇଙ୍କର । ତା ଉପରେ ମୋର କୌଣସି ଅଧିକାର ନାହିଁ । ମୁଁ ତାକୁ ତୁମଠାରୁ ଅଲଗା କରି ପାରିବିନି । ମୁଁ ଜାଣିଛି ଅମୁଭାଇ କେବଳ ନିଜ କଥା କହୁଛନ୍ତି । ସେ ମଧ୍ୟ ତାଙ୍କର ମନର କଥା ନୁହେଁ । ସେ ଏହାକୁ ବରଦାସ୍ତ କରିନେଇ ପାରିବେ, ପୁରୁଷ ସେ । ତୁମେ କିନ୍ତୁ ପାରିବ ନାହିଁ । ସବୁଦିନ ପାଇଁ ତୁମେ ତାର ମାଆ ହୋଇ ରହ । ମୋର ଗୋଟିଏ ପୁଅ ଅଛି-। ତାକୁ ନେଇ ମୁଁ ବଞ୍ଚି ରହିବି । ଏଣିକି ମୁଁ ଆଉ ବାବୁ ପାଇଁ ଚିନ୍ତିତ ନୁହେଁ । ତା ପାଇଁ ଚିନ୍ତିତ ହେବାପାଇଁ ତୁମେ ଅଛ । ମୋଠାରୁ ତୁମେ ତା ପାଇଁ ବେଶୀ ଚିନ୍ତା କରିପାରିବ । ଭଗବାନଙ୍କୁ ଆଗରୁ ଜଣାଉଥିଲି, “ସେ ଯେଉଁଠି ଥାଉ ଭଲରେ ଥାଉ । ସେ ତ ମୋ ବଦଳରେ ତୁମ ପରି ବାପା-ମାଆଙ୍କୁ ପାଇଛି । ମୋର ଦୁଃଖ କରିବାର କ’ଣ ଅଛି ? “ହଁ ଭାଇ !” ଜାନକୀ ପ୍ରକୃତିସ୍ଥ ହେଲାପରି କହିଲା, “ଆଜି ପରା ରାକ୍ଷୀ । ଆସ ଜୀବନରେ ଦ୍ୱିତୀୟଥର ପାଇଁ ତୁମ ହାତରେ ମୁଁ ରାକ୍ଷୀ ପିନ୍ଧାଇ ଦିଏ ।”

 

ଅପୂର୍ବ ଆନନ୍ଦ ମଧ୍ୟରେ ଦୋଳାୟମାନ ହୋଇ ଶିବ ପାଗଳ ପରି ଅନ୍ୟମାନଙ୍କୁ ଠେଲାପେଲା କରି ପହଞ୍ଚିଲେ ଜାନକୀ ପଛରେ । ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲେ ସମସ୍ତେ । ଜାନକୀର ସମସ୍ତ କଥାକୁ ସେ ଶୁଣିଛନ୍ତି । ମାଲିକ-ମାଲିକାଣୀ କାହାରିକୁ ଭ୍ରୂକ୍ଷେପ ନକରି ଶିବ ଜାନକୀକୁ ଶିବ ଜାନକୀକୁ ଆଲିଙ୍ଗନ କରି କହିବାକୁ ଲାଗିଲେ, “ଜାନକୀ, ମୋର ପ୍ରିୟା ତୁମେ ଏଠାରେ ! ମୋର ବିଶ୍ୱାସ ନଥିଲା ଆଜି ପର୍ଯ୍ୟନ୍ତ ତୁମେ ସବୁ ଜୀବନରେ ଅଛ ବୋଲି । ଭଗବାନଙ୍କର ଅଶେଷ ଦୟା ସେ ମୋର ସୁନାର ସଂସାରକୁ ଫେରାଇ ଦେଇଛନ୍ତି । ମୁଁ ଆଜି କେଡ଼େ ଭାଗ୍ୟବାନ । ହେ ପ୍ରଭୁ ତୁମକୁ କେମିତି ଭାବରେ ଧନ୍ୟବାଦ ଜଣାଇବି ? ଆଶ୍ଚର୍ଯ୍ୟ ଯାହାକୁ ମୁଁ ଦୀର୍ଘ ପନ୍ଦର ବର୍ଷ ଧରି ସେବା କରି ଆସିଲି, ଯତ୍ନ ନେଲି, ସେହି ମୋର ପୁଅ । ତାହା ଜାଣି ମଧ୍ୟ ପାରିଲି ନାହିଁ ।” ଅମୀୟ ବାବୁ ଓ ଜୟନ୍ତୀ ଦେବୀଙ୍କୁ କିପରି ଭାବରେ ଧନ୍ୟବାଦ ଜଣାଇବେ ସେ ଭାଷା ଖୋଜି ପାଉନଥିଲେ ।

 

ଅମୀୟ ବାବୁ ଓ ଅନ୍ୟମାନେ ଆଶ୍ଚର୍ଯ୍ୟ ହେଉଥିଲେ ଶିବବାବୁ କେମିତି ପୁଝାରୀ ଭାବରେ ରହିଲେ ତାଙ୍କରି ଘରେ । ସେମାନେ ମଧ୍ୟ ଜାଣିପାରିଲେ ନାହିଁ । ମନେ ମନେ ଲଜ୍ଜିତ ହେଲେ ସେମାନେ । ଛାଡ଼, ସେ ସବୁ ଭାଗ୍ୟର ଖେଳ । ମଣିଷ ହାତରେ କ’ଣ ଅଛି ? ଭାଗ୍ୟ ହାତରେ ତ ସେ ଏକ ଖେଳନା ପରି । ଆନନ୍ଦିତା ଶଯ୍ୟାରେ ଜାନକୀ ସଜ୍ଞାହୀନ ହୋଇ ପଡ଼ିଲା ଶିବବାବୁଙ୍କର ସୁଦୃଢ଼ ବାହୁ ବନ୍ଧନ ମଧ୍ୟରେ । ସେ କଳ୍ପନା କରିପାରିନଥିଲା ଏମିତି ଭାବରେ ସେମାନଙ୍କର ମିଳନ ଘଟିବ ବୋଲି । ରବିବାବୁ ଏ କଥା ଜାଣି ଜାନକୀର ସଜ୍ଞା ଫେରାଇ ଆଣିବାକୁ ଚେଷ୍ଟାକଲେ ।

 

ଠିକ୍‌ ସେହି ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପରଦା ଆଡ଼େଇ ଭିତରକୁ ପ୍ରବେଶ କଲେ ଡା. ରାଜେନ୍ଦ୍ର, ଡା. ଅତୁଲଙ୍କୁ ସାଙ୍ଗରେ ନେଇ । ପହଞ୍ଚିବା ସଙ୍ଗେ ସଙ୍ଗେ ସେ କହିଲେ, “ବ୍ୟସ୍ତ ହେବାର କିଛି ନାହିଁ । ଏକା ସାଙ୍ଗରେ ଆମେ ଦୁଇ ଦୁଇଟା ଡାକ୍ତର ପହଞ୍ଚିଗଲୁଣି । ଦିଅ, ତୁମେ ତୁମର କାମରେ ଲାଗିଯାଅ । ଆମେ ଲାଗୁଛୁ ଆମ କାମରେ ।” ଚିହ୍ନା ଅଚିହ୍ନା ଦ୍ୱନ୍ଦ୍ୱ ମଧ୍ୟରେ କେତେକ ରହିଗଲେ । ଅମୀୟ ବାବୁ ସମସ୍ତଙ୍କ ସହିତ ସେମାନଙ୍କର ପରିଚୟ କରାଇଦେଲେ ।

 

ଡା. ରାଜେନ୍ଦ୍ର ସାଙ୍ଗେ ସାଙ୍ଗେ କହିଲେ, “ମୋର ଅଶିଷ୍ଟାଚାର ପାଇଁ କ୍ଷମା କରିବେ । ମୋ କାମ ଆଗେ ଶେଷ କରେ, ପରେ ଆପଣମାନଙ୍କ ସାଙ୍ଗରେ ପରିଚିତ ହେବି ।” ତାପରେ ସେ ନିର୍ଦ୍ଦେଶ ଦେଲେ ଜାନକୀକୁ ଅନ୍ୟ ସ୍ଥାନକୁ ନେଇଯିବାପାଇଁ ।

 

ଜ୍ୟୋତିର୍ମୟୀ ପାଖକୁ ଯାଇ ତାର ହାତଧରି ଉଠାଇ ଆଣିଲେ । ଡା. ଅତୁଲଙ୍କ ପାଖକୁ, “ହେଇ ତୁମ ଜିନିଷକୁ ସମ୍ଭାଳ । ମୋର ଏଣିକି ଛୁଟି ।” ଡା. ଅତୁଳଙ୍କୁ ଡା.ରାଜେନ୍ଦ୍ର କହିଲେ, “ଶୁଣ ମୁଁ ବଡ଼ ଅସୁବିଧା ଲୋକ । ପୁଣି ଆଉଥରେ କେବେ ତୁମର ଲାଇନ୍‌ଚ୍ୟୁତ ହେଲେ ଦେଖିନେବି ।” ତାପରେ ହସି ହସି ଅମୀୟ ବାବୁଙ୍କୁ କହିଲେ, “ଏ ଡାକ୍ତର ମଧ୍ୟ ଭାରି ଭଲ ଲୋକ ଯେ ! ମୋ କଥା ଶୁଣୁ ଶୁଣୁ ମାନିଗଲେ । ନହେଲେ ତାଙ୍କର ଅବସ୍ଥା ବାରଣ୍ଡା-ଦୁଇକଡ଼ା କରିଦିଅନ୍ତି ।”

 

ନିଜ ଆଖିକୁ ଯେମିତି ଜ୍ୟୋତିର୍ମୟୀ ବିଶ୍ୱାସ କରିପାରୁନଥିଲା । ଏଇ କେତୋଟି ମୁହୂର୍ତ୍ତରେ କେତେକଣ ଘଟିଗଲା ସତେ । ତାର ସ୍ୱାମୀଙ୍କ ଆଖିରେ ଥିଲା ଅନୁତାପର ଅଶ୍ରୁ । “ମୋତେ ତୁମେ କ୍ଷମା କରିଛ ନା ଜ୍ୟୋତି !” ଜ୍ୟୋତିର ହାତକୁ ଧରି ଡାକ୍ତର ଅତୁଲ ପ୍ରଶ୍ନକଲେ ।

 

“ତୁମେ ମୋର ଦେବତା । କେବେ ତ ମୁଁ ତୁମକୁ ଦୋଷାରୋପ କରି ନଥିଲି । ଏଇ ଟିକିଏ ପୂର୍ବରୁ ଅମୀୟ ବାବୁ କହୁଥିଲେ ତୁମର ପରିବର୍ତ୍ତନ ହେବ ବୋଲି । ମୁଁ ବିଶ୍ୱାସ କରିପାରୁ ନଥିଲି-।” ଜ୍ୟୋତିର ଆଖିରୁ ମଧ୍ୟ ଲୁହ ବାହାରୁଥିଲା ଆନନ୍ଦରେ ।

 

“ମଣିଷ ଠିକିଲେ ହିଁ ଶିଖେ ଜ୍ୟୋତି ! ଆଗରେ ମୁଁ ଠିକିଲି ତାପରେ ନିଜକୁ ସଂସ୍କାର କରିନେଲି ।”

 

ଡା. ରାଜେନ୍ଦ୍ର ତରତର ହୋଇ ଅମୀୟ ବାବୁଙ୍କ ପାଖକୁ ଉଠିଗଲେ । ତାଙ୍କୁ ପୁଣି ପେସେଣ୍ଟ ଦେଖିବାକୁ ହେବ । ଡାକ୍ତର ରାଜେନ୍ଦ୍ର ଭିତରକୁ ଚାଲିଯିବା ପରେ ଅମୀୟ ବାବୁ ଡାକ୍ତର ଅତୁଲଙ୍କ ପାଖକୁ ଆସି ପଚାରିଲେ, “କ’ଣ ବାବୁ ମନର ମଣିଷକୁ ପାଇ ଛାଡ଼ି ପାରୁନ ତାକୁ ?”

 

ଡାକ୍ତର ଅତୁଲ ନମସ୍କାର ଜଣାଇଲେ ଅମୀୟ ବାବୁଙ୍କୁ । ଏହା ମଧ୍ୟରେ ସେ ତାଙ୍କ ପରିଚୟ ପାଇ ସାରିଲେଣି । ସେ ଡାକ୍ତର ଅତୁଲଙ୍କୁ ପଚାରିଲେ, “କ’ଣ ରାଜେନ୍ଦ୍ରକୁ ଦେଖି ଖୁବ୍‌ ଡରିଗଲ ନା ?”

 

“ହଁ ଭୀଷଣ ଭାବରେ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପ୍ରତି ମୋର ଧାରଣା ବଦଳି ନାହିଁ । ଏଠାରେ ପ୍ରଥମ କରି ମୁଁ ତାଙ୍କ ମୁହଁରେ ହସ ଦେଖିଲି ।” ଡାକ୍ତର ଅତୁଲ କହିଲେ ।

 

ଆମେ ସବୁ ଗୋଟିଏ ଗୋଟିଏ ବ୍ୟତିକ୍ରମ । ଅପେକ୍ଷା କର ପରେ ସମସ୍ତ କଥା ବୁଝିପାରିବ । ଏତେ ଦିନର ସମ୍ପର୍କ ପରେ ଜ୍ୟୋତି ତ ତାକୁ ଜାଣିପାରିଲା ନାହିଁ ତୁମେ ବା ପାରିବ କେମିତି ? ଦୁଇ-ତିନି ଦିନର ପରିଚୟ ତୁମର ତା ସହିତ । ସେଇଟା ତାର କେବଳ ବାହାରର ରୂପ-। ତା ଭିତରର ଚେହେରାଟା ଦେଖିବାକୁ ଚେଷ୍ଟାକର । ଖୁବ୍‌ ଖୁସି ହେବ ।

 

ଡାକ୍ତର ରାଜେନ୍ଦ୍ରକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଲା ନାହିଁ । ସେ ପହଞ୍ଚିଲା ବେଳକୁ ଶିବଭାଇଙ୍କର ଯତ୍ନରେ ଜାନକୀର ସଜ୍ଞା ଫେରି ଆସିଥିଲା । ଏମାନେ ଆନନ୍ଦରେ ଆଳାପ କରିବାକୁ ଲାଗିଥିଲେ ।

 

“କଣ ବାବୁ ! ତାକୁ ତ ପାଇଲ । କେହି କଣ ଛଡ଼ାଇ ନେଉଛନ୍ତି ଯେ ଏ ଘରକୁ ଆଣି ଲୁଚାଇ ପକାଇଲ । ଚାଲ, ଚାଲ ସମସ୍ତଙ୍କ ପାଖକୁ । ଏକା ଏକା ସମସ୍ତ ଆନନ୍ଦକୁ ଗିଳି ପକାଇଲେ ତଣ୍ଟିରେ ଲାଗିବ ଯେ ! ଅବସ୍ଥା ପୁଣି ଲୋଭୀ ମୂଷା ପରି ହେବ । ଆଉ ସେତେବେଳେ ଡାକ୍ତର ବୋଲି ଆସି ମୋ ବେକ ଧରିବ ।” ବାହାରେ ରହି ଡାକ୍ତର ରାଜେନ୍ଦ୍ର ଶିବବାବୁଙ୍କର ପରିଚୟ ପାଇସାରିଥିଲେ । ଜାନକୀ ଓ ଶିବବାବୁ ହସି ହସି ସମସ୍ତଙ୍କ ପାଖକୁ ବାହାରିଲେ ।

 

ଅନୀତା ଦେବୀ ପହଞ୍ଚିଲେ ଠିକ୍‌ ସେତିକି ବେଳକୁ । ନୂଆଜଣେ ବ୍ୟକ୍ତିଙ୍କୁ ପାଇ ସମସ୍ତେ ପରିଚିତ ହେବାକୁ ଆଗ୍ରହୀ ହୋଇପଡ଼ିଲେ । ପୂର୍ବର ଦୁଃଖପୂର୍ଣ୍ଣ ବାତାବରଣ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହୋଇ ଯାଇଥିଲା । ତା ବଦଳରେ ଦେଖାଯାଇଥିଲା ଆନନ୍ଦ କୋଳାହଳ । ଅଭ୍ୟାସ ବସତଃ କହି ପକାଇଲେ–“ଏତେ ଅତିଥି ଆସିଗଲେଣି । ଯାଏ ଏଥର ମୁଁ ଚୁଲି ଲଗାଇବି ।”

 

ହସରେ ମିଳିତ ଧ୍ୱନି ଉଠିଲା ଶିବବାବୁଙ୍କ କଥା ପରେ । ଅମୀୟ ବାବୁ ହସି ହସି କହିଲେ, “ଆଜିଠାରୁ ତୁମକୁ କାମରୁ ରିଟ୍ରେଞ୍ଜ କରି ଦିଆଗଲା ବୁଝିଲ ? ତୁମ ପରି ପାଗଳା ଲୋକ କାହାର କେଉଁ କାମରେ ଆସିବ ଯେ ତୁମକୁ କିଏ ରଖିବ ?” ଅମୀୟ ବାବୁଙ୍କ କଥା ଶୁଣି ସମସ୍ତଙ୍କ ସାଙ୍ଗରେ ଶିବବାବୁ ଓ ଜାନକୀ ମଧ୍ୟ ହସି ପକାଇଲେ । ଜାନକୀର ମନେହେଲା ଅନେକ ବର୍ଷପରେ ସେ ଆଜି ପୁଣିଥରେ ଖୋଲା ମନରେ ହସିପାରୁଛି ।

 

ଜୟନ୍ତୀ ଦେବୀଙ୍କ ସାଙ୍ଗରେ ଜାନକୀ, ଜ୍ୟୋତି, ଅନୀତାଦେବୀ ଓ ସ୍ମିତା ଏକା ସାଙ୍ଗରେ ଉଠିଗଲେ ତାଙ୍କୁ କାମରେ ସାହାଯ୍ୟ କରିବା ପାଇଁ । ଶୀଘ୍ର ଖାଇସାରିଲେ ପ୍ରକୃତ ମିଳନର ମଜ୍ଜା ଆସିବ । ମନମୋହନକୁ ସାଙ୍ଗରେ ନେଇ ଚନ୍ଦ୍ରଭାନୁ ଉଠିଗଲା ଉପରକୁ, ଭାଇ ସାଙ୍ଗରେ ସ୍ନେହ ଓ ପ୍ରେମର ଆଦାନ ପ୍ରଦାନ କରିବାପାଇଁ । ଡ୍ରଇଁରୁମର ସୋଫାଗୁଡ଼ିକୁ ସଜାଡ଼ି ଦେଇ ବସିଗଲେ ଅମୀୟ ବାବୁ, ରବିବାବୁ, ଡା. ରାଜେନ୍ଦ୍ର, ଡା. ଅତୁଲ ଓ ଶିବବାବୁ ।

 

ଶିବବାବୁ ଓ ଡା. ଅତୁଲ ଏକ ସାଙ୍ଗରେ ପଚାରିଲେ, “ଏସବୁ କୋଳାହଳ ଗଣ୍ଡଗୋଳ–କିଛି ବୁଝିହେଉନି । ବାସ୍ତବରେ ଘଟଣା କଣ ଟିକିଏ ବୁଝାଇ ଦିଅନ୍ତୁ ତ ଭାଇ ।”

 

“ସେ ସବୁ ପରେ ଶୁଣିବ । ପ୍ରଥମେ ଖାଇପିଇ ଥଣ୍ଡା ହୋଇ ସାର ।” ଅମୀୟ ବାବୁ କହିଲେ । ହଠାତ୍‌ ରାସ୍ତା ଉପରେ ଘନ ଘନ ଗାଡ଼ିର ହର୍ଣ୍ଣ ଶୁଣାଗଲା । ଘର ମଧ୍ୟରେ ଚିତ୍କାର ସାଙ୍ଗକୁ ବାହାରେ ହର୍ଣ୍ଣ ବାତାବରଣକୁ ବିରକ୍ତିକର କରି ପକାଇଲା । ରବିବାବୁ ଉଠିଗଲେ, “ମୁଁ ଟିକିଏ ଦେଖିଆସେ । କିଏ ସବୁ ଆସିଛନ୍ତି ।” କିଛି ସମୟ ପରେ କହିଲେ, “କେତେଜଣ ଟ୍ୟାକ୍‌ସିରେ ଆସି ପହଞ୍ଚିଛନ୍ତି । ସଙ୍ଘମିତ୍ରା ଆସିଗଲା ବୋଧହୁଏ ।” ଶିବବାବୁ ଓ ଡା. ଅତୁଲଙ୍କୁ ସେଠାରେ ବସାଇଦେଇ ତିନି-ବନ୍ଧୁ ବାହାରି ଆସିଲେ ବାହାରକୁ । ଅମୀୟ ବାବୁ ଚିହ୍ନାଇଦେଲେ ସେମାନଙ୍କୁ । “ଏ ହେଲେ ଗଣେଶବାବୁ ମିତ୍ରାର ସ୍ୱାମୀ । ଆଉ ଏ ସବୁ ଆମର ଭଣଜା-ଭାଣେଜୀ-। ଆଉ ଏ ତୁମର ଗେହ୍ଲୀ ଭଉଣୀ ସଙ୍ଘମିତ୍ରା । ସଙ୍ଘମିତ୍ରାକୁ ସେମାନେ ଏକରକମ ଟେକି ଆଣିଲେ ଭିତରକୁ । ତା ଗୋଡ଼ ତଳେ ଲାଗିଲା ନାହିଁ ।”

 

ଆନନ୍ଦ କୋଳାହଳ ସୀମା ଟପିଲା । ଦୀର୍ଘଦିନ ପରେ ଅପୂର୍ବ ମିଳନ । ସ୍ଥିର ହୋଇ ବସିବାକୁ କେହି ଯେମିତି ପ୍ରସ୍ତୁତ ନୁହନ୍ତି । ଅମୀୟ ବାବୁଙ୍କ ଘର ଖାଲି ଉଠୁଛି-ପଡ଼ୁଛି । ଏପରି ଏକ ଦିନକୁ ସେମାନେ ବହୁଦିନରୁ ପ୍ରତୀକ୍ଷା କରି ରହିଥିଲେ । ସେଥିପାଇଁ ପୂର୍ଣ୍ଣ ପ୍ରାଣରେ ତାକୁ ଉପଭୋଗ କରିବାକୁ ଲାଗିଥିଲେ । ଏଥର ଗଣେଶବାବୁ କୌତୂହଳ ଦମନ କରିନପାରି ପଚାରିଲେ, ‘ଏ କୋଳାହଳର ମତଲବ କଣ ଭାଇ !”

 

ଅମୀୟ ବାବୁ ଅନ୍ୟମାନଙ୍କ ସହିତ ଗଣେଶବାବୁଙ୍କ ପରିଚୟ କରାଇ ଦେଇ କହିଲେ, “ତୁମ ପରି ଆଉ ଚାରୋଟି ପରିବାର ଏ ଗରିବ ଘରେ ଆଜି ଅତିଥି, ତେଣୁ କୋଳାହଳଟା ଅନ୍ୟ ଦିନ ତୁଳନାରେ ଅଧିକ ଜଣାପଡ଼ୁଛି ।”

 

ଅମୀୟ ବାବୁଙ୍କ କଥା ଶୁଣି ସଙ୍ଘମିତ୍ରା କଣ ଠାରିଦେଇ ଗଣେଶବାବୁଙ୍କୁ କହିଲା, “ଶୁଣିଲ ନା ! ମୁ କହୁନଥିଲି ।”

 

ଅମୀୟ ବାବୁ ଗଣେଶବାବୁଙ୍କୁ ସାନ୍ତ୍ୱନା ଦେଇ କହିଲେ, “ଆସିଲ ତ ଏତେ ଡେରିରେ । ଆଉ ଟିକିଏ ଅପେକ୍ଷା କର । ସମସ୍ତ କଥା ବୁଝିପାରିବ ।”

 

ସଙ୍ଘମିତ୍ରା କହିଲା, “ଆମେ କାଲିଠାରୁ ଆସି ପହଞ୍ଚିଯାଆନ୍ତୁ ଭାଇ ମାତ୍ର ଗାଡ଼ି ଫେଲ ହୋଇ ଡେରିରେ ଟ୍ୟାକ୍‌ସିରେ ଆସିବାକୁ ବାଧ୍ୟ ହେଲୁ । ଏ ବାବୁଙ୍କର ତ ଆସିବାକୁ ଇଚ୍ଛା ନାହିଁ । ଆଉ ଏମିତି ହଇରାଣ ନହୁଅନ୍ତୁ କେମିତି !” ନିଜ ସ୍ୱାମୀଙ୍କ ପ୍ରତି ନିର୍ଦ୍ଦେଶ କରି ସେ ଅଭିଯୋଗ କଲେ ।

 

ବାର

 

ଖାଇସାରିବା ପରେ ସମସ୍ତେ ବିଶ୍ରାମ ମଧ୍ୟ ନେଇ ସାରିଥିଲେ ମାତ୍ର ବିଶ୍ରାମ ନେବା କାହାର ଇଚ୍ଛା ନଥିଲା । ଜଣେ ଅନ୍ୟ ଜଣକ ବିଷୟରେ ଜାଣିବାର ପ୍ରବଳ ଆକାଂକ୍ଷା ସେମାନଙ୍କୁ ବିଶ୍ରାମରେ ଆନନ୍ଦ ଦେଇନଥିଲା । କିଛି ସମୟରେ ସେମାନେ ଅମୀୟ ବାବୁଙ୍କ ହଲ ଘରେ ବସିଥିଲେ ପୂର୍ବରୁ ଯେଉଁଥିରେ ପାର୍ଟିସନ ହୋଇ ଦୁଇଟି ରୁମରେ ବିଭକ୍ତ କରାଯାଇଥିଲା । କିଛି ସମୟ ପୂର୍ବର ଚିତ୍କାର-ଉତ୍ତେଜନା ଆଉ ନଥିଲା । ସମସ୍ତ କଥା ଜାଣିବାର ପ୍ରବଳ ଆଗ୍ରହ ତାଙ୍କୁ ଚୁପ୍‌ କରାଇ ଦେଇଥିଲା । ଛୁଞ୍ଚିଟିଏ ପଡ଼ିଲେ ମଧ୍ୟ ଶୁଣାଯିବାର ନିସ୍ତବ୍ଧତା । କିଛି ସମୟ ନୀରବ ଭାବରେ ବସିବାପରେ ଅମୀୟ ବାବୁ ସେମାନଙ୍କର ଅତୀତର କେତୋଟି ଛିଣ୍ଡା ପୃଷ୍ଠାକୁ ଓଲଟାଇବାକୁ ଆରମ୍ଭ କଲେ ଅତିଥିମାନଙ୍କର ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ।

 

ତୁମମାନଙ୍କୁ ମୁଁ ଦୀର୍ଘ ପଚିଶ ତିରିଶି ବର୍ଷ ଅତୀତକୁ ନେଇଯାଉଛି , ଯେତେବେଳେ କଟକରେ ପଢ଼ୁଥିବା ସମୟରେ ଆମର ପରିଚୟ ହୋଇଥିଲା । ଏହି ରହିମ୍‌କୁ ଛାଡ଼ିଦେଲେ ଅନ୍ୟମାନଙ୍କ ସହିତ ମୋର ପୂର୍ବରୁ ପରିଚୟ ନଥିଲା । ରବିକୁ ନିର୍ଦ୍ଦେଶ କରି ଅମୀୟ ବାବୁ କହିଲେ, “କେବଳ ଏଇ ହିଁ ମୋର ପିଲାଦିନର ଖେଳସାଥି । ଏଇ କାନ୍ଥରେ ଟଙ୍ଗା ହୋଇଥିବା ଗ୍ରୁପ ଫଟୋଟି ଆମର ସେତେବେଳର ଫଟୋ ।”

 

ସମସ୍ତଙ୍କର ଦୃଷ୍ଟି କାନ୍ଥରେ ଟଙ୍ଗା ହୋଇଥିବା ଗ୍ରୁପ ଫଟୋଟି ଉପରେ ନିବଦ୍ଧ ହେଲା । ଅମୀୟ ବାବୁ କହିବାରେ ଲାଗିଥିଲେ ।

 

ଅବଶ୍ୟ ସେତେବେଳେ ଆଉ ଜଣେ ତରୁଣ-ତରୁଣୀ ଆମ ସହିତ ଘନିଷ୍ଠ ଥିଲେ ମାତ୍ର ଅଧିକ ସମୟ ପର୍ଯ୍ୟନ୍ତ ସେମାନେ ଆମ ସହିତ ତିଷ୍ଠି ପାରିଲେ ନାହିଁ । କଳହ ବନ୍ଧୁତ୍ୱର ରାସ୍ତାରେ ଗୋଟିଏ ବଡ଼ ଅନ୍ତରାୟ । ଏହାର ପ୍ରଭାବରେ ବନ୍ଧୁତ୍ୱର ଭିତ୍ତି ଭୁଷୁଡ଼ି ପଡ଼େ । ଜଣେ ଭାଇ ଓ ଜଣେ ଭଉଣୀକୁ ହରାଇବା ପରେ ଆମମାନଙ୍କର ସମ୍ପର୍କ ଆହୁରି ଦୃଢ଼ ହୋଇଗଲା । ସମାଜର ନାଲିଆଖି ଆମକୁ ଭୟଭୀତ କରିପାରିନଥିଲା । କେତେ ବ୍ୟଙ୍ଗ କେତେ ବିଦ୍ରୁପ ପରେ ମଧ୍ୟ ଆମେ କେହି କାହାରିଠାରୁ ଦୂରେଇ ଯାଇପାରିନଥିଲୁ । ଏମିତି ଗୋଟିଏ ‘ରାକ୍ଷୀ’ର ପବିତ୍ର କ୍ଷଣରେ ଆମେ ସଂକଳ୍ପ ନେଇଥିଲୁ କେହି କାହାରିଠାରୁ ସମ୍ପର୍କ ବିଚ୍ଛିନ୍ନ କରିବୁ ନାହିଁ, ଯେତେ ବଡ଼ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ।

 

ଭୁଲିଯିବା ତ ମଣିଷର ଗୋଟିଏ ସହଜାତ ପ୍ରବୃତ୍ତି । ଅତ୍ୟନ୍ତ ଆବଶ୍ୟକ କଥାଗୁଡ଼ିକ ଅନେକ ସମୟରେ ଭୁଲିଯାଇ ଯେତିକି ଅସୁବିଧାର ସମ୍ମୁଖୀନ ହୁଏ ଭୁଲିଯିବାର ଘଟଣାବଳୀକୁ ଭୁଲିନପାରି ସେତିକି ଦୁଃଖ ମଧ୍ୟ ପାଏ । ମଣିଷ ଯାହା ଚାହେଁ ପାଏନି କିମ୍ୱା ଯାହା ପାଏ ଅନେକ ସମୟରେ ତାକୁ ଚାହିଁନଥାଏ । ଆମେ ସମସ୍ତେ ତାର ଗୋଟିଏ ଉଦାହରଣ ।

 

ବର୍ତ୍ତମାନ ମୁଁ ଆମମାନଙ୍କର ନିଜ କଥା କହୁଛି ।

 

ଦିନ ପରେ ଦିନ ବିତିଯିବା ସାଙ୍ଗେସାଙ୍ଗେ ଆମର ସମ୍ପର୍କ ମଧ୍ୟ ଘନିଷ୍ଠ ହେବାକୁ ଲାଗିଲା । ଜଣକୁ ଜଣେ ନଦେଖିଲେ ପାଗଳ ପରି ହେବାକୁ ଲାଗିଲୁ । ସେସବୁ ଅଧିକ ଦିନ ସ୍ଥାୟୀ ହୋଇ ରହିପାରିଲାନାହିଁ । ଦୁନିଆର ପରିବର୍ତ୍ତନ ସାଙ୍ଗରେ ଆମମାନଙ୍କର ମଧ୍ୟ ପରିବର୍ତ୍ତନ ହେଲା-

 

ସର୍ବପ୍ରଥମେ ଜାନକୀ ଆମମାନଙ୍କଠାରୁ ବିଚ୍ଛିନ୍ନ ହୋଇପଡ଼ିଲା । ତାର ବିବାହ ହୋଇଗଲା ସୁଦୂର ମଫସଲରେ । ସେତେବେଳେ ମଫସଲର ଅବସ୍ଥା କେମିତି ଥିବ ତାହା ସମସ୍ତେ କଳ୍ପନା କରିପାରୁଥିବ । ଜାନକୀ ମଧ୍ୟ ସେଠାକୁ ବୋହୂ ହୋଇଯାଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । ପ୍ରଥମଥର ଯେତେବେଳେ କଟକ ଆସିଲା ସମସ୍ତ କଥା ଆମେ ତାହାରି ମୁହଁରୁ ଶୁଣିଥିଲୁ । ଛାତିରେ ପଥର ରଖିଦେଇ ଆମେ ତା କଥାକୁ ମନରୁ ପୋଛି ଦେବାକୁ ଚେଷ୍ଟା କଲୁ । ତଥାପି ଆମ ହୃଦୟରେ ରହିଗଲା ଗୋଟିଏ ଗଭୀର ଦାଗ । ଜାନକୀ ଅବସ୍ଥାଚକ୍ରରେ ସିନା ବାଧ୍ୟ ହୋଇ ଆମଠାରୁ ଦୂରେଇ ଗଲା କିନ୍ତୁ ସେ ଆଜିପର୍ଯ୍ୟନ୍ତ କାହାକୁ ଭୁଲି ପାରିନଥିଲା ।

 

ତାପରେ ଚାକିରି କରିସାରିବା ପରେ ବିବାହ କଲି ମୁଁ । ପ୍ରଥମ ଚାକିରି ଜୀବନରେ ରହିମ୍‌ଠାରୁ ଦୂରରେ ରହିବାକୁ ପଡ଼ିବ ବୋଲି ମୁଁ କଟକକୁ ଟ୍ରାନ୍‌ସଫର ହୋଇଆସିଲି । କିନ୍ତୁ ମୁଁ ଯେଉଥିପାଇଁ କଟକ ଟ୍ରାନ୍‌ସଫର ହୋଇ ଆସିଲି ତାହା ସଫଳ ହୋଇପାରିଲା ନାହିଁ । ତାର କିଛି ଦିନ ପରେ ସେ ସୁଦୂର ବମ୍ୱେରେ ଚାକିରି ପାଇଁ ଚାଲିଗଲା । ମୋ ପାଖରୁ କାହିଁ କେତେ ଦୂରକୁ ।

 

ବିବାହର କେତେ ବର୍ଷ କଟିଗଲା ତଥାପି ତୁମର ଭାଉଜଙ୍କୁ ମୁଁ ମାତୃତ୍ୱ ଦେଇ ପାରିଲିନାହିଁ । ସେଇଥିପାଇଁ ସେ ସବୁ ସମୟରେ ଦୁଃଖ କରୁଥାଆନ୍ତି । ମନକୁ ତାଙ୍କର ପରିବର୍ତ୍ତନ କରିବା ପାଇଁ ସେହି ବର୍ଷ ମୁଁ ତାକୁ ଚନ୍ଦ୍ରଭାଗା ବୁଡ଼କୁ ନେଇ ଯାଇଥିଲି । ସେହିବର୍ଷ ଜାନକୀ ଦୁଇ ପୁଅକୁ ସାଙ୍ଗରେ ଧରି ସ୍ୱାମୀଙ୍କ ସହିତ ଚନ୍ଦ୍ରଭାଗାକୁ ଆସିଥିଲା । ବୁଡ଼ ପକାଇ ସାରିବା ପରେ ନିଜର ବଡ଼ ପୁଅକୁ ହରାଇ ଦୁଃଖରେ ଫେରିଗଲା ତା ଗାଁକୁ । କୋଇଲି ଛୁଆ କାଉ ବସାରେ ବଢ଼ିଲା ପରି ବାବୁ ଚନ୍ଦ୍ରଭାନୁ ନାମରେ ପରିଚିତ ହୋଇ ମୋର ଘରେ ବଢ଼ିବାକୁ ଲାଗିଲା । ଭଗବାନ ଠିକ୍‌ ସମୟରେ ମୋତେ ତା ପାଖରେ ପହଞ୍ଚାଇ ଦେଇଥିଲେ । ଭଣଜାକୁ ମୁଁ ପୁଅ ଭାବରେ ପାଇଲି । ଜୟନ୍ତୀ ଶୁଷ୍କ ମାତୃତ୍ୱକୁ ସଜୀବ କରିନେଲେ ଏବଂ ମୁଁ ନିଜେ ସମାଜର ଅପବାଦ ଓ ଆତ୍ମୀୟ-ସ୍ୱଜନଙ୍କର ପ୍ରତିବାଦକୁ ଭ୍ରୂକ୍ଷେପ ନକରି ମଦୁଷ୍ୟତା ଦୃଷ୍ଟିରୁ ଚନ୍ଦ୍ରଭାନୁକୁ କୋଳକୁ ଉଠାଇନେଲି ।

 

ତେଣେ ଗାଁକୁ ଫେରିଯିବା ପରେ ଜାନକୀର ସ୍ୱାମୀଙ୍କର ମଧ୍ୟ ପରିବର୍ତ୍ତନ ଘଟିଲା । ବଡ଼ ପୁଅର ବିଚ୍ଛେଦରେ ତାଙ୍କର ମସ୍ତିଷ୍କର ବିକୃତି ଦେଖାଦେବାକୁ ଲାଗିଲା । ଚାକିରି କ୍ଷେତ୍ରରୁ ତଡ଼ା ଖାଇବା ପରେ ଦିନେ ସେ ଘରୁ ବାହାରିଗଲେ । ଦ୍ୱିତୀୟ ପୁଅ ପାଇଁ ଜାନକୀ ବିଚାରୀ ବଡ଼ ଅସୁବିଧାରେ ପଡ଼ିଗଲା ସ୍ୱାମୀ ତାର ଘର ଛାଡ଼ିଯିବା ପରେ । ତଥାପି ସେ ଧୈର୍ଯ୍ୟ ଧରି ପଡ଼ି ରହିଲା । ଏବଂ ତାର ସେହି ଅସୀମ ଧୈର୍ଯ୍ୟ ହିଁ ପରେ ଜାନକୀକୁ ସଂସାରର ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇଦେଲା । ତେଣୁ ଆଜି ଏପରି ଗୋଟିଏ ସୁନ୍ଦର ମିଳନର ସଂଗ୍ରହ ହେଲା । ଜୀବନକୁ ବାଜି ଲଗାଇ ପୁଅକୁ ତାର ମଣିଷ କରିବା ପାଇଁ ସେ ଅଣ୍ଟାରେ ଲୁଗାଭିଡ଼ି ବାହାରିପଡ଼ିଲା । ସେଥିପାଇଁ ସ୍ୱାମୀ ଓ ବଡ଼ପୁଅଙ୍କ ଚିନ୍ତା ତ୍ୟାଗକରି ଛାତିକୁ ପଥର କରି ସେ ବଞ୍ଚିରହିଲା କେବଳ ତାର ପୁଅପାଇଁ, ଏଇ ମନମୋହନ ପାଇଁ ।

 

ତାର ସ୍ୱାମୀ ସୁଶାନ୍ତ ପାଗଳ ହୋଇ ଘୂରି ବୁଲୁଥିଲେ । କିଛିଦିନ ପରେ ସେ ମୋ’ରି ଘରେ ପରିଚାରକ ଭାବରେ ରହିବାକୁ ଲାଗିଲେ । ମୁଣ୍ଡ ତାଙ୍କର ଠିକ୍‌ ନଥିଲା । ନିଜ ନାମକୁ ସୁଶାନ୍ତ ପରିବର୍ତ୍ତେ ଶିବ ବୋଲି ପ୍ରକାଶ କରିଥିଲେ । ଘରେ ରହିବାର କିଛିଦିନ ପରେ ତାଙ୍କର ପାଗଳାମୀ ଦୂର ହୋଇଯାଇଥିଲା । ସ୍ୱାଭାବିକ ମଣିଷ ପରି ସେ ସମସ୍ତ କାମଦାମ କରିବାକୁ ଲାଗିଲେ । ମାତ୍ର ପୂର୍ବର ସ୍ମୃତି ତାଙ୍କର ଆଉ ଫେରିଲା ନାହିଁ । ଯେତେବେଳେ ହେଲେ ରକ୍ତର ସମ୍ପର୍କ । ଚନ୍ଦ୍ର ଓ ସୁଶାନ୍ତ କେହି କାହାଠାରୁ ଦୂରେଇ ଯାଇ ପାରିଲେ ନାହିଁ । ସାଧାରଣ ପରିଚାରକ ଭାବରେ ରହିଲେ ମଧ୍ୟ ସୁଶାନ୍ତ ଚନ୍ଦ୍ରକୁ ଯେମିତି ସ୍ନେହ କରୁଥିଲେ ଚନ୍ଦ୍ର ମଧ୍ୟ ତାକୁ ସେମିତି ମାନୁଥିଲା । ମୋର ବିଶ୍ୱାସ ଏହି ଚନ୍ଦ୍ର ହିଁ ତାକୁ ସ୍ୱାଭାବିକ ହେବାରେ ସାହାଯ୍ୟ କରିଥିଲା ।

 

ରହିମ୍‌ର ଚାକିରି ହୋଇଯିବା ପରେ ସେ ବମ୍ୱେ ଚାଲିଗଲା । ବିଚରା ଦୁଇବର୍ଷ ହେଲା ବେକାର ହୋଇ ବସିଥିଲା ଏମ୍‌. ଏ. ବି. ଏଲ. ପାସ୍‍ କରି । ସେଠାରେ ମଧ୍ୟ ତାର ଯଥେଷ୍ଟ ପରିବର୍ତ୍ତନ ହୋଇଥିଲା । ରହିମ୍‍ ବମ୍ୱେ ନଗରୀରେ ସୁନ୍ଦରୀ ଅନୀତା ଦେବୀଙ୍କୁ ବିବାହ କରି ସେ ଆମମାନଙ୍କୁ ଧୀରେ ଧୀରେ ଭୁଲିଗଲା । ଅବଶ୍ୟ ସେଥିରେ ଅନୀତା ଦେବୀଙ୍କୁ ଦୋଷୀ କରିହେବନି । କେବଳ ତାଙ୍କରି ମାଧ୍ୟମରେ ଆମ ସମସ୍ତଙ୍କର ସମ୍ପର୍କ ତିଷ୍ଠି ରହିଲା ରହିମ୍‌ ସହିତ ।

 

ଦୁଇବର୍ଷ ପୂର୍ବରୁ ଚନ୍ଦ୍ରଭାନୁ ବମ୍ୱେ ଯାଇ ତାର ଝିଅ ଦେବସ୍ମିତା ସାଙ୍ଗରେ ପରିଚିତ ହେଲା । ସେହି ପରିଚୟ ମଧ୍ୟରୁ ଅନୀତା ଦେବୀ ପାଇଲେ ଚନ୍ଦ୍ରଭାନୁର ପ୍ରକୃତ ପରିଚୟ । ତା ପରେ ସେ ରହିମ୍‌କୁ ଜାଗ୍ରତ କଲେ । ତା ମନରୁ ମହାନଗରୀର ମୋହକୁ ଦୂରେଇ ଜନ୍ମଭୂମିର ସ୍ମୃତି ଜଗାଇ ଏଠାକୁ ଫେରାଇ ଆଣିଲେ ।

 

ଆମର ଅନ୍ୟତମ ବନ୍ଧୁ ରାଜେନ୍ଦ୍ର ଅନେକ ପୂର୍ବରୁ ବିବାହିତ ଥିଲେ । ଡାକ୍ତରୀ ପାସ୍‌ କରିବା ପରେ ସରକାରୀ ଡାକ୍ତର ମଧ୍ୟ ହୋଇଥିଲେ । ହଠାତ୍‌ ନିଜର ପ୍ରାଣପ୍ରିୟା ପତ୍ନୀଙ୍କ ବିୟୋଗରେ ସେ ବିଚଳିତ ହୋଇପଡ଼ିଥିଲେ । ଚାକିରି ଛାଡ଼ି ଅଥର୍ବଙ୍କ ପରି ପଡ଼ିରହିଲେ ଘରଟି ଭିତରେ ଗୋଟିଏ ପୁଅ ଗୋଟିଏ ଝିଅ ସେତେବେଳକୁ ଏଇ ଡାକ୍ତର ରାଜେନ୍ଦ୍ରର । ଅନେକ ବୁଝାଇବା ପରେ ସେ ପୁଣି ସ୍ଥିର ହେଲେ । ଶ୍ୱଶୁରଙ୍କ ଅନୁରୋଧରେ ତାଙ୍କରି ଘର ପାଖରେ ସ୍ୱାଧୀନ ଭାବରେ ନିଜର ସେବା ମନୋବୃତ୍ତିକୁ ନେଇ ବ୍ୟବସାୟରେ ଲାଗିଲେ । ନିଜ ଆଦର୍ଶରେ ଦୀକ୍ଷିତ କରାଇ ଆଜି ତାର ଝିଅ ଆମେରିକାରେ ସର୍ଜରୀ ପଢ଼ୁଛି ଏବଂ ପୁଅ ମଧ୍ୟ ଏଠାରେ ବୁର୍ଲାରେ ଡାକ୍ତରୀ ପଢ଼ୁଛି ।

ସଙ୍ଘମିତ୍ରା ମଧ୍ୟ ଢେଙ୍କାନାଳରେ ଗୋଟିଏ ମଫସଲରେ ବିବାହ କରି ଖୁସିରେ ରହିଲା । ନିଜର ସ୍ୱଭାବ-ସୁଲଭ ଗୁଣପାଇଁ ଗାଁରେ ସମସ୍ତଙ୍କର ପ୍ରିୟପାତ୍ରୀ ହୋଇପଡ଼ିଲା । ପ୍ରଥମେ ସେ ଆମର ସମ୍ପର୍କକୁ ତା ସ୍ୱାମୀଙ୍କ ଆଗରେ ପ୍ରକାଶ କରିବାକୁ ଭୟ କରିଥିଲା କିନ୍ତୁ ତାକୁ ପରେ ମନେଇ ନେଇଥିଲା । କେବଳ ଏକମାତ୍ର ସେ ପ୍ରକାଶ୍ୟ ଭାବରେ ଆମ୍ଭମାନଙ୍କ ସହିତ ସମ୍ପର୍କ ରକ୍ଷାକରି ପାରିଲା ।

ଜ୍ୟୋତିର୍ମୟୀ କଥା କ’ଣ କହିବି ? ଆମ ସମସ୍ତଙ୍କଠାରୁ ସେ ବିଶେଷ ଦୁଃଖୀ । ଭିଣୋଇ ଆମର ଫସିଯାଇଥିଲେ ଗୋଟିଏ ନର୍ସ ପାଖରେ । ତା ପାଇଁ ଜ୍ୟୋତି ଖୁବ୍‌ ଦୁଃଖ ପାଇଛି-। ଯାହାହେଉ ପରେ ତାଙ୍କର ପରିବର୍ତ୍ତନ ହେଲା । କେମିତି ଭାବରେ ତାଙ୍କର ପରିବର୍ତ୍ତନ ଘଟିଲା କହୁଛି–

ଡାକ୍ତର ରାଜେନ୍ଦ୍ର ଜଣେ ଲେଡି ଡାକ୍ତରଙ୍କ ବିଜ୍ଞାପନ ଦେଲାପରେ ଜାନକୀ ଏକଥା ଜାଣିପାରି ଜ୍ୟୋତିକୁ ଡକାଇ ନେଲା ଇଣ୍ଟରଭିଉ ପାଇଁ । ଡିସ୍‌ପେନ୍‌ସରୀରେ ଡାକ୍ତର ରାଜେନ୍ଦ୍ର ତାକୁ ନଚିହ୍ନିଲା ପରି ଅଭିନୟ କରିବାରୁ ଜ୍ୟୋତି ଖୁବ୍‌ ଦୁଃଖରେ କଟକ ଫେରିବାକୁ ପ୍ରସ୍ତୁତ ହେଉଥିଲା । ସେତେବେଳେ ଜାନକୀ ତାକୁ ଅଟକାଇ ନେଇଥିଲା ।

ତାର କିଛିଦିନ ପୂର୍ବରୁ ମୁଁ ଜ୍ୟୋତି ସମ୍ପର୍କରେ ସମସ୍ତ ବିବରଣୀ ହାସଲ କରିବାରେ ସଫଳ ହେଲି । ଯଦି ପୂର୍ବରୁ ମୁଁ ଏ ସମସ୍ତ ବିଷୟରେ ଜାଣି ପାରିଥାନ୍ତି ତେବେ ଆଜି ପର୍ଯ୍ୟନ୍ତ ଜ୍ୟୋତିକୁ ନିର୍ବାସିତା ହୋଇ ରହିବାକୁ ଦେଇନଥାନ୍ତି । ଆମକୁ ଏହା ସମ୍ପର୍କରେ କିଛିହେଲେ ଜଣାନଥିଲା । ସମସ୍ତ କଥା ଜାଣିବା ପରେ ମୁଁ ସେସବୁ ବର୍ଣ୍ଣନା କରି କଣ କରିବାକୁ ହେବ ତାହା ଡାକ୍ତର ରାଜେନ୍ଦ୍ରକୁ ନିର୍ଦ୍ଦେଶ ଦେଲି । ରାଜେନ୍ଦ୍ର ଉପରେ ମୋ ଯଥେଷ୍ଟ ଭରସା ଥିଲା । ପିଲାଟି ଦିନରୁ ଯେଉଁଥିରେ ସେ ହାତ ଦେଉଥିଲା ସେଥିରେ କୃତକାର୍ଯ୍ୟ ହେଉଥିଲା ।

ରାଜେନ୍ଦ୍ର ବହୁତ ପୂର୍ବରୁ ଜାନକୀକୁ ଚିହ୍ନି ପାରିଥିଲା ଏବଂ ତା ସମ୍ପର୍କରେ ସମସ୍ତ କଥା ଜାଣିପାରିଥିଲା । ତେଣୁ ତାକୁ ସାହାଯ୍ୟ କରିବା ପାଇଁ ମନମୋହନକୁ ନିଜ ପାଖକୁ ନେଇଗଲା । ମନମୋହନ ତ ଭଲ ପିଲାଟିଏ । ରାଜେନ୍ଦ୍ର ପାଇଁ ଭଲ ହେଲା । ମୋ ଚିଠି ପାଇବା ପରେ ରାଜେନ୍ଦ୍ର ବଲାଙ୍ଗୀର ବାହାରିଲା ଡାକ୍ତର ଅତୁଲଙ୍କ ପାଖକୁ–ଜ୍ୟୋତିର ସ୍ୱାମୀଙ୍କ ପାଖକୁ । ଯିବା ପୂର୍ବରୁ ରାଜେନ୍ଦ୍ର ମନମୋହନକୁ ନିର୍ଦ୍ଦେଶ ଦେଇଗଲା ଜ୍ୟୋତି ଏବଂ ତା ମାଆକୁ ସାଙ୍ଗରେ ନେଇ କଟକରେ ତାର ସାକ୍ଷାତ କରିବାକୁ ମୋ ଘର ଠିକଣାରେ । ଏ ସମ୍ୱନ୍ଧରେ ମୁଁ କିଛି ଜାଣି ନଥିଲି । କିନ୍ତୁ ତାର ଇଚ୍ଛା ଥିଲା ଏବର୍ଷ ରାକ୍ଷୀରେ ମୋ ଘରେ ଏକ ଅପୂର୍ବ ମିଳନ ହେଉ ବୋଲି ।

ଡାକ୍ତର ରାଜେନ୍ଦ୍ରର ଲମ୍ୱା ଚଉଡ଼ା ଚେହେରା ଉପରେ ଗାମ୍ଭୀର୍ଯ୍ୟର ଛାପ । ଡାକ୍ତର ଅତୁଲ ତାର ବ୍ୟବହାରରେ ଭୟଭୀତ ହୋଇପଡ଼ିଥିଲେ । ତା ପରେ ସେ ମଧ୍ୟ ନିଜର ପ୍ରେମିକା କାଦମ୍ୱରୀଠାରୁ ଧୋକା ଖାଇବା ପରେ ପରେ ଅନୁତପ୍ତ ଥିଲେ । ଡାକ୍ତର ରାଜେନ୍ଦ୍ରଙ୍କ କଥାକୁ ସେ ମାନିନେଲେ । ତା ପରେ ଡାକ୍ତର ରାଜେନ୍ଦ୍ର ତାଙ୍କୁ ଧରି ଏଠାରେ ପହଞ୍ଚିଲେ ।

ବର୍ତ୍ତମାନ ଜ୍ୟୋତି ଏବଂ ଡାକ୍ତର ଅତୁଲଙ୍କ ମଧ୍ୟରେ ବୁଝାମଣା ହୋଇଗଲାଣି । ଏଣିକି ଆଉ ଡିସ୍‌କାନେକ୍‌ଟ ହେବନି । ଦେଖୁନୁ କେମିତି ଭିଣେଇ ଜ୍ୟୋତିର ହାତକୁ ଜାବୁଡ଼ି ଧରିଛନ୍ତି, କାଳେ ପୁଣିଥରେ ଖସିଯିବେ ।

 

ଅମୀୟ ବାବୁଙ୍କର ଆଉ କେତୋଟି ବର୍ଷ ପରେ ରିଟାୟାର୍ଡ ହେବ ଚାକିରି କ୍ଷେତ୍ରରୁ । ଅନ୍ୟ ବନ୍ଧୁ ଓ ଭଉଣୀମାନେ ପ୍ରାୟ ତାଙ୍କର ସମବୟସ୍କ, ତାଙ୍କ କଥାରେ ସମସ୍ତେ ହସିଉଠିଲେ ପିଲାଙ୍କ ପରି ।

 

ବର୍ତ୍ତମାନ ମୁଁ ଶିବବାବୁ ଓରଫ ସୁଶାନ୍ତବାବୁଙ୍କ କଥା କହୁଛି । ମନେଥିବ କହିଥିଲି ତାଙ୍କର ମସ୍ତିଷ୍କବିକୃତି ଏଠାରେ ପହଞ୍ଚିବା ପରେ ଚନ୍ଦ୍ରକୁ ଦେଖିବା ପରେ ଦୂର ହୋଇଯାଇଥିଲା କିନ୍ତୁ ତାଙ୍କର ସ୍କୃତି ଶକ୍ତି ଫେରିନଥିଲା । ଅତୀତ କଥା ସେ ସ୍ମରଣ କରିପାରୁନଥିଲେ ।

 

ଭାଗ୍ୟକୁ ଗତ କାଲି ସେ ମୁଣ୍ଡରେ ଆଘାତ ପାଇଲେ । ତାଙ୍କ ପାଇଁ ସେ ବରଦାନ ପରି ହେଲା । କେତେ ବୁନ୍ଦା ରକ୍ତ ପରିବର୍ତ୍ତେ ସେ ନିଜର ଦୃଢ଼ ସ୍ମରଣଶକ୍ତିକୁ ଫେରିପାଇଲେ ।

 

ଆଜି ସକାଳେ ଜାନକୀ ଏଠାରେ ପହଞ୍ଚିଲା ଜ୍ୟୋତି ଓ ମନମୋହନକୁ ସାଙ୍ଗରେ ନେଇ-। ସେ ତା’ର ଅତୀତର ଘଟଣାବଳୀ ବର୍ଣ୍ଣନା କଲାବେଳେ ଯୋଗକୁ ସୁଶାନ୍ତବାବୁ ସମସ୍ତ କଥା ଶୁଣିପାରିଲେ । ଫଳରେ ପରିଚୟ ଘଟିଲା । ତା ପରଠାରୁ ସେ ବିଚାରୀ ଦୁଇଟା ଛଡ଼ା-ଛଡ଼ି ହେବାକୁ ରାଜି ନୁହଁନ୍ତି । ଦେଖୁନା ସୁଶାନ୍ତବାବୁ କେମିତି ନିଜର ଧୋତି ସାଙ୍ଗରେ ଜାନକୀର ଶାଢ଼ିକୁ ବାନ୍ଧି ପକାଇଲେଣି ।

 

ଆଉ ଥରେ ସେମାନଙ୍କ ମଧ୍ୟରେ ଏକ ଉଲ୍ଲାସର ଧ୍ୱନି ଉଠିଲା ।

 

ସମସ୍ତେ ଦେଖିଲେ–ସତକୁ ସତ ଜାନକୀର ଶାଢ଼ି ସାଙ୍ଗରେ ସୁଶାନ୍ତ ବାବୁଙ୍କର ପଣତ ଗଣ୍ଠି ପଡ଼ିଗଲା । ସେ କରିବା କାମ କରିସାରି ଚୁପ ହୋଇ ବସିଛି ନଜାଣିଲା ପରି । ତାଙ୍କ ପଛରେ ବସିଥିବା ଜୟନ୍ତୀ ଦେବୀ ମୁହଁରେ ଲୁଗା ଦେଇ ହସି ଟିକିଏ ଦୂରକୁ ଘୁଞ୍ଚିଗଲେ । କହିଲେ–ଏମିତି ବି ହୁଏ ।

 

“ତୁ ହସୁଛୁ କଣ ମିତ୍ରା ।” ଅମୀୟ ବାବୁ କହିଲେ–ଗଣେଶବାବୁ କୋଉ ସାଧୁ ଯେ ! ଚୋରଙ୍କ ପରି ଲୁଚାଇ ଲୁଚାଇ ତୋତେ ସେ ହଜାର ଥର ଦେଖିସାରିଲେଣି । ଯେମିତି ଘରେ ତୋତେ ଦେଖିପାରୁ ନାହାନ୍ତି ।”

 

ଡା. ରାଜେନ୍ଦ୍ର ପେଟକୁ ଚିପି ଧରି କହିଲେ–“ଦେଖ ଅମୁଭାଇ, ତୁମେ ଆଉ ହସାଅନା-। ମୋ ପେଟ ଫାଟି ଯିବାକୁ ବସିଲାଣି ।”

 

ହଁ–ହଁ । ଭଲକରି ହସ ରାଜୁ । ଏଇ ଅବସ୍ଥାରେ ତୋତେ ଏମାନେ ଦେଖନ୍ତୁ । ଇଣ୍ଟରଭିଉ ସମୟରେ ତୋର ଗମ୍ଭୀର ମୁହଁକୁ ଦେଖି ଜ୍ୟୋତି ତୋତେ କେତେ ଗାଳିଦେଲା, କେତେ ଅଭିଶାପ ଦେଇଆସିଲା । ତୁ ଭୟ କରନା–ତୋ ଉପରେ ସେ ସବୁ ପଡ଼ିବ ନାହିଁ । ଆଉ ଡା. ଅତୁଲ ତ ତୋତେ ଦେଖି ନିଜ ଦେହରୁ ଅଧା ଜୀବନକୁ ବାହାର କରି ପକାଇଥିଲେ । ଥରେ ଅନ୍ତତଃ ତୋର ପ୍ରକୃତ ସ୍ୱରୂପ ଦେଖିବାର ସୁଯୋଗ ସେମାନେ ପାଆନ୍ତୁ ।

 

“ପ୍ରକୃତରେ ରାଜୁବାବୁ ! ବଲାଙ୍ଗୀରରେ ଆପଣଙ୍କୁ ଦେଖି ମୁଁ ଖୁବ୍‌ ଭୟ ପାଇଥିଲି ।” ଡା. ଅତୁଲ କହିଲେ ।

 

ଡା. ଅତୁଲଙ୍କ କଥାରେ ପୁଣିଥରେ ସମସ୍ତେ ହସିଉଠିଲେ ।

 

“ହଁ ଭଲକରି ହସି ନିଅ, ଏତେଦିନ ସମସ୍ତଙ୍କର ଦୁଃଖରେ କଟିଯାଉଛି । ଏଣିକି ତ ଆମର ହସିବା କଥା । ଏମିତି ଗୋଟିଏ ଅପୂର୍ବ ମିଳନ ଆମ ସମସ୍ତଙ୍କର ସ୍ମରଣୀୟ ହୋଇ ରହିବ-।” ଅମୀୟ ବାବୁ କହିଲେ ।

 

“ଆରେ ହଁ ମୁଁ ଭୁଲିଯାଇଥିଲି ।” ଅମୀୟ ବାବୁ ପୁଣି କହିଲେ, “ତୋର ମନେ ଅଛି ନା ଜାନକୀ ଥରେ ମୁଁ କହିଥିଲି–ବର୍ତ୍ତମାନ ସିନା ସମାଜ ଆମକୁ ବାଧା ଦେଉଛି ହେଲେ ଆମ ମଧ୍ୟରୁ କାହାର ପୁଅ କିମ୍ୱା ଝିଅ ସହିତ ବିବାହ କରି ଆମେ ସମୁଦି-ସମୁଦୁଣୀ ହୋଇଯିବା । ତା ପରେ ସମାଜର ନାଲିଚକ୍ଷୁ ଆମ ଆଡ଼କୁ ଚାହିଁ ପାରିବନି । ଆଉ ସେତେବେଳେ ଆମକୁ ଘୃଣା କରୁଥିବା ସନ୍ଦେହ କରୁଥିବା ଲୋକଙ୍କ ମୁହଁରେ ନିଆଁ ଲାଗିବ । ସହଜେ ତ ଆମେ ଆସି ବୁଢ଼ା-ବୁଢ଼ୀ ହେଲେଣି । ମୋର ତ ସେ ସୌଭାଗ୍ୟ ହୋଇପାରିଲା ନାହିଁ । ନା, ପୁଅ, ନା ଝିଅ, ତେଣୁ ଭାବିଛି ତୋ ପୁଅ ଚନ୍ଦ୍ରଭାନୁ ସାଙ୍ଗରେ ରବିର ଝିଅ ଦେବସ୍ମିତାର ବିବାହ କରାଇଦେବା । କହ, କେମିତି ହେବ ?”

 

ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଗଲା । ଚନ୍ଦ୍ରଭାନୁ ଓ ସ୍ମିତା ଏ କଥା ଶୁଣି ଉଠିଯିବାକୁ ବସିଥିଲେ । ଅମୀୟ ବାବୁ କହିଲେ, “ହଁ ହଁ ଆମେ ତୁମ ଦି’ଟାକୁ ଠିକ୍‌ ଚିହ୍ନିଛୁ ଯେ ! କୁଆଡ଼େ ଉଠି ଚାଲିଯାଉଛ ? କଟକରେ ସେ ପହଞ୍ଚିବା ପରଠାରୁ ତ ଦୁଇଜଣ ଏକାଏକା ଘୂରି ବୁଲୁଛ, କଣ ମନରେ ଶାନ୍ତି ଆସିନି ? ମୁହଁକୁ ମୁହଁ ଯୋଡ଼ିଦେଇ ସେତେବେଳୁ ବସି ରହିଥିଲ । ବିବାହ କଥା ଶୁଣି ଉଠିପଡ଼ୁଛ, ସତେ ଯେମିତି ବିବାହ କରିବାକୁ ଇଚ୍ଛା ନାହିଁ । ହେଲେ ଏତେଶୀଘ୍ର ତୁମର ବିବାହ ମଧ୍ୟ କିଏ କରି ଦେଉନି । ଆଗେ ନିଜେ ପୋଷି ହେବାକୁ ଚେଷ୍ଟାକର ତା ପରେ ଆଉ ଗୋଟିଏ ଝିଅକୁ ପୋଷିବ ।”

 

ଅମୀୟ ବାବୁଙ୍କ କଥାଶୁଣି ସଙ୍ଘମିତ୍ରାର ତିନିବର୍ଷର ପୁଅଟା ମିତ୍ରାର ବେକକୁ ଧରି କହିଲା, “ବୋଉ ମୁଁ ବିବାହ କରିବି ।”

 

ଛୋଟ ପିଲାଟିର କଥାରେ କାହାର ହସ ଯେମିତି ବନ୍ଦ ହେବାରେ ନଥିଲା । ଅମୀୟ ବାବୁଙ୍କର ମାଆ ନିଜର ସମ୍ପୂର୍ଣ୍ଣ ଭାବରେ ପକ୍ୱ କେଶରେ ହସ୍ତ ସଞ୍ଚାଳନ କରି ପାକୁଆ ପାଟିରେ ହସିଲେ, “ଆ ନାତି ମୋତେ ବିଭା ହେବୁ ।”

 

ହସ ଥମିଲା ପରେ ଜ୍ୟୋତି କହିଲା, “ମୋ ପାଇଁ ତୁମେ ବହୁତ ପରିଶ୍ରମ କଲ ରାଜୁଭାଇ ! ଆମେ ବଲାଙ୍ଗୀର ଗଲେ ତୁମକୁ ଆଉ ଟିକିଏ କଷ୍ଟ ସ୍ୱୀକାର କରି ଆମର ନିମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ ।”

 

“ଅମୀୟ ଭାଇ ତୁମେ ମଧ୍ୟ ମୋର କମ୍‌ ଉପକାର କରିନ–ଗାଁର ମାଟିଘରେ ସମସ୍ତଙ୍କୁ ନେଇ ଥରେ ପାଦ ପକାଇ ଆସିବ । ଚନ୍ଦ୍ର ହେଲେ ତା ଜନ୍ମସ୍ଥାନ ଦେଖି ଆସିବ ।” ଜାନକୀ କହିଲା-

 

“ମୁଁ ଏକା ରହିଗଲି ଯେ !” ରବିବାବୁଙ୍କୁ ଅଭିମାନରେ କହିଲେ କଣ ପଠାଣ ବୋଲି ଘୃଣା କରୁଛ କି ! ମୋତେ ହେଲେ କିଏ ଡାକ । ତୁମର ଘର ଅପବିତ୍ର ହୋଇଗଲେ ମୁଁ ବରଂ ବାହାର ବାରଣ୍ଡାରେ କଟାଇ ଚାଲି ଆସିବି ।

 

“ଛି ଛି, ରବିଭାଇ ! ଏମିତି କଣ କହୁଛ ? ଆମେ କେହି ତୁମକୁ ସେମିତି ଭାବି ପାରିବୁ-? ତୁମ କଥା ମୁଁ ବୁଝିବି ।” ରହିମ୍‍କୁ କହି ସାରିବା ପରେ ସଙ୍ଘମିତ୍ରା ଡାକ୍ତର ରାଜେନ୍ଦ୍ର ଆଡ଼କୁ ବୁଲି କହିଲା “ରାଜୁଭାଇ ତୁମକୁ ଦାଦା ଓ ଜ୍ୟୋତି ଡରି ଯାଇଥିଲେ ପରା । ଆମର ୟାଙ୍କୁ ଟିକିଏ ଡରାଇ ଦିଅ ତ । ମୋ ସାଙ୍ଗରେ ସବୁବେଳେ ଲାଗୁଛନ୍ତି ।” ଆସିଲାବେଳେ କହୁଥିଲେ, “ଅମୁଭାଇ କୁଆଡ଼େ ଆମର ବାଟାଲିଅନ୍‌କୁ ଦେଖି ଡରିଯିବେ । ସେ କୁଆଡ଼େ ଦିବାଲା ହୋଇଯିବେ ।”

 

“ଚାଲୁନୁ ଆମେ ସମସ୍ତେ ମିଶି ତାକୁ ବାହାରକୁ ବାହାର କରିଦେବା ତୋତେ ଛାଡ଼ି ସେ କେମିତି ରହିବେ ।” ଡାକ୍ତର ରାଜେନ୍ଦ୍ର କହିଲେ, “କି ଗଣେଶବାବୁ ଏସବୁ କଥା କଣ ସତ ! ଆରେ-! ସେ ଦିବାଲା ହୋଇଗଲେ ଆମେ ଉଠାଇ ଦେବୁନି । ସେ ସିନା ଦୁବଲା ପତଳା ହୋଇଯାଇଛନ୍ତି-। ଆମେ ତ ତାଙ୍କର ଦୁଇ ଦୁଇଟା ହାତୀପରି ଭାଇ ଅଛୁ ।”

 

ଚୁପକରି ଗଣେଶବାବୁ ମିତ୍ରାକୁ ଚିମୁଟି ଦେଉଥିଲା ବେଳେ ଅମୀୟ ବାବୁ ତାକୁ ଦେଖି ପକାଇଲେ । “ହଁ ହଁ ସେ କ’ଣ ହେଉଛି ? ଯେତେହେଲେ ଅର୍ଦ୍ଧାଙ୍ଗିନୀ ପରା । ତାକୁ କଷ୍ଟଦେଲେ ସେଟା ତୁମକୁ କଷ୍ଟ ନୁହେଁ ?”

 

ଏଥର ଉଠିବା ସବୁ । ବହୁତ ସମୟରୁ ବସି ଗଲେଣି । କଥାବାର୍ତ୍ତା ଶେଷହୋଇ ଆସିଲାଣି, ଯାହା କହିବାର ଥିଲା । ତୁମମାନଙ୍କୁ ଥରେ କହିଥିଲି ନା ଆମର ଏ ପବିତ୍ର ସମ୍ପର୍କ କେବେ କଳୁଷିତ ହେବନାହିଁ ! ଏହା ଆଦର୍ଶ ହୋଇରହିବ । ବର୍ତ୍ତମାନ କେବଳ ଦେଖିବାକୁ ରହିଗଲା ଯେଉଁମାନେ ଦିନେ ଆମର ନିନ୍ଦା କରୁଥିଲେ ସେମାନେ ପୂର୍ବପରି ଅଛନ୍ତି ନା ଆମ ପ୍ରତି ସେମାନଙ୍କର ଧାରଣା ବଦଳାଇଛନ୍ତି ? ଏତେଦିନ ପରେ ଆମେ ସମସ୍ତେ ଏକତ୍ରିତ ହେଲେ । ହାତମୁଠା ଆମର ଟାଣ ହେଲା । ବର୍ତ୍ତମାନ ଦେଖିବା ଆମର ସମ୍ପର୍କକୁ କିଏ କଳୁଷିତ ବୋଲି କହିପାରୁଛି ? କେଉଁ ସମାଜ ଆମ ପ୍ରତି ଆଉ ଭ୍ରୂକୁଟି କରିପାରୁଛି ।

 

ଯେଉଁ ରାକ୍ଷୀବନ୍ଧନ ପ୍ରଥମଥର ପାଇଁ ସେମାନଙ୍କ ମଧ୍ୟରେ ପରିଚୟର ସୂତ୍ରପାତ କରିଥିଲା, ଅନେକ ବର୍ଷ ପରେ ସେପରି ଏକ ରାକ୍ଷୀରେ ସେମାନେ ମିଳିତ ହୋଇଥିଲେ, କାଳର କରାଳ ସ୍ରୋତରେ ଅନେକ ଦିନ ଧରି ବିଚ୍ଛିନ୍ନ ହୋଇ ରହିବାପରେ । ଏହି ଦିନଟି ସମସ୍ତଙ୍କର ସ୍ମରଣୀୟ ହୋଇ ରହିବ –ରାକ୍ଷୀ ବନ୍ଧନ ।

 

ତିନିଭାଇ ଚାହିଁ ରହିଥିଲେ ସେମାନଙ୍କ ହାତରେ ଝଟକୁଥିବା ତିନୋଟି ଲେଖାଏଁ ସୁନ୍ଦର ରାକ୍ଷୀକୁ । ଆଉ ଅନ୍ୟମାନେ ଚାହିଁ ରହିଥିଲେ ସୁନ୍ଦର ରାକ୍ଷୀର ଅନ୍ୟ ଏକ ମାଳିକୁ ଯାହାକୁ କିଛି ସମୟ ପୂର୍ବରୁ ଜ୍ୟୋତି ନିଜେ ଟଙ୍ଗାଇ ଦେଇଥିଲା । ସେହି ରାକ୍ଷୀର ମାଳା ମଧ୍ୟରେ ଅନେକ ବର୍ଷ ପୂର୍ବର ଛୋଟ ଗ୍ରୁପ ଫଟୋଟି ସେମାନଙ୍କର ତାଙ୍କ ନିକଟରେ ଜୀବନ୍ତ ହୋଇପଡ଼ିଥିଲା ।

Image